ନୂଆଦିଲ୍ଲୀ,୦୪/୦୩: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତା ୬ ତାରିଖରେ ସେମାନେ ଦିଲ୍ଲୀ ଅଭିଯାନରେ ଯିବେ । ଆସନ୍ତା ୧୦ ତାରିଖ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ରେଳରୋକ କରିବେ । ଭଟିଣ୍ଡା ଠାରେ କିଷାନ ମଜଦୁର ନେତା ଶରୱଣ ସିଂହ ପନେ୍ଧର ଆଜି ଏହି ସୂଚନା ଦେଇଛନ୍ତି ।
ପନେ୍ଧର କହିଛନ୍ତି ପଞ୍ଜାବ-ହରିଆଣା ସୀମାର ସମ୍ଭୁଖନୌରୀ ସୀମାରେ ବସିଥିବା ଚାଷୀମାନେ ସେଠାରେ ଆନ୍ଦୋଳନ ଜାରି ରଖିବେ । କିନ୍ତୁ ଦେଶର ଅନ୍ୟ ରାଜ୍ୟର ଚାଷୀମାନେ ୬ ତାରିଖରେ ନିଜ ନିଜ ବ୍ୟବସ୍ଥାରେ ଦିଲ୍ଲୀରେ ପହଞ୍ଚିବେ । ସେମାନେ ଚାହିଁଲେ ଟ୍ରେନରେ ଆସିପାରିବେ, ଅନ୍ୟ ଯାନରେ ଆସିବେ ନଚେତ ଚାଲିଚାଲି ଆସିବେ । ପନେ୍ଧର ଆହୁରି ମଧ୍ୟ କହିଛନ୍ତି ସରକାର କହୁଛନ୍ତି ଚାଷୀମାନେ ଟ୍ରେନ କିମ୍ବା ବସ୍ରେ ଦିଲ୍ଲୀ ଆସିପାରିବେ। କିନ୍ତୁ ଟ୍ରାକ୍ଟରରେ ଆସିବାକୁ ସେମାନଙ୍କୁ ଅନୁମତି ଦିଆଯିବ ନାହିଁ । ହେଲେ ଟ୍ରେନରେ ଦିଲ୍ଲୀ ଆସୁଥିବା ବିହାର-କର୍ଣ୍ଣାଟକର ଚାଷୀମାନଙ୍କୁ ଗିରଫ କରାଯାଉଛି।
ତେଣୁ ମାର୍ଚ୍ଚ ୬ରେ ସ୍ପଷ୍ଟ ହୋଇଯିବ କି ସରକାର ଟ୍ରାକ୍ଟର ବିନା ଚାଷୀଙ୍କୁ ଟ୍ରେନରେ ଓ ବସ୍ରେ ଦିଲ୍ଲୀ ଆସିବାକୁ ଦେଉଛନ୍ତି ନା ନାହିଁ। ଆନ୍ଦୋଳନ ବେଳେ ଡ୍ରୋନ ବ୍ୟବହାର କରାଯିବା ଇତିହାସରେ କେବେ ଦେଖିବାକୁ ମିଳି ନଥିଲା। ସରକାର ଡ୍ରୋନ ସହାୟତାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରୁଛନ୍ତି । ପଞ୍ଜାବ-ହରିଆଣା ସୀମାକୁ ସରକାର ପାକିସ୍ତାନ ଓ ଚୀନ୍ ସୀମାରେ ପରିଣତ କରିଦେଇଛନ୍ତି। ପାକିସ୍ତାନ ଓ ଚୀନ୍ ସୀମାରେ ତାରବାଡ ଘେରାଯାଇଛି । ହେଲେ ପଞ୍ଜାବ-ହରିଆଣା ସୀମାରେ ସରକାର କଂକ୍ରିଟ ପାଚେରୀ ଠିଆ କରିଦେଇଛନ୍ତି । ଭାରତ-ପାକ୍ ଓ ଭାରତ-ଚୀନ ସୀମାରେ ଆଇନ ରହିଛି। କିନ୍ତୁ ହରିଆଣା-ପଞ୍ଜାବ ସୀମାରେ ଆଇନ ନାହିଁ । ଏଠାରେ ସରକାର ୭୦ ହଜାର ଯବାନଙ୍କୁ ମୁତୟନ କରିଛନ୍ତି ବୋଲି ପନେ୍ଧର କହିଛନ୍ତି ।
ଅନ୍ୟପକ୍ଷରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତା ୧୪ ତାରିଖରେ ଦିଲ୍ଲୀ ଅଭିଯାନରେ ଯିବ ବୋଲି ଆଜି ସୂଚନା ଦେଇଛି । ଲୁଧିଆନା ଠାରେ ଅନୁଷ୍ଠିତ ମୋର୍ଚ୍ଚାର ଏକ ବୈଠକରେ ଏହି ନିଷତ୍ତି ନିଆଯାଇଛି । ମୋର୍ଚ୍ଚାର ଜଣେ ଚାଷୀନେତା କହିଛନ୍ତି ସେମାନେ ଟ୍ରାକ୍ଟର ନେଇ ଯିବେ ନାହିଁ । ଟ୍ରେନ କିମ୍ବା ବସ୍ ଯୋଗେ ଦିଲ୍ଲୀରେ ପହଞ୍ଚିବେ । ରାମଲୀଳା ମଇଦାନରେ ଚାଷୀ ମହାପଞ୍ଚାୟତ ବସିବ । ଗତ ଫେବ୍ରୁଆରୀ ୧୩ ତାରିଖରୁ ଚାଷୀମାନେ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ୧୯ ଦିନ ଧରି ଚାଲିଥିବା ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୮ ଜଣ ଚାଷୀଙ୍କ ମୃତ୍ୟୁ ଘଟିଲାଣି ।