- ବନ୍ଦ ହୋଇସାରିଛି ୨୦୦୦ ଟଙ୍କିଆ ନୋଟ୍
- ଏବେ ଫେରସ୍ତ ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ
- ୭ ବର୍ଷରେ ଅଚଳ ହୋଇଗଲା ୨୦୦୦ ଟଙ୍କିଆ ନୋଟ୍
- ହେଲେ ଏହି ନୋଟ୍ ଛାପିବା ପଛରେ ଖର୍ଚ୍ଚ ହୋଇଛି କେତେ?
ନୂଆଦିଲ୍ଲୀ,୦୪/୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ ହଠାତ୍ ୧୯ ମଇ ୨୦୨୩ ରେ ଘୋଷଣା କରିଥିଲା ଯେ ଭାରତୀୟ ବଜାରରେ ୨୦୦୦ ଟଙ୍କିଆ ବିତରଣକୁ ପ୍ରତ୍ୟାହାର କରାଯିବ। ଠିକ୍ ୭ ବର୍ଷ ପୂର୍ବେ ଅର୍ଥାତ୍ ୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ବିମୁଦ୍ରୀକରଣ ଘୋଷଣା କରିବା ପରେ ୨୦୦୦ ଟଙ୍କିଆ ନୋଟ ଲଞ୍ଚ କରାଯାଇଥିଲା। ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ଜମା ପାଇଁ ଆରବିଆଇ ତରବରିଆ ଭାବେ ୨୦୦୦ ଟଙ୍କିଆ ନୋଟ୍କୁ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ପ୍ରବେଶ କରିଥିଲା। କିନ୍ତୁ ଆପଣ ଜାଣନ୍ତି କି ୨୦୦୦ ଟଙ୍କା ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା? ସଂସଦରେ ସରକାର ଏନେଇ ସୂଚନା ପ୍ରଦାନ କରିଛନ୍ତି। ସରକାର ସଂସଦକୁ ସୂଚନା ଦେଇଛନ୍ତି ଯେ ଆରବିଆଇ ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ମୋଟ ୧୭,୬୮୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଯେତେବେଳେ ଅର୍ଥମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଯେ, ୨୦୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ସରକାର ଏପର୍ଯ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି? ଏହି ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଆରବିଆଇ ଅନୁଯାୟୀ ୨୦୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ମୋଟ ୧୭,୬୮୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଯେତେବେଳେ କଂଗ୍ରେସର ଲୋକସଭା ସାଂସଦ ମନୀଷ ତିୱାରୀ ଆରବିିଆଇ ଓ ସରକାରଙ୍କ ୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାର କାରଣ ସମ୍ପର୍କରେ ଆରବିଆଇ ଏବଂ ସରକାରଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ଏହି ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ଅର୍ଥମନ୍ତ୍ରୀ କହିଥିଲେ ଯେ ୧୯ ମେ ,୨୦୨୩ରେ ଆରବିଆଇ ଏହାର କ୍ଳିନ୍ ନୋଟ ପଲିସିକୁ ଧ୍ୟାନରେ ରଖି ମୁଦ୍ରା ପରିଚାଳନା କାର୍ଯ୍ୟ ଅଧୀନରେ ୧୯ ମେ ୨୦୨୩ରେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ। ସେ କହିଥିଲେ ଯେ ୨୦୦୦ ଟଙ୍କିଆ ମୂଲ୍ୟର ୮୯ ପ୍ରତିଶତରୁ ଅଧିକ ନୋଟ ମାର୍ଚ୍ଚ ୨୦୧୭ ପୂର୍ବରୁ ଜାରି କରାଯାଇଥିଲା ଏବଂ ଏହି ନୋଟଗୁଡିକ୪-୫ ବର୍ଷ ମଧ୍ୟରେ ଶେଷ ହେବାକୁ ଯାଉଛି। ପଙ୍କଜ ଚୌଧୁରୀ କହିଛନ୍ତି ଯେ ସାଧାରଣ ଲୋକଙ୍କ ଚାହିଦାକୁ ପୂରା କରିବା ପାଇଁ ଅନ୍ୟାନ୍ୟ ଡିନୋମିନେସନ୍ର ପର୍ଯ୍ୟାପ୍ତ ସଂଖ୍ୟକ ବ୍ୟାଙ୍କ ନୋଟ୍ ଷ୍ଟକ୍ରେ ଅଛି।
ପଢ଼ନ୍ତୁ: ବାଲଟି ପାଇଁ ହୋଇଥିଲା ଐତିହାସିକ ଯୁଦ୍ଧ; ପ୍ରାଣ ହରାଇଥିଲେ ୨ ହଜାରରୁ ଉର୍ଦ୍ଧ୍ୱ, ଏବେ ବି ଅଛି ଏହି ବାଲଟି
ଅର୍ଥରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ୨୦୧୬-୧୭ ରୁ ୨୦୧୮-୧୯ ମଧ୍ୟରେ ଆରବିଆଇ ୭.୪୦ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ସପ୍ଳାଏ କରିଛନ୍ତି। ଯେତେବେଳେ ୧୯ ମେ ୨୦୨୩ରେ ଆରବିଆଇ ୨୦୦୦ ଟଙ୍କିଆ ନୋଟ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରାଇ ଆଣିବାକୁ ଘୋଷଣା କରିଥିଲେ, ସେତେବେଳେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ମହଜୁଦ ଥିଲା। ୩୦ ନଭେମ୍ବର ପର୍ଯ୍ୟନ୍ତ ଏଥିରେ ୩.୪୬ ଲକ୍ଷ କୋଟି ନୋଟ ଫେରସ୍ତ ଆସିଥିବା ବେଳେ ବାକି ୯୭୬୦ କୋଟି ଟଙ୍କାର ନୋଟ୍ ଏବେ ବି ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିବା ବାକି ଅଛି।
You can also read: ବୁଲା କୁକୁରଙ୍କ ପାଇଁ ପୌଷ୍ଟିକ ଖାଦ୍ୟ; ସେ ପୁଣି ୫ ଟଙ୍କାରେ, ଏଥିରେ ରହିଛି ଅଣ୍ଡା-ପନିର-ସୋୟା