ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶନିବାର ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ମତଦାନ: ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଭୁବନେଶ୍ୱର,୩୧/୦୫: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଥମିଲା ପ୍ରଚାର । ସରିଲା ନାରାବାଜି, ଭାଷଣବାଜି । ଆଉ ହୋହଲ୍ଲା ନାହିଁ । ଏବେ ସାଇଲେନ୍ସ ପରିୟଡ୍‌ । ବିନା କୋଳାହଳରେ ଭୋଟର ଚୟନ କରିବେ ଯୋଗ୍ୟ ପ୍ରାର୍ଥୀଙ୍କୁ । ପ୍ରଚାର ବନ୍ଦ ହୋଇଯାଇଥିଲେ ବି ଭୋଟରଙ୍କ ମନ ଜିତିବାକୁ ସବୁ ପ୍ରାର୍ଥୀ ଓ ଦଳ ଶେଷ ପର୍ଯ୍ୟାୟରେ ପ୍ରାଣମୂର୍ଚ୍ଛା ପ୍ରୟାସ ଲଗାଇ ଦେଇଛନ୍ତି । 

ପ୍ରଚାରର ଶେଷ ଦିନରେ କଂଗ୍ରେସ ପାଇଁ ରାହୁଲ  ଗାନ୍ଧି, ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,  କାର୍ତ୍ତିକ ପାଣ୍ଡିଆନ ଓ ବିଜେପି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ  ଜୋରଦାର ପ୍ରଚାର କରିଛନ୍ତି । ଭୋଟ ଭିକ୍ଷା କରିଛନ୍ତି,  ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ପ୍ରତିଶ୍ରୁୂତିର ପାହାଡ଼  ଛିଡ଼ା କରାଇଛନ୍ତି ଭୋଟରଙ୍କ ପାଇଁ । ଭୋଟର କାହାକୁ  ଭରସିବେ, ସେଥିପାଇଁ ମାନସ ମନ୍ଥନ ଚଳାଇଛନ୍ତି ।  

ଶନିବାର (ଜୁନ୍‌ ୧) ଶେଷ ପର୍ଯ୍ୟାୟ ଭୋଟ । ଓଡ଼ିଶାର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ହେବ ଭୋଟ । ଲୋକସଭା ପାଇଁ ମୋଟ ୬୬ଜଣ  ପ୍ରାର୍ଥୀ ଥିବାବେଳେ ବିଧାନସଭା ପାଇଁ ଲଢ଼ୁଛନ୍ତି ୩୯୪  ଜଣ ଯୋଦ୍ଧା । ସାଂସଦ ପ୍ରାର୍ଥୀଙ୍କ ଭିତରେ ୧୧ଜଣ ମହିଳା  ଥିବାବେଳେ ବିଧାୟକ ପ୍ରାର୍ଥୀଙ୍କ ଭିତରେ ୫୮ଜଣ  ମହିଳା । ଚତୁର୍ଥ ପର୍ଯ୍ୟାୟରେ ଲୋକସଭା ପାଇଁ ଶ୍ରୀକାନ୍ତ  ଜେନା, ପ୍ରତାପ ଷଡ଼ଙ୍ଗୀ, ଲେଖାଶ୍ରୀ ସାମନ୍ତସିଂହାର, ବୈଜୟନ୍ତ ପଣ୍ଡା, ଅଂଶୁମାନ ମହାନ୍ତି, ସୁଦାମ ମାର୍ଣ୍ଡିଙ୍କ  ଭଳି ପ୍ରଭାବଶାଳୀ ନେତା ଲଢ଼ୁଛନ୍ତି । ବିଧାନସଭାରେ  ନିରଞ୍ଜନ ପଟ୍ଟନାୟକ, ଅତନୁ ସବ୍ୟସାଚୀ ନାୟକ,  ପ୍ରତାପ କେଶରୀ ଦେବ, ଗଣେଶ୍ୱର ବେହେରା, ପ୍ରଫୁଲ୍ଲ  ସାମଲ, ପ୍ରମିଳା ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ଅରବିନ୍ଦ  ମହାପାତ୍ର, ପ୍ରଭାତୀ ପରିଡ଼ା, ଅରିନ୍ଦମ ରାୟ ପ୍ରମୁଖଙ୍କ  ଆସନ ଉପରେ ସଭିଙ୍କ ନଜର ରହିଛି । 

ଏହି ପର୍ଯ୍ୟାୟରେ ମୋଟ ୯୯ ଲକ୍ଷ ୬୧ ହଜାର  ୫୭ଜଣ ମତଦାତା ଆଗାମୀ ୫ ବର୍ଷ ପାଇଁ ନିଜ ଅଞ୍ଚଳର  ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିରେ ୫୦ ଲକ୍ଷ ୮୮ ହଜାର  ୭୬ଜଣ ପୁରୁଷ ଓ ୪୮ ଲକ୍ଷ ୭୨ ହଜାର ୨୯୪ଜଣ  ମହିଳା ଏବଂ ୬୮୭ଜଣ ତୃତୀୟ ଲିଙ୍ଗ ଭୋଟର । ୧୮- ୧୯ ବର୍ଷ ବୟସ୍କ ମତଦାତାଙ୍କ ସଂଖ୍ୟା ୨.୫୭ ଲକ୍ଷ,  ୨୦-୨୯ ବର୍ଷ ବୟସ୍କ ମତଦାତାଙ୍କ ସଂଖ୍ୟା ୨୦.୫୧  ଲକ୍ଷ । ଶେଷ ପର୍ଯ୍ୟାୟ ପାଇଁ ୧୦ ହଜାର ୫୮୭ଟି ବୁଥ୍‌  ଓ ୨୫ଟି ଅତିରିକ୍ତ ବୁଥ୍‌ ବ୍ୟବସ୍ଥା କରାଯାଇଛି । ୧୪୦୦ରୁ  ଅଧିକ ବୁଥ୍‌ ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା  ପରିଚାଳିତ ହେବ । ଏହି ପର୍ଯ୍ୟାୟରେ ପ୍ରାୟ ୭୨ ହଜାର  ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସକାଳ ୭ଟାରୁ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ହେବ । 

୪୨ଟି ନିର୍ବାଚନମଣ୍ଡଳୀରେ ଭୋଟ ପାଇଁ ମୋଟ ୧୨୫ କମ୍ପାନି ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ  (ସିଏପିଏଫ) ନିୟୋଜିତ ହୋଇଛନ୍ତି । ଅଂଶୁଘାତ  ମୁକାବିଲା ପାଇଁ ପ୍ରତି ପୋଲିଂ ଷ୍ଟେସନରେ ଆବଶ୍ୟକୀୟ ଔଷଧ, ଓଆରଏସ୍‌ ରଖାଯିବ । ବୁଥରେ ପିଇବା ପାଣି, ଶୌଚାଳୟ ଓ ଛାଇ ଆଦି  ସର୍ବନିମ୍ନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି । ବୁଥ୍‌ ଭିତରକୁ କୌଣସି ବୈଦ୍ୟୁତିକ ଉପକରଣ ଯଥା-ମୋବାଇଲ୍‌ ଫୋନ, କ୍ୟାମେରା, ହେଡ୍‌ଫୋନ, ସ୍ମାର୍ଟ ୱାଚ୍‌ ନେବାକୁ ବାରଣ କରାଯାଇଛି ।  

ଏହି ଲୋକସଭା ଆସନ ଭିତରୁ ୨୦୧୯ରେ  ବିଜେଡି ୪ ଓ ବିଜେପି ୨ଟି ଜିତିଥିଲା । ୪୨  ବିଧାନସଭା ଆସନ ଭିତରୁ ବିଜେଡି ୩୪ ଓ ବିଜେପି ୬ଟି ଆସନ ଜିତିଥିଲା ଗତ ଥର । ଏଥର  ଶେଷ ପର୍ଯ୍ୟାୟ ପାଇଁ ତିନି ଦଳ ପୂରା ଦମ୍‌ ଲଗାଇ ଦେଇଛନ୍ତି । ପ୍ରଚାର ଥମିବା ପରେ ଭିତିରିଆ କସରତ ଆରମ୍ଭ ହୋଇଯାଇଛି । ଭୋଟରଙ୍କ ମନ  ଜିତିବାକୁ ସବୁ ପ୍ରକାର ପ୍ରୟାସ ଚାଲିଛି।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.