ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ପୁଲଓ୍ବାମାରେ ସିଆରଏଫ୍ କାରକେଡ ଉପରେ ଭୟଙ୍କର ଆକ୍ରମଣ ମାମଲାର ଅଭିଯୁକ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି । ଅଭିଯୁକ୍ତ ବିଲାଲ ଅହମ୍ମଦ କୁଚେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପୁଲଓ୍ବାମା ଆକ୍ରମଣ ମାମଲାରେ ଏନଆଇଏର ଚାର୍ଜସିଟ୍ ଅନୁସାରେ, ୧୯ ଅଭିଯୁକ୍ତଙ୍କ ମଧ୍ୟରେ କାକାପୋରାର ହାଜିବାଲ୍ ଗାଁର ବିଲାଲ କୁଚେର ନାଁ ସାମିଲ ଥିଲା ।
ଫେବୃଆରୀ ୧୪, ୨୦୧୯ରେ ପୁଲଓ୍ବାମରେ ଜୈଶ-ଏ ମହମ୍ମଦର ଜଣେ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିକୁ ନେଇ ସିଆରପିଏଫର କାରକେଡ୍ରେ ଥିବା ବସ୍କୁ ଧକ୍କା ଦେଇଥିଲା । ପଳରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଥିଲେ ।
ମିଳିଥିବା ସୂଚନା ଅନୁସାରେ, କିସ୍ତଓ୍ବାଡା ଜେଲରେ ଅସୁସ୍ଥ ହୋଇପଡ଼ିବାରୁ ବିଲାଲ କୁଚେକୁ ସେପ୍ଟେମ୍ବର ୧୭ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ରାତିରେ ହୃଦଘାତରେ ତାର ମୃତ୍ୟୁ ଘଟିଛି । ତେବେ ଅଗଷ୍ଟ ୨୫, ୨୦୨୦ରେ ଏନଆଇଏ ଦ୍ବାରା ଦିଆଯାଇଥିବା ଚାର୍ଜସିଟ୍ରେ କୁଚେ ସମେତ ୧୯ ଜଣଙ୍କ ନାଁ ସାମିଲ ଥିଲା । ବିଲାଲ ସମେତ ୭ ଜଣଙ୍କୁ ଏନଆଇଏ ଗିରଫ କରିଥିଲା । ବିଲାଲ କୁଚେ, ଶାକିର ବାଶିର, ଇନଶା ଜାନ ଏବଂ ପିର ତାରିକ୍ ଅହମ୍ମଦ ଶାହ ଘରେ ରହି ଜୈଶ-ଏ ମହମ୍ମଦର ଆତଙ୍କବାଦୀଙ୍କୁ ସହାୟତା କରୁଥିବା ନେଇ ଏନଆଇଏ ଜାଣିବାକୁ ପାଇଥିଲା ।