ଭୁବନେଶ୍ୱର, ୧୧/୦୯ : ଲୋକଙ୍କ ପାଖରେ ସହଜରେ ଏଲ୍ପିଜି ପହଞ୍ଚାଇବା ପାଇଁ ବିତରକ ଏଜେନ୍ସିଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନି। ତେବେ ଏହି ଏଜେନ୍ସିଗୁଡିକ ବିଭିନ୍ନ ସମୟରେ ଲୋକଙ୍କୁ ସମସ୍ୟାରେ ପକାଉଛନ୍ତି। ସ୍ଥାନୀୟ ଖଣ୍ଡଗିରି ଅଞ୍ଚଳରେ ହିନ୍ଦୁସ୍ତାନ ପେଟ୍ରୋଲିୟମ(ଏଚ୍ପି) କମ୍ପାନିର ଏଲ୍ପିଜି ଏଜେନ୍ସି ନେଇଥିବା ଏକ ସଂସ୍ଥାର ମନମାନି ଏବେ ସାମ୍ନାକୁ ଆସିଛି । ଖାଉଟିଙ୍କୁ ଘରେ ଏଲ୍ପିଜି ଡେଲିଭରି ଦେବା ବେଳେ ଏଜେନ୍ସି କହୁଛି ପାଇପ୍ ନ ନେଲେ ସିଲିଣ୍ଡର ଦେବୁନି । ଏମିତି କି ନୂଆ ପାଇପ୍ ଲଗାଇଥିବା ଖାଉଟିଙ୍କୁ ମଧ୍ୟ ସେମାନେ ଛାଡୁନାହାନ୍ତି । କହୁଛନ୍ତି, ଏଜେନ୍ସିର ସବୁ ଖାଉଟିଙ୍କ ପାଇଁ ଏହି ନିୟମ ଲାଗୁ । ଖାଉଟି ପାଇପ ନ ନେଲେ ସିଲିଣ୍ଡର ଫେରାଇ ନେଉଛନ୍ତି ।
ଜଗମୋହନ ନଗର ଲେନ ୨ର ଖାଉଟି ଜୟମାଧବ ପଣ୍ଡା କହିଛନ୍ତି, କିଛିଦିନ ତଳେ ନୂଆ ପାଇପ ପକାଇଥିଲୁ । ପୁଣି ଥରେ ଖର୍ଚ୍ଚାନ୍ତ ହୋଇ ଗ୍ୟାସ୍ ପାଇପ ପକାଇବାର ଆବଶ୍ୟକତା ନାହିଁ । ହେଲେ ଏଜେନ୍ସିର ଏଜେଣ୍ଟମାନେ ପାଇପ ବାଧ୍ୟତାମୂଳକ ବୋଲି ନେବାକୁ କହୁଛନ୍ତି । ଏ ନେଇ ଏଜେନ୍ସି ଅଫିସକୁ କଲ୍ କରିବାରୁ କମ୍ପାନିରୁ ଅର୍ଡର ରହିଛି ବୋଲି ଅଧିକାରୀ କହିଥିଲେ । ଏଜେଣ୍ଟ ଫେରାଇ ନେଇଥିବା ସିଲିଣ୍ଡର ଖାଉଟି କେମିତି ପାଇବେ ତାର ଉତ୍ତର ନାହିଁ । ଏହା ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଅନ୍ୟ ଜଣେ ଗ୍ରାହକ ମାନସ ତ୍ରିପାଠୀ କହିଛନ୍ତି, ସିଲିଣ୍ଡର ନେଇ ଆସିଥିବା ଏଜେନ୍ସିର କର୍ମଚାରୀ ପାଇପ ନେବା ଲାଗି ବାଧ୍ୟ କରିଥିଲେ । ପାଇପ ନେବାକୁ ମନା କରିବାକୁ ସିଲିଣ୍ଡର ଦେବାକୁ ନିୟମ ନାହିଁ କହି ଫେରାଇ ନେଲେ । ଏଜେନ୍ସିଗୁଡିକ ଯଦି ଆମକୁ ହଇରାଣ କରନ୍ତି ଆମେ ଖାଉଟି ଅଦାଲତ ଯିବୁ । ଶିଳ୍ପ ବିଶେଷଜ୍ଞ କୁହନ୍ତି, ଏଜେନ୍ସି କିମ୍ବା କମ୍ପାନି କୌଣସି ଗ୍ରାହକଙ୍କୁ ଆନୁସଙ୍ଗିକ ସାମଗ୍ରୀ ନେବାକୁ ବାଧ୍ୟ କରିପାରିବେ ନାହିଁ । ତେବେ ଏଲ୍ପିଜି ପାଇପ, ଚୁଲାଗୁଡିକ ଯେଭଳି ଠିକ୍ ଭାବେ ରହିଛି ସେ ନେଇ ଲୋକଙ୍କୁ ସତେନତ କରିବା ସହ ଏହାକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇପାରିବେ । ଯଦି କୌଣସି ଏଜେନ୍ସି ଡେଲିଭରି ବେଳେ ବାଧ୍ୟତାମୂଳକ ଭାବେ ଏଲ୍ପିଜି ସମ୍ପର୍କିତ ଆନୁସଙ୍ଗିକ ସାମଗ୍ରୀ ନେବାକୁ କହୁଛନ୍ତି ତାହା ବେଆଇନ । ଏଭଳି ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ଏ ନେଇ ଏଚ୍ପି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।