ଖପ୍ରାଖୋଲ,୦୫/୧୨: କ୍ରିକେଟ୍ ଖେଳରେ ହାରିଗଲେ । ପରାଜୟ ଗ୍ଲାନିକୁ ଭୁଲିବା ପାଇଁ ମଦ ଦୋକାନକୁ ଯାଇ ମଦ କିଣିଲେ । ମଦ କିଣିବା ବେଳେ ଅଧିକ ୧୦ ଟଙ୍କା ମାଗିବାରୁ ଆରମ୍ଭ ହେଲା ତୁମୁଳକାଣ୍ଡ । ୩ ନିଶାସକ୍ତ ଯୁବକ ଠେଙ୍ଗାରେ ପିଟିପିଟି ଦୋକାନ କର୍ମଚାରୀଙ୍କୁ ଲହୁଲୁହାଣ କରି ଫେରାର ହୋଇଗଲେ । ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ବିହାର ରାଜ୍ୟ ଔରଙ୍ଗାବାଦ ନିବାସୀ ଗୋପାଳ ପ୍ରସାଦ । ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ରବିବାର ବେଲପଡ଼ା ଥାନା ଖରଖରା ଗାଁର ଲଛମନ ଦାସ, ବୁଢ଼ାଭଟା ଗାଁର ଯୋଗୀନ୍ଦ୍ର ବରିହା ଓ ବିଶ୍ୱନାଥ ନିଆଲ ପାଖ ଗାଁକୁ କ୍ରିକେଟ ଖେଳିବାକୁ ଆସିଥିଲେ । ଖେଳରେ ପରାଜିତ ହେବାରୁ ସେମାନେ ମଦପିଇବା ପାଇଁ ଖପ୍ରାଖୋଲ ଆସିଥିଲେ । ମଦ କିଣା ବେଳେ ୧୦ ଟଙ୍କା ଅଧିକ ଦରକୁ ନେଇ ଦୋକାନୀଙ୍କ ସହ ଗଣ୍ଡଗୋଳ ହୋଇଥିଲା । ମଦ୍ୟପ ଯୁବକମାନେ ଉତ୍ତ୍ୟକ୍ତ ହୋଇ ଲାଠିରେ ମଦ ଦୋକାନ କର୍ମଚାରୀ ଗୋପାଳଙ୍କୁ ମାଡ଼ ମାରିଥିଲେ । ଗୁରୁତର ଗୋପାଳଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ମୃତ୍ୟୁ ହୋଇଥିଲା ।