ନୂଆଦିଲ୍ଲୀ,୧୦।୨: ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଛି ବିଜେପି। ଏହା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରିଛନ୍ତି ବଡ଼ ଘୋଣୋ। ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ପୁରା ଦେଶରେ ନାଗରିକ ସଂଶୋଧନ ଅଧିନିୟମ(ସିଏଏ) ଲାଗି ହେବ। ସେ ଏହି କଥା ଇକୋନୋମିକ୍ସ ନାଓ ଗ୍ଲୋବାଲ ବିଜନେସ୍ ସମିଟ୍ ବେଳେ କହିଛନ୍ତି। ଉଲ୍ଲେଖନୀୟ ଯେ, ଅପ୍ରେଲ ଓ ମଇ ମାସରେ ନିର୍ବାଚନ ହେବାର ସମ୍ଭାବନା ରହିଛି।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ସିଏଏ କୌଣସି ବ୍ୟକ୍ତିର ନାଗରିକତା ଛଡାଇବ ନାହିଁ। ଏହାର ଉଦେଶ୍ୟ ଧାର୍ମିକ ଉତ୍ପୀଡନର ସାମନା କରୁଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁଙ୍କୁ ନାଗରିକତା ଦେବା। ଏହି ପ୍ରତିଶୃତି ମୂଳ ରୂପରେ କଂଗ୍ରେସ ତାଙ୍କୁ ଦେଇଥିଲା। ସେ ବିରୋଧିଙ୍କ ଉପରେ ମୁସଲମାନଙ୍କୁ ମିଥ୍ୟା ପ୍ରତିଶୃତି ଦେବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୁସଲମାନ ଭାଇଙ୍କୁ ସିଏଏକୁ ନେଇ ପ୍ରତାରଣା କରାଯାଉଛି, ତାଙ୍କୁ ମିଛ କଥା କହି କଂଗ୍ରେସ ଉସକାଉଛି। ସିଏଏ କେବଳ ପାକିସ୍ତାନ, ଆଫାଗାନିସ୍ତାନ ଓ ବାଲାଂଦେଶର ଧାର୍ମିକ ସଂଖ୍ୟାଲଘଙ୍କୁ ନାଗରିକତା ଦେବା ପାଇଁ କରାଯାଇଛି।
ଉଲ୍ଲେଖନୀୟ ଯେ, ନିକଟରେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଦାବି କରିଛନ୍ତି ଯେ, ଆଗାମୀ ୭ ଦିନ ଭିତରେ ସିଏଏ ଲାଗୁ କରି ଦିଆଯିବ। ଏହି ବିଲ୍ ଡିସେମ୍ବର ୨୦୧୯ରେ ସଂସଦରେ ପାସ୍ ହୋଇଯାଇଥିଲା। ଏହାପରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ବିଲ୍କୁ ମଞ୍ଜୁରୀ ଦେଇଥିଲେ ଓ ଏହାପରେ ଏହାକୁ ଆଇନ କରାଯାଇଛି।