ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆହୁରି ଅଶାନ୍ତ ହେବ ମଧ୍ୟପ୍ରାଚ୍ୟ: ୪୮ ଘଣ୍ଟାରେ ଇସ୍ରାଏଲ-ଇରାନ ଯୁଦ୍ଧ ! ଆକ୍ରମଣ ରୋକିବାକୁ ଆମେରିକାର ଉଦ୍ୟମ

ଜେରୁଜେଲମ,୧୩/୦୪: ଆହୁରି ଅଶାନ୍ତ ହେବାକୁ ଯାଉଛି ମଧ୍ୟପ୍ରାଚ୍ୟ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇହୁଦୀ ଦେଶ ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିବାର ଆଶଙ୍କା ରହିଛି । ଆକ୍ରମଣ ପାଇଁ ରଣନୀତି ପ୍ରସ୍ତାବ ଇରାନ ସେନା ଏହାର ସୁପ୍ରିମଲିଡରଙ୍କୁ ପଠାଇଛି । ଏ ନେଇ ଆମେରିକୀୟ ପତ୍ରିକା ୱାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ଶୁକ୍ରବାର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଇରାନର ଜଣେ ନେତାଙ୍କ ବୟାନ ଏବଂ ଗୁଇନ୍ଦା ସୂଚନା ଆଧାରରେ ପ୍ରସ୍ତୁତ କରାଯାଇଛି । ରିପୋର୍ଟରେ ଇରାନୀୟ ଅଧିକାରୀ ଜଣକ  ଇରାନ ସୁପ୍ରିମ ଲିଡର ଆୟାତୁଲ୍ଲା ଖାମେନେଇଙ୍କ ଯୁଦ୍ଧ ଯୋଜନା ବାବଦରେ କହିଛନ୍ତି । ତେବେ ଆକ୍ରମଣ ନେଇ ଯୋଜନା ଚୂଡ଼ାନ୍ତ ହୋଇ ନ ଥିବା କଥା ମଧ୍ୟ ଅଧିକାରୀ ଜଣକ କହିଛନ୍ତି । 

ଅନ୍ୟପକ୍ଷରେ ଇସ୍ରାଏଲ ଏହାର ଉତ୍ତର ଏବଂ ପଶ୍ଚିମ ପଟରେ ଇରାନର ଆକ୍ରମଣକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କରୁଛି । ଏଥିପାଇଁ ଇସ୍ରାଏଲରରେ ହାଇ ଆଲର୍ଟ ଜାରି କରାଯାଇଛି । ଗତ ୧ ତାରିଖରେ ଇସ୍ରାଏଲ ସିରିୟାରେ ଥିବା ଇରାନର ଦୂତାବାସ ଉପରେ ଆକ୍ରମଣ କରିଥିବା ଇରାନ ଅଭିଯୋଗ କରିଥିଲା । ଏଥିରେ ଇରାନର ଶୀର୍ଷ ସେନା ଅଧିକାରୀଙ୍କ ସମେତ କୂଟନୀତିଜ୍ଞଙ୍କୁ ମିଶାଇ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଇରାନର ପ୍ରମୁଖ କୂଟନୀତିଜ୍ଞ ମହମ୍ମଦ ରେଜା ଜାହେଦିଙ୍କ ମୃତ୍ୟୁ ଇରାନ ପାଇଁ ଏକ ବଡ଼ କ୍ଷତି । ପୂର୍ବରୁ ଆମେରିକା ଇରାନର ପ୍ରମୁଖ ସେନା ଅଧିକାରୀ କାସିମ ସୋଲେମାନିଙ୍କୁ ୨୦୨୦ରେ ହତ୍ୟା କରିଥିଲା । ଏବେ ଇରାନର ସମ୍ଭାବ୍ୟ ଆକ୍ରମଣ ଉପରେ ଇସ୍ରାଏଲକୁ ଆମେରିକା ମଧ୍ୟ ଚେତାଇଛି । 

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ବାୟୁସେନା ଘାଟିରୁ ସେନାକୁ ବାର୍ତ୍ତା ଦେଇଛନ୍ତି । ଇସ୍ରାଏଲ ମାଟିରେ କୌଣସି ପ୍ରକାର ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମ ରକ୍ଷା ସହ ଶତ୍ରୁକୁ ଆକ୍ରମଣ କରିବା ଲାଗି ଇସ୍ରାଏଲ ସୁରକ୍ଷାବଳ ପୂର୍ଣ୍ଣ ପ୍ରସ୍ତୁତି କରୁଥିବା ନେତନ୍ୟାହୁ ଗୁରୁବାର କହିଥିଲେ । ଏହା ପରେ ଖାମନେଇ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ବେଶ୍‌ ଜରୁରି ବୋଲି କହିବା ପରେ ଏହି ଯୁଦ୍ଧ ଆଶଙ୍କା ଘନେଇଛି । ଇସ୍ରାଏଲ ୬ ମାସ ହେଲା ଗାଜାରେ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ସହ ଯୁଦ୍ଧରେ ମାତିଛି । ଗାଜାରେ ଇସ୍ରାଏଲ ଆକ୍ରମଣରେ ଗୁରୁବାର ହମାସ୍‌ର ପ୍ରମୁଖ ଲିଡର ହାନିୟେହର ୩ ପୁଅଙ୍କ ମୃତ୍ୟୁକୁ ନେଇ ଇରାନ୍‌ ନିନ୍ଦା କରିଥିଲା । ଇସ୍ରାଏଲ ଉପରେ ଚାପ ପକାଇବା ପାଇଁ ଇରାନ ପାଲେଷ୍ଟାଇନର ହମାସ୍‌ ଏବଂ ଲେବାନନର ହିଜବୁଲ୍ଲା ଆତଙ୍କୀ ସଙ୍ଗଠନକୁ ସମର୍ଥନ କରିଆସୁଛି । ଏହି ଆତଙ୍କୀ ସଙ୍ଗଠନ ଇସ୍ରାଏଲ ଉପରେ ଆକ୍ରମଣ କରୁଛନ୍ତି । ସେପଟେ ଇସ୍ରାଏଲ ଉପରେ ଆକ୍ରମଣ ରୋକିବା ପାଇଁ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ସାଉଦି ଆରବ, ଚୀନ, ତୁର୍କୀ ସମେତ ୟୁରୋପୀୟ ଦେଶଗୁଡ଼ିକର ବିଦେଶ ମନ୍ତ୍ରୀଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । ଇରାନକୁ ଏହି ଆକ୍ରମଣ ନ କରିବାକୁ କହିବା ଲାଗି ବ୍ଲିଙ୍କେନ ନିଜ ପ୍ରତିପକ୍ଷଙ୍କୁ କହିଛନ୍ତି । ବିବାଦ, ସଂଘର୍ଷ ବଢ଼ାଇବା କାହାରି ହିତରେ ନୁହେଁ ବୋଲି ଆମେରିକା ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ମାଥ୍ୟୁ ମିଲର କହିଛନ୍ତି ।

ରୁଷ୍‌-ୟୁକ୍ରେନ ଯୁଦ୍ଧ ଥମି ନ ଥିବାବେଳେ ଗାଜାରେ ଇସ୍ରାଏଲ ୬ ମାସ ହେଲା ହମାସ୍‌ ସହ ଲଢ଼େଇ ଜାରି ରଖିଛି । ପୂର୍ବରୁ ପରସ୍ପର ଶତ୍ରୁ ଥିବା ଇରାନ-ଇସ୍ରାଏଲ ମଧ୍ୟରେ ଏବେ ଶତ୍ରୁତା ବହୁଗୁଣ ହୋଇଛି । ଗାଜା ଯୁଦ୍ଧବେଳେ ଇରାନ ସହ ଇସ୍ରାଏଲର ଛାୟା ଯୁଦ୍ଧ ଚାଲିଥିଲା । ହିଜବୁଲ୍ଲା ଭଳି ଆତଙ୍କୀ ସଙ୍ଗଠନ ଜରିଆରେ ଇରାନ ସବୁବେଳେ ଇସ୍ରାଏଲକୁ ଚୁପ୍‌ କରାଇବାକୁ ଉଦ୍ୟମ କରିଆସିଛି । କିନ୍ତୁ ଏବେ ତାହା ପ୍ରତ୍ୟକ୍ଷ ଯୁଦ୍ଧରେ ପରିଣତ ହେବାକୁ ଯାଉଛି । ଯଦି ଏହା ହୁଏ ତେବେ ପୂରା ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବ୍ୟାପିବ । ଏହାର ପରିଣାମ ବେଶ୍‌ ଭୟଙ୍କର ହେବ ।

ଇସ୍ରାଏଲ-ଇରାନ ବିବାଦ

ଗାଜା ଷ୍ଟ୍ରିପ୍‌ରେ ୬ ମାସ ହେଲା ଜାରିଥିବା ଇସ୍ରାଏଲ-ହମାସ୍‌ ଯୁଦ୍ଧ ଭିତରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଛାୟା ଯୁଦ୍ଧ ଚାଲିଛି । ଗାଜା ସମେତ ଲେବାନନ, ସିରିୟାରେ ଥିବା ଇସ୍ରାଏଲ ବିରୋଧୀ ଗୋଷ୍ଠୀକୁ ସହାୟତା ଦେଇ ଇରାନ ଇସ୍ରାଏଲ ଉପରେ ପରୋକ୍ଷ ଆକ୍ରମଣ ଜାରି ରଖିଛି । ହେଲେ ଗତ ୧ ତାରିଖରେ ସିରିୟା ରାଜଧାନୀ ଡାମାସ୍କସ୍‌ସ୍ଥିତ ଇରାନର ବାଣିଜ୍ୟିକ ଦୂତାବାସ ନିକଟରେ ଇସ୍ରାଏଲର ମିସାଇଲ ଆକ୍ରମଣରେ ଇରାନର ୭ ଶୀର୍ଷ ଅଧିକାରୀଙ୍କ ମୃତ୍ୟୁ ହେବା ପରେ ଇରାନ ରକ୍ତମୁଖା ହୋଇଛି । ଇସ୍ରାଏଲକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହି ଇରାନ ଆକ୍ରମଣ ପାଇଁ ଆଗକୁ ବଢ଼ୁଛି । କିଛି ଦଶନ୍ଧି ହେଲା ଇରାନ ଓ ଇସ୍ରାଏଲ ମଧ୍ୟରେ ବିବାଦ ରହିଛି । ଇରାନ ବିଶ୍ୱ ମାନଚିତ୍ରରୁ ଇସ୍ରାଏଲକୁ ନିଶ୍ଚିହ୍ନ କରିବାକୁ ଚାହୁଁଛି । କିନ୍ତୁ ଆରମ୍ଭରୁ ଇରାନ-ଇସ୍ରାଏଲ ଏଭଳି ଶତ୍ରୁ ନ ଥିଲେ । ୧୯୭୯ରେ ଇରାନରେ ଇସ୍‌ଲାମିକ୍‌ ରିଭୋଲ୍ୟୁସନ ପର୍ଯ୍ୟନ୍ତ ଇରାନ-ଇସ୍ରାଏଲ ବନ୍ଧୁ ରାଷ୍ଟ୍ର ଥିଲେ । ଏପରିକି ଇରାନ ପ୍ରଥମ ଦେଶ ଥିଲା ଯିଏ କି ୧୯୪୮ରେ ଗଠିତ ଇସ୍ରାଏଲକୁ ରାଷ୍ଟ୍ର ମାନ୍ୟତା ଦେଇଥିଲା । ଆରବ ଦେଶ ବିରୋଧରେ ଇସ୍ରାଏଲ ଇରାନକୁ ନିଜର ସହଯୋଗୀ ବିବେଚନା କରୁଥିଲା । ସେତେବେଳେ ଇରାନ ଓ ଇସ୍ରାଏଲ ମଧ୍ୟରେ ବାଣିଜ୍ୟ କାରବାରଠାରୁ ଆରମ୍ଭ କରି କୃଷି ଓ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନୀ-ଆମଦାନୀ ମଧ୍ୟ ହେଉଥିଲା । ଏପରିକି ଇସ୍ରାଏଲ ଇରାନକୁ ଅନେକ ପ୍ରାଦ୍ୟୋଗିକ ଜ୍ଞାନକୌଶଳ ସହ ଇରାନ ସଶସ୍ତ୍ରବଳକୁ ତାଲିମ ବି ଦେଉଥିଲା । ଇସ୍ରାଏଲ ପରେ ଇରାନରେ ବିଶ୍ୱର ସର୍ବାଧିକ ଇହୁଦୀ ବାସ କରୁଥିଲେ । କିନ୍ତୁ ଇରାନରେ ଇସ୍‌ଲାମିକ କ୍ରାନ୍ତି ହେବା ପରେ ଇହୁଦୀମାନେ ଇରାନ ଛାଡ଼ିଥିଲେ । ପରେ ଆୟାତୋଲ୍ଲା ରୁହୋଲ୍ଲା ଖୋମେଇନି ଏବଂ ତାଙ୍କ ସହଯୋଗୀ କ୍ଷମତାକୁ ଆସି ଇସ୍ରାଏଲ ସହ ହୋଇଥିବା ଇରାନର ସମସ୍ତ ଚୁକ୍ତିକୁ ବାତିଲ କରିଥିଲେ । ପାଲେଷ୍ଟାଇନର ଅନେକ ଅଞ୍ଚଳକୁ ବେଆଇନ ଭାବେ ଇସ୍ରାଏଲ କବ୍‌ଜା କରିଥିବା କହି ଇରାନ ଶାସକ ଏହି ଦେଶକୁ ସମର୍ଥନ କରିବା ବନ୍ଦ କରିଥିଲେ । ୧୯୮୨ରେ ଲେବାନନରେ ଗୃହଯୁଦ୍ଧ ବେଳେ ଇସ୍ରାଏଲ ଏହାର ସୈନ୍ୟଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଠାଇଥିଲା । ସେତେବେଳେ ଇରାନ ମଧ୍ୟ ଏହାର ସୈନ୍ୟ ପଠାଇ ଇସ୍ରାଏଲ ବିରୋଧରେ ସ୍ଥାନୀୟ ବିଚ୍ଛିନ୍ନତାବାଦୀ ଗୋଷ୍ଠୀକୁ ସହାୟତା କରିଥିଲା । ଏହି ଗୋଷ୍ଠୀ ପରେ ହିଜବୁଲ୍ଲା ଆତଙ୍କୀ ଗୋଷ୍ଠୀରେ ପରିଣତ ହୋଇଥିଲା । ଇରାନ ଏହି ଆତଙ୍କୀ ସଙ୍ଗଠନକୁ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ବ୍ୟବହାର କରୁଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.