ଭୁବନେଶ୍ୱର, ୮।୫(ମନୋରଞ୍ଜନ ମହାନ୍ତି): ଶାସ୍ତ୍ରୀୟ ମାନ୍ୟତା ସତ୍ତେ୍ୱ ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆଜି ସଙ୍କଟରେ । ମାତୃଭାଷା ଆମର ପରିଚୟ ହୋଇ ରହିନି କି ଭାଷା ପ୍ରତି ସରକାରଙ୍କ ମୋହ, ମାୟା ଓ ମମତା ନାହିଁ । ଆନ୍ତର୍ଜାତିକ ସମ୍ମିଳନୀରେ କାନ୍ତକବିଙ୍କୁ ‘କଣ୍ଠକବି’ ଭାବେ ସମ୍ବୋଧନ ଏହାର ସ୍ପଷ୍ଟ ଉଦାହରଣ..., ଯାହାକି ଆମର ବଡ଼ ଦୁର୍ଭାଗ୍ୟ । ନିକଟରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି ଓଲିଉଡ୍ର ଏଭରଗ୍ରୀନ୍ ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର । ରାଜନୈତିକ ମୈଦାନରେ ସିଦ୍ଧାନ୍ତଙ୍କ ପରିଚୟ ପୂର୍ବତନ ବିଜେଡି ସାଂସଦ ତଥା ଦଳ ଡେଇଁବା ପରେ ଚଳିତ ନିର୍ବାଚନରେ ଦିଗପହଣ୍ଡିରେ ବିଜେପିର ବିଧାୟକ ପ୍ରାର୍ଥୀ । ସିଦ୍ଧାନ୍ତଙ୍କ ଡାଇଲଗ୍ ପରେ ବିଜେପିରେ ଥିବା ଅନ୍ୟ ନୂଆପୁରୁଣା ଷ୍ଟାର୍ମାନେ ବି ସମାନ ଭାଷା କହିଲେ । ରାଜ୍ୟରେ ‘ଓଡ଼ିଆ ଅସ୍ମିତା’ର ନିଆଁ ଲାଗିଲା ।
ରାଜନୈତିକ ବୟାନବାଜି ଓ ଆକ୍ଷେପ, ପ୍ରତି ଆକ୍ଷେପ ବଢ଼ିଲା । ବିଜେପିରେ ଥିବା ‘ସିଦ୍ଧାନ୍ତ ଆଣ୍ଡ କୋ’ଙ୍କ ମୁକାବିଲା କରିବାକୁ ବିଜେଡିର ଷ୍ଟାର୍ ବାହିନୀ ବି ପଛରେ ପଡ଼ିଲେ ନାହିଁ । ‘ଓଡ଼ିଆ ଅସ୍ମିତା’କୁ ନେଇ ସୋସିଆଲ୍ ମିଡିଆରେ ପ୍ରବଳ ପ୍ରଚାର, ପ୍ରଚଣ୍ଡ ଆକ୍ରମଣ । କିଏ ସରକାରଙ୍କୁ ଘେରୁଛି ତ କିଏ ବିରୋଧୀଙ୍କୁ ଜବାବ ଦେଉଛି । ସେଥିପାଇଁ ଆଜି ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ‘ଓଡ଼ିଆ ଅସ୍ମିତା’ । କିନ୍ତୁ ଏମାନଙ୍କର ଏ ଲଢ଼େଇ ଦେଖି ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀ ଓ ବୁଦ୍ଧିଜୀବୀମାନେ ମୁହଁ ମୋଡ଼ୁଛନ୍ତି । ସେମାନଙ୍କର ପ୍ରଶ୍ନ: କେଇ ଦଶନ୍ଧି ଧରି ଆମ ସିନେମାର ମଙ୍ଗ ଧରିଥିବା ଷ୍ଟାର୍ମାନଙ୍କ ଯୋଗୁ ତ ଆଜି ଓଡ଼ିଆ ସିନେମାରୁ ଓଡ଼ିଆତ୍ୱ ହଜିଯାଇଛି । ଓଡ଼ିଆ ସିନେମା ବୁଡ଼ିଗଲା । ସେମାନେ ପୁଣି ଓଡ଼ିଆ ଭାଷା, ସାହିତ୍ୟ ଓ ଅସ୍ମିତାର ପାଠ ପଢ଼ାଉଛନ୍ତି । ପରଦାରେ ଅଭିନୟ କଲେ ତ ଚଳିବ, କିନ୍ତୁ ‘ଓଡ଼ିଆ ଅସ୍ମିତା’କୁ ନେଇ ଏପରି ମିଛ ଅଭିନୟ ଭରା ବାକ୍ଚାତୁରୀ କେତେ ଗ୍ରହଣୀୟ ?
ଭାରତବର୍ଷର ସର୍ବପୁରାତନ ଓଡ଼ିଆ ସିନେମା ଜଗତ ୮୯ ବର୍ଷରେ ପହଞ୍ଚିଲା ପରେ ବି ଆଜି କାନ୍ଦୁଛି । ତା’ ଛାତି ଉପରେ ଛିଡ଼ା ହୋଇ ସମସ୍ତେ ଉପହାସ କରୁଛନ୍ତି । ତା’ର ଇତିହାସକୁ ସମାଧି ଦେଇ ଖୁସି ହେଉଛୁ । ସ୍ୱାଭିମାନ ଓ ମୌଳିକତାକୁ ଗୋଇଠା ମାରି କପିକୁ ଭରସା କଲୁ । ଏବେ ଯେତେବେଳେ ନିଜ ଉପରକୁ କଥା ଆସିଲା ସେତେବେଳେ ଏହି ଷ୍ଟାର୍ମାନେ ଓଡ଼ିଶା ସାରା ବୁଲି ବୁଲି ଭାଷା, ସାହିତ୍ୟ ଓ ଅସ୍ମିତାର କଥା କହୁଛନ୍ତି । ଦର୍ଶକଙ୍କ ଠାରୁ ପ୍ରତ୍ୟାଖ୍ୟାତ ହେବା ପରେ ବି ଆମ ଷ୍ଟାର୍ମାନେ ନିଜକୁ ଭାଷା ସାହିତ୍ୟର ମଙ୍ଗଧାରୀ ଭାବିବା କେତେଦୂର ସମୀଚୀନ ବୋଲି ପ୍ରଶ୍ନ ଉଠିଛି । ଜଣେ ବରିଷ୍ଠ ପ୍ରଯୋଜକଙ୍କ ମତରେ, ଓଡ଼ିଆ ସିନେମାରେ କ’ଣ ନ ଥିଲା? ତାକୁ ନେଇ ଅନେକ କିଛି କରି ହୋଇଥାନ୍ତା । କିନ୍ତୁ ଆମେ କରିଛେ କ’ଣ ? ଥରେ ନିଜକୁ ପଚାରନ୍ତୁ । ଯାହାକୁ ମା’ କହି ଭାତହାଣ୍ଡି କରିଛେ, ତା’ ପାଇଁ ଆମର କର୍ତ୍ତବ୍ୟ କ’ଣ ?
ଅତୀତରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଓଡ଼ିଆ କଳାକାରମାନେ ସରକାରରେ ଥିଲେ । ସେଥିରୁ ଅନେକ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିଲେ । ସେମାନେ ଚାହିଁଥିଲେ ଓଡ଼ିଆ ସିନେମା ବହୁତ କିଛି ପାଇପାରିଥାନ୍ତା । କିନ୍ତୁ କିଛି ବି ଫାଇଦା ପାଇନି । ଏହା କ’ଣ ସେମାନଙ୍କ କ୍ଷମତାର ବାହାରେ ଥିଲା ? ବାରମ୍ବାର ଏ ପ୍ରଶ୍ନ ସେମାନଙ୍କୁ ଶେଷ ପର୍ଯ୍ୟନ୍ତ ଜବାବ ମାଗି ଚାଲିଥିବ ବୋଲି ବରିଷ୍ଠ ପ୍ରଯୋଜକ ଜଣଙ୍କ କହିଛନ୍ତି । ସେହିପରି ଜନୈକ ପ୍ରତିଷ୍ଠିତ ସିନେ ସମୀକ୍ଷକ କହିଛନ୍ତି, ନୂଆ ସିନେମାଟିଏ ହେଲେ କଳାକାରଙ୍କ ଉତ୍ସାହ ବଢ଼େ । ଏବେ ନିର୍ବାଚନ ଋତୁ । ତେଣୁ ରଙ୍ଗ, ଢଙ୍ଗ ଅଲଗା ହେବ । ସମସ୍ତେ ବେଶ୍ ଉତ୍ଫୁଲ୍ଲିତ, ଉତ୍ସାହ ଦ୍ୱିଗୁଣ । ପୂରା ଜୋସ୍ରେ । ବିଭିନ୍ନ ଦଳରେ ଭିନ୍ନ ଭିନ୍ନ ଭୂମିକାରେ ମାତିଛନ୍ତି । କିନ୍ତୁ କ’ଣ ହେଇଛି କେଜାଣି ସଭିଏଁ ‘ଓଡ଼ିଆ ଅସ୍ମିତା’ ପଛରେ ଧାଇଁଛନ୍ତି । କିଏ ସୋସିଆଲ୍ ମିଡିଆରେ ସରକାରଙ୍କ ଗୁଣଗାନ କରୁଛି ତ ଆଉ କିଏ ବିରୋଧୀଙ୍କ ସଭା ମଞ୍ଚ ଓ ପ୍ରଚାରରେ ମାତିଛି । କିନ୍ତୁ ପ୍ରସଙ୍ଗ ଗୋଟିଏ-‘ଓଡ଼ିଆ ଅସ୍ମିତା’ । କଳାକାରଙ୍କ ଏହି କାର୍ଯ୍ୟ ଦେଖି ଯେତିକି ଖୁସି ଲାଗୁଛି, ସେତିକି ଦୁଃଖ ବି । ଯେଉଁମାନେ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତିକୁ ଭୁଲି ଯାଇଛନ୍ତି, ସେମାନେ ଏସବୁ କଥା କହୁଛନ୍ତି । ଦୀର୍ଘ ବର୍ଷ ହେବ ଓଡ଼ିଆ ମାଟି, ପାଣି, ପବନର କଥା କହି ପବନା ପରି କପି ସିନେମାକୁ ଦେଖାଇଲ । ଶସ୍ତା ଖୋଜି ଦକ୍ଷିଣୀ ଶରଣରେ ପଶିଲ । ସିଏ ଆମଠୁ ଆମର ଧୋତି ନେଇ ଲୁଙ୍ଗି ପିନେ୍ଧଇ ନଚେଇଲେ । ଓଡ଼ିଆ ବଦଳରେ ‘ହିଙ୍ଗ୍ଲିସ୍’ ଗୀତ କଲ । ‘ଏ ଜାନୁ... ମୁଁ ତମ ସୋନୁ...’, ‘ଦିୱାନା... ତୋରି ପାଇଁ’ ଭଳି ଆହୁରି କେତେ କ’ଣ ଯାହାର ହିସାବ ନାହିଁ । ଓଡ଼ିଆ ସିନେମାକୁ ଓଡ଼ିଆ କରି ରଖିଲନି ।
ସେତେବେଳେ କାହାକୁ ‘ଓଡ଼ିଆ ଅସ୍ମିତା’ ଦିଶୁନଥିଲା, ଏବେ ହଠାତ୍ କ’ଣ ହେଲା ଯେ, ଖାଲି ବାଉଳି ହେଉଛ । ଓଡ଼ିଆ ସିନେମାଠୁ ଦଳରେ ଏମାନଙ୍କ ଅବସ୍ଥା ଆହୁରି ଖରାପ । ରାଜନୀତିରେ ଏମାନଙ୍କୁ କ’ଣ ମର୍ଯ୍ୟାଦା ମିଳେ କାହାକୁ ଅଛପା ନାହିଁ । ମିଛରେ ସୁପର୍ଷ୍ଟାର୍, ଆକ୍ସନ୍ଷ୍ଟାର, ମେଗାଷ୍ଟାର୍ କହି ସୋସିଆଲ୍ ମିଡିଆରେ ଅଯଥା ଭାଷଣ ଝାଡ଼ିଲେ କ’ଣ ହେବ ବୋଲି ସମୀକ୍ଷକ ଜଣଙ୍କ ପ୍ରଶ୍ନ କରିଛନ୍ତି । ଜଣେ ପ୍ରତିଭାବାନ ଯୁବ ପ୍ରଯୋଜକ କହିଛନ୍ତି, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି ପ୍ରଚଳନ ଓ କାର୍ଯ୍ୟକାରୀଠୁ ଆରମ୍ଭ କରି କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର, ଫିଲ୍ମ ସିଟି ନିର୍ମାଣ, ପର୍ଯ୍ୟାପ୍ତ ହଲ୍ ସୁବିଧା, ଓଡ଼ିଆ ଚଳଚ୍ଚିତ୍ର ଦୀର୍ଘ ଦିନ ଧରି ହଲ୍ରେ ଚାଲିବା ଭଳି ସୁଯୋଗ ସୃଷ୍ଟି କରିବା, ପ୍ରଦର୍ଶନୀ, ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ଯୋଗାଇ ଦେବା, ସେନ୍ସର୍ରେ ଥିବା ସମସ୍ତ ସମସ୍ୟାର ସମାଧାନ, ଠିକ୍ ଭାବେ ପ୍ରଯୋଜକ ରିଟର୍ଣ୍ଣ ପାଇବା, ଓଡ଼ିଶାରେ ସୁଟିଂ ପାଇଁ ସବ୍ସିଡି, ଋଣ ଛାଡ଼ ଏବଂ ପ୍ରତି ଚଳଚ୍ଚିତ୍ର ଉପରୁ ଟିକସ ହଟାଇବା ସହ ଓଡ଼ିଆ ସିନେମା ଲାଗି ଯାହା ସବୁ ସୁବିଧା ଆବଶ୍ୟକ ରହିଛି ସରକାର ତାକୁ ପୂରଣ କରନ୍ତୁ । ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରାଯିବ । ସେହି ବର୍ଷ ଓଡ଼ିଆ ସିନେମା ବି ତା’ର ଶତବାର୍ଷିକୀ ପୂରଣ କରୁଛି ।
ଯେମିତି ରାଜ୍ୟ ପାଇଁ ସରକାର ସ୍ୱତନ୍ତ୍ର ଚିନ୍ତା କରୁଛନ୍ତି, ସେମିତି ଓଡ଼ିଆ ସିନେମାର ଉନ୍ନତି ଲାଗି ଭିଜନ୍, ମିଶନ ଓ ରୋଡ୍ମ୍ୟାପ୍ ପ୍ରସ୍ତୁତ କରନ୍ତୁ । ଯେଉଁ ଷ୍ଟାର୍ମାନେ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି ସେମାନେ ନିଜକୁ ‘ଓଡ଼ିଆ ଅସ୍ମିତା’ର ମହାରଥୀ ଭାବିବା ପରିବର୍ତ୍ତେ ଓଲିଉଡ୍ କଥା ଭାବିଲେ ବରଂ ସାହିତ୍ୟ ଓ ପରଦା ଉଭୟର ବିକାଶ ହୋଇପାରିବ । ଏଥିପାଇଁ ମନୋବୃତ୍ତି ରହିବା ଜରୁରୀ । ଜନୈକ ସିନେ ସମୀକ୍ଷକଙ୍କ ମତ ଅନୁସାରେ, ଗତବର୍ଷ ୫୬ଟି ଓଡ଼ିଆ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ମାତ୍ର ହାତଗଣତି ୭-୮ଟା ଓଡ଼ିଆ ସିନେମା ହିଟ୍ ହେବା ନେଇ ଖବର ଆସିଥିଲା । ୨୦%ରୁ ଅଧିକକୁ କପି କହି ଦର୍ଶକ ମୁହଁ ବୁଲାଇ ଦେଲେ । ହିଟ୍କୁ ଛାଡ଼ିଲେ ବାକି କିଛି ସିନେମା ନାଁ କମେଇଲେ, କିନ୍ତୁ ତାଙ୍କ ଖର୍ଚ୍ଚ ଉଠାଇପାରିଲେନି । ଏ ହେଉଛି ମଙ୍ଗ ଧରିଥିବା ଆମ ବଡ଼ ବଡ଼ ଷ୍ଟାର୍ମାନଙ୍କ ପରଦା ପଛର କାହାଣୀ ।