ମୁମ୍ବାଇ ୨୦/୦୬: ବଲିଉଡ୍ ଫିଲ୍ମ ‘ହମାରେ ବାରହ୍’କୁ ମିଳିଛି ଗ୍ରୀନ୍ ସିଗ୍ନାଲ । ଆସନ୍ତା ୨୧ ତାରିଖ ଅର୍ଥାତ୍ ଶୁକ୍ରବାର ଫିଲ୍ମଟି ଥିଏଟରରେ ମୁକ୍ତିଲାଭ କରିବ ବୋଲି ବମ୍ବେ ହାଇକୋର୍ଟ ଗତ ବୁଧବାର ଅନୁମତି ଦେଇଛନ୍ତି । ନିର୍ମାତା ଫିଲ୍ମରେ ୩ ପରିବର୍ତ୍ତନ କରିବା ପରେ କୋର୍ଟଙ୍କ ତରଫରୁ ଗ୍ରୀନ୍ ସିଗ୍ନାଲ ମିଳିଛି । ଫିଲ୍ମକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପରେ କୋର୍ଟ ନିଷ୍କର୍ଷରେ ପହଞ୍ଚିଲେ ଯେ ଏଥିରେ କୁରାନ କିମ୍ବା ମୁସ୍ଲିମ ସମୁଦାୟ ବିରୋଧରେ କୌଣସି ଆପତ୍ତିଜନକ ବିଷୟ ନାହିଁ । ଏହା ପରିବର୍ତ୍ତେ, ସମାଜରେ ମହିଳାଙ୍କ ଉତ୍ଥାନ ଉଦ୍ଦେଶ୍ୟରେ ବାର୍ତ୍ତା ସହିତ ଫିଲ୍ମକୁ ପ୍ରସ୍ତୁତ କରାଯାଇଛି ।
କୋର୍ଟ କହିଛନ୍ତି, ଫିଲ୍ମର ୩ ଡାଇଲଗ୍କୁ ମ୍ୟୁଟ୍ କରାଯାଇଛି ଏବଂ ସମସ୍ତ ବିବାଦୀୟ ଅଂଶକୁ ହଟାଇ ଦିଆଯାଇଛି । ଏଥିସହ ପରବର୍ତ୍ତୀ ଏଡିଟ୍ ପାଇଁ ମଧ୍ୟ କୋର୍ଟ ଉପଦେଶ ଦେଇଛନ୍ତି, ଯାହା ଦ୍ୱାରା ଫିଲ୍ମର କୌଣସି ଦୃଶ୍ୟ ଯେମିତି ଆପତ୍ତିଜନକ ହେବ ନାହିଁ । ଜଷ୍ଟିସ୍ ବିପି କୋଲାବାୱାଲା ଓ ଫିର୍ଦୋଶ ପୂନିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଅନ୍ନୁ କପୁର ଷ୍ଟାରର୍ ଏହି ଫିଲ୍ମ ଏକ ଚିନ୍ତାମୂଳକ ଫିଲ୍ମ, ଯାହାକୁ କେବଳ ମନୋରଞ୍ଜନ ନୁହେଁ,ବୌଦ୍ଧିକ ରୂପେ ଦର୍ଶକଙ୍କୁ ବାନ୍ଧି ରଖିବାକୁ ପ୍ରସ୍ତୁତ କରାଯାଇଛି ।
ହାଇକୋର୍ଟ ଆହୁରି କହିଛନ୍ତି, ଫିଲ୍ମଟି ବାସ୍ତବରେ ମହିଳାଙ୍କ ଉତ୍ଥାନ ପାଇଁ ପ୍ରସ୍ତୁତ ହୋଇଛି । ଏଥିରେ ଜଣେ ମୌଲାନା ଅଛନ୍ତି, ଯାହାଙ୍କର କୁରାନକୁ ନେଇ ଭୁଲ ଧାରଣା ରହିଛି। ଫିଲ୍ମରେ ଜଣେ ମୁସ୍ଲିମ ବ୍ୟକ୍ତି ଏହାକୁ ବିରୋଧ କରିଛନ୍ତି । ତେଣୁ ଏଥିରେ ଦର୍ଶାଯାଇଛି ଯେ ଲୋକେ ସେମାନଙ୍କ ମୁଣ୍ଡ ଖଟାଇବା ଉଚିତ୍ ଏବଂ ଏଭଳି ମୌଲାନାଙ୍କୁ ବିଶ୍ୱାସ କରିବା ଉଚିତ୍ ନୁହେଁ ।
ଫିଲ୍ମକୁ ନେଇ କିଛି ଲୋକ ଅଭିଯୋଗ କରିବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ମୁସ୍ଲିମଙ୍କ ପ୍ରତି ଫିଲ୍ମଟି ଅପମାନଜକ ଏବଂ ଇସ୍ଲାମିକ ଶିକ୍ଷାକୁ ବିକୃତ କରିଛି ବୋଲି ସେମାନେ ଦାବି କରିଥିଲେ । ଏହି ଅଭିଯୋଗ ଯୋଗୁ ଫିଲ୍ମର ରିଲିଜ୍ ବାତିଲ ହୋଇଥିଲା । ତେବେ ସେଣ୍ଟ୍ରାଲ ବୋର୍ଡ ଫର୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)ର ନିର୍ଦ୍ଦେଶ ଅନୁସାରେ, ଫିଲ୍ମର ସମୀକ୍ଷା କରି ଆପତ୍ତିଜନକ ବିଷୟବସ୍ତୁକୁ ହଟାଇବା ପରେ ଫିଲ୍ମକୁ ବ୍ୟାନ୍ କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।