ଗୋଛାପଡା, ୪/୯ : ସରକାର ଗ୍ରାମାଞ୍ଚଳରେ ଯାତାୟତର ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା, ପୋଲ ଇତ୍ୟାଦି ନିର୍ମାଣ କରୁଛନ୍ତି। ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ୱହୀନତା ଯୋଗୁଁ କାମ ହେବାର କମ୍ ଦିନ ଭିତରେ ଏସବୁ ନଷ୍ଟ ହୋଇ ଯାଉଥିବା ଦେଖାଯାଉଛି। ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଡାଙ୍ଗଡ଼ିକିଆ ନିକଟରେ ବାଘ ନଦୀ ଉପରେ ଗ୍ରାମ୍ୟ ନିର୍ମାଣ ବିଭାଜନ ଦ୍ୱାରା ନିର୍ମାଣ କରାଯାଇଥିବା ପୋଲ ଧସି ଯାଇଛି l ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ହୋଇଛି।
ବିଜୁ ସେତୁ ଯୋଜନାରେ ଏହି ପୋଲ ମାତ୍ର ଦୁଇ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ତେବେ ଚଳିତ ବର୍ଷାରେ ପୋଲ ତଳୁ ମାଟି ପଥର ଧୋଇ ନଷ୍ଟ ହୋଇଯାଇଛି l ଗାର୍ଡ ଓ୍ବାଲ ମଧ୍ୟ ଭାଙ୍ଗି ଯାଇଛି। ଫଳରେ ଏହି ସେତୁ ଉପରେ ନିର୍ଭର କରୁଥିବା ଡାଙ୍ଗଡ଼ିକିଆ, କୁଟିବାରୀ, ଜୟଲମ୍ବା, ଗୁରୁପଡା ଭଳି ୬ ରୁ ୮ ଟି ଗାଁର ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୨ କୋଟି ୧୭ ଲକ୍ଷ ୨୫ ହଜାର ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ଏହି ପୋଲ ସାମାନ୍ୟ ବର୍ଷାରେ ଧୋଇ ହୋଇଯିବା ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏଭଳି ନିମ୍ନମାନର କାର୍ଯ୍ୟକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି l ଏନେଇ ତଦନ୍ତ କରାଯିବା ସହ ଶୀଘ୍ର ମରାମତି କରି ଏହି ଅଞ୍ଚଳକୁ ଯାତାୟାତ ସ୍ବାଭାବିକ କରିବା ପାଇଁ ଲୋକେ ଦାବୀ କରିଛନ୍ତି।