ପୁରୀ, ୫/୯: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଗର୍ଭଉଦକ ବନ୍ଦାପନା । ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଦିନ ସନ୍ଧ୍ୟା ଆଳତି ବେଶରେ ତିନି ଦିଅଁ ସୁନା ଅଳଙ୍କାର ଲାଗି ହୁଅନ୍ତି । ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ ସନ୍ଧ୍ୟା ଧୂପ ଛେକ ଛାମୁକୁ ଆସେ । ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣିପଡ଼ି ଧୋପଖାଳ ପରେ ଜୟ ବିଜୟ ଦ୍ଵାର ବନ୍ଦ ହୁଏ । ଟେରା ବନ୍ଧା ହୋଇ ଅଣସର ପିଣ୍ଡିଠାରେ ଜେଉଡ଼ (ଜେଉଟ) ଭୋଗ, ଶାଗ, ତରକାରୀ, ପିଠା, ଝିଲି, ଓରିଆ, ଖିରି ଇତ୍ୟାଦି ରୋଷରୁ ଆସି ରଖା ହୁଏ । ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି ।
ରଥଯାତ୍ରା ପରଦିନ ଗଡେ ରଥ, ରହିଛି ୨୦୦ ବର୍ଷର ପରମ୍ପରା
ତିନି ଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରନ୍ତି । ପାଣି ପଡ଼ି ଧୋପଖାଳ ହେବା ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ଗୋଟିଏ ଅଧିକ ବନ୍ଦାପନା ଶ୍ରୀଜଗନ୍ନାଥଙ୍କ ବାଡ଼ରେ ହୁଏ ଏହାକୁ "ଗର୍ଭଉଦକ ବନ୍ଦାପନା " କୁହାଯାଏ । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ । ରାମଜନ୍ମ ଓ କୃଷ୍ଣ ଜନ୍ମର ପୂର୍ବରାତିରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଜେଉଟ ଭୋଗ ଅର୍ପଣ କରାଯାଏ । ଏହି ଭୋଗ ଓଉ କିମ୍ବା ଆମ୍ବ, ସାରୁ, ମଞ୍ଜା ଆଦିରୁ ପ୍ରସ୍ତୁତ ହୁଏ । ଏହି ଭୋଗ ଦେବାର ଉଦ୍ଦେଶ୍ୟ ଗର୍ଭକଷ୍ଟ ନିବାରଣ । ଭୋଗ ସମର୍ପଣ ପରେ ତିନି ଠାକୁରଙ୍କୁ ବନ୍ଦାପନା କରାଯାଏ ।