ପ୍ରମୂଖ ଖବର

‘ପ୍ରଣୟବଲ୍ଲରୀ’ର ପ୍ରଥମ ସଂସ୍କରଣ

ଭୁବନେଶ୍ୱର: ଅନେକ ଅନୁସନ୍ଧିତ୍ସୁ ପାଠକ ଓ ଗବେଷକ ଏକଥା  ବିଶ୍ୱାସ କରନ୍ତିନାହିଁ ଯେ, ଗଙ୍ଗାଧରଙ୍କ କାବ୍ୟ  କବିତାର ପ୍ରଥମ ସଂସ୍କରଣ କବି ପରିବାରରେ ମଧ୍ୟ  ଅବର୍ତ୍ତମାନ । ଏପରି ଏକାଧିକ ଲେଖକ ଆସିଛନ୍ତି  ଯେଉଁମାନଙ୍କୁ ଏହି ସତ୍ୟ ପ୍ରକଟ କଲେ ମଧ୍ୟ ସେମାନେ  ମନେ ମନେ ଯେପରିକି ଭାବନ୍ତି ମୁଁ ସେସବୁ ତଥ୍ୟ  ଦେବାପାଇଁ ଅନିଚ୍ଛୁକ । ମାତ୍ର ବାସ୍ତବ କଥା ହେଲା- ୧)  କବି ପରିବାରରେ ଗଚ୍ଛିତ ରହିଥିବା କବିଙ୍କ କାବ୍ୟ କବିତା  ଗ୍ରନ୍ଥାବଳୀ ଆଦି ମୋର ପିତାମହ ଭଗବାନ ମେହେରଙ୍କ  ଠାରୁ ଅନେକ ଉପହାର ଭାବରେ ଲାଭ କରିଛନ୍ତି ।  ଆଉ ଅନେକ ବହି ପଢ଼ିବା ପାଇଁ ନେଇ ଆଉ ଫେରସ୍ତ  କରିନାହାଁନ୍ତି । ୨) ଯେତେବେଳେ ଏସବୁର ତତ୍ତ୍ୱାବଧାନ  ନେବାର ଦାୟିତ୍ୱ ବହନ କଲି, ମୁଁ ସେତେବେଳେ  କୌଣସି ଲେଖକ ବା ଗବେଷକଙ୍କୁ ଆବଶ୍ୟକ ତଥ୍ୟ  କିମ୍ବା କାଗଜପତ୍ର ଓ ବହିଗୁଡ଼ିକର ଜେରକ୍ସ କପି ଆନନ୍ଦର  ସହିତ ପ୍ରଦାନ କରିଛି । ଯାହାବି ରହିଥିଲା ସଂଗୁପ୍ତ ଅର୍ଥାତ୍‌  ଅନ୍ୟ ସମସ୍ତଙ୍କ ଅଜ୍ଞାତରେ ସୁରକ୍ଷିତ ଏସବୁକୁ ମଧ୍ୟ  ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିଦେବାରେ ସାମାନ୍ୟ ବି କେବେ  କୁଣ୍ଠିତ ହୋଇନାହିଁ । କାରଣ, ମୁଁ ଜାଣେ ଯେ ଯଦିଓ ଏହା  କବି ପରିବାରର ତତ୍ତ୍ୱାବଧାନରେ ରହିଆସିଛି, ଏହା  ଆଉ ପାରିବାରିକ ସମ୍ପତ୍ତି ମାତ୍ର ହୋଇ ରହିନାହିଁ । ତାଙ୍କ  ଜନ୍ମଗୃହ ଜାତୀୟକରଣ ହୋଇ ସର୍ବସାଧାରଣଙ୍କ ନିମିତ୍ତ  ଯେପରି ସମର୍ପିତ, ସେହିପରି କବିଙ୍କ ବ୍ୟବହୃତ ସମସ୍ତ  ସାମଗ୍ରୀ ହେଉଛି ଜାତୀୟ ସମ୍ପତ୍ତି । ଏ ସମସ୍ତ ଜିନିଷ  ଏପର୍ଯ୍ୟନ୍ତ ବି ପରିବାର ମଧ୍ୟରେ ରହିଥିବାର ମୂଳ କାରଣ  ହେଲା, ତାହାକୁ ମର୍ଯ୍ୟାଦାଜନକ ଭାବରେ ସଂରକ୍ଷିତ କରି  ରଖିବାର ଓ ପ୍ରଦର୍ଶିତ କରିବାର କୌଣସି ସୁବ୍ୟବସ୍ଥା  ସରକାରଙ୍କ ତରଫରୁ ହୋଇନାହିଁ । 

ବର୍ତ୍ତମାନ ଶୀର୍ଷକ ଲିଖିତ ‘ପ୍ରଣୟବଲ୍ଲରୀ’  ପ୍ରସଙ୍ଗକୁ ଆସିବା ଆମେ । ଆଶ୍ଚର୍ଯ୍ୟ କଥା ହେଉଛି, ଏହି  ଗୋଟିଏ ମାତ୍ର ପୁସ୍ତକର ପ୍ରଥମ ସଂସ୍କରଣ ଦେଖିବାର ଓ  ଦେଖାଇବାର ସୁଯୋଗ ମିଳିଛି ମୋତେ । ପୁସ୍ତକଟି ଯେଉଁ  ସମୟରେ ପ୍ରକାଶିତ ହୋଇଥିଲା, ତାହା ଥିଲା କବିଙ୍କ  ଜୀବନର ଏକ ଆନନ୍ଦଦାୟକ ଶ୍ରେଷ୍ଠ ମୁହୂର୍ତ୍ତ । ୧୯୧୫  ମସିହା ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିଥିଲେ କବି । ପ୍ରକାଶକ  ହେଉଛନ୍ତି ପଦ୍ମପୁର ଜମିଦାର ଲାଲ ରାଜେନ୍ଦ୍ର ସିଂ ବରିହା ।  ଏତେ ଉନ୍ନତ ମାନର କାଗଜରେ କବିଙ୍କ କୌଣସି କୃତି  ପ୍ରକାଶିତ ହୋଇନଥିଲା । ପୁସ୍ତକର ବିଭିନ୍ନ ଅଂଶରେ  ଶକୁନ୍ତଳା ଦୁଷ୍ମନ୍ତଙ୍କ ପ୍ରିୟ ସଖୀ ପ୍ରିୟମ୍ବଦା ଓ ଅନୁସୂୟା,  କଣ୍ୱ ମୁନିଙ୍କର ଆକର୍ଷଣୀୟ ଚିତ୍ରାଙ୍କନ ରଙ୍ଗୀନ କାଜରେ  ସୁସଜ୍ଜିତ ହୋଇଥିଲା । କୌଣସି ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀ  ଯେ ଏସବୁକୁ ଅଙ୍କନ କରିଛନ୍ତି ତାହା ଦେଖିବା ମାତ୍ରକେ  ହୃଦୟଙ୍ଗମ କରିହୁଏ । ସେହି ଚିତ୍ରଗୁଡ଼ିକୁ କ୍ୟାମେରା  ଦ୍ୱାରା ଫଟୋ ଉତ୍ତୋଳନ କରାଇ ଦର୍ଶକମାନଙ୍କ ପାଇଁ  ବୃହଦାକାରରେ ସୁସଜ୍ଜିତ କରି ରଖିବାରେ ନିଜର କର୍ତ୍ତବ୍ୟ  ସମ୍ପାଦନ କରିଥିଲି । ଚିତ୍ରଗୁଡ଼ିକରୁ ଅନେକ ସମୟ ଧରି  ଅନାଇ ରହିବାରେ ଅନୁଭବ କରୁଥିଲି ଅପାର ତୃପ୍ତି ।  

ଠିକ୍‌ ସେହିପରି ପ୍ରଣୟବଲ୍ଲରୀ ପୁସ୍ତକଟିର ପ୍ରତ୍ୟେକ  ପୃଷ୍ଠା ପଢ଼ୁଥିଲି ରହି ରହି । ଯାହାହେଉ ପ୍ରଣୟବଲ୍ଲରୀର  ପ୍ରଥମ ସଂସ୍କରଣଟି ଯେ ରହିଯାଇଛି ସୁରକ୍ଷିତ ହୋଇ,  ଏହା ଭାବିଲେ ଆଶ୍ୱସ୍ତ ଆଉ ଆନନ୍ଦିତ ହୋଇ ଉଠୁଥିଲା  ହୃଦୟତନ୍ତ୍ରୀ । ମନେ ହେଉଥିଲା ଠିକ୍‌ ସେହିପରି ଯଦି  ସମସ୍ତ ପୁସ୍ତକର ପ୍ରଥମ ସଂସ୍କରଣ ରହିପାରିଥାନ୍ତା ଇତସ୍ତତ  ନହୋଇ, ତାହେଲେ ନିଜକୁ କେତେ ଭାଗ୍ୟଶାଳୀ ମନେ  କରିଥାନ୍ତି ମୁଁ । ତଥାପି ଯାହା କିଛି ରହିଛି ତାହାକୁ ଉପଯୁକ୍ତ  ଭାବରେ ସୁସଜ୍ଜିତ କରି ରଖିବା ଥିଲା ମୋର ଦାୟିତ୍ୱ  ଯେପରି, ଆନନ୍ଦମୟ ଅନୁଭୂତି ତଦୁପରି । ଗଭୀର ନିଶାର୍ଦ୍ଧରେ ନିଜ ଚୌକି ଉପରେ ବସି  ଟେବୁଲ ଉପରେ ପ୍ରଣୟବଲ୍ଲରୀ କାବ୍ୟ ଖଣ୍ଡିକ ଧରି  ଗୋଟିଏ ଗୋଟିଏ ପଦ ପଙ୍‌କ୍ତି ଉପରେ ଦୃଷ୍ଟି ନିବଦ୍ଧ କରେ  ଯେତେବେଳେ, ଅତି ରହସ୍ୟମୟ ଭାବରେ ଆଖିଆଗରେ  ଭାସିଉଠେ କଣ୍ୱ ମୁନିଙ୍କ ଶାନ୍ତିପୂର୍ଣ୍ଣ ବୃକ୍ଷଲତା ପରିଶୋଭିତ  ଛାୟାଚ୍ଛନ୍ନ ପରିବେଶ । କାହାକୁ କହିଲେ କିଏ କାହିଁକି  ବିଶ୍ୱାସ କରିବାକୁ ଯିବେ ଯେ, ପ୍ରଣୟବଲ୍ଲରୀର ପୃଷ୍ଠା  ଖୋଲିଦେବା ମାତ୍ରକେ ଆଶ୍ରମର ଦୃଶ୍ୟ ଦେଖାଯିବା ନିରାଟ  ବାସ୍ତବତା ବୋଲି । ଏହା ସତ୍ୟ ଯେ, ପୁସ୍ତକ ପାଠ କରିବା  ମାତ୍ରକେ ଯେକୌଣସି ଏକାଗ୍ର ଚିତ୍ତ ପାଠକର କଳ୍ପନା  ରାଜ୍ୟରେ ଉଦ୍‌ଘାଟିତ ହୋଇଯାଏ ଉକ୍ତ ଆଶ୍ରମ ବର୍ଣ୍ଣନାର  ପରିବେଶ । କିନ୍ତୁ ମୁଁ ସେହି କଳ୍ପନା ରାଜ୍ୟର କଥା କହୁନାହିଁ  ଆଦୌ । ସତକୁ ସତ କଣ୍ୱ ଆଶ୍ରମ ମଧ୍ୟକୁ ପ୍ରବେଶ କରିବା  ପାଇଁ ନଥିଲା କିଛି ବାଧା ବନ୍ଧନ । କବିଙ୍କ ବର୍ଣ୍ଣିତ ପଦ  ପଙ୍‌କ୍ତି ଅଥବା ଚିତ୍ରଶିଳ୍ପୀଙ୍କ ଦ୍ୱାରା ସୁ-ଅଙ୍କିତ ଚରିତ୍ର ଓ  ପରିବେଶ ହୋଇ ଉଠିପାରନ୍ତି ବାସ୍ତବାୟିତ ଏହା କାହା  ନିକଟରେ ବ୍ୟକ୍ତ ନକରି ନିରବ ରହିବା ହୋଇଥାନ୍ତା ମୋର  ସ୍ଥିତପ୍ରଜ୍ଞତା । ମାତ୍ର ଆଜି ଯେତେବେଳେ ସେସବୁ ଦିନର  ଓ ରାତିର ଘଟଣା ସ୍ମରଣ କରୁଛି, ସେତେବେଳେ ମୋ  ନିଜ ଆୟତ୍ତରେ ନାହିଁ ମୋର ଲେଖନୀ । ମୁଁ ବାସ୍ତବିକ ମୋ  ପଢ଼ାଘରେ ଏହା ପଢ଼ିଛି ମାତ୍ର, ଏକଥା ହୋଇଯାଏ ବିସ୍ମୃତ ।  

କଣ୍ୱ ଆଶ୍ରମରୁ ବାହାରି ଆସିବା କି କଷ୍ଟକର ବ୍ୟାପାର!  ମହାନ ଯୋଗସାଧକମାନେ ନିଜ ଜୀବନ୍ତ ଶରୀରରୁ ବାହାରି  ଯାଇପାରନ୍ତି ଓ ପୁଣି ପ୍ରତ୍ୟାବର୍ତ୍ତନ କରନ୍ତି ଶରୀର ମଧ୍ୟକୁ  ଯେପରି, ମୋର ତାତ୍କାଳିକ ଅନୁଭୂତି ଠିକ୍‌ ସେହିପରି ବୋଲି  ଆଭାସ ମାତ୍ର ଦିଆଯାଇପାରେ । ଆଶ୍ରମ ପରିବେଶରୁ ମୁକ୍ତ  ହୋଇ ଯେତେବେଳେ ସଚେତନ ହୋଇଉଠେ ଯେ, ମୋ  ହାତରେ ପ୍ରଣୟବଲ୍ଲରୀ କାବ୍ୟର ପ୍ରଥମ ସଂସ୍କରଣ ରହିଛି  ସଯତ୍ନେ, ସେତିକିବେଳେ ହିଁ ନିଜ ଚିନ୍ତନକୁ ଆନ୍ଦୋଳିତ  କରେ ଏକ ଗହନ ସ୍ତରର ବାସ୍ତବତା । ତାହା ହେଲା ମୁଁ  କବି ପରିବାରର ସନ୍ତାନ ହେଇ କଣ୍ୱ ମୁନିଙ୍କ ଆଶ୍ରମର  ସ୍ୱପ୍ନ ଦେଖୁଛି ନା ବାସ୍ତବରେ କଣ୍ୱ ମହର୍ଷିଙ୍କ ଦିଗଦର୍ଶନରେ  ପରିଚାଳିତ ଶିଷ୍ୟ ଜଣେ ମୁଁ, ଯିଏକି ପଢ଼ାଘରେ ବସିଥିବାର  କଳ୍ପନା କରୁଛି? ମହାକବି ଗଙ୍ଗାଧରଙ୍କ ପ୍ରତିଚ୍ଛବିକୁ ନିରବ  ଲଗ୍ନରେ ଚାହିଁରହେ ଯେତେବେଳେ ଆଚମ୍ବିତ କଥା ଯେ,  ତାଙ୍କର ମୁଖମଣ୍ଡଳ ପ୍ରତିଭାତ ହେଉଥାଏ କଣ୍ୱ ମୁନିଙ୍କ  ପ୍ରଶାନ୍ତ ଓ ଉଦାର ଭାବପୂର୍ଣ୍ଣ ମୁଖମଣ୍ଡଳ ସଦୃଶ । ଏ ପୁଣି  କି ରହସ୍ୟ? ଗଙ୍ଗାଧରଙ୍କ ସୁକୋମଳ ବାଣୀ ଶୁଣାଯାଏ  ସ୍ପଷ୍ଟରୁ ସ୍ପଷ୍ଟତର ନିଜ ଅନ୍ତର ତଳେ । ପ୍ରଣୟବଲ୍ଲରୀ  କାବ୍ୟ ରଚନାର ପ୍ରଥମ ପ୍ରେରଣା ପାଇଥିଲେ ସେ କିପରି?  ସମ୍ବଲପୁରରେ ନୀଳକଣ୍ଠ ପୂଜାରୀଙ୍କ ବୈଠକଖାନାରେ  ଶକୁନ୍ତଳାଙ୍କ ଏକ ଚିତ୍ରକୃତି ଦେଖି ସେ ହୋଇପଡ଼ିଛନ୍ତି  ଭାବାବିଷ୍ଟ । ଘରକୁ ଫେରିଆସି ନିଜ ପୁତ୍ର ସନ୍ତାନ  କବିପୁତ୍ର ଭଗବାନ ମେହେରଙ୍କୁ ସେ ପରାମର୍ଶ ଦେଉଛନ୍ତି  ଯେ, ତମେ ବି ଯାଇ ଶକୁନ୍ତଳାଙ୍କ ସେହି ଛବିଟିକୁ ଥରେ  ଦେଖିଆସ । କୌଣସି ବୟସ୍କ ପିତା ତାର ଯୁବକ ସନ୍ତାନଟିକୁ  ଉଦଭିନ୍ନ ଯୌବନା ନାରୀ ରୂପ ଦର୍ଶନ କରି ଆସିବା ପାଇଁ  କେବେ କ’ଣ ପରାମର୍ଶ ଦେଇପାରନ୍ତି? 

ଗଙ୍ଗାଧରଙ୍କ ପରି  ସୌନ୍ଦର୍ଯ୍ୟବୋଧସମ୍ପନ୍ନ କବିଙ୍କ କ୍ଷେତ୍ରରେ ଏହା ଅସ୍ୱାଭାବିକ  ହୋଇନପାରେ । ମୋର ମଧ୍ୟ ବହୁ କାଳଯାଏ ଏହି ଧାରଣା  ହିଁ ରହିଆସିଥିଲା ଯେ, ଶକୁନ୍ତଳାଙ୍କ ଯୌବନ ସମୟର ଚିତ୍ର  ତାହା ହୋଇଥିବ । ପିତୃପ୍ରସଙ୍ଗ ଗ୍ରନ୍ଥଟିକୁ ଥରେ ଦୁଇ ଥର  ବା ତିନି ଥର ନୁହେଁ ବାରମ୍ବାର ପ୍ରାୟ ପଢ଼ିବା ପରେ ଏକ  ସୂକ୍ଷ୍ମ ଉନ୍ମୋଚନ ଘଟିଯାଇ ପାରିଲା । ତାହା ହେଲା ଗଙ୍ଗାଧର  ଭଗବାନ ମେହେରଙ୍କୁ ହୁଏତ ଅପସରା ମେନକାଙ୍କ  ଚିତ୍ର ଦର୍ଶନ ପାଇଁ ପଠାଇଥିଲେ । ଏଥିରେ ବି ନାହିଁ କିଛି  ଅସ୍ୱାଭାବିକତା । ଅପସରା ମେନକାଙ୍କ ଚିତ୍ର କବିପୁତ୍ର  ଦେଖିଛନ୍ତି । କିନ୍ତୁ ତାହା ସହିତ ଦେଖିଛନ୍ତି ଯେଉଁ ଶକୁନ୍ତଳାଙ୍କୁ  ସେ ହେଉଛନ୍ତି ସତ୍ୟ ପ୍ରସୂତା ଶିଶୁକନ୍ୟା ଶକୁନ୍ତଳା ।  କେବଳ ମେନକାଙ୍କ ପରି ଅପସରୀ ରମଣୀଙ୍କ ଚିତ୍ର  ଦେଖିବା ନିମନ୍ତେ ସେ ପୁତ୍ରକୁ ପ୍ରେରଣ କରିନଥିଲେ । ଅତି  ଧ୍ୟାନପୂର୍ବକ ପିତୃପ୍ରସଙ୍ଗ କେହି ଯଦି ତପସ୍ୟା ନିମଗ୍ନ ହୋଇ  ପଢ଼ିପାରେ, ସିଏ ହିଁ ପ୍ରକୃତ ସତ୍ୟ ଦର୍ଶନରେ ହୋଇପାରିବ  ସମର୍ଥ । ବାସ୍ତବ ବିଷୟଟି ହେଲା ଶିଶୁକନ୍ୟା ଶକୁନ୍ତଳା ମଧ୍ୟ  କବିଙ୍କୁ ମୁଗ୍ଧ କରିଦେଇଥିଲେ ତାଙ୍କର ସ୍ୱର୍ଗୀୟ ଲାବଣ୍ୟରେ ।  

କବି ଓ କବିପୁତ୍ର ଉଭୟେ ମେନକାଙ୍କୁ ଦେଖିଛନ୍ତି । ତାହା  ସହିତ ଶକୁନ୍ତଳାଙ୍କୁ ମଧ୍ୟ ନିବିଷ୍ଟ ଚିତ୍ରରେ ଦର୍ଶନ କରିଛନ୍ତି ।  ଏହାରି ପଶ୍ଚାତରେ ଲୁକ୍କାୟିତ ଏକ ସୂକ୍ଷ୍ମ ସତ୍ୟ । ନିଷ୍ପାପ  ଶିଶୁକନ୍ୟା ଶକୁନ୍ତଳାଙ୍କ ଲାଳନ ପାଳନ କରିଛନ୍ତି କଣ୍ୱ ଋଷି ।  ଏହା କାହାକୁ ବା ଅଗୋଚର? ମାତ୍ର ତାହା ଏ କ୍ଷେତ୍ରରେ  ଯେ ଅର୍ଦ୍ଧସତ୍ୟ ଏକଥା ଅନୁଭବ କଲି ପଢ଼ାଘର ମଧ୍ୟସ୍ଥ  ନିରବତାର ପର୍ବତ ଉପରେ ଯୋଗୀ ପରି ଧ୍ୟାନସ୍ଥ ହୋଇ ।  ପ୍ରଚ୍ଛନ୍ନ ରହିଯାଇଥିବା ସତ୍ୟ ଧୀରେ ଧୀରେ ହେଇଗଲା  ପରିଚ୍ଛନ୍ନ । ଘଟଣା ତାହେଲେ କ’ଣ? ଯେଉଁ କୋମଳ  ଶିଶୁକନ୍ୟାଟିର ଚିତ୍ର ଦର୍ଶନରେ ବିମୁଗ୍‌ଧ ହୋଇଗଲେ  ଗଙ୍ଗାଧର, ସେହି ମୁହୂର୍ତ୍ତରେ ଅସହାୟ ଶିଶୁଟିକୁ ସେ  ନେଇଆସିଥିଲେ ନିଜ କୋଳକୁ । କଣ୍ୱ ଋଷିଙ୍କ ଭୂମିକା  ନିର୍ବାହ କରି ସେ ହିଁ ଲାଳନ ପାଳନ କରିଛନ୍ତି ଶକୁନ୍ତଳାର । ସେଥିପାଇଁ ସିଏ ସମାନ ପ୍ରତିଭାତ ହୋଇପାରନ୍ତି  ଶକୁନ୍ତଳାଙ୍କ ପାଳକ ପିତା କଣ୍ୱ ମୁନିଙ୍କ ସହିତ । 

ଆଉ କ’ଣ ସେଦିନ ଭଳି ରାତିରେ ମୁଁ ଶୋଇପାରିଥାନ୍ତି?  ସମଗ୍ର ରଜନୀ ଉଦ୍‌ଯାପିତ ହୋଇଯାଇଥିଲା ପ୍ରତିଟି  ଚରିତ୍ରମାନଙ୍କ ମଧ୍ୟକୁ ପ୍ରବେଶ କରି କରି ଅନବରତ ।  ‘ପ୍ରଣୟବଲ୍ଲରୀ' ମହାକାବ୍ୟର ପ୍ରଥମ ସଂସ୍କରଣକୁ ଏଠୁ  ଥାଇ ଜଣାଉଛି ବିନମ୍ର ପ୍ରଣତି । ଦେଖୁଛି ପୁଣି କି ବିସ୍ମୟ  ଦୀପ୍ତ ଦୃଶ୍ୟ! ପୁସ୍ତକଟି ମୋ ଅନ୍ତଃସ୍ଥଳରେ ନିର୍ମିତ ପାଠଗୃହ  ଥାକରେ ରହିଛି ସୁସଜ୍ଜିତ ହୋଇ ଠିକ୍‌ ପୂର୍ବ ପୂର୍ବପରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.