ବେଜିଂ,୪।୮: ନିଜର ଉନ୍ନତ ଟେକ୍ନୋଲୋଜି ପାଇଁ ସାରା ବିଶ୍ବରେ ଚୀନ୍ର ରହିଛି ସ୍ବତନ୍ତ୍ର ସ୍ଥାନ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରତିଦିନ ନୂଆ ନୂଆ ସଫଳତାର ଉଦାହରଣ ସୃଷ୍ଟି କରୁଛି। ଏଇ ଯେପରି ଅପରେସନ୍ ଥିଏଟରରେ ନରହି ମଧ୍ୟ ଚୀନ୍ର ଜଣେ ଡାକ୍ତର ରୋଗୀର କରିଛନ୍ତି ସଫଳ ଅପରେସନ୍। ଚୀନ୍ର ସଙ୍ଘାଇ ଚେଷ୍ଟ ହସ୍ପିଟାଲର ଡାକ୍ତର ୫୦୦୦ କିଲୋମିଟର ଦୂରରେ ବସି ଜଣେ ରୋଗୀଙ୍କ ଫୁସଫୁସ୍ରେ କରିଛନ୍ତି ସଫଳ ଅସ୍ତେ୍ରାପଚାର। ନିଜ ସହଯୋଗୀଙ୍କ ସହ ମିଶି ଏକ ଘରୋଇ ୫ଜି ସର୍ଜିକାଲ ରୋବୋଟ୍ର ଉପଯୋଗ କରି ଏହାକୁ ସମ୍ଭବ କରିପାରିଛନ୍ତି।
ଏହି ଐତିହାସିକ ଅପରେସନ୍ ବେଳେ ଡାକ୍ତର ନିଜେ ସଙ୍ଘାଇରେ ଥିଲେ, ଆଉ ରୋଗୀ ଓ ସର୍ଜିକାଲ ରୋବୋଟ୍ ସଙ୍ଘାଇଠାରୁ ୫୦୦୦ କିଲୋମିଟର ଦୂର ଚୀନ୍ର କାଶଗରରେ ଥିଲେ। ଡାକ୍ତର ଏହି ସର୍ଜରୀ ୧୩ ଜୁଲାଇରେ କରିଥିଲେ। ସର୍ଜରୀ ପାଇଁ ଡାକ୍ତରଙ୍କୁ କେବଳ ମାତ୍ର ୧ ଘଣ୍ଟା ସମୟ ଲାଗିଥିଲା। ଡାକ୍ତର ସର୍ଜରୀ କରି ରୋଗୀଙ୍କ ଫୁସଫୁସ୍ରୁ ଏକ ଟ୍ୟୁମର ବାହାର କରିବାରେ ସଫଳ ହୋଇଥିଲେ
ଅପରେସନ୍ର କରିଥିବା ଡାକ୍ତର ଲୁଓ କିଙ୍ଗକ୍ବାନ୍ କହିଛନ୍ତି, ସର୍ଜିକାଲ ରୋବୋଟ୍ ଇଞ୍ଜିନିୟରିଂର ଉପଯୋଗ ଏହି ଅପରେସନ୍କୁ ସଫଳ କରିଛି। ରୋଗୀଙ୍କୁ ଏବେ ନିଜେ ବଡ ସହରକୁ ଆସିବା ଦରକାର ନାହିଁ। ଛୋଟ ସହରରେ ଉଚ୍ଚସ୍ତରୀୟ ଚିକିତ୍ସା ସେବାର ଆନନ୍ଦ ନେଇପାରିବେ। ଚୀନ୍ ନ୍ୟୁଜ ପେପର ‘ଶଙ୍ଘାଇ ଡେଲି’ର ସୂଚନା ଅନୁସାରେ, ଏହ ହସ୍ପିଟାଲ ଚୀନ୍ର ପ୍ରଥମ ଏଭଳି ଚିକିତ୍ସା ସଂସ୍ଥାନ, ଯାହାକି ରୋବୋଟ୍ ସାହାଯ୍ୟରେ ଫୁସଫୁସ୍ର ସର୍ଜରୀ କରିଥାଏ। ଏହି ସର୍ଜରୀ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।