ନୂଆଦିଲ୍ଲୀ,୧୧/୦୪: ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହରେ ବି ଜୀବ ଅଛନ୍ତି । ୟୁଏଫ୍ଓ (ଅନ୍ଆଇଡେଣ୍ଟିଫାଏଡ୍ ଫ୍ଲାଇଙ୍ଗ ଅବ୍ଜେକ୍ଟ) ଭାବେ ପରିଚିତ ରହସ୍ୟମୟୀ ଉଡ଼ନ୍ତା ବସ୍ତୁ ଜରିଆରେ ସେମାନେ ଭ୍ରମଣ କରୁଛନ୍ତି । ଆମ ଗ୍ରହକୁ ମଧ୍ୟ ଯିବାଆସିବା କରୁଛନ୍ତି । ପୃଥିବୀ ଆକାଶରେ ୟୁଏଫ୍ଓ ଚିହ୍ନଟ ହୋଇଥିବା କଥା ଅନେକ ଥର ଚର୍ଚ୍ଚାର ବିଷୟ ହୋଇଛି । ଏହା କେତେଦୂର ସତ ତାହାକୁ ନେଇ ବି ହୋଇଛି ବିଶ୍ଳେଷଣ । ତେବେ ଅଲଗା ଗ୍ରହରେ ବି ଜୀବ ଅଛନ୍ତି, ତାହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ । ଏକ ସଦ୍ୟ ଗବେଷଣାରେ ଏଲିଏନ୍ର ଅସ୍ତିତ୍ୱକୁ ନେଇ ପୁଣି ଏକ ବଡ଼ ଖୁଲାସା କରାଯାଇଛି ।
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଭି ଲୋବ୍ ୟୁଏଫ୍ଓ ଭ୍ରମଣ ଉପରେ ଏକ ରୋଚକ ଥିଓରି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ବାହ୍ୟ ଗ୍ରହର ଜୀବ (ଯାହାକୁ ଏଲିଅନ୍ କୁହାଯାଉଛି) ଏକ ନିର୍ଦ୍ଦିଷ୍ଟ ଅଦୃଶ୍ୟ ମାର୍ଗ ଜରିଆରେ ଭ୍ରମଣ କରୁଥାଇ ପାରନ୍ତି । ସିଇଆର୍ଏନ୍ ଭାବେ ପରିଚିତ ୟୁରୋପିଆନ ଅର୍ଗାନାଇଜେସନ୍ ଅଫ୍ ନ୍ୟୁକ୍ଲିୟର ରିସର୍ଚ୍ଚରେ ପାର୍ଟିକଲ୍ ଆକ୍ସିଲରେଟର୍ ଉପରେ ଅନୁସନ୍ଧାନ ଜରିଆରେ ଏହି ଖୁଲାସା ହୋଇଛି । ଏଥିରେ କୁହାଯାଇଛି ଯେ ଏଲିଏନ୍ମାନେ ଯେଉଁ ଗୁପ୍ତ ମାର୍ଗ ବା ‘ଏକ୍ସଟ୍ରା ଡାଇମେନ୍ସନ୍’ ଦେଇ ଯାତାୟାତ କରୁଛନ୍ତି, ତାହାକୁ ଦେଖିହେବ ନାହିଁ । ସାଧାରଣତଃ ୩ଟି ଡାଇମେନ୍ସନ ଦୃଶ୍ୟମାନ ହୋଇଥାଏ । କିନ୍ତୁ ଏଲିଏନ୍ ଯେଉଁ ମାର୍ଗରେ ଯାଆସ କରୁଛନ୍ତି, ତାହା ଅନ୍ୟତମ ଅଦୃଶ୍ୟ ମାର୍ଗ ।
ପ୍ରଫେସର ଲୋବ୍ଙ୍କ ଅନୁସାରେ, ଏହି ଦିଗଗୁଡ଼ିକୁ କେବଳ ସିଇଆର୍ଏନ୍ର ଲାର୍ଜ ହାଡ୍ରନ୍ କୋଲାଇଡର୍ (ଏଲ୍ଏଚ୍ସି) ଭଳି ହାଇ ଏନର୍ଜି ପାର୍ଟିକଲ୍ ଆକ୍ସିଲରେଟର ଜରିଆରେ ଚିହ୍ନଟ କରାଯାଇପାରେ । ଏହା ବିଗ୍ ବ୍ୟାଙ୍ଗ ଭଳି ସ୍ଥିତିର ପୁନରାବୃତ୍ତି କରି ଆମ ବ୍ରହ୍ମାଣ୍ଡ ଉତ୍ପତ୍ତିର ଅନୁସନ୍ଧାନ କରେ । ଲୋବ୍ଙ୍କ ଏହି ପରିକଳ୍ପନା ‘ଦ ପାରାନର୍ମାଲ ୟୁଏଫ୍ଓ କନେକ୍ସନ୍’ ଶୀର୍ଷକ ଡକ୍ୟୁମେଣ୍ଟାରିରେ ବର୍ଣ୍ଣନା କରାଯାଇଛି । ତାଙ୍କ ଅନୁସାରେ, ଏଲିଅନ୍ ସଭ୍ୟତା ବୈଷୟିକ ଉନ୍ନତି କ୍ଷେତ୍ରରେ ସମ୍ଭବତଃ ଅନେକ କୋଟି ବର୍ଷ ଆଗୁଆ । ଏହି ଗୁପ୍ତ ଦିଗରେ ଯାତ୍ରା କରିବା ପାଇଁ ଏଲିଅନ୍ ସଭ୍ୟତା ହୁଏତ କ୍ୱାଣ୍ଟମ୍ ଗ୍ରାଭିଟି ଇଞ୍ଜିନିୟରିଂ ପ୍ରୟୋଗ କରୁଥାଇ ପାରନ୍ତି । ଏହି ପଦ୍ଧତି ମହାକାଶରେ ଧକ୍କା ହେବାର ଆଶଙ୍କାକୁ କମାଉଥିବ । ଏହା ସେମାନଙ୍କୁ ବ୍ରହ୍ମାଣ୍ଡରେ ବାଧାରହିତ ଭ୍ରମଣର ସୁବିଧା ପ୍ରଦାନ କରୁଥିବ । ଏଲିଅନ୍ଙ୍କର ଗୁପ୍ତ ମାର୍ଗରେ ଭ୍ରମଣର ଏହି ଅବଧାରଣା ବାସ୍ତବତା ଉପରେ ଏକ ନୂଆ ଦୃଷ୍ଟିକୋଣକୁ ଉଜାଗର କରିଛି । ଦୈନନ୍ଦିନ ମାନବ ଅନୁଭବରେ ଦେଖାଯାଇଥିବା ୩ଟି ଡାଇମେନସନ ପରେ ଜୀବନର ବିବିଧତା ଉପରେ ଏହା ଜୋର ଦେଇଛି । ଲୋବ୍ ବାହ୍ୟଗ୍ରହ ବୁଦ୍ଧିମତା କ୍ଷେତ୍ରରେ ଜଣେ ଅଗ୍ରଣୀ ଅନୁସନ୍ଧାନକାରୀ । ଏଲିଅନ୍ଙ୍କ ଭ୍ରମଣର ଏ ପ୍ରକାର ଟେକ୍ନୋଲୋଜିକୁ ଯଦି ମାନବ ସଭ୍ୟତା ଉପଯୋଗ କରେ, ତେବେ ବିନା ବାଧାରେ ମହାକାଶ ଭ୍ରମଣ ସମ୍ଭବ ହୋଇପାରିବ । ଏହା ମାନବତା ଉପରେ ପରିବର୍ତ୍ତନକାରୀ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଗୁମ୍ଫାରେ ରହୁଥିବା ପ୍ରାଚୀନ ମଣିଷ ଏକ ଆଧୁନିକ ସହରକୁ ଦେଖି ଯେମିତି ଆଶ୍ଚର୍ଯ୍ୟ ହୁଏ, ଏଲିଅନ୍ ସଭ୍ୟତାର ଟେକ୍ନୋଲୋଜି ସହ ସେ ମାନବତାକୁ ଠିକ୍ ସେମିତି ତୁଳନା କରିଛନ୍ତି ।
ଲାର୍ଜ ଡ୍ରାଗନ୍ କୋଲାଇଡର୍ର ଉଚ୍ଚ ଶକ୍ତିସମ୍ପନ୍ନ କଣିକା ଧକ୍କା ଜରିଆରେ ସିଇଆର୍ଏନ୍ ଏହି ଗୁପ୍ତ ଦିଗ ଉପରେ କାମ କରୁଛି । ବ୍ରହ୍ମାଣ୍ଡର ଲୁକ୍କାୟିତ ରହସ୍ୟଗୁଡ଼ିକର ଉନ୍ମୋଚନ ଏହାର ଲକ୍ଷ୍ୟ । ମୌଳିକ ବଳ ଏଥିରେ ସାମିଲ, ଯାହା ଏଲ୍ଏଚ୍ସିର ବିକାଶକୁ ଆକାର ଦେଇଛି । ୨୦୧୨ ମସିହାରେ ଆବିଷ୍କୃତ ହିଗ୍ସ ବୋସନ୍ ବା ‘ଗଡ୍ ପାର୍ଟିକଲ୍’ ବ୍ରହ୍ମାଣ୍ଡ ଉତ୍ପତ୍ତି ବିଷୟରେ ବୁଝିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିଲା । ପରବର୍ତ୍ତୀ ସମୟରେ ବ୍ରହ୍ମାଣ୍ଡରେ ସୂକ୍ଷ୍ମାତିସୂକ୍ଷ୍ମ ଅଣୁ ଓ ପରମାଣୁର ଅଧ୍ୟୟନରେ ଏହା ମୂଳଦୁଆ ପକାଇଥିଲା । ୨୦୧୪ ମସିହାର ଏକ ମହାକାଶ ବସ୍ତୁର ପ୍ରଭାବରୁ ଏଲିଅନ୍ ଟେକ୍ନୋଲୋଜିର ବୈଷୟିକ ଜ୍ଞାନକୌଶଳ ବିଷୟରେ ଜ୍ଞାନ ପ୍ରାପ୍ତି ଲକ୍ଷ୍ୟରେ ଲୋବ୍ ନିକଟରେ ପାପୁଆ ନିଉଗିନି ଯାତ୍ରା କରିଥିଲେ । ବିଶ୍ୱସ୍ତରୀୟ ଏକ ସାମରିକ ବାହିନୀ ଏଲିଅନ୍ ସଭ୍ୟତାର ଅନୁସନ୍ଧାନ କରୁଥିବା କଥା ସେ ଯୁକ୍ତି କରିଛନ୍ତି । ମାନବତା ପାଇଁ ଏ ପ୍ରକାର ଆବିଷ୍କାର ଅତ୍ୟନ୍ତ ଲାଭକରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।