ଜୟପୁର, ୯।୯: ସାଧାରଣତଃ ଗାଁକୁ ହାତୀ ଆସିଲେ ଲୋକମାନେ ଖୁସି ହୋଇ ହାତୀ ଦେଖିବାକୁ ଦୌଡ଼ିଯାନ୍ତି ଓ କେହି କେହି ହାତୀର ଫଟୋ ମଧ୍ୟ ଉଠାଇଥାନ୍ତି । କିନ୍ତୁ, ଏମିତି ଏକ ଗାଁ ରହିଛି, ଯେଉଁଠାରେ ମାଳ ମାଳ ହାତୀପଲ ରୁହନ୍ତି । ଏହାକୁ କୁହାଯାଏ ହାତୀମାନଙ୍କ ଗାଁ । ଜୟପୁରର ଆମେରରେ ଅବସ୍ଥିତ ଏହି ଗାଁ । ଏହି ହାତୀ ଗାଁ ବିଶ୍ୱର ତୃତୀୟ ଏବଂ ଭାରତର ପ୍ରଥମ ଗାଁ । ଯେଉଁଠାରେ ୮୫ଟି ହାତୀ ରହୁଛନ୍ତି । ଏହି ଗାଁ ୧୪୦ ମିଟର ଅଞ୍ଚଳରେ ପରିବ୍ୟାପ୍ତ । ଆମେର ଦୁର୍ଗରେ ହାତୀ ଚଢ଼ିବା ସହ ହାତୀ ଗାଁ ପ୍ରତିଷ୍ଠାର ଯୋଜନା ଆରମ୍ଭ ହୋଇଥିଲା । ଆମେର ନିକଟ ଦିଲ୍ଲୀ ରୋଡ୍ରେ ଥିବା ଏକ ଗାଁରେ ହାତୀ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି ଗାଁରେ ହାତୀ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ଯ ସରକାର ୨୦୦୮ରେ ଏହାକୁ ହାତୀ ଗାଁ ବୋଲି ଘୋଷଣା କରିଥିଲେ ।
ଏଠାରେ ହାତୀମାନଙ୍କ ପାଇଁ ଅନେକ ସୁବିଧା ରହିଛି । ଯେଉଁଥିରେ ସେମାନେ ରହିବା ପାଇଁ ବଡ଼ କୋଠରୀ ରହିଥିବା ବେଳେ ଏହାକୁ ୨୦ଟି ବ୍ଲକ୍ରେ ବିଭକ୍ତ କରାଯାଇଛି । ଏଥିସହ ହାତୀ ଗାଧୋଇବା ପାଇଁ ଗାଁ ଭିତରେ ଏକ କୃତ୍ରିମ ପୋଖରୀ ତିଆରି କରାଯାଇଛି । ହାତୀମାନଙ୍କୁ ଖୁଆଇବା ଏବଂ ଯତ୍ନ ନେବା ଲାଗି ଗାଁରେ ଅନେକ ସ୍ୱତନ୍ତ୍ର ଦଳ ନିୟୋଜିତ ଅଛନ୍ତି । ହାତୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଲାଗି ଗାଁରେ ଡାକ୍ତରୀ ଦଳ ୨୪ ଘଣ୍ଟା ପାଇଁ ସଜାଗ ରହିଥାନ୍ତି । ଏଠାରେ ହାତୀମାନଙ୍କୁ ସାଧାରଣତଃ ଆଖୁ, ବାଜରା, ବନ୍ଧାକୋବି, ବାଦାମ ଆଦି ଖାଇବାକୁ ଦିଆଯାଏ । ଏହା ବ୍ୟତୀତ ସେମାନଙ୍କୁ ଋତୁ ଅନୁଯାୟୀ, ଖାଦ୍ୟ ଦିଆଯାଏ ।
ହାତୀ ବୁଲାଇବା ଏବଂ ଏମାନଙ୍କ ଯତ୍ନ ନେବା ପାଇଁ ଗାଁରେ ୧୦୦ରୁ ଅଧିକ ମାହୁନ୍ତ ଅଛନ୍ତି । ଯେଉଁମାନେ ହାତୀ ରଖି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ଦୈନିକ ଗୋଟିଏ ହାତୀ ପିଛା ଖର୍ଚ୍ଚ ହୋଇଥାଏ ୨୫୦୦ ଟଙ୍କା । ଆମେର ଦୁର୍ଗରେ ହାତୀ ଚଢ଼ାଇବା ପାଇଁ ଦୁଇ ମାହୁନ୍ତ ୧୧୦୦ ଟଙ୍କା ନେଇଥାନ୍ତି । ହାତୀ ଗାଁକୁ ଏକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯାଇଛି । ଏହି ଗାଁରେ ହାତୀ ଦେଖିବା ପାଇଁ ଭିନ୍ନ ଭିନ୍ନ ଦେୟ ରହିଛି । ଭାରତୀୟ ନାଗରିକଙ୍କ ପାଇଁ ୫୦ ଟଙ୍କା ଦେୟ ହୋଇଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୩୦୦ ଟଙ୍କା ରହିଛି । ଯଦି ଆପଣ ହାତୀ ଉପରେ ଚଢ଼ିବାକୁ ଚାହାନ୍ତି ତେବେ ଏଥିପାଇଁ ୪୦୦ ଟଙ୍କା ଶୁଳ୍କ ଆଦାୟ କରାଯାଏ । ପର୍ଯ୍ୟଟକ ହାତୀ ଉପରେ ବସିଲେ ତାଙ୍କୁ ପୂରା ହାତୀ ଗାଁ ପରିଭ୍ରମଣ କରାଯାଏ ।