ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନରୁ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ବର୍ତ୍ତମାନ ସମୟରେ ତାଙ୍କ ସିନେମା ‘ଏମରଜେନ୍ସି’ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି । ତେବେ ଗତ କିଛି ଦିନ ହେବ କୃଷକ ଆନ୍ଦୋଳନକୁ ନେଇ ତାଙ୍କ ବିବୃତ୍ତି ପାଇଁ ବିରୋଧୀଦଳ ମଧ୍ୟ ତାଙ୍କୁ ଲଗାତାର ଆକ୍ରମଣ କରୁଛନ୍ତି । ଏହି ସମୟରେ, ତାଙ୍କ ବିବାହ ବିଷୟରେ କଥାବାର୍ତ୍ତା କରୁଥିବା ବେଳେ କଙ୍ଗନା କହିଛନ୍ତି ଯେ, ଯେତେବେଳେ ବି ସେ କିଛି ସମ୍ପର୍କକୁ ଆଗକୁ ନେବାକୁ ଯାଉଛନ୍ତି, ସେତେବେଳେ ତାଙ୍କୁ କିଛି ନା କିଛି ସମସ୍ୟାର ସାମ୍ନା କରିବାକୁ ପଡୁଛି ।
ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ସାଂସଦ କଙ୍ଗନା ତାଙ୍କ ବିବାହକୁ ନେଇ ଏକ ବିବୃତ୍ତି ଦେଇଛନ୍ତି । ତାଙ୍କ ଚାରିପାଖରେ ଥିବା ନକାରାତ୍ମକ ପ୍ରଚାର ତାଙ୍କ ବିବାହକୁ କିପରି ପ୍ରଭାବିତ କଲା ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଣେ ଦର୍ଶକ କଙ୍ଗନାଙ୍କୁ ପଚାରିଥିଲେ ଯେ, ସେ ଜଣେ ରାଜନେତା କିମ୍ବା ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି କି ? ଏହାର ଜବାବରେ ବିଜେପି ସାଂସଦ କହିଛନ୍ତି, ବିବାହ ବିଷୟରେ ମୋର ବହୁତ ଭଲ ଭାବନା ଅଛି ଏବଂ ମୁଁ ଭାବୁଛି ସମସ୍ତଙ୍କୁ ସାଥୀର ଆବଶ୍ୟକତା ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ,"ଲୋକମାନେ ମୋତେ ଏତେ ବଦନାମ କରି ରଖିଛନ୍ତି ଯେ, ସେମାନେ ମୋର ବିବାହ କରିବାକୁ ହିଁ ଦିଅନ୍ତି ନାହିଁ । ମୋର ଏତେ ଗୁଡ଼ିଏ କୋର୍ଟ ମାମଲା ଅଛି ଯେ, ଯେତେବେଳେ ବି କାହାକୁ ବିବାହ ବିଷୟରେ କଥାବାର୍ତ୍ତା ଆରମ୍ଭ ହୁଏ, ସେତେବେଳେ ପୋଲିସ ମୋ ଘରକୁ ଆସେ । ସମନ ଆସିଥାଏ, ଯାଇଥାଏ । ଏହି ସମୟରେ, କଙ୍ଗନା ରାଣାୱତ, ପୁରୁଣା କାହାଣୀକୁ ମନେ ପକାଇ କହିଥିଲେ ଯେ, ଥରେ ମୋର ଭବିଷ୍ୟତରେ ହେବାକୁ ଥିବା ଶାଶୁ ଏବଂ ଶ୍ୱଶୁର ମଧ୍ୟ ମୋ ଘରେ ଥିଲେ ଏବଂ ସମନ ଆସିଲା, ତେଣୁ ଏହା ମଧ୍ୟ ଏକ ସାଇଡ୍ ଇଫେକ୍ଟ ଅଟେ । ହେଲେ ଏହା କେବଳ ଏକ ହାସ୍ୟାସ୍ପଦ ।
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଏମରଜେନ୍ସି ରିଲିଜ ପାଇଁ ପ୍ରସ୍ତୁତ ଅଛନ୍ତି । ସେ ଏହି ଚଳଚ୍ଚିତ୍ରରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ସେହି ସମୟ ଉପରେ ଆଧାରିତ ଯେତେବେଳେ ୧୯୭୫ ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା।