ଭୁବନେଶ୍ୱର, ୧୫/୦୯(ମନୋରଞ୍ଜନ ମହାନ୍ତି): କଳିଙ୍ଗ ଷ୍ଟୁଡିଓ । ଓଡ଼ିଆ ସିନେମାର ଏକମାତ୍ର ପ୍ରତିଷ୍ଠିତ ପରିଚୟ । ଯେଉଁଠି କେବଳ କନା ପଡ଼ିଛି, କର୍ପୂର ଉଡ଼ିଯାଇଛି । ଆଉ ସେ କନା ଉପରେ ନଥା ପକାଇବାର ପ୍ରୟାସ କରି ସରକାର ବିଶ୍ୱସ୍ତରୀୟ ଯୋଜନା କରିଛନ୍ତି । କିନ୍ତୁ ଇତିମଧ୍ୟରେ ଷ୍ଟୁଡିଓର ପୁନରୁଦ୍ଧାର ଓ ଆର୍ଥିକ କାରବାରକୁ ନେଇ ସାଂଘାତିକ ତଥ୍ୟ ଆସିଛି । ଆୟଠୁ ଖର୍ଚ୍ଚର ହିସାବ ବାହାରେ । ଯେଉଁଥିପାଇଁ ମନୋରଞ୍ଜନ ନାଁରେ ଆର୍ଥିକ ବୋଝ ହୋଇଛି କଳିଙ୍ଗ ଷ୍ଟୁଡିଓ । କଳିଙ୍ଗ ନାଁରେ ଦୁର୍ଗତି ପାଲଟିଛି । ସରକାରଙ୍କ ହିସାବନୁସାରେ³ ବିଗତ୨୫ ବର୍ଷ ମଧ୍ୟରେ କଳିଙ୍ଗ ଷ୍ଟୁଡିଓ ସରକାରଙ୍କଠୁ ୧୫୧ କୋଟିର ଆର୍ଥିକ ଅନୁଦାନ ପାଇଛି । ଆଉ ଆୟ କରିଛି ମାତ୍ର ୫ କୋଟି ଟଙ୍କା ।
ଗତ ୬ ତାରିଖରେ ବିଧାନସଭାରେ ବିଧାୟକ ଗୌତମବୁଦ୍ଧ ଦାସଙ୍କ ଏ ସମ୍ପର୍କିତ ପ୍ରଶ୍ନରେ ଉତ୍ତର ରଖିଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ କହିଥିଲେ, ମହାବାତ୍ୟା ପରେ କଳିଙ୍ଗ ଷ୍ଟୁଡିଓର ଉନ୍ନତୀକରଣ ପାଇଁ ୨୦୦୬- ୦୭ ମସିହା ଠାରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୫୧ କୋଟି ୯୨ ଲକ୍ଷ ୭୮ ହଜାର ଟଙ୍କା ଅନୁଦାନ ଦେଇଛନ୍ତି । ୨୦୨୧ ପର୍ଯ୍ୟନ୍ତ ସରକାର ଏହାର ଭିତ୍ତିଭୂମି ବିକାଶ ଅର୍ଥାତ୍ ପାଚେରି ମରାମତି, ଲନ୍ ଓ ବଗିଚା ଉନ୍ନତୀକରଣ, କୋଠା ମରାମତି, ପିଚୁ ଓ ମୋରମ ରାସ୍ତା ନିର୍ମାଣ, ଭିଲେଜ୍ କମ୍ପେ୍ଲକ୍ସ ପୁନରୁଦ୍ଧାର, ପମ୍ପ ହାଉସ୍ ଏବଂ କଟେଜ୍ ନିର୍ମାଣ ପାଇଁ ୧୦ କୋଟି ଟଙ୍କା ଦିଆଯାଇଛି । ପରେ ରାଜ୍ୟ ସରକାର ଏହାକୁ ବିଶ୍ୱସ୍ତରୀୟ କରିବା ପାଇଁ ନିଷ୍ପତ୍ତି ନେଇ ଶୁଭ ଦେବା ପରେ ଅନୁଦାନ ପରିମାଣ ବଢ଼ିଥିଲା । ଅର୍ଥାତ୍ ୨୦୨୧ରୁ ୨୦୨୪ ମଧ୍ୟରେ ବା ୩ ବର୍ଷରେ ସରକାର ୧୪୧.୯୨ କୋଟି ପ୍ରଦାନ କରିଛନ୍ତି । ଇଡ୍କୋ ଜରିଆରେ ଏହି ଖର୍ଚ୍ଚ ହେଉଛି ।
ଏବେ ବି ନିର୍ମାଣାଧୀନ ରହିଛି । କିନ୍ତୁ ଯେତିକି ଖର୍ଚ୍ଚ ହେଇଛି, ଆୟ ବା ଆଦାୟ ଦେଖିଲେ ହୋସ୍ ଉଡ଼ିଯିବ । ୧୯୯୯ରୁ ଅର୍ଥାତ୍ ୨୫ ବର୍ଷରେ ଷ୍ଟୁଡିଓରୁ ମାତ୍ର ୫ କୋଟି ୫ ଲକ୍ଷ ଟଙ୍କା ଆୟ ହୋଇଛି । ରେକର୍ଡିଂ, ଏଡିଟିଂ, ଅତିଥି ଭବନ, ପରିସର ଭଡ଼ା, ସାମଗ୍ରୀ ଭଡ଼ା, ଇନ୍ଡୋର୍ ଫ୍ଲୋର୍ ଓ ଭିଡିଓ ଭଡ଼ା ବାବଦରେ ଏହି ଅର୍ଥ ଆଦାୟ ହୋଇଛି । କିନ୍ତୁ ୨୦୦୭-୦୮ରୁ ୨୦୨୧-୨୨ ମସିହା ପର୍ଯ୍ୟନ୍ତ ରେକର୍ଡିଂ ଓ ଏଡିଟିଂ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏଡିଟିଂ ସମ୍ପୂର୍ଣ୍ଣ ବନ୍ଦ । କେବଳ ୨୦୨୨-୨୩ରେ ଥରେ ରେକର୍ଡିଂ ହୋଇଥିଲା । ୧୯୯୯ ମସିହାରୁ ଷ୍ଟୁଡିଓ କ୍ୟାମ୍ପସ୍ ପରିସରରେ ନିରନ୍ତର ସୁଟିଂ ହୋଇଆସୁଥିଲାବେଳେ ୨୦୨୪-୨୫ ବର୍ଷରେ ଏହା ଆଦୌ ବ୍ୟବହାରରେ ଆସିନାହିଁ । ୨୦୦୮- ୦୯ରୁ ଅତିଥି ଭବନ କାମରେ ଲାଗୁନି ଏବଂ ଭିଡିଓ କାମ ବି ହେଉନି ।
ଯଦି କିଛି ନ ହେଉଛି ତାହାଲେ ଷ୍ଟୁଡିଓ କାହିଁକି ଅଛି, ଆଉ ସେଠି ହେଉଛି କ’ଣ ବୋଲି ଜଣେ ବରିଷ୍ଠ ପ୍ରଯୋଜକ ପ୍ରଶ୍ନ କରିଛନ୍ତି । ସରକାର ତ ୨୦୧୮ ମସିହାରେ ଏଠି କ୍ରୀଡ଼ା କମ୍ପେ୍ଲକ୍ସ କରିବାକୁ ଚିନ୍ତା କରୁଥିଲେ । ହୁଏତ ତାହା ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି । ଜଣେ ସମୀକ୍ଷକଙ୍କ କହିବା କଥା, ଏତେ କ୍ଷତିରେ ଚାଲୁଥିବା ସତ୍ତେ୍ୱ ଏହି ସଂସ୍ଥାକୁ ସରକାରଙ୍କ ଏତେ ଅନୁକମ୍ପା କାହିଁକି? ପୁଣି ପୂର୍ବରୁ ସରକାର ବିଧାନସଭାରେ ଅନେକ ଥର ଆଲୋଚନା କରି କହିଛନ୍ତି, ଏହା ଲାଭଜନକ ସଂସ୍ଥା ନୁହେଁ । ଉଭୟ ଷ୍ଟୁଡିଓ ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) କ୍ଷତିରେ ଚାଲୁଛି । ତଥାପି ସହାୟତାରେ ହେଳା ନାହିଁ । କିନ୍ତୁ ଏତେ ଦିନ ଧରି କେହି ତା’ର ହିସାବ ନ ମାଗିବା ଏବଂ ଓଏଫ୍ଡିସି ତାକୁ ସର୍ବସମ୍ମୁଖରେ ନ ରଖିବା ବି ଭାରି ସନ୍ଦେହଜନକ । ଯେଉଁଥିପାଇଁ ଦାୟିତ୍ୱରେ ଥିବା ଏହାର ସମସ୍ତ କର୍ତ୍ତୃପକ୍ଷଙ୍କୁ ଏ ହିସାବ ଆଜି ଏକ ଭିନ୍ନ ମୋଡ଼ରେ ଛିଡ଼ା କରିଛି । ତା’ପରେ ବି ସରକାରଙ୍କ ଚେତା ପଶିନି ଯେ, ଖାଲି ଟଙ୍କା ଢାଳି ଚାଲିଛନ୍ତି ବୋଲି ସମୀକ୍ଷକ ଜଣକ କହିଛନ୍ତି ।
ଅନ୍ୟ ଜଣେ ପ୍ରଯୋଜକଙ୍କ କହିବା କଥା, ଯିଏ ଦାୟିତ୍ୱରେ ରହିଲା, ନିଜ ଏଜେଣ୍ଡାରେ ଗଲା । ସିନେମା ବଦଳରେ ନିଜ ସ୍ୱାର୍ଥ ଦେଖିଲା । ଓଏଫ୍ଡିସି ତ କିଛି ବୁଝିବାର ନାହିଁ କି ବୁଝେନି । ନାଁକୁ ନିଗମ । ତୋଷାମଦ କରି ଅଧ୍ୟକ୍ଷ ପଦ ହାତେଇଲା ପରେ ସେ ବି ତାଙ୍କ ରାସ୍ତାରେ । ଷ୍ଟୁଡିଓସିନେମା ସହିତ ଅଧ୍ୟକ୍ଷଙ୍କର ସମ୍ପର୍କ ରୁହେନି । ଖାଲି କଥା ପଡ଼ିଲେ, ଦେଖାଦେବାକୁ ଟିଭିରେ ବାହାରନ୍ତି । ଅତୀତ ଏହାର ମୂକସାକ୍ଷୀ, ଯାହା ବିଷୟରେ ଚର୍ଚ୍ଚା, ଆଲୋଚନାର ବିଶେଷ ଆବଶ୍ୟକତା ନାହିଁ । ସରକାର ବି ଆରମ୍ଭ ଦିନରୁ ଷ୍ଟୁଡିଓକୁ ଏତେ ଗୁରୁତ୍ୱ ଦେଇ ଆସିନାହାନ୍ତି ଆଉ ଏବେ ବି । ନହେଲେ କ’ଣ ସେଠି ବିଶ୍ୱସ୍ତରୀୟ ନାଁରେ ଏଣ୍ଟରଟେନ୍ମେଣ୍ଟ ପାର୍କ କରିଥାନ୍ତେ । କାହାକୁ ପଚାରିକି କିଏ କ’ଣ କରୁଛି କିଛି ବୁଝାପଡ଼ୁନି । ହୋ ହଲ୍ଲା କଲେ ଖାଲି ବୈଠକ ଡାକି ଇଡ୍କୋ ମାନଚିତ୍ର ଦେଖାଇ ବୁଝାଉଛି । ତା’ପରେ ସବୁ ଚୁପ୍ । ଏମିତି ଅନେକ ବୈଠକ ଗଲାଣି । ନିକଟରେ ମନ୍ତ୍ରୀ ବି ଯାଇଥିଲେ । ତା’ପରେ କିଛି ନେତୃତ୍ୱ ବାହାରି କହିଲେ, ଖୁବ୍ଶୀଘ୍ର ସବୁର ସମାଧାନ ହେବ । ୨ ମାସ ବିତିଗଲାଣି, କିନ୍ତୁ ଫଳ ଶୂନ । ଭବିଷ୍ୟତ କ’ଣ କାହାକୁ ଜଣାନାହିଁ । ଏବେ ଷ୍ଟୁଡିଓ ନିଜ ଜାତକ ନିଜେ କଷୁଛି । କେବେ ଭାଗ୍ୟ ଫିଟିବ ଦେଖାଯାଉ?
ବରିଷ୍ଠ ସିନେ ସାମ୍ବାଦିକ ଦିଲ୍ଲୀପ ହାଲି କହିଛନ୍ତି, ୧୯୮୨ ମସିହାରେ ଖଣ୍ଡଗିରି ନିକଟ ଭରତପୁର ଠାରେ ୨୫ ଏକର ପରିମିତ ଜମିରେ କଳିଙ୍ଗ ଷ୍ଟୁଡିଓ ପ୍ରତିଷ୍ଠା ହୋଇଥିଲା । ଉଦ୍ଦେଶ୍ୟ ଥିଲା³ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣକୁ ସୁବିଧା ଯୋଗାଇ ଦେବା । ଦିନଥିଲା ରାଜ୍ୟ ବାହାରର ସିନେମା ଏଠି ସୁଟିଂ ହେଉଥିଲା । କିନ୍ତୁ ୧୯୯୯ ମହାବାତ୍ୟା ଷ୍ଟୁଡିଓର ଚିତ୍ରପଟ ବଦଳେଇଦେଲା । ଏହାପରେ ବି ସୁଟିଂ ଚାଲିଥିଲା । ୨୦୦୭ରେ ନିୟୋଜିତ କର୍ମଚାରୀଙ୍କୁ ଦରମା ନ ଦିଆଯିବାରୁ ୨ ବର୍ଷ ପାଇଁ ବନ୍ଦ ରହିଲା ଷ୍ଟୁଡିଓ । ପରେ ପୁଣି ଚାଲିଲା । ପରିସରକୁ ସୁନ୍ଦର ଭାବେ ସଜାଗଲା । ବନ୍ଦ ହେବା ଭିତରେ ଅନେକ ସଂସ୍ଥା ବାହାରକୁ ଚାଲିଗଲେ । ଷ୍ଟୁଡିଓ ଅବସ୍ଥା ଅଧିକରୁ ଅଧିକ ଖରାପ ହେଲା । କେହି ଏଠି ସିନେମା କଲେନି । ଶେଷରେ ଜଙ୍ଗଲ ହୋଇ ପଡ଼ିରହିଲା ଷ୍ଟୁଡିଓ । ଯାହାର ଜଙ୍ଗଲ ଦୃଶ୍ୟ ଦରକାର ସେମାନେ ସୁଟିଂ ପାଇଁ ଆସିଲେ । ବାକି ଲାବ୍ ଘର ମାଡ଼ି ବସିଛି କିନ୍ତୁ ସମସ୍ତେ ବାହାରେ କାମ କରୁଛନ୍ତି । ଏସବୁକୁ ତର୍ଜମା କଲା ପରେ ଗତ ସରକାର ୨୦୧୯ ଫେବ୍ରୁଆରୀ ୨୬ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ରେ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ନେଲେ । ୨୦୦ କୋଟି ମଞ୍ଜୁର ସହ ୨୦୨୧, ମାର୍ଚ୍ଚ ୨୫ରେ ଶୁଭ ଦେଲେ । ସେବେଠୁ କାମ ଚାଲିଛି । କିନ୍ତୁ ଏହାକୁ ଆଗକୁ ନେବାକୁ ହେଲେ ଓଏଫ୍ଡିସି ଏବଂ ଷ୍ଟୁଡିଓ ପାଇଁ ଅଭିଜ୍ଞତା ସମ୍ପନ୍ନ ଉଭୟ ପ୍ରଶାସନିକ ଓ ବୈଷୟିକ ଜ୍ଞାନ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ମୁଖ୍ୟ ଭାବେ ନିଯୁକ୍ତି କରାଯାଉ । ନଚେତ୍ କ୍ଷତିରୁ ବର୍ତ୍ତିବା ପାଇଁ କୌଣସି ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଉ ବୋଲି ଶ୍ରୀ ହାଲି କହିଛନ୍ତି ।
ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିବା ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, କେବଳ ଷ୍ଟୁଡିଓର ଉନ୍ନତୀକରଣ କଲେ ହେବ ନାହିଁ । ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଯେଉଁ ସ୍ଥିତିରେ ଅଛି, ତା’ର ଉନ୍ନତୀକରଣ କରିବାକୁ ହେବ । ଦର୍ଶକ ଆସୁନାହାନ୍ତି, ସିନେମା ବି ସେହିଭଳି ହେଉନାହିଁ । ବଲିଉଡ୍ ଏବଂ ଦକ୍ଷିଣ ଭାରତର ସିନେମାଗୁଡ଼ିକ ଯେଉଁଭଳି ବେପାର କରୁଛନ୍ତି, ଓଡ଼ିଆରେ ସେ ସୁଯୋଗ ସଙ୍କୁଚିତ ହୋଇଯାଇଛି । ଏଥିପାଇଁ ସରକାର କି ଦର୍ଶକଙ୍କୁ ଦୋଷ ଦେଲେ ହେବନି । ଲୋକଙ୍କ ରୁଚିକୁ ନେଇ ସିନେମା ହେଲେ ଏ ଶିଳ୍ପ ଆଗକୁ ବଢ଼ିବ । ଆମ ସରକାର ଥିଲାବେଳେ ସିନେମା ଶିଳ୍ପ ପାଇଁ ବହୁତ କରିଛି, ଏବେ ବିଜେପି ସରକାର ସେ ୫ ବର୍ଷରେ କିଛି କରିକି ଦେଖାନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି । ହଲ୍ ନାହିଁ, ନୀତିର ଅବଧି ସରିଯାଇଛି । ଏସବୁ କରନ୍ତୁ, ସିନେ ନିର୍ମାତା ବି ଓଡ଼ିଆ ସିନେମାର ବିକାଶକୁ ଗୁରୁତ୍ୱ ଦିଅନ୍ତୁ ବୋଲି ସେ କହିଛନ୍ତି ।
ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟର ତଥ୍ୟ କହୁଛି³ ସରକାରୀ ଅଧୀକୃତ କଳିଙ୍ଗ ଷ୍ଟୁଡିଓ ଲିମିଟେଡ୍ କମ୍ପାନିର ମୂଲ୍ୟ ବର୍ତ୍ତମାନ ଶୂନଠୁ ବି କମ୍। କିଛି ନାହିଁ କହିଲେ ଚଳେ । ରିପୋର୍ଟର ତଥ୍ୟ ଆଧାରରେ³ ୨୦୨୨ ମାର୍ଚ୍ଚ ସୁଦ୍ଧା ଏହାର ମୂଲ୍ୟ -୧.୬୮ ଥିଲା । ଏବେ ଆହୁରି ଖସି ଯାଇଥିବ । ୨୦୨୦ରେ ଏହାର ଭାଲ୍ୟ ଅଫ୍ ପ୍ରଡକ୍ସନ୍ ବା ମୋଟ୍ ଉତ୍ପାଦନର ମୂଲ୍ୟ ମାତ୍ର ୧ ଲକ୍ଷ ହୋଇଥିଲା । କିନ୍ତୁ ଏହାର ପ୍ରତିଷ୍ଠା ସମୟରେ ସରକାର ଯେଉଁ ୬କୋଟି ୫ଲକ୍ଷ ନିବେଶ କରିଥିଲେ, ତାହା ରହିଛି । ଏହାପରଠୁ କେବଳ ଆର୍ଥିକ ଅନୁଦାନ ଦେଇ ଚାଲିଛନ୍ତି । କେବେ ଲାଭ ଦେଖିନାହାନ୍ତି । ଯାହା ଆୟ ତା’ ହିସାବକୁ ବି ଯାଉନି । ୨୦୨୨-୨୩ ବର୍ଷରେ ଅନୁଷ୍ଠାନ ୧୬ ଲକ୍ଷ ଟଙ୍କାର କ୍ଷତି ଅର୍ଜିଛି ।