ମାଲକାନଗିରି, ୨୨।୮(ଆପ୍ର): ମାଲକାନଗିରି ଜିଲ୍ଲାର ୨୩୪ଟି ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାରର ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ସ୍ମାରକ ପତ୍ର ପ୍ରଦାନ କରିଛି ଜିଲ୍ଲା ମହା ଗ୍ରାମସଭା କମିଟି । ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ ଅନୁଯାୟୀ ମାଲକାନଗିରି ଜିଲ୍ଲାର ୨୩୪ଟି ଗ୍ରାମକୁ ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାର ସାବ୍ୟସ୍ତ ଓ ସ୍ୱୀକୃତି ପ୍ରଦାନ କରିବାକୁ ଦାବି ହୋଇ ଆସୁଥିବା ବେଳେ ଆଜି ଜିଲ୍ଲା ମହାଗ୍ରାମସଭା କମିଟି ପକ୍ଷରୁ ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ କରା ଯାଇଛି ।
ମୁଖ୍ୟ ଦାବି ଗୁଡିକ ହେଉଛି, ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଗତ ୨୩.୦୨.୨୦୨୪ ତାରିଖରେ ଅନୁମୋଦନ କରାଯାଇଥିବା ୧୪୧ଟି ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାରକୁ ସ୍ୱୀକୃତି ଏବଂ ଗୋଷ୍ଠୀ ଜଙ୍ଗଲ ଅଧିକାର ପଟ୍ଟା ଓ ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାର ପଟ୍ଟା ପ୍ରଦାନ କରାଯାଉ । ଜିଲ୍ଲସ୍ତରୀୟ କମିଟି ଦ୍ୱାରା ବିଗତ ୧୮.୦୫.୨୦୨୩ ତାରିଖରେ ଅନୁମୋଦନ କରା ଯାଇଥିବା ୯୩ଟି ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାରକୁ ସ୍ୱୀକୃତି ଏବଂ ଗୋଷ୍ଠି ଜଙ୍ଗଲ ଅଧିକାର ପଟ୍ଟା ଓ ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାର ପଟ୍ଟା ନଥିପତ୍ର ପ୍ରଦାନ କରାଯାଉ । ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ଗ୍ରାମ ଗୁଡିକର ଗୋଷ୍ଠି ଜଙ୍ଗଲ ଅଧିକାର ଦରଖାସ୍ତ ଗୁଡିକ ଉପଖଣ୍ଡ ସ୍ତରୀୟ ଜଙ୍ଗଲ ଅଧିକାର କମିଟିକୁ ନ ଯାଇ ତହସିଲ କାର୍ଯ୍ୟାଳୟ ଗୁଡିକରେ ଯାଞ୍ଚ ପାଇଁ ବର୍ଷ ବର୍ଷ ହୋଇ ପଡିରହିଛି । ତାହାକୁ ତରାନ୍ୱିତ କରି ଆଦିବାସୀଙ୍କୁ ନିଜ ଗୋଷ୍ଠି ଜଙ୍ଗଲ ସମ୍ୱଳ ଅଧିକାର ଜନିତ ପଟ୍ଟା ପ୍ରଦାନ କରାଯାଉ ବୋଲି ଏହି ସ୍ମାରକ ପତ୍ରରେ ଦାବି ଉଲ୍ଲେଖ ରହିଛି । ତେବେ ଯଦି ଏହି ଦାବି ଗୁଡିକୁ ଅଣଦେଖା କରାଯାଏ ଏବଂ ଜଙ୍ଗଲ ଅଧିକାର ଆଇନ ଅଧିନରେ ଅଧିକାରକୁ ସାବ୍ୟସ୍ତ ଏବଂ ସ୍ୱୀକୃତିର ବ୍ୟବସ୍ଥା ଅବହେଳିତ ହୋଇ ରହିଥାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଏହି କମିଟି ପ୍ରକାଶ କରିଛି ।
ଏହି ସ୍ମାରକ ପତ୍ର ଦେବା ସମୟରେ କାଲିମେଳା ମହା ଗ୍ରାମସଭା କମିଟି ସଭାପତି ଇଶ୍ଵର ମାଡକାମୀ ନେତୃତ୍ଵ ନେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟ ନାରାୟଣ ନାୟକ, ଜୟନ୍ତୀ ବୁରୁଦା, ଚୁମୁକି ବେହେରା, ସମସ୍ତ ପଞ୍ଚାୟତର ସରପଞ୍ଚ, ଓ ମହା ଗ୍ରାମସଭାର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।