କଟକ,୦୫/୦୯: କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ନଭେମ୍ୱର ୧୫ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି. ପରମେଶ୍ୱରନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଚଳିତ ବର୍ଷ ବାଲିଯାତ୍ରାରେ ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ କରାଯିବ ବୋଲି କହିଛନ୍ତି । ପ୍ଲଟ୍ ଆବଣ୍ଟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସରଳୀକରଣ କରାଯିବ । ଯେଉଁମାନେ ପ୍ଲଟ୍ ଆବଣ୍ଟନରୁ ବଞ୍ଚିତ ହୋଇ ଆସୁଥିଲେ କିମ୍ବା ପ୍ରକ୍ରିୟାରେ ଭାଗ ନେଇ ପାରୁ ନଥିଲେ ସମସ୍ତଙ୍କୁ ପ୍ଲଟ୍ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।
ଚଳିତ ବର୍ଷ ଯେଉଁମାନେ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପାଇଁ ଷ୍ଟଲ୍ ଖୋଲିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର କର୍ଣ୍ଣର ରଖାଯିବ । ଆଇନଶୃଙ୍ଖଳା, ଗମନାଗମନ, ଯାତାୟାତ, ଯାନବାହନ ନିୟନ୍ତ୍ରଣ, ଗାଡ଼ି ରହଣୀ ସ୍ଥଳ, ସ୍ୱଚ୍ଛତା, ବିଦ୍ୟୁତ୍ ଯୋଗାଣ, ପଡ଼ିଆ ସମତୁଲ କରିବା, ଖାଦ୍ୟ ସୁରକ୍ଷା, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ ନିର୍ମାଣ ଆଦି ବିଷୟରେ ପୂର୍ବ ବର୍ଷର ଅଭିଜ୍ଞତାକୁ ନେଇ ଯେଉଁସବୁ ସ୍ଥାନରେ ସୁଧାର ଆଣିବାର ଆବଶ୍ୟକତା ରହିଛି ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜନଗହଳିକୁ ନିୟନ୍ତ୍ରଣ କରିବା ସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାର୍କିଂ ସ୍ଥାନ ବୃଦ୍ଧି କରାଯିବ ବୋଲି ଏଡିସିପି ଅନିଲ କୁମାର ମିଶ୍ର କହିଥିଲେ । ଏଥିସହ ୱାଚ୍ ଟାୱାର ନିର୍ମାଣ ତଥା ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଦଳ ମୁତୟନ, ପାର୍କିଂ ସ୍ଥାନରୁ ଯାତ୍ରୀମାନଙ୍କୁ ଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଯାତାୟାତକୁ କିପରି ସହଜ ହୋଇପାରିବ ତା’ ଉପରେ ଗୁରୁତ୍ୱ ଦେଇଥିଲେ । ପାର୍କିଂ ସ୍ଥାନ ବୃଦ୍ଧି, ପଡ଼ିଆ ଓ ଏହାର ଆଖପାଖ ଅଞ୍ଚଳର ଉପଯୁକ୍ତ ଆଲୋକୀକରଣ, କାର୍ତ୍ତିକେଶ୍ୱର ଭସାଣି ତାରିଖ ପରିବର୍ତ୍ତନ ଆଦି ଉପରେ ମଧ୍ୟ ଶ୍ରୀ ମିଶ୍ର ଗୁରୁତ୍ୱ ଦେଇଥିଲେ । ବାଲିଯାତ୍ରାର ସୁପରିଚାଳନା ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯିବ ବୋଲି ସ୍ଥିର କରାଯାଇଥିଲା ।
ବୁଧବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ଡ.ଦିବ୍ୟଲୋଚନ ମହନ୍ତ ଓ କଟକ ସଦର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।