ଭୁବନେଶ୍ୱର, ୦୩/୦୯ : କଟକର ଜବାହାରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମରେ ୨୦୨୨ରୁ କ୍ରମାନ୍ୱୟୟରେ ଦୁଇ ଥର ବିଡବ୍ଲ୍ୟୁଏଫ୍ ସୁପର-୧୦୦ ଓଡ଼ିଶା ମାଷ୍ଟର୍ସ ବେଶ ସଫଳତାର ସହ ଆୟୋଜିତ ହୋଇଛି । କିନ୍ତୁ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆୟୋଜିତ ହେବ ବୋଲି ଜଣା ପଡ଼ିଛି । ଯଦିଓ ଏ ବିଷୟ କ୍ରୀଡ଼ା ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । ଚଳିତ ବର୍ଷ ଓଡ଼ିଶା ମାଷ୍ଟର୍ସ ଡିସେମ୍ବର ୧୦ରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ । ବିଡବ୍ଲ୍ୟୁଏଫ୍ ସୂଚୀ ଅନୁସାରେ ଏହା କଟକରେ ଆୟୋଜିତ ହେବ ବୋଲି ସୂଚନା ରହିଛି । ମାତ୍ର ଭୁବନେଶ୍ୱରରେ ଅତ୍ୟାଧୁନିକ ବ୍ୟାଡମିଣ୍ଟନ ଷ୍ଟାଡିୟମ ନିର୍ମାଣ ହେବା ପରେ କଟକ ଭେନ୍ୟୁ ପରିବର୍ତ୍ତନ ହେବ । ଏଥର ପୁରସ୍କାର ରାଶି ୧୦୦,୦୦୦ ଡଲାର କରାଯାଇଛି ।
ଚଳିତ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ହୁଏତ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରର ସେ ଉଦ୍ଘାଟନ କରିପାରନ୍ତି । କାରଣ ଷ୍ଟାଡିୟମର କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଯାଇଛି । କେବଳ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କିଛି ବାକି ରହିଛି । ଗତକାଲି ମୁଖ୍ୟ ଶାସନ ସଚିବ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ବିଭିନ୍ନ ଭିତ୍ତିଭୂମି ବୁଲି ଦେଖିଥିଲେ । ବ୍ୟାଡମିଣ୍ଟନ କେନ୍ଦ୍ରରେ ମଧ୍ୟ କାର୍ଯ୍ୟ ତଦାରଖ କରିଥିଲେ । ଗୋଠପାଟଣାରେ ସ୍ପୋର୍ଟ୍ସ ଭ୍ୟାଲି ନିର୍ମାଣ ଏହାର ଶିଳାନ୍ନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇପାରେ । ଗତକାଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଜନା ସ୍ଥଳ ଗସ୍ତ କରି ବୁଲିବା ସହ ଡିଜାଇନ ଦେଖିଥିଲେ । ୧୫୦ ଏକର ଜମିରେ ୧୦୦୦ କୋଟି ଟଙ୍କା ବ୍ୟୟରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ନିର୍ମାଣ ହେବାର ଯୋଜନା ରଖିଛନ୍ତି ରାଜ୍ୟ ସରକାର । ବ୍ୟାଡମିଣ୍ଟନ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପାଇଁ ରାଜ୍ୟ ସରକାର ୩.୦୪ ଏକର ଜାଗା କଳିଙ୍ଗ ଷ୍ଟାଡିୟମରେ ଯୋଗାଇ ଦେଇଛନ୍ତି । ଡାଲମିଆ ଭାରତ ଗ୍ରୁପ୍ ଏହାକୁ ନିର୍ମାଣ କରିଛି ।
ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ୮ଟି ଅନ୍ତର୍ଜାତୀୟ ମାନର ବ୍ୟାଡମିଣ୍ଟନ କୋର୍ଟ ଏବଂ ୫୦୦ ଜଣ ଦର୍ଶକ ବସି ମ୍ୟାଚ୍ ଦେଖିବାର ଗ୍ୟାଲେରୀ ନିର୍ମାଣ ହୋଇଛି । ସେମିତି କାଫେଏରିଆ, ଜିମ୍ନାସିୟମ, ଅତିଥି କକ୍ଷ ପ୍ରଭୃତି ରଖାଯାଇଛି । ପିଲାମାନେ ସେଠାରେ ଦିନ ରାତି ରହିବାର ବ୍ୟବସ୍ଥା ରହିବ । ସେଥିପାଇଁ ପର୍ଯ୍ୟାପ୍ତ କୋଠରୀ ମଧ୍ୟ ରହିଛି । ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ଉଚ୍ଚତା ୨୮ ମିଟରରୁ ଅଧିକ । ଏହାର ନିମ୍ନ ଭାଗରୁ ଚାରି ମହଲା ଉପରେ ବ୍ୟାଡମିଣ୍ଟନ କୋର୍ଟ ନିର୍ମାଣ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦ୍ରର ନିର୍ମାଣ ପାଇଁ ୫୫ କୋଟି ଟଙ୍କାର ବଜେଟ ରହିଥିଲା । କେନ୍ଦ୍ର ପ୍ରତିଷ୍ଠା ପୂର୍ବରୁ ଯେଉଁ ଡିଜାଇନ ପ୍ରସ୍ତୁତ କରାଯାଇଥିଲା, ଶୀର୍ଷ ଭାଗରେ ‘ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀ’ ଲେଖା ରହିଥିଲା । କିନ୍ତୁ ଶୀର୍ଷ ଭାଗର କାର୍ଯ୍ୟ ଶେଷ ପରେ ତାହାର ବିଭିନ୍ନ ପାଶ୍ୱର୍ରେ ‘ସଟଲ, ଡାଲମିଆ ଭାରତ’ ବୋଲି ଲେଖା ହୋଇଛି । ନିକଟରେ ଗୋପୀଚାନ୍ଦ ଓଡ଼ିଶା ଗସ୍ତରେ ଆସି ଷ୍ଟାଡିୟମ ଦେଖିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ ।