ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ କିଣିଲା ୭୨୨ କୋଟିର ସୁନା, ସମଗ୍ର ବିଶ୍ୱରେ ତୃତୀୟ ବୃହତ୍‌ କ୍ରେତା ପାଲଟିଲା

ନୂଆଦିଲ୍ଲୀ,୦୯/୦୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମେ’ ମାସରେ ବିଶ୍ୱର ତୃତୀୟ ବୃହତ୍‌ ସୁନା କ୍ରେତା ପାଲଟିଛି । ୱାର୍ଲଡ ଗୋଲ୍‌ଡ କାଉନ୍‌ସିଲ୍‌(ଡବ୍ଲ୍ୟୁଜିସି) ଅନୁସାରେ, ଗତ ମାସ  ଭାରତ ପ୍ରାୟ ୭୨୨ କୋଟି ଟଙ୍କା ମୂଲ୍ୟର ସୁନା କ୍ରୟ  କରିଛି । ତେବେ ସୁଇଜରଲାଣ୍ଡ ବିଶ୍ୱର ସର୍ବବୃହତ୍‌  କ୍ରେତା ରହିଥିବାବେଳେ ଏହା ପଛକୁ ଅଛି ଚୀନ୍‌ ।  

ଗତ ୫ ବର୍ଷରେ ଭାରତ ଏହାର ସୁନା  ଭଣ୍ଡାରରେ ପ୍ରାୟ ୨୦୪ ଟନ୍‌ ବୃଦ୍ଧି କରିଛି । ୨୦୧୯  ମାର୍ଚ୍ଚରେ ଦେଶର ସୁନା ଭଣ୍ଡାର ୬୧୮.୨ ଟନ୍‌ ଥିଲା,  ଯାହା ୨୦୨୪ ମାର୍ଚ୍ଚ ୩୧ରେ ୩୩% ବଢ଼ି ୮୨୨.୧  ଟନ୍‌ ହୋଇଛି । ବର୍ଦ୍ଧିତ ଦର ଯୋଗୁ ଗତ ମାସ  ବିଶ୍ୱ ସୁନା ବଜାରରେ ହାରାହାରି ଦୈନିକ ଟ୍ରେଡିଂ  ଭଲ୍ୟୁମ୍‌ ୧୮ ଲକ୍ଷ କୋଟି ଟଙ୍କା ରହିଥିଲା । ଏହା  ଏପ୍ରିଲ ତୁଳନାରେ ୧୩% କମ୍‌ କିନ୍ତୁ ୨୦୨୩ର  ଦୈନିକ ହାରାହାରି ୧୩.୬ ଲକ୍ଷ କୋଟି ତୁଳନାରେ  ୩୨.୫୧% ଅଧିକ । କ୍ରମାଗତ ତୃତୀୟ ମାସ ପାଇଁ  ସୁନା ଦର ବଢ଼ିଛି । ଏବେ ୧୦ ଗ୍ରାମ ପିଛା ୨୨  କ୍ୟାରେଟ୍‌ ସୁନା ଦର ୬୫,୭୦୦ ଟଙ୍କା ଥିବାବେଳେ  ୨୪ କ୍ୟାରେଟ୍‌ ସୁନା ଦର ୭୧,୬୭୦ ଟଙ୍କା ରହିଛି ।  

ପ୍ରକାଶଯୋଗ୍ୟ, ଯଦି କୌଣସି ଦେଶର  କରେନ୍ସି ବା ପ୍ରଚଳିତ ମୁଦ୍ରା ଅନ୍ତର୍ଜାତୀୟ ସ୍ତରରେ  ଦୁର୍ବଳ ହୋଇଚାଲେ, ସେତେବେଳେ ସୁନା ଭଣ୍ଡାର  ଉକ୍ତ ଦେଶର କ୍ରୟ ଶକ୍ତି ଏବଂ ଏହାର ଆର୍ଥିକ ସ୍ଥିରତା  ବଜାୟ ରଖିବାରେ ସହାୟକ ହୋଇଥାଏ । ୧୯୯୧ରେ  ଯେତେବେଳେ ଭାରତର ଅର୍ଥନୀତି ବୁଡ଼ିବାକୁ  ଯାଉଥିଲା ଏବଂ ସାମଗ୍ରୀ ଆମଦାନି କରିବା ପାଇଁ  ଦେଶ ପାଖରେ ଡଲାର ନ ଥିଲା, ସେତେବେଳେ  ଏହା ସୁନାକୁ ବନ୍ଧକ ରଖି ପାଣ୍ଠି ସଂଗ୍ରହ କରିଥିଲା ।  ଏହା କରି ଦେଶ ଆର୍ଥିକ ସଂକଟରୁ ମୁକୁଳିଥିଲା ।  

୧୯୯୧ରେ ବୈଦେଶିକ ମୁଦ୍ରା ସଂକଟ ବେଳେ  ବ୍ରିଟେନ୍‌ରେ ବନ୍ଧା ପଡ଼ିଥିବା ଲକ୍ଷେ କିଲୋ ସୁନା  ଏବେ ଭାରତକୁ ଫେରିଆସିଛି । ଏହାକୁ ବର୍ତ୍ତମାନ  ଆର୍‌ବିଆଇର ସୁନା ଭଣ୍ଡାରରେ ଜମା କରି  ଦିଆଯାଇଛି । ବର୍ତ୍ତମାନ ଦରରେ ଏହାର ମୂଲ୍ୟ ପ୍ରାୟ  ୭୩,୦୦୦ କୋଟି ଟଙ୍କା ହେବ । ଆଗାମୀ କିଛି ମାସରେ  ବ୍ରିଟେନ୍‌ରୁ ଆହୁରି ସୁନା ଫେରାଇ ଆଣିବାକୁ ପ୍ରସ୍ତୁତ  ହେଉଛି ରିଜର୍ଭ ବ୍ୟାଙ୍କ । 

ସୂଚନାଯୋଗ୍ୟ, ୧୯୯୧ରେ ଦେଶରେ  ଦେଖାଦେଇଥିବା ବୈଦେଶିକ ମୁଦ୍ରା ସଂକଟ ବେଳେ  ଚନ୍ଦ୍ରଶେଖର ସରକାର ସ୍ଥିତିକୁ ସମ୍ଭାଳିବା ପାଇଁ  ଏହି ସୁନାକୁ ବିଦେଶରେ ବନ୍ଧକ ରଖିବାକୁ ବାଧ୍ୟ  ହୋଇଥିଲେ । ଉକ୍ତ ବର୍ଷ ଜୁଲାଇ ୪ରୁ ୧୮ ମଧ୍ୟରେ  ୪୦ କୋଟି ଡଲାର ଯୋଗାଡ଼ କରିବା ଲାଗି ଆର୍‌ବିଆଇ  ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଏବଂ ବ୍ୟାଙ୍କ ଅଫ୍‌ ଜାପାନ  ନିକଟରେ ବୃହତ୍‌ ମାତ୍ରାରେ ସୁନା ବନ୍ଧକ ରଖିଥିଲା । ୧୯୯୧ରୁ ପ୍ରଥମ ଥର ପାଇଁ ଏତେ ମାତ୍ରାରେ ସୁନା  ଦେଶକୁ ଫେରିଛି ।  

ସୁନା ଭଣ୍ଡାର ବଡ଼ ହେବା ଅର୍ଥ ଦେଶର  ଅର୍ଥବ୍ୟବସ୍ଥା ମଜଭୁତ ରହିଛି । ଏଥିରୁ ଏହା  ଜଣାପଡ଼େ ଯେ, ଉକ୍ତ ଦେଶ ନିଜ ଧନର ଠିକ୍‌ ଭାବେ ପ୍ରବନ୍ଧନ କରିଛି । ଏଭଳି ସ୍ଥିତିରେ ଅନ୍ୟ ଦେଶ ଏବଂ  ବିଶ୍ୱର ନାମୀଦାମୀ ବିତ୍ତୀୟ ପ୍ରତିଷ୍ଠାନ ଉକ୍ତ ଦେଶ  ଉପରେ ଅଧିକ ଭରସା କରିଥାନ୍ତି ।ସୁନା ଭଣ୍ଡାର  କୌଣସି ଦେଶର ମୁଦ୍ରା ମୂଲ୍ୟକୁ ସମର୍ଥନ କରିବା  ପାଇଁ ଏକ ସଲିଡ୍‌ ଆସେଟ୍‌ ପ୍ରଦାନ କରିଥାଏ

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.