କୋଲକାତା,୧୨/୦୯: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଓ ବିରୋଧ କରୁଥିବା ଜୁନିୟର ଡାକ୍ତରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଜୁନିଅର ଡାକ୍ତରମାନଙ୍କର ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ନ୍ୟାୟ ଦାବିରେ ଅଟଳ ଅଛନ୍ତି। ପ୍ରଦର୍ଶନ ବନ୍ଦ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହ୍ବାନ ଦେଇଛନ୍ତି।
ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ମନ୍ତ ଗୁରୁବାର ଦିନ ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଅନୌପଚାରିକ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ, କିନ୍ତୁ ମମତା ବାନାର୍ଜୀଙ୍କ ଦୁଇ ଘଣ୍ଟା ୧୦ ମିନିଟ୍ ଅପେକ୍ଷା କରିବା ସତ୍ତ୍ୱେ ଡାକ୍ତରମାନେ ଆଲୋଚନା ପାଇଁ ପ୍ରସ୍ତୁତ ହୋଇନଥିଲେ। ପରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ସାଧାରଣ ଜନତାଙ୍କ ନିକଟରେ କ୍ଷମା ମାଗି ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ, 'ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ମୁଁ ମୁଖ୍ୟମନ୍ତ୍ରୀ ପଦ ଚାହୁଁ ନାହିଁ। ମୁଁ ଚାହୁଁଛି ଦୋଷୀମାନଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ଦଣ୍ଡ ଦିଆଯାଉ। ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ଉଚିତ୍।'
ଜୁନିଅର ଡାକ୍ତରଙ୍କ ୩୦ ଜଣିଆ ପ୍ରତିନିଧୀ ଦଳ ନବନ୍ନାରେ ପହଞ୍ଚିଥିଲେ, କିନ୍ତୁ ବିରୋଧ କରୁଥିବା ଡାକ୍ତରମାନେ ଏହି ଆଲୋଚନାର ଲାଇଭ୍ ଟେଲିକାଷ୍ଟ ଦାବି କରିଆସୁଥିଲେ ମଧ୍ୟ ରାଜ୍ୟ ପ୍ରଶାସନ ତାହା କରିବାକୁ ମନା କରିଦେଇଥିଲେ। ଏହି କାରଣରୁ ଆଲୋଚନା ସମ୍ପର୍କରେ ଉଭୟ ପକ୍ଷ ମଧ୍ୟରେ ଏକ ଦ୍ୱନ୍ଦ୍ୱ ଉପୁଜିଥିଲା। ଏହାରି ଭିତରେ, ସିଏମ୍ ମମତା ବାନାର୍ଜୀ ନବନ୍ନାରେ ଥିବା ଅଡିଟୋରିୟମରେ ପହଞ୍ଚି ଡାକ୍ତରମାନଙ୍କୁ ଅପେକ୍ଷା କରିଥିଲେ ସୁଦ୍ଧା ଡାକ୍ତରମାନେ ସେମାନଙ୍କ ଦାବିରେ ଜିଦ୍ ଧରି କେହିବି ଆଲୋଚନା କରିବାକୁ ଆସିନଥିଲେ। ଏହି ସମୟର ଏକ ଫଟୋ ମଧ୍ୟ ଟିଏମସି ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି।