ଭଦ୍ରକ,୨୨/୦୯: ବିବାହ ପରେ ଶ୍ବଶୁରଙ୍କ ଠାରୁ ୧୦ ହଜାର ଟଙ୍କା ଉଧାର ନେଇଥିଲେ ଭାରତୀ ବାରିକଙ୍କ ସ୍ୱାମୀ ସୁଦର୍ଶନ ବାରିକ । ପରେ ଏହି ଟଙ୍କା ଫେରାଇବାକୁ କହିବାରୁ ସ୍ତ୍ରୀକୁ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଭାରତୀ ବାରିକଙ୍କ ବାପଘରଲୋକେ । ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅଧୀନ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଭାରତୀ ବାରିକ ସୁଦର୍ଶନ ବାରିକଙ୍କୁ ବିବାହ କରିଥିଲେ । ପରେ ସୁଦର୍ଶନ ଜମି କିଣିବା ପାଇଁ ୧୦ ହଜାର ଟଙ୍କା ଭାରତୀଙ୍କ ବାପାଙ୍କ ଠାରୁ ଉଧାର ଆଣିଥିଲେ । ତେବେ ଏହି ଟଙ୍କାକୁ ନେଇ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରେ ଅଶାନ୍ତି ହେଉଥିଲା । ଏହାରି ଭିତରେ ଭାରତୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଭାରତୀ ତାଙ୍କ ସ୍ୱାମୀଙ୍କୁ ଉକ୍ତ ଟଙ୍କା ଫେରାଇବାକୁ କହିଥିବାରୁ, ତାଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବାର ଜ୍ୱାଇଁ ସୁଦର୍ଶନ ବାରିକଙ୍କ ନାଁରେ ଅଭିଯୋଗ କରିଛନ୍ତି ଶ୍ୱଶୁରଘରଲୋକେ । ଏହି ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହ ଜବତ ବ୍ୟବଚ୍ଛେଦ ପାଇଁ ପଠାଇଛି ନାୟକାଣିଡିହି ପୋଲିସ । ଏହା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।