ନନ୍ଦାହାଣ୍ଡି,୧୩/୦୮: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଧଗୁଡା ପଞ୍ଚାୟତର ଦଣ୍ଡଗୁଡ଼ା ଗାଁରେ ଅଜଣା ରୋଗ ଆତଙ୍କ । ୫ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକମାନେ ହେଲେ ଗାଁର ଡମୁ ଅମାନାତ୍ୟଙ୍କ ଝିଅ ଜାନକୀ(୧୭), ନରସିଂହ ନାୟକ (୨୮) ଓ ତୁଳସା ଅମାନାତ୍ୟ (୬୫) । ଖବରପାଇ ସୋମବାର ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ରକ୍ତନମୁନା ସଂଗ୍ରହ କରିଛି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ହଠାତ୍ ଜାନକୀଙ୍କ ମୃତ୍ୟୁ ହୋଇଥିଲା । ସେହିଦିନ ସନ୍ଧ୍ୟାରେ ନରସିଂହଙ୍କର ବି ଦେହାନ୍ତ ହୋଇଥିଲା । ଜମିରେ ସାର ପକାଉଥିବା ବେଳେ ୩ ଥର କଳାଝାଡ଼ା ହୋଇ ଜୀବନ ଚାଲିଯାଇଥିବା ପରିବାର ଲୋକେ କହିଛନ୍ତି । ସୋମବାର ସକାଳେ ତୁଳସାଙ୍କ ମୃତ୍ୟୁ ଘଟିଥିଲା । କେଉଁ ରୋଗରେ ଆକ୍ରାନ୍ତ ହୋଇ ଏମାନଙ୍କ ମୃତ୍ୟୁ ଘଟିଛି, ସେ ସମ୍ପର୍କରେ ଗ୍ରାମବାସୀ ଜାଣିନାହାନ୍ତି । ସ୍ୱାସ୍ଥ୍ୟ ବିଭାଗର ଯାଞ୍ଚ୍ ପରେ ଜଣାପଡ଼ିବ ବୋଲି ଡିପିଏମ୍ ନବକିଶୋର ବେହେରା କହିଛନ୍ତି । ଏବେ ଗାଁର ଜଣେ ଶିଶୁ ମଧ୍ୟ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି । ସ୍ୱାସ୍ଥ୍ୟ କର୍ମଚାରୀମାନେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା ଜାରି ରଖିଛନ୍ତି । ମେଡିକାଲ୍ ଟିମ୍ ଗାଁରେ ରହି ଆକ୍ରାନ୍ତଙ୍କ ଚିକିତ୍ସା କରୁଛି । ଗ୍ରାମବାସୀଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି । ଆକ୍ରାନ୍ତଙ୍କ ଘରୁ ଖାଦ୍ୟ ଓ ଗାଁରୁ ପାନୀୟଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ସ୍ୱାସ୍ଥ୍ୟ ଟିମ୍ରେ ମାଇକ୍ରୋ ବାୟୋଲୋଜିଷ୍ଟ୍ ଗାୟତ୍ରୀ ସୌଦାରାୟ, ଏପିଡେମୋଲୋଜିଷ୍ଟ୍ ଇଶ୍ରାତ ଆହମଦ୍ ଖାଁ, ଡିଡିଏମ୍ ଆଇଡିଏସ୍ପି ତୁଷାରରାଣା ସିଂ ପ୍ରମୁଖ ସାମିଲ ରହି ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଉଛନ୍ତି।
ଡିପିଏମ୍ ଶ୍ରୀ ବେହେରା କହିଛନ୍ତି, ମୃତକଙ୍କ କୌଣସି ପୁରୁଣା ରୋଗ ନ ଥିଲା । ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଜଣେ କେବଳ ଝାଡ଼ାରେ ମୃତ୍ୟୁ ଘଟିଥିବା ଗ୍ରାମବାସୀ କହିଛନ୍ତି । ସମସ୍ତ ନମୁନା ସଂଗ୍ରହ ହୋଇଛି । ପ୍ରାୟ ୨୦୦ ଲୋକ ଗାଁରେ ରହୁଛନ୍ତି । ସ୍ୱାସ୍ଥ୍ୟ ଟିମ୍ ସଜାଗ ରହିଛି । ଚିକିତ୍ସା ସେବା ଜାରି ରହିଛି । ପରୀକ୍ଷା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।