ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜଳବାୟୁ ପରିବର୍ତ୍ତନ ବିଗାଡୁଛି ମସ୍ତିଷ୍କ ସ୍ୱାସ୍ଥ୍ୟ, ସ୍ନାୟବିକ ସ୍ଥିତିକୁ ବିପଦ

ନୂଆଦିଲ୍ଲୀ ୧୮/୦୫: ମଣିଷର ମସ୍ତିଷ୍କ ଉପରେ ଜଳବାୟୁ ପକାଉଛି ଭୟାନକ ନକାରାତ୍ମକ ପ୍ରଭାବ । ସ୍ନାୟବିକ ସ୍ଥିତିକୁ ମଧ୍ୟ ବିଗାଡୁଛି । ସଦ୍ୟ ଅଧ୍ୟୟନରୁ ଏହି ଖୁଲାସା ହୋଇଛି । ୟୁନିଭର୍ସିଟି କଲେଜ ଲଣ୍ଡନର ଅନୁସନ୍ଧାନକାରୀ ଟିମ୍‌ ଏହି ଚେତାବନୀ ଜାରି କରିଛନ୍ତି । ଲୋକଙ୍କ ମସ୍ତିଷ୍କ ଉପରେ ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବକୁ ସେମାନେ ଉଜାଗର କରିଛନ୍ତି । ଜଳବାୟୁ ସ୍ଥିତି ଦିନକୁ ଦିନ ବିଗୁଡୁଥିବା ବେଳେ ସ୍ନାୟବିକ ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ମସ୍ତିଷ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ତୁରନ୍ତ ବୁଝିବା ସହିତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି । ଲାନ୍‌ସେଟ ନ୍ୟୁରୋଲୋଜି ପତ୍ରିକାରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି ।

ୟୁନିଭର୍ସିଟି କଲେଜ ଲଣ୍ଡନ କ୍ୱିନ୍‌ ସ୍କେ୍ୱୟାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁରୋଲୋଜିର ପ୍ରଫେସର ସଞ୍ଜୟ ସିସୋଦିଆ ଏହି ଅଧ୍ୟୟନର ନେତୃତ୍ୱ ନେଇଥିଲେ । ଏଥିରେ ୧୯୬୮ରୁ ୨୦୨୩ ମସିହା ମଧ୍ୟରେ ୩୩୨ ଅଧ୍ୟୟନର ସମୀକ୍ଷା କରାଯାଇଥିଲା । ଗ୍ଲୋବାଲ ବର୍ଡନ୍‌ ଅଫ୍‌ ଡିଜିଜ୍‌-୨୦୧୬ରେ ଚିହ୍ନଟ ୧୯ ସ୍ନାୟବିକ ସ୍ଥିତି ଉପରେ ସେମାନେ ଫୋକସ୍‌ କରିଥିଲେ । ଏହି ସ୍ନାୟବିକ ସ୍ଥିତି ମଧ୍ୟରେ ଷ୍ଟ୍ରୋକ୍‌, ମାଇଗ୍ରେନ୍‌, ଅଲ୍‌ଜାଇମର୍ସ, ମେନିଙ୍ଗେସ୍‌ (ମସ୍ତିଷ୍କ ଓ ମେରୁଦଣ୍ଡ ଚତୁପାଶ୍ୱର୍ର ସୁରକ୍ଷାତ୍ମକ ପରସ୍ତରେ ପ୍ରଦାହ), ଅପସ୍ମାର ଓ ମଲ୍ଟିପଲ୍‌ ସ୍କେରୋସିସ୍‌ ଆଦି ବିକାର ସାମିଲ । 

ସେତିକି ନୁହେଁ, ଉଦ୍‌ବେଗ, ଅବସାଦ ଓ ସ୍କିଜୋଫ୍ରେନିଆ ଭଳି ସାଧାରଣ ମନସ୍ତାତ୍ତ୍ୱିକ ବିକାର ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମଧ୍ୟ ସେମାନେ ପରୀକ୍ଷା କରିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳିଲା ଯେ କିଛି ମସ୍ତିଷ୍କ ବିକାର, ଖାସ୍‌କରି ଷ୍ଟ୍ରୋକ୍‌, ସ୍ନାୟୁ ପ୍ରଣାଳୀ ସଂକ୍ରମଣ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପକାଏ ବୋଲି ପ୍ରଫେସର ସିସୋଦିଆ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ଚରମ ତାପମାତ୍ରା (ଉଭୟ କମ୍‌ ଓ ବେଶି) ଏବଂ ପ୍ରତିଦିନ ତାପମାତ୍ରାରେ ପରିଲକ୍ଷିତ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଅସ୍ଥିରତା ମୁଖ୍ୟତଃ କ୍ଷତିକାରକ । ରାତିରେ ଉଚ୍ଚ ତାପମାତ୍ରା ନିଦରେ ବ୍ୟାଘାତ ସୃଷ୍ଟି କରେ, ବିଭିନ୍ନ ମସ୍ତିଷ୍କ ବିକାର ଆଶଙ୍କା ବଢ଼ାଇଥାଏ । 

ହିଟ୍‌ୱେଭ୍‌ କିମ୍ବା ତାପମାତ୍ରା ବୃଦ୍ଧି ସମୟରେ ହସ୍‌ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି, ଅକ୍ଷମତା, ଷ୍ଟ୍ରୋକ୍‌ ସମ୍ପର୍କିତ ମୃତ୍ୟୁହାର ବଢ଼ିଥିବା ଗବେଷକମାନେ ଅଧ୍ୟୟନରୁ ଜାଣିବାକୁ ପାଇଲେ । ହିଟ୍‌ୱେଭ୍‌, ବନ୍ୟା, ଜଙ୍ଗଲ ନିଆଁ ଭଳି ଚରମ ଜଳବାୟୁ ସ୍ଥିତି ଖାସ୍‌କରି ଡିମେନ୍‌ସିଆ ରୋଗୀଙ୍କ ଉପରେ ଭୟାନକ ପ୍ରଭାବ ପକାଉଛି । ଧୀ-ସମ୍ବନ୍ଧୀୟ ବିକାର ଯୋଗୁ ଏଭଳି ସ୍ଥିତିରେ ଖାପଖୁଆଇବା ସେମାନଙ୍କ ପାଇଁ ସମ୍ଭବ ହେଉ ନାହିଁ । ଏହି ସ୍ଥିତି ଦୁର୍ବଳତା, ବିଭିନ୍ନ ସ୍ୱାସ୍ଥ୍ୟ ବିକାର ଓ ଔଷଧ ସେବନ ଭଳି କାରକ ଦ୍ୱାରା ଅଧିକ ବିଗୁଡ଼ୁଛି । 

ଦୈନନ୍ଦିନ ତାପମାତ୍ରାରେ ଅସ୍ଥିରତା ଓ ଚରମ ତାପମାତ୍ରା ଅନେକ ସ୍ୱାସ୍ଥ୍ୟ ଘଟଣା, ହସ୍‌ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଓ ମୃତ୍ୟୁହାର ସହ ସଂଶ୍ଳିଷ୍ଟ ବୋଲି ଅଧ୍ୟୟନ ଦର୍ଶାଇଛି । ଜଳବାୟୁ ପରିବର୍ତ୍ତନ ତୀବ୍ର ହେବା ସହିତ ଲୋକେ ଅଧିକ ଗମ୍ଭୀର ପରିବେଶଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ମସ୍ତିଷ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ ଜଳବାୟୁ ପରିବର୍ତ୍ତନର ବର୍ତ୍ତମାନ ଓ ଭବିଷ୍ୟତ ପ୍ରଭାବକୁ ବୁଝିବା ପାଇଁ ଅଧ୍ୟୟନର ଆବଶ୍ୟକତା ଉପରେ ଗବେଷକମାନେ ଗୁରୁତ୍ୱାରୋପ କରିଛନ୍ତି । ବିପଦପୂର୍ଣ୍ଣ ଜଳବାୟୁ ସ୍ଥିତି ମଧ୍ୟରେ ଏହି ଅଧ୍ୟୟନ କରାଯାଉଥିବାରୁ ଉପଯୁକ୍ତ ଓ ଉପଯୋଗୀ ତଥ୍ୟ ପ୍ରଦାନର ଆବଶ୍ୟକତା ରହିଛି ବୋଲି ସିସୋଦିଆ କହିଛନ୍ତି । ପରିବର୍ତ୍ତିତ ଜଳବାୟୁ ସ୍ଥିତି ଅଧୀନରେ ମସ୍ତିଷ୍କ ରୋଗଗୁଡ଼ିକର ଭବିଷ୍ୟତ ସ୍ୱାସ୍ଥ୍ୟ ପରିଣାମ ଉପରେ ଅଧ୍ୟୟନର ଅଭାବକୁ ସେ ଲୋକଲୋଚନକୁ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.