ଭୁବନେଶ୍ୱର,୧୩/୦୯: ଦିଲ୍ଲୀର ପୁରାତନ ଓଡ଼ିଆ ସଂଗଠନ ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଆସନ୍ତା ୨୧ ତାରିଖରେ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ ପ୍ରଦାନ କରାଯିବ । ନୂଆଦିଲ୍ଲୀର ଲୋଧିରୋଡ୍ରେ ଥିବା ସାଇ ଇଣ୍ଟରନାସନାଲ ସଭାଗୃହରେ ଓଡ଼ିଶାର ୭ ଜଣ ପ୍ରତିଭା ସଂପନ୍ନ ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।
ଏନ୍ଡିଟିଭିର ବରିଷ୍ଠ ସାମ୍ବାଦିକା ସିକ୍ତା ଦେଓ, ଓଟିଭି ପୁରୀ ପ୍ରତିନିଧି ମଧୁସୂଦନ ମିଶ୍ର, କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦ, ନ୍ୟୁଜ-୧୮ର ସମ୍ପାଦକ ନରେନ୍ଦ୍ରନାଥ ଜେନାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ନବ ପ୍ରତିଭା ଶ୍ରେଣୀରେ ଅର୍ଗସ ନ୍ୟୁଜ ସାମ୍ବାଦିକା ସତରୂପା ସାମନ୍ତରାୟ ସମ୍ମାନିତ ହେବାକୁ ଥିବାବେଳେ ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ନ୍ୟୁଜ-୭ର ଉଦ୍ଘୋଷିକା ଇତିଶ୍ରୀ ନାୟକଙ୍କୁ ‘ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା’ ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିବେ ବୋଲି ପଲ୍ଲୀବାଣୀର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ସୂଚନା ଦେଇଛନ୍ତି।