ମୁମ୍ବାଇ: ଲୋକସଭା ନିର୍ବଚନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ବିଦ୍ରୋହୀ ନେତା ସଞ୍ଜୟ ନିରୂପମଙ୍କୁ ଦଳରୁ ନିଷ୍କାସିତ କରିବାକୁ ପ୍ରସ୍ତାବ ପାରିତ କରିଛି । ଏହା ସହ ଷ୍ଟାର ପ୍ରଚାରକ ତାଲିକାରୁ ତାଙ୍କୁ ହଟାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ ସଞ୍ଜୟଙ୍କୁ ଦଳରୁ ବାହାର କରିବାକୁ ମହାରାଷ୍ଟ୍ର କଂଗ୍ରେସ ପ୍ରସ୍ତାବ ପାରିତ କରିଥିବା ବେଳେ ଏବେ ଏହି ନିଷ୍ପତ୍ତି ଦିଲ୍ଲୀରେ ନିଆଯିବ । ତେବେ ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି ଯ, ଆମେ ସଞ୍ଜୟ ନିରୂପମଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛୁ । ଦଳ ବିରୋଧୀ ମନ୍ତବ୍ୟ ଲାଗି ତାଙ୍କ ବିରୁଦ୍ଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସେପଟେ କାର୍ଯ୍ୟାନୁଷ୍ଠାନ ପରେ ସଞ୍ଜୟ ନିରୂପମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, କଂଗ୍ରେସ ମୋ ପାଇଁ ଅଧିକ ଶକ୍ତି ଖର୍ଚ୍ଚ ନକରୁ । ଦଳକୁ ବଞ୍ଚାଇବା ପାଇଁ ନିଜର ବାକି ଥିବା ଶକ୍ତି ଖର୍ଚ୍ଚ କରୁ । ଦଳର ଉତ୍କଟ ଆର୍ଥିକ ସଙ୍କଟରେ ଗତି କରୁଛି । ମୁଁ ଦେଇଥିବା ସମୟ ଆଜି ଶେଷ ହେଉଛି । ତେଣୁ କାଲି ମୁଁ ମୋ ନିଷ୍ପତ୍ତି ନେବି ବୋଲି ନିରୂପମ କହିଛନ୍ତି ।
ଅନ୍ୟପଟେ ନାନା ପାଟୋଲେ କହିଛନ୍ତି, ମହା ବିକାଶ ଅଘାଡ଼ି (ଏମଭିଏ)ର ବୈଠକ ରହିଛି । ଏମିତି ସିଟରେ ପ୍ରାର୍ଥୀ ଦିଆଯିବ ଯେଉଁଠି କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ । ଯୋଗ୍ୟତା ଆଧାରରେ ନିର୍ଣ୍ଣୟ ନେବାକୁ ପଡ଼ିବ । ସେ ଆହୁରି କହିଛନ୍ତି ଯେ, ମୁଁ କଂଗ୍ରେସର ନେତା ତେଣୁ ଉଦ୍ଧବ ଠାକରେଙ୍କ ଭଳି କଡ଼ା ଶବ୍ଦର ବ୍ୟବହାର କରିପାରିବି ନାହିଁ । ଆମେ ବିଜେପି ବିରୋଧରେ ନିର୍ବାଚନ ଲଢ଼ୁଛୁ । ନିର୍ବାଚନ ଲାଗି ପ୍ରଚାର ମଧ୍ୟ ଆରମ୍ଭ କରିଛୁ ବୋଲି ନାନା ପାଟୋଲେ କହିଛନ୍ତି ।
ସୂଚନାଯୋଗ୍ୟ, ସଞ୍ଜୟ ନିରୂପମ ମୁମ୍ବାଇ ଉତ୍ତର ପଶ୍ଚିମ ଆସନରୁ କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ଏଠାରେ କଂଗ୍ରେସ ଜିତିବା ନିଶ୍ଚିତ ବୋଲି କୁହାଯାଉଛି । ହେଲେ ଏହି ଆସନରୁ ଶିବସେନା (ୟୁବିଟି) ଅମୋଲ କୀର୍ତ୍ତିକାରଙ୍କୁ ପ୍ରାର୍ଥୀ କରାଇ ଦେବାରୁ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି ସଞ୍ଜୟ । ଏହା ପୂର୍ବରୁ ଆସନ ଭାଗବଣ୍ଟାକୁ ନେଇ କଂଗ୍ରେସ ଉପରେ ଭାରୀ ପଡ଼ିବାକୁ ନେଇ ଶିବସେନାକୁ ସମାଲୋଚନା କରିଥିଲେ ସଞ୍ଜୟ ନିରୂପମ ।