ନୂଆଦିଲ୍ଲୀ: ବାଂଲାଦେଶର ମହମ୍ମଦ ୟୁନୁସ ସରକାର ଉଗ୍ରବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ଦାବି କରୁଛନ୍ତି । କିନ୍ତୁ ଏଥିରେ ସେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିବା କୁହାଯାଉଛି । ଏଥିପାଇଁ ବାଂଲାଦେଶର ହିନ୍ଦୁ ନିଜର ସୁରକ୍ଷା ଲାଗି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଗଷ୍ଟ ୫ରେ ଶେଖ ହସିନା ସରକାରର ପତନ ପରେ ସେଠାରେ ହିନ୍ଦୁ ବିରୋଧୀ ହିଂସା ବୃଦ୍ଧି ପାଇଛି । ରାଜଧାନୀ ଢ଼ାକା ଏବଂ ବାଂଲାଦେଶର ବାଣିଜ୍ୟିକ ରାଜଧାନୀ ଚଟଗାଁରେ ହଜାର ହଜାର ସଂଖ୍ୟକ ହିନ୍ଦୁ ରାସ୍ତାକୁ ଓହ୍ଲାଇ ନ୍ୟାୟ ଦାବି କରିଛନ୍ତି ।
ବର୍ଷାକୁ ଖାତିର ନକରି ପ୍ରଦର୍ଶନକାରୀମାନେ ସରକାରଙ୍କ ନିକଟରେ ୮ଟି ଦାବି ରଖିଛନ୍ତି । ଏଥିରେ ଆକ୍ରମଣକାରୀଙ୍କୁ ଫାଷ୍ଟଟ୍ରାକ୍ କୋର୍ଟ ଜରିଆରେ ଶୀଘ୍ର ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି । ଏହି ପ୍ରଦର୍ଶନରେ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ବାଂଶଦେଶର ଅନ୍ତରୀଣ ମୁଖ୍ୟ ମହମ୍ମଦ ୟୁନୁସ କହିଥିଲେ, କୌଣସି ବ୍ୟକ୍ତିଙ୍କୁ କାହାର ଧାର୍ମିକ ଭାବନା ସହ ଖେଳିବାକୁ ଅନୁମତି ଦିଆଯିବ ନାହିଁ । ସେପଟେ ସଂଖ୍ୟାଲଘୁଙ୍କ ପାଇଁ ଏକ ସ୍ବତନ୍ତ୍ର ମନ୍ତ୍ରାଳୟ ଗଠନ ଲାଗି ଦାବି କରିଛନ୍ତି ହିନ୍ଦୁ ସଂପ୍ରଦାୟ । ଏହା ସହ ସଂଖ୍ୟାଲଘୁଙ୍କ ଲାଗି ସଂରକ୍ଷଣ ଦାବି କରିବା ସହ ପ୍ରଦର୍ଶନକାରୀଙ୍କୁ କ୍ଷତିପୂରଣ ଲାଗି ଅଡ଼ି ବସିଛନ୍ତି ବାଂଲାଦେଶୀ ହିନ୍ଦୁ । ଦାବି ପୂରଣ ନହେବା ଯାଏଁ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।
ବାଂଲାଦେଶରେ ହିନ୍ଦୁମାନେ ଯେବେ ବି ନିଜର ଅଧୀକାର ପାଇଁ ସ୍ବର ଉଠାଇଛନ୍ତି ସେବେ ସେମାନଙ୍କୁ ବିଭିନ୍ନ ଆହ୍ବାନର ସାମ୍ନା କରିବାକୁ ପଡ଼ିଛି । ଶୁକ୍ରବାର ମହିଳାଙ୍କ ସମେତ ହଜାର ହଜାର ପ୍ରଦର୍ଶନକାରୀ ଜମାଲ ଖାନ ପ୍ରଦେଶରେ ଏକତ୍ରୀତ ହୋଇଥିଲେ । ଏଥିପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସେପଟେ ପ୍ରଦର୍ଶନକାରୀ ଦେଶର ଗଣମାଧ୍ୟମ ବିରୋଧରେ ଅଭିଯୋଗ ଆଣିଛନ୍ତି । ଦେଶର ପ୍ରମୁଖ ଗଣମାଧ୍ୟମ ସଂଖ୍ୟାଲଘୁଙ୍କ ସ୍ବରକୁ ଗୁରୁତ୍ବ ଦେଉନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବାଂଲାଦେଶରେ ହିନ୍ଦୁ ଆନ୍ଦୋଳନକୁ ଅନେକ ସଂଗଠନ ସମର୍ଥନ କରିଛନ୍ତି । ଏହାରି ମଧ୍ୟରେ ପ୍ୟାରିସ୍ରେ ଥିବା ମାନବାଧୀକାର ସଂଗଠନ ‘ଜଷ୍ଟିସ୍ ମେକର୍ସ ବାଂଲାଦେଶ ଇନ୍ ଫ୍ରାନ୍ସ’ କହିଛି ଯେ, ସଂଖ୍ୟାଲଘୁଙ୍କ ବିରୋଧରେ ହୋଇଥିବା ଆକ୍ରମଣକୁ ନେଇ ଚିନ୍ତା ବୃଦ୍ଧି ପାଇଛି ।