ଭୁବନେଶ୍ୱର:ଫେବ୍ରୁଆରୀ ମାସ ୩-୫ ତାରିଖରେ ଭୁବନେଶ୍ୱରରେ ହେଉଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ରେ ଯୋଗଦେବାକୁ ଜଣେ ବିଶିଷ୍ଟ ସାହିତ୍ୟିକ ନିଜ ଧର୍ମପତ୍ନୀଙ୍କ ସହ ଅକ୍ଷର ଭୂମି ଅଭିମୁଖେ ଟ୍ରେନ୍ରେ ଯାତ୍ରା କରୁଥିଲେ । ସାହିତ୍ୟିକ ଓ ସାହିତ୍ୟ ଚର୍ଚ୍ଚା ସାଙ୍ଗରେ ଯଦି ଜ୍ୟୋତିଷଙ୍କର ଜ୍ୟୋତିଷ ଶାସ୍ତ୍ର ମିଶିଯାଏ, ତେବେ ଆଉ କ'ଣ ଦରକାର? ଟ୍ରେନରେ ସେଇ ବଗିରେ ସେପରି କିଛି ଥିଲା ସେଦିନର ଦୃଶ୍ୟ, ଯେଉଁଠି ଜଣେ ସାହିତ୍ୟିକ ଓ ଜଣେ ଜ୍ୟୋତିଷଙ୍କ ମଧ୍ୟରେ ଚାଲିଥାଏ ଆଳାପ, ଯାହା ଥିଲା ଉପଭୋଗ ଓ ଅନୁଭବର ଏକ ସୁନ୍ଦର ସଙ୍ଗମ! କିଛି ତତ୍ତ୍ୱଗତ ଆଲୋଚନା ପରେ ଆରମ୍ଭ ହୋଇଯାଇଥିଲା କିଛି ପ୍ରାୟୋଗିକ ଆଲୋଚନା, ଯେଉଁଥିରେ ସାହିତ୍ୟିକ ମହାଶୟ ଟ୍ରେନ, ବସିଥିବା ଯାତ୍ରୀ, ୨୦୨୪ ମଧ୍ୟବର୍ତ୍ତୀ ବଜେଟ୍ ଉପରେ ଆଶୁ କବିତା ଶୁଣେଇଲେ । ତା'ପରେ ଜ୍ୟୋତିଷ ମହାଶୟ ମଧ୍ୟ ସାହିତ୍ୟିକଙ୍କ ହସ୍ତରେଖା ଅନୁଧ୍ୟାନ କରି କିଛି ଅତୀତ ଓ କିଛି ଭବିଷ୍ୟତ କଥା କହିଲେ, ଯାହା ସାହିତ୍ୟିକଙ୍କ ଭରସା ଜିଣିପାରିଥିଲା ।
ସାହିତ୍ୟିକଙ୍କ ପାଖରେ ବସିଥିବା ତାଙ୍କର ସ୍ତ୍ରୀ ନିରବଦ୍ରଷ୍ଟା ଥିଲେ । ମାତ୍ର ସ୍ୱାମୀଙ୍କ ହାତ ଦେଖି ଜ୍ୟୋତିଷ ମହାଶୟ ଯେତେବେଳେ କିଛି କହୁଥିଲେ ସେ ଅତି ଉତ୍ସାହର ସହ ଶୁଣୁଥିଲେ । ତାଙ୍କର ଉତ୍ସୁକତା ଦେଖି ଜ୍ୟୋତିଷ ଜଣଙ୍କ ମହିଳାଙ୍କ ହାତ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଜ୍ୟୋତିଷଙ୍କ ପ୍ରସ୍ତାବ ଶୁଣୁ ଶୁଣୁ, ସାହିତ୍ୟିକ ମହାଶୟ ତତ୍ପର ହୋଇ କହିଲେ- ତାଙ୍କର ହାତ ଦେଖିବା ଦରକାର ନାହିଁ । ସେ ସାମାନ୍ୟ ଗୃହିଣୀ ଜଣେ । ତାଙ୍କ କାମ ଘର ଭିତରେ ସୀମିତ । ବର୍ତ୍ତମାନ କ'ଣ ହେଉଛି କିଛି ଜାଣନ୍ତି ନାହିଁ, ଭବିଷ୍ୟତ ଜାଣିକି ସେ କ'ଣ କରିବେ? ମୁଁ ଯାଉଥିବା ସେଇ ସାହିତ୍ୟ ସମ୍ମିଳନୀକୁ ତାଙ୍କୁ ନିମନ୍ତ୍ରଣ ନାହିଁ, କି ତାଙ୍କୁ ସେଠାକୁ ନେବାର ମଧ୍ୟ କୌଣସି ପ୍ରୟୋଜନ ନାହିଁ । ତାଙ୍କୁ କିଏ ଚିହ୍ନିଛି ନା ଜାଣିଛି! ତାଙ୍କ ଭଉଣୀ ଘର ଭୁବନେଶ୍ୱରରେ ବୋଲି ସେ ମୋ ସାଙ୍ଗରେ ଆସିଛନ୍ତି । ସ୍ୱାମୀଙ୍କ କଥା ଶୁଣି ସ୍ତ୍ରୀ ଟିକିଏ ଅନିପୁଣ ହୋଇ କହିଲେ- ଜ୍ୟୋତିଷ ମହାଶୟ, ଥାଉ । ମୋ ହାତ ଦେଖିବା ଦରକାର ନାହିଁ । ମୋ ହାତର ଅତୀତ ଓ ଭବିଷ୍ୟତ, କଦଳୀ କଷ, ହଳଦୀ ରଙ୍ଗ, ମସଲା ବାସନା, ପନିକିର ଆଘାତ, ଗରମ ଚିଆଁର ଚିହ୍ନ ତଳେ ମଳିନ ପଡ଼ିଗଲେଣି ।
ଆପଣ ଦେଖିଲେ ସେଇସବୁ ବ୍ୟତୀତ ଆଉ କିଛି ପାଇବେ ନାହିଁ । ଏହା କହି ମହିଳା ଜଣଙ୍କ ତାଙ୍କ ହାତଟିକୁ ଲୁଗା କାନି ଭିତରେ ସଂକୁଚିତ କରିଦେଲେ । ମହିଳା ଜଣଙ୍କ ମୁହଁରେ ଖେଳି ଯାଉଥିବା ଉଦାସୀନତା ଓ ହୀନମନ୍ୟତାକୁ ଲକ୍ଷ୍ୟକରି ଜ୍ୟୋତିଷ ମହାଶୟ କହିଲେ- ମା'! ତୁମେ କେବଳ ଏକ ଗୃହିଣୀ ନୁହଁ, ବରଂ ଏକ ସମ୍ପୂର୍ଣ୍ଣ ନାରୀ ଯିଏ ଶିକ୍ଷା ଓ ଦୀକ୍ଷାର ପାଠଶାଳା, ଯିଏ ପାଠଶାଳାର ଅନ୍ତୁଡ଼ିଶାଳର ମୁଖ୍ୟ ଆବାହକ ଓ ବାହକ । ସଂସାରର ଦୃଷ୍ଟିରେ ପଛକେ ଏଇ ଗୃହିଣୀର କବଚ ତୁମକୁ ସାହିତ୍ୟିକ, ଶାସ୍ତ୍ରଜ୍ଞ, କୂଟନୀତିଜ୍ଞ, ଅର୍ଥନୀତିଜ୍ଞ ବା ବିଜ୍ଞ ବୋଲାଇବାରୁ ଅଟକାଇପାରେ, କିନ୍ତୁ ମା' ତୁମେ ସବୁବେଳେ ମନେ ରଖିଥିବ ଯେ ନାରୀ ହିଁ ଶକ୍ତି ଓ ଶକ୍ତିରେ ଶିବ । ଶକ୍ତି ବିନା ଶିବ ତ ଅସମ୍ପୂର୍ଣ୍ଣ, ଆମେ ଛାର ଜୀବ କିଏ ସେ! ଟ୍ରେନରେ ଯାହା ସବୁ ଘଟିଥିଲା ସେସବୁ ଯାତ୍ରାର ଏକ ଭାଗ ହୋଇପାରେ, କିନ୍ତୁ ଜ୍ୟୋତିଷ ମହାଶୟ ଯାହା କହିଥିଲେ ତାହା ସାରାଜୀବନ ପାଇଁ ଏକ ମୂଲ୍ୟବାନ ଶିକ୍ଷା ।
ସମ୍ପ୍ରତି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଜଣାପଡିଛି ଯେ, ଭାରତରେ କେବଳ ୩୨% ବିବାହିତ ମହିଳା ନିଯୁକ୍ତିପ୍ରାପ୍ତ କାର୍ଯ୍ୟରତ ଭାବେ ବିବେଚିତ । ବାକି ୬୮% ଅନାଦାୟ ଘରର ଗୃହିଣୀ, ଯେଉଁମାନେ କେବଳ ଘରକାମ କରନ୍ତି ଓ ଘର ଚଳାନ୍ତି । ଏହା ଏକ ବିଡମ୍ବନାର କଥା, ଆମେ ଗୃହିଣୀମାନଙ୍କର କାମକୁ ଜାତୀୟ ଆୟ ଆକଳନ ବା ମୋଟ୍ ଘରୋଇ ଉତ୍ପାଦ ଗଣନାରେ ନେଉନାହାଁନ୍ତି ବା ନେଇପାରୁନାହାଁନ୍ତି । କାରଣ, ଘରେ କାମ କରିବା ବା ଘରଲୋକଙ୍କ ପାଇଁ କାମ କରିବାରେ କୌଣସି ମଜୁରି କି କ୍ଷତିପୂରଣ ନାହିଁ କି ସାମାଜିକ ପୁଞ୍ଜି ବା ମାନବ ପୁଞ୍ଜିର କୌଣସି ସରକାରୀ ପରିସଂଖ୍ୟାନରେ ରେକର୍ଡ ରଖାଯାଇ ପାରୁନାହିଁ । ଗୃହିଣୀମାନଙ୍କ ଦ୍ୱାରା ପ୍ରଦତ୍ତ ସେବାଗୁଡ଼ିକର ମୂଲ୍ୟକୁ ଅର୍ଥରେ ଠିକ୍ଭାବରେ ମାପିବା ଅତ୍ୟନ୍ତ କଷ୍ଟକର । କିନ୍ତୁ ଯଦି ଆମେ ଗୃହିଣୀଙ୍କର ସେଇ ଅବୈତନିକ କାର୍ଯ୍ୟର ମୂଲ୍ୟାଙ୍କନ କରି ବୈତନିକ କାମର ଦରମା ସହିତ ସମାନ ଭାବରେ କ୍ଷତିପୂରଣ ଦେବା, ତେବେ ତାହା ଭାରତର ଆର୍ଥିକ ଉତ୍ପାଦନରେ ବର୍ଷକୁ ୩୦୦କୋଟି ଆମେରିକୀୟ ଡଲାରର ସହାୟକ ହେବ । ଯେହେତୁ ଆମେ ସେଇ ଗଣନା କରୁନାହାଁନ୍ତି ବା କରିପାରୁନାହାଁନ୍ତି, ତା’ମାନେ ନୁହେଁ ଯେ ଆମେ କହିବା, ସେ ସାମାନ୍ୟ ଜଣେ ଗୃହିଣୀ ।
ବିଶେଷଜ୍ଞଙ୍କ ଅନୁଯାୟୀ, ଗୃହିଣୀ ଭାବରେ ଜଣେ ମହିଳା ଏକ ସୁଦୃଢ଼ ପରିବାର ଓ ସ୍ଥିର ସମାଜ ପାଇଁ ସୁଦୃଢ଼ ଭିତ୍ତି ପ୍ରଦାନ ସହିତ ସକାରାତ୍ମକ ଭାବର ଉନ୍ମୋଚନ ସକାଶେ ପିଲାମାନଙ୍କୁ ତାଲିମ ଦେଇ ଆତ୍ମବିଶ୍ୱାସୀ ଓ ଦାୟିତ୍ୱବାନ ଯୁବପିଢ଼ି ନିର୍ମାଣ କରିବାରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ହେଲେ ସେଇ ସାମାନ୍ୟ ଗୃହିଣୀକୁ ପଚାରେ କିଏ? ଏହାଛଡ଼ା ଆମର ଏକ ସଂକୀର୍ଣ୍ଣ ଚିନ୍ତାଧାରା ରହିଛି, ଆମେ ସବୁବେଳେ ଗୃହିଣୀଙ୍କୁ ରୋଷେଇ କରିବା ବା ରୋଷେଇ ଘର ସମ୍ବନ୍ଧୀୟ କାର୍ଯ୍ୟ ସହିତ ତୁଳନା କରି ସେମାନଙ୍କୁ ଓ ସେମାନଙ୍କର କାର୍ଯ୍ୟକୁ ତୁଚ୍ଛ ବା ହୀନ ମଣିଥାଉ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍, ଯାହା ସେଦିନ ସେଇ ଜ୍ୟୋତିଷ ମହାଶୟ ଜଣକ ସ୍ପଷ୍ଟ କରିଥିଲେ । ଆଜ୍ଞା ହଁ! ସେଇ ରନ୍ଧନଶାଳା ହେଉଛି ପାଠଶାଳାର ଅନ୍ତୁଡ଼ିଶାଳ, ଯାହାର ଗୁରୁମାତା ହେଲେ ଆମର ଗୃହିଣୀମାନେ, ମାଆମାନେ, ସେଇ ମହିଳାମାନେ । ଶିଶୁର ପ୍ରଥମ ଗୁରୁ ଯେପରି ମାଆ, ସେହିପରି ଶିଶୁର ପ୍ରଥମ ସ୍କୁଲ ହେଉଛି ସେଇ ରୋଷେଇଘର । ସେଇ ରୋଷେଇଘରୁ ହିଁ ଶିଶୁର ଶିକ୍ଷା ଆରମ୍ଭ ହୋଇଥାଏ, ଯାହାକୁ ପ୍ରଦାନ କରିଥାନ୍ତି ସେଇ ମାଆମାନେ, ଯାହାଙ୍କୁ ଆମେ କେବଳ ଗୃହିଣୀ କୁହନ୍ତି ବା ଭାବନ୍ତି ରୋଷେଇ କରିବା ଓ ଘର ସମ୍ଭାଳିବା ବ୍ୟତୀତ ଗୃହିଣୀଙ୍କ କାମ ଆଉ କିଛି ନାହିଁ ବୋଲି । କିଛି ତଥାକଥିତ ସ୍ମାର୍ଟ ଓ ଅତ୍ୟାଧୁନିକ ଗୁଣୀ-ଜ୍ଞାନୀ ଲୋକଙ୍କ ମତରେ, ଆଜିକାଲିକା କୃତ୍ରିମ ବୁଦ୍ଧିମତ୍ତା ବା କମ୍ପ୍ୟୁଟର-ଇଣ୍ଟର୍ନେଟ ଯୁଗରେ ରୋଷେଇଘରୁ କି ଶିକ୍ଷା ବା ରୋଷେଇଘରେ କାମ କରୁଥିବା ସେଇ ସାମାନ୍ୟ ଗୃହିଣୀମାନେ କି ଶିକ୍ଷା ଦେଇପାରିବେ? କିନ୍ତୁ ମୋ ମତରେ, ସମୟ ଯେତେବି ଅତ୍ୟାଧୁନିକ ହୋଇଯାଉନା କାହିଁକି, ହାଡ଼-ମାଂସର ଏଇ ଶରୀର ରହିବ ଓ ତେଲ-ଲୁଣର ଏହି ସଂସାର ରହିବ । ବାକି ଯାହା ସବୁ ଆସିବେ, ରହିବେ ଓ ଯିବେ ।
ରୋଷେଇଘରେ କାମ କରୁଥିବା ସେଇ ସାମାନ୍ୟ ଗୃହିଣୀ ହାଡ଼-ମାଂସର ଏଇ ଶରୀରକୁ ଖୁରାକ ଯୋଗାଇବା ସହିତ ତେଲ-ଲୁଣ ସଂସାରର ଜ୍ଞାନ ମଧ୍ୟ ଯୋଗାଇଥାଏ । ସେଇ ରୋଷେଇଘରୁ, ସେଇ ସାମାନ୍ୟ ଗୃହିଣୀ ଜଣକ ଶିଶୁକୁ ଦେଇଥାଏ ରଙ୍ଗ, ଆକାର, ସ୍ୱାଦ, ଶବ୍ଦ, ସ୍ପର୍ଶ, ମହକର ଜ୍ଞାନ । ଦେଇଥାଏ ରସାୟନବିଜ୍ଞାନ, ପଦାର୍ଥବିଜ୍ଞାନ, ଜୀବବିଜ୍ଞାନ, ଅର୍ଥଶାସ୍ତ୍ର, ପରିସଂଖ୍ୟାନ ଓ ପ୍ରାକ୍ କଳନ ଠାରୁ ଆରମ୍ଭ କରି ଗଣିତ ଓ ଗଣନାର ଜ୍ଞାନ । ଦେଇଥାଏ ଇତିହାସ, ଐତିହ୍ୟ, ସଂସ୍କୃତି, ସାହିତ୍ୟର ଜ୍ଞାନ । ଦେଇଥାଏ ନିଜ ମାଟି, ନିଜ ପରମ୍ପରାର ସ୍ୱାଦର ଜ୍ଞାନ । ସେଇ ଜ୍ଞାନ ଦେବାର ପ୍ରଣାଳୀ ଓ ପ୍ରକ୍ରିୟା ଟିକିଏ ଅଲଗା ହୋଇପାରେ, ଯେମିତି ରୁଟିର ଆକାର ଗୋଲ ଓ ପରଟାର ଆକାର ତ୍ରିକୋଣ, ହଳଦୀର ରଙ୍ଗ ହଳଦିଆ ଓ ଲଙ୍କାଗୁଣ୍ଡର ରଙ୍ଗ ଲାଲ, ଭାତ ଗାଳିଲେ ପେଜ, ଭାତ ପଖାଳି ଦେଲେ ତୋରାଣି, ଅଟା ଶୁଖିଲା ଥିଲେ ଗୁଣ୍ଡ ଓ ପାଣି ମିଶାଇଦେଲେ ଅଟାଦଳା, ଅଟାକୁ ବେଲି ସେକିଦେଲେ ରୁଟି ଓ ଛାଣିଦେଲେ ପୁରି, ପେଟ କାଟିଲେ ଜୁଆଣି-ପାନମହୁରୀ, ହାତ କଟିଗଲେ ହଳଦୀ ଲେପ, କାଶ ହେଲେ ଅଦା, ଦାନ୍ତବିନ୍ଧା ହେଲେ ଲବଙ୍ଗ, ଝାଡ଼ା ହେଲେ ଶୁଣ୍ଠି, ଝାଡ଼ା ନହେଲେ ପାନ-ଜିରା, ବରଫ ଦେହରେ ଲାଗିଲେ ଥଣ୍ଡା, ତତଲା ହାଣ୍ଡି ଲାଗିଲେ ଗରମ, ପ୍ରଥମାଷ୍ଟମୀରେ ହଳଦୀପତ୍ର ପିଠା ଓ ରଜରେ ପୋଡ଼ପିଠା ଭଳି କେତେଯେ ଜ୍ଞାନ ଅଛି, ଯାହା ରୋଷେଇଘରୁ ଓ ସେଇ ସାମାନ୍ୟ ଗୃହିଣୀଙ୍କ ଠାରୁ ମିଳିଥାଏ, ଯାହାକୁ ଏକାଠି ଏଠାରେ ବଖାଣିବା ଅସମ୍ଭବ । ଶିଶୁର ପ୍ରାଥମିକ ଶିକ୍ଷାର ନିଅଁ ଓ ମଣିଷର ପଞ୍ଚେନ୍ଦ୍ରିୟକୁ ଶିକ୍ଷିତ କରିବାର ଭିତ୍ତିଭୂମି ସେଇ ରୋଷେଇଘର ଶିକ୍ଷାରୁ ଆରମ୍ଭ, ଯାହାକୁ ପ୍ରଦାନ କରିଥାଏ ଆମ ବୋଉ ବା ମାଆ ବୋଲାଉଥିବା ସେଇ ସାମାନ୍ୟ ଗୃହିଣୀ । ରୋଷେଇଘର ହେଉଛି ବିଜ୍ଞାନର ଏକ ପ୍ରୟୋଗଶାଳା, ଅର୍ଥନୀତିର ମୂଳଦୁଆ, ପରମ୍ପରା, ସଭ୍ୟତା ଓ ସଂସ୍କୃତିର କ୍ଷେତ୍ରଭୂମି, କ୍ରମାଙ୍କ ଏବଂ ମିଶ୍ରଣର ସମୃଦ୍ଧସ୍ଥଳୀ, ଯାହାର ବୈଜ୍ଞାନିକ ଓ ଅନୁସନ୍ଧାନକାରୀ ହେଲେ ସେଇ ଗୃହିଣୀ । ଏତେ ପରେ ମଧ୍ୟ ସେଇ ଗୃହିଣୀ ସାମାନ୍ୟ, ତା'ର କାମ ସାମାନ୍ୟ ଓ ତା'ର କାର୍ଯ୍ୟସ୍ଥଳୀ ସାମାନ୍ୟ! ଏହା ଆମର ବୋକାମି ନୁହେଁ ତ ଆଉ କ'ଣ? ନିଜ ଜନ୍ମସ୍ଥଳୀକୁ ମାତୃଭୂମି ବୋଲି କାହିଁକି କୁହାଯାଏ?
ନିଜ ମାଟିର ଭାଷାକୁ ମାଆର ଭାଷା ବୋଲି କାହିଁକି କୁହାଯାଏ? କାରଣ ମାତୃଭୂମି ଓ ମାତୃଭାଷାରେ ନାରୀର ଗୁରୁତ୍ୱ ଅନ୍ତର୍ନିହିତ । ନାରୀ ସ୍ୱରୂପିଣୀ ମାଆ ହିଁ ଭାଷାର ଆବାହକ । ଆମେ ଯେତେବେଳେ ଭାଷା ହିଁ ଭବିଷ୍ୟତ କଥା କହୁ, ସେତେବେଳେ ସେଥିରୁ ନାରୀକୁ, ମାଆକୁ କିପରି ବାଦ୍ ଦେଇପାରିବା? ସେ ନାରୀ କେବଳ ଗୃହିଣୀ ହେଲେ ମଧ୍ୟ ଭାଷାର ଭବିଷ୍ୟତ ତା’ ହାତରେ । କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ଯେତେବେଳେ ଆମର ମାତୃଭାଷା ବିଷୟରେ କହୁ, ସେତେବେଳେ ଆମ ମାଆକୁ, ସେଇ ନାରୀକୁ ଅଣଦେଖା କରିଦେଉଛନ୍ତି । ଭାଷାର ପରିଚୟ ଆମ କଥାରେ, କାମରେ, ଆଚାର-ବ୍ୟବହାରରେ, ଆମ ଖାଦ୍ୟପେୟ-ପୋଷାକପତ୍ରରେ ଅନ୍ତର୍ନିହିତ । ମକର ସଂକ୍ରାନ୍ତି ମକର ଚାଉଳ, ପଣା ସଂକ୍ରାନ୍ତିର ବେଲପଣା, ରଜ ସଂକ୍ରାନ୍ତିର ପୋଡ଼ପିଠା, କୁମାର ପୂର୍ଣ୍ଣମୀର ମଣ୍ଡା, ପ୍ରଥମାଷ୍ଟମୀର ଏଣ୍ଡୁରି, ଧନୁ ସଂକ୍ରାନ୍ତିର ଧନୁମୁଆଁ, ଚିତ୍ତଉ ଅମାବାସ୍ୟାର ଚିତ୍ତଉ ପିଠା, ବଉଳ ଅମାବାସ୍ୟାର ଗଇଁଠା ପିଠା, ଏସବୁ ପର୍ବପର୍ବାଣୀ ଓ ତା'ସହିତ ଜଡ଼ିତ ବ୍ୟଞ୍ଜନମାନଙ୍କର ମହତ୍ତ୍ୱ ଆମେ ଯାହା ଭୁଲି ଭୁଲି ଚାଲିଛନ୍ତି, ସେ ମଧ୍ୟ ଆମ ଭାଷାର ପରିଚୟ, ଯାହାକୁ ବଞ୍ଚାଇ ରଖିବାର କ୍ଷମତା ଏକ ଗୃହିଣୀ ପାଖରେ, ଏକ ନାରୀ ପାଖରେ । ଶାଗ-ପଖାଳ, ତୋରାଣି-କାଞ୍ଜି, ମାଣ୍ଡିଆଜାଉ, ଡାଲମାଭାତ, ଖିରି-ଖେଚୁଡ଼ିକୁ ଭୁଲି ଆମେ ଯେଉଁ ପିଜା, ବର୍ଗର, ମୋମୋ, ବିରିୟାନୀ, ମ୍ୟାଗି-ଚାଓମିନ୍ରେ ମଗ୍ନ, ତାହା କ'ଣ ମାତୃଭାଷା ଓ ମାତୃଭୂମି ଲାଗି ବିପଦର ସଂକେତ ନୁହେଁ କି? ଆଜିକାଲିକାର ମ୍ୟାଗି-ଚାଓମିନ୍ ପିଲାମାନଙ୍କୁ ଓଉ, କଇଥ, ନିମ୍ବଫୁଲ, ବଉଳ କୋଳି, ଆରିସା-କାକରା, ଭଇଁଚ କୋଳି, ବଥୁଆ ଶାଗ, କୋଳଥ ଡାଲି ଭଳି ଓଡ଼ିଆ ଶବ୍ଦ ଓ ଖାଦ୍ୟ ପୂରା ବିଦେଶୀ ଲାଗିବ ବୋଲି ମୋର ବିଶ୍ୱାସ, ଯାହା ନିଶ୍ଚିତ ଆମ ଭାଷା ଲାଗି ବିପଦ ।
ଏଇ ବିପଦରୁ ରକ୍ଷା କରିବାର କ୍ଷମତା କେବଳ ଏକ ନାରୀ, ଗୃହିଣୀ ଓ ମା' ହାତରେ । ସେ ଭାଷା ହେଉ ବା ବିଜ୍ଞାନ, ଇତିହାସ ବା ଐତିହ୍ୟ ହେଉ, ସଂସ୍କୃତି ହେଉ ବା ପରମ୍ପରା ହେଉ, ଶାସ୍ତ୍ର ହେଉ ବା ରାଷ୍ଟ୍ର ହେଉ, ଅର୍ଥନୀତି ହେଉ ବା କୂଟନୀତି ହେଉ, ନୀତି ହେଉ ବା ନିୟମ ହେଉ, ନାରୀର ଭୂମିକା ଅନ୍ୟତମ । ହାଣ୍ଡିଶାଳ ହେଉ ବା ପାଠଶାଳା ହେଉ, କର୍ମଭୂମି ହେଉ ବା ଅକ୍ଷରଭୂମି ହେଉ, ସଭା ସମ୍ମିଳନୀ ହେଉ ବା ଘରର ଚାରିକାନ୍ଥ ହେଉ, ନାରୀର ଭୂମିକା ନିଆରା, ଯାହାକୁ ଅଣଦେଖା କରିବାଟା ଅଜ୍ଞାନତାର ପରିଚୟ ।