ଭୁବନେଶ୍ୱର, ୦୭/୦୮ : ସମ୍ବଲପୁରୀ ଶାଢ଼ିର ବାନ୍ଧକଳା ହେଉ କି ବ୍ରହ୍ମପୁରୀ ପାଟ । ବମକାଇ ଅଥବା ଖଣ୍ଡୁଆ ପାଟରେ ଫୁଟିଥିବା ହାତର ଯାଦୁ ଦେଖିଲେ ଆଖି ଫେରାଇ ହୁଏନି । ବିଶ୍ୱ ଦରବାରରେ ଓଡ଼ିଶାର ଏହି ହସ୍ତତନ୍ତ ଓ ହସ୍ତଶିଳ୍ପର ଚାହିଦା କାହିଁରେ କ’ଣ । ଆମର ଏହି ଅମୂଲ୍ୟ ହସ୍ତକଳାକୁ ନେଇ ଅନ୍ୟମାନେ ନାଁ କମେଇବାରେ ଲାଗିଛନ୍ତି । ଆମ ଜିନିଷ ଅଲଗା ବ୍ରାଣ୍ଡ୍ରେ ବିଦେଶରେ ବିକ୍ରି ହେଉଛି । କିନ୍ତୁ ବିଦେଶକୁ ରପ୍ତାନୀରେ ଆମର ସ୍ଥାନ ନାହିଁ । ୨୦୨୩-୨୪ ଓଡ଼ିଶା ଅର୍ଥନୈତିକ ସର୍ଭେ କହୁଛି, ରାଜ୍ୟ ରପ୍ତାନୀ ବାସ୍କେଟରେ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ହସ୍ତଶିଳ୍ପର ଅଂଶ ନଗଣ୍ୟ । କିନ୍ତୁ ଆମ କାରିଗର ହାତ ତିଆରି ସାମଗ୍ରୀ ଅନ୍ୟ ରାଜ୍ୟର ସାମଗ୍ରୀ ହିସାବରେ ବିକ୍ରି ହେଉଛି । କେଉଁଠି ସମ୍ବଲପୁରୀ ପାଟ ଅନ୍ୟ ରାଜ୍ୟରେ ପୋଚମ୍ପଲ୍ଲୀ ଭାବେ ବିକ୍ରି ହେଉଛି ତ ଆଉ କେଉଁଠି ଓଡ଼ିଶାର ପଟ୍ଟଚିତ୍ରକୁ ଅନ୍ୟ ରାଜ୍ୟର କହି ବିକ୍ରି କରାଯାଉଛି । ଏ ବିଷୟରେ ଗବେଷିକା ଅନୀତା ସାବତ୍ କୁହନ୍ତି, ଆମ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ବହୁ ପରିମାଣରେ ବିଦେଶକୁ ଯାଉଛି । ଏହାର ପ୍ରକୃତ ତଥ୍ୟ କାହାକୁ ଜଣାନାହିଁ । ଏହାର କାରଣ ଆମ କାରିଗର ଖୁଚୁରା ବଜାରରେ ବିକ୍ରି କରୁଛନ୍ତି । ସେଥିରେ ଓଡ଼ିଶାର ହ୍ୟାଣ୍ଡଲୁମ୍ର ଟ୍ୟାଗ୍ କିମ୍ବା କ୍ୟୁଆର୍ କୋଡ୍ ରହୁନି ।
କୌଣସି ମେଳା ମହୋତ୍ସବ ହେଲେ ଅନ୍ୟ ରାଜ୍ୟର ବ୍ୟବସାୟୀ ବହୁ ପରିମାଣରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣି ନେଉଛନ୍ତି । ପରେ ସେମାନେ ନିଜ ନାମରେ ବିକ୍ରି କରୁଛନ୍ତି । ଯେଉଁ ରାଜ୍ୟରୁ ବାହାରକୁ ରପ୍ତାନୀ ହେଉଛି ତାହା ସେହି ରାଜ୍ୟର ଉତ୍ପାଦ ବୋଲି ବିକ୍ରି କରାଯାଉଛି । ଓଡ଼ିଶାର ଖଣ୍ଡୁଆପାଟ, ସମ୍ବଲପୁରୀ ପାଟକୁ ପୋଚମ୍ପଲ୍ଲୀ ଭାବେ ବିକ୍ରି କରାଯାଉଛି । ସେହିପରି ପିପିଲି ଚାନ୍ଦୁଆ ବି ବିଦେଶରେ ଓଡ଼ିଶାର ବୋଲି ଅନେକ ଜାଣୁନାହାନ୍ତି । ଆମ ପଟ୍ଟଚିତ୍ର ବେଙ୍ଗଲ୍ ପଟ୍ଟଚିତ୍ର ନାମରେ ବିକ୍ରି ହେଉଛି । ଏଥିପ୍ରତି ଆମ ରାଜ୍ୟର ହସ୍ତଶିଳ୍ପ ବିଭାଗ ଏବଂ ବ୍ୟବସାୟୀ ସତର୍କ ହେବା ଜରୁରି । ଓଡ଼ିଶାର ସାମଗ୍ରୀ ନିଜ ନାମରେ ବୁକିଂ କରି ବିଦେଶ ପଠାଯାଉ । ପ୍ରତିଟି ସାମ୍ରଗୀ ପାଇଁ କ୍ୟୁଆର କୋଡ୍ ଏବଂ ଲୋଗୋ ଲାଗିବା ଜରୁରି । ସ୍କାନର ମାଧ୍ୟମରେ କେଉଁ କାରିଗର ତିଆରି କରିଛନ୍ତି, ସାମଗ୍ରୀର ମୂଲ୍ୟ ଏବଂ ନାମର ସବିଶେଷ ବିବରଣୀ ଜଣାପଡ଼ିବ ବୋଲି ଗବେଷିକା ଅନୀତା ପ୍ରକାଶ କରିଛନ୍ତି । ଏହାଦ୍ୱାରା ଓଡ଼ିଶାରୁ ବିଦେଶକୁ କେତେ ପରିମାଣରେ ହସ୍ତତନ୍ତ ଓ ହସ୍ତଶିଳ୍ପ ରପ୍ତାନୀ ହେଉଛି ଜାଣିହେବ । ଚାହିଦା କେତେ ଅଛି ବି ଜାଣିହେବ ।
ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧ, ହାବସପୁରୀ, ବମକେଇ, ବ୍ରହ୍ମପୁର ପାଟ, କୋଟପାଡ୍ ବସ୍ତ୍ର, ଓଡ଼ିଶା ଇକତ୍, ଖଣ୍ଡୁଆ ଶାଢ଼ି, ଗୋପାଳପୁର ଟସର ବସ୍ତ୍ର, ଧଳାପଥର ପରଦା ଭଳି ଅନେକ ଜିଆଇ ପାଇଥିବା ହସ୍ତତନ୍ତ ଥିଲେ ବି ତାହାର ପ୍ରଚାର ପ୍ରସାର ଓ ବଜାର ସୃଷ୍ଟି କରାଯାଇ ପାରୁନି । ସର୍ଭେ ଅନୁସାରେ ହସ୍ତଶିଳ୍ପ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଶାରେ ୨୦୨୨-୨୩ ବର୍ଷରେ ମୋଟ ହସ୍ତଶିଳ୍ପ ୟୁନିଟ୍ ସଂଖ୍ୟା ପ୍ରାୟ ୪୦ହଜାର । ହସ୍ତଶିଳ୍ପ କ୍ଷେତ୍ରରୁ ୨୦୧୫-୧୬ ଏବଂ ୨୦୨୨- ୨୩ ମଧ୍ୟରେ ୩ଗୁଣା ନିଯୁକ୍ତି ବୃଦ୍ଧି ପାଇଛି । କ୍ଷେତ୍ରୀୟ ନିଯୁକ୍ତି ମାତ୍ର ୬୫ହଜାର ଯାଏ ପହଞ୍ଚି ପାରିଛି । ସେହିଭଳି ଓଡ଼ିଶାର ହସ୍ତତନ୍ତ ୨୦୨୩ ସୁଦ୍ଧା ବୃଦ୍ଧି ପାଇ ୫୭ହଜାର ୟୁନିଟ୍ ଅତିକ୍ରମ କରିବାରେ ସଫଳ ହୋଇପାରିଛି । ଏଥିପାଇଁ ରାଜ୍ୟରେ ମାତ୍ର ୭୦ହଜାର ପରିବାର ରୋଜଗାର ପାଇବାରେ ସକ୍ଷମ ହୋଇପାରିଛନ୍ତି । ସର୍ବାଧିକ ତନ୍ତ ଥିବା ତାଲିକାରେ ରାଜ୍ୟର ବରଗଡ଼ ଜିଲ୍ଲା (୧୧,୧୨୧)ଶୀର୍ଷରେ ଥିବା ବେଳେ ଏହା ପଛକୁ କଟକ(୯,୭୪୮), ସୁବର୍ଣ୍ଣପୁର(୪,୫୪୬), ବଲାଙ୍ଗିର(୨୬୭୬) ଓ ବୌଦ୍ଧ ଜିଲ୍ଲା (୨୪୮୩) ରହିଛି ।