ଭୁବନେଶ୍ୱର, ୦୭/୦୮: ଜମି ବିକ୍ରିରେ ଅନିୟମିତତା ଅଭିଯୋଗ ନେଇ ଜଗତପୁର ସବ୍ରେଜିଷ୍ଟ୍ରାର୍ ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ସାମନ୍ତରାୟ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ ।
ସେହିପରି ସବ୍ରେଜିଷ୍ଟ୍ରାର୍ ଦାୟିତ୍ୱରେ ଥିବା ପିପିଲିର ଅତିରିକ୍ତ ତହସିଲଦାର ନବକିଶୋର ପାତ୍ର ଜମିଜମା ରେଜିଷ୍ଟ୍ରେସନ୍ରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ପାତ୍ର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଉଭୟଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ସହ ବିନା ଅନୁମତିରେ ୨ ଅଧିକାରୀ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।