ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାନସଭାରେ କାମଚଳା ବଜେଟ ଆଗତ; ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ବିଭାଗ ପାଇଁ କେତେ?

ଭୁବନେଶ୍ବର,୦୮/୦୨:  ଫେବୃଆରୀ ୮ ତାରିଖ ଗୁରୁବାର ଦିନ ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ ବିଧାନସଭା ଅନୁମୋଦନ ପାଇଁ ଉପସ୍ଥାପନ ହୋଇଛି। ସେଥିରୁ ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି। ନିର୍ବାଚନୀ ବର୍ଷ ଥିବାରୁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଅବିବୃଦ୍ଧି ହାର ୭.୨୫% ରହିଥିବା ବେଳେ ଏହା ଜାତୀୟ ହାରଠାରୁ ୧% ଅଧିକ ଅଟେ। ଏହି ପରିପ୍ରେକ୍ଷୀରେ ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫% ଆକଳନ କରାଯାଇଛି। 

ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ଦୁଇ ହଜାର କୋଟିର ରିଭଲ୍‌ଭିଂ ଫଣ୍ଡ ସୃଷ୍ଟି କରିଛି। ଏଥିସହିତ ଆଗାମୀ ୫ ବର୍ଷରେ ୧୮୮୫ ସ୍ବାସ୍ଥ୍ୟକେନ୍ଦ୍ରର ରୁପାନ୍ତରଣ ହେବା ନେଇ ସୂଚନା। ସ୍ବାସ୍ଥ୍ୟକେନ୍ଦ୍ରର ରୁପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ବ୍ୟୟ ବରାଦ କରାଯିବ ବୋଲି କାମଚଳା ବଜେଟରେ କହିଛନ୍ତି ଅର୍ଥମନ୍ତ୍ରୀ। କୃଷି ଓ କୃଷକ କଲ୍ୟାଣ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଏସକେୱାଇ ଯୋଜନା କରାଯାଇଛି । ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ପୂରଣ ହେଉଛି ବୋଲି ଆରୁଖ କହିଛନ୍ତି।

କୃଷି: 

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ରେ କୃଷି ପାଇଁ ୨୮୯୪୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହାକି ପୂର୍ବବର୍ଷ ତୁଳନାରେ ୧୬.୬% ଅଧିକ ରହିଛି। କାଳିଆ ଯୋଜନାରେ ୬୨.୮୧ ଲକ୍ଷ ଚାଷୀ ପରିବାରକୁ ଆର୍ଥିକ ସହାୟତା ମିଳିଥିବା ବଜେଟ ବିଜ୍ଞପ୍ତିରେ ସୂଚିତ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରିଛି ବୋଲି କହିଛନ୍ତି ଆରୁଖ। ୫ ଲକ୍ଷରୁ ଅଧିକ ମିଲେଟ୍ ଚାଷୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି । କୃଷି ଋଣ ପାଇଁ ଉର୍ତ୍ସଗୀକୃତ ୱେବ ପୋର୍ଟାଲ ସଫଳ ଆରମ୍ଭ କରିବାରେ ଓଡ଼ିଶାର ସର୍ବପ୍ରଥମ ରାଜ୍ୟ। ଋଣ ନେବାକୁ ଇଚ୍ଛୁକ ଚାଷୀଙ୍କ ପାଇଁ ଏହି ୱେବପୋର୍ଟାଲ ବରଦାନ ସଦୃଶ।

ଜଳସେଚନ: 

ଜଳସେଚନ ଉପରେ ରାଜ୍ୟ ସରକାର ଫୋକସ ଦେଉଛନ୍ତି । ୨୦୨୪-୨୫ରେ ୨୫ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ୮୬୦ କୋଟିର ପ୍ରସ୍ତାବ ରହିଛି । ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୦୭୫୯ କୋଟି ବ୍ୟୟରେ ୧୭୦ଟି ନୂଆ ପ୍ରକଳ୍ପ ନିର୍ମାଣ ହେବ । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୧୨୨୫ କୋଟିର ବ୍ୟୟବରାଦ କରାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା ଅଧିନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୨୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି।

ସ୍ବାସ୍ଥ୍ୟ:

ସ୍ବାସ୍ଥ୍ୟ ସେବା ପାଇଁ ମୋଟ ୧୯,୯୫୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏହା ଗତବର୍ଷ ତୁଳନାରେ ୨୪% ଅଧିକ ଅଟେ। ଆମ ହସ୍ପିଟାଲ ଯୋଜନା ପାଇଁ ୧୩୧୪ କୋଟି ଓ ପରିବାର କଲ୍ୟାଣ ପାଇଁ ୬୯୮ କୋଟି ପ୍ରଦାନ କରାଯାଇଛି। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ ୫୪୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୧୬୬୦ କୋଟି ଓ ପ୍ରଧାନମନ୍ତ୍ରୀ-ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟସେବା ଭିତ୍ତିଭୁମି ପାଇଁ ୩୩୮ କୋଟି ଓ ଆୟୁଷ ମିଶନ ପାଇଁ ୨୦ କୋଟି ବ୍ୟୟବରାଦ କରାଯାଇଛି।

ମିଶନ ଶକ୍ତି: 

୨୦୨୪-୨୫ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ ୨୭୬୧ କୋଟି ପ୍ରଦାନ କରାଯାଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ୧୧୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୪୧୭ କୋଟି ମଞ୍ଜୁର କରାଯାଇଛି। 

ଶିକ୍ଷା: 

ଶିକ୍ଷା କ୍ଷେତ୍ର ପାଇଁ ୩୩,୮୬୫ କୋଟି ବ୍ୟୟବରାଦ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୪,୭୬୪ କୋଟି, ମୋ ସ୍କୁଲ ଅଭିଯାନ ଅଧିନରେ ୫୨୧ କୋଟି, ଆଦର୍ଶ ବିଦ୍ୟାଳୟ ପାଇଁ ୮୮୦ କୋଟି, ୫ଟି ସ୍କୁଲ ରୁପାନ୍ତରଣ ପାଇଁ ୧୦ କୋଟି ବ୍ୟୟବରାଦ ହୋଇଛି। ଏଥିସହିତ ଛାତ୍ରଛାତ୍ରୀଙ୍କୁ ମାଗଣା ବାଇସାଇକେଲ ପାଇଁ ୩୯୦ କୋଟି, ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୦୮ କୋଟି, ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୧୯ କୋଟି ଓ ଉଚ୍ଚଶିକ୍ଷା ବିଭାଗ ପାଇଁ ୩୪୭୦ କୋଟି ପ୍ରଦାନ କରାଯାଇଛି। 

କ୍ରୀଡ଼ା:

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୩୦୫ କୋଟି ବ୍ୟୟବରାଦ କରାଯାଇଛି। ଭିତ୍ତିଭୂମୀ ବିକାଶ ଓ ପରିଚାଳନାକୁ ୮୫୨ କୋଟି, କ୍ରୀଡ଼ା ଶିକ୍ଷା ପାଇଁ ୩୪୫ କୋଟି ପ୍ରଦାନ କରାଯାଇଛି। 

ମହିଳା ଓ ଶିଶୁ ବିକାଶ:

ମହିଳା ଓ ଶିଶୁ ବିକାଶ କଲ୍ୟାଣମୂଳକ ପଦକ୍ଷେପ ପାଇଁ ମୋଟ ୪୦୧୫ କୋଟି ବ୍ୟୟବରାଦ ହୋଇଛି। ଆଶୀର୍ବାଦ ଯୋଜନାରେ ୭୮ କୋଟି, ମମତା ଯୋଜନାରେ ୫୨୧ କୋଟି, ମୂଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୫୫୪ କୋଟି ଆଦି ଅନେକ କ୍ଷେତ୍ରରେ ଯୋଗାଇ ଦିଆଯାଇଛି। 

ବାସଗୃହ: 

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧିନରେ ୪୦୫୧ କୋଟି  ଟଙ୍କା ପ୍ରଦାନ କରାଯାଇଛି। ବିଜୁ ପକ୍କାଘର ପାଇଁ ୧୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ପାଇଁ ୬୯୨ କୋଟିର ପ୍ରସ୍ତାବ ଦିଆଯାଇଛି। 

ପାନୀୟ ଜଳ ଓ ପରିମଳ:

ପାଇପ ଯୋଗେ ପାନୀୟ ଜଳ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୮,୦୦୦ କୋଟିରୁ ଅଧିକ ପ୍ରସ୍ତାବ ରହିଛି। ବସୁଧା ଯୋଜନା ପାଇଁ ୨,୦୦୦ କୋଟି, ଜଳ ଜୀବନ ମିଶନ ପାଇଁ ୬,୦୦୦ କୋଟି, ଜଳ ବ୍ୟବସ୍ଥା ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୨୭୩ କୋଟି ବ୍ୟୟବରାଦ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ଗ୍ରାମାଞ୍ଚଳ ପାଇଁ ୬୦୦ କୋଟି ବ୍ୟୟବରାଦ ହୋଇଛି। 

ସଡ଼କ, ରେଳପଥ ଓ ପରିବହନ:

ସଡ଼କ, ସେତୁ, ବିମାନବନ୍ଦର ଓ ରେଳବାଇ ପାଇଁ ୨୧,୦୦୪ କୋଟି ପ୍ରସ୍ତାବ ଦିଆଯାଇଛି। ସଡ଼କ ସୁରକ୍ଷା ପାଣ୍ଠିକୁ ୪୫ କୋଟି, ସଡ଼କ ସୁରକ୍ଷା ସୋସାଇଟିକୁ ଅନୁକମ୍ପାମୂଳକ ୪୫ କୋଟି, ଦୁର୍ଘଟଣାଜନିତ ଅନୁକମ୍ପା ପାଣ୍ଠିକୁ ୧୦ କୋଟି ପ୍ରଦାନ କରାଯାଇଛି। ରେଳ ପ୍ରକଳ୍ପ ବିକାଶକୁ ୭୦୦ କୋଟି, ବେସାମରିକ ବିମାନ ଚଳାଚଳ ପାଇଁ ୩୭୨ କୋଟିର ପ୍ରସ୍ତାବ ଦିଆଯାଇଛି। ମେଟ୍ରୋ ରେଳର ବିକାଶ ପାଇଁ ୧୦୦୦ କୋଟିର ପ୍ରସ୍ତାବ ଦିଆଯାଇଛି। ବିଜୁ ସେତୁ ଯୋଜନା ପାଇଁ ୨୦୦୦ କୋଟି ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩୧୬୬ କୋଟି, ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୧,୨୯୮ କୋଟି ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧିନରେ ଗ୍ରାମାଞ୍ଚଳ ପାଇଁ ୧,୮୫୦ କୋଟି ବ୍ୟୟବରାଦ କରାଯାଇଛି।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.