ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଡିଆର ରିପୋର୍ଟ: ୪୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ପ୍ରାର୍ଥୀ ଦାଗୀ, ୮ ଜଣଙ୍କ ନାଁରେ ଲାଗିଛି ସଙ୍ଗିନ ଦଫା, ଜଣେ ହତ୍ୟା ଅଭିଯୁକ୍ତ

ଭୁବନେଶ୍ୱର,୧୩/୦୫: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ ସଂସଦୀୟ କ୍ଷେତ୍ର ପାଇଁ ୪୦ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେଥିରୁ ୧୨ ଜଣ ପ୍ରାର୍ଥୀ ଦାଗୀ । ସର୍ବାଧିକ ୪ ଜଣ ପ୍ରାର୍ଥୀ ବିଜେପିର । ବିଜେଡି ଓ କଂଗ୍ରେସରୁ ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି । ୮ ପ୍ରାର୍ଥୀଙ୍କ ନାଁରେ ମାଳମାଳ ସଙ୍ଗିନ ଦଫା ଲାଗିଛି । ସେଥିରୁ ଜଣେ ହତ୍ୟା ଅଭିଯୁକ୍ତ । ୪ ପ୍ରାର୍ଥୀଙ୍କ ନାଁରେ ହତ୍ୟା ଉଦ୍ୟମ ଦଫା ଲାଗିଛି । ମହିଳାଙ୍କୁ ଅସଦାଚରଣ ଭଳି ମାମଲା ୪ ଜଣଙ୍କ ନାଁରେ ଗଡୁଛି । ଏଡିଆର୍‌ (ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ) ରିପୋର୍ଟ ଏହି ଉଦ୍‌ବେଗଜନକ ତଥ୍ୟ ପ୍ରକାଶ କରିଛି ।

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସ୍କା, ବରଗଡ଼, ବଲାଙ୍ଗୀର, କନ୍ଧମାଳ, ସୁନ୍ଦରଗଡ଼ରେ ଆସନ୍ତା ୨୦ରେ ଭୋଟ ପଡି଼ବ । ସବୁ ସାଂସଦୀୟ କ୍ଷେତ୍ର ପାଇଁ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି । ନ୍ୟାସନାଲ ଆପନି ପାର୍ଟି ୩ଟି କ୍ଷେତ୍ର ପାଇଁ ପ୍ରାର୍ଥୀ ଛିଡ଼ା କରିଛି । ୭ଜଣ ସ୍ୱାଧୀନ । ୧୫ ଜଣ ଅନ୍ୟାନ୍ୟ ଦଳରୁ ନିର୍ବାଚନ ଲଢ଼ୁଛନ୍ତି । 

କଂଗ୍ରେସର ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀଙ୍କ ନାଁରେ ସର୍ବାଧିକ ୧୦ଟି ମାମଲା ରହିଛି । ତାଙ୍କ ବିରୋଧରେ ୨୨ଟି ଜଘନ୍ୟ ଦଫା ଲାଗିଛି । ବିସ୍ଫୋରକ ଯୋଗେ ଘର ନଷ୍ଟ କରିବା ସଂକ୍ରାନ୍ତୀୟ ୫ଟି, ଡକାୟତି ଉଦ୍ଦେଶ୍ୟରେ ୩ଟି ସଙ୍ଗୀନ ଦଫା ଲାଗିଛି । ମହିଳାଙ୍କୁ ଅସଦାଚରଣ, ହତ୍ୟା ଉଦ୍ୟମ ଓ ସରକାରୀ ଅଧିକାରୀଙ୍କୁ ଗୁରୁତର ଆଘାତ ଉଦ୍ଦେଶ୍ୟରେ ୨ଟି ଲେଖାଏଁ ସଙ୍ଗୀନ ଦଫା ଲାଗିଛି । 

ବରଗଡ଼ର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନାଁରେ ଅଛି ୮ଟି ମାମଲା । ସେସବୁରେ ୧୧ଟି ସଙ୍ଗୀନ ଦଫା ଲାଗିଛି । ଦଙ୍ଗା ଭିଆଇବା ପାଇଁ ୪ଟି ଦଫା ସହ ହତ୍ୟା ଉଦ୍ୟମ ଓ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ଆଘାତ ଦେବା ଉଦ୍ଦେଶ୍ୟରେ ୨ ଲେଖାଏଁ ମାମଲା ରହିଛି । ସୁନ୍ଦରଗଡ଼ର ବିଜେପି ପ୍ରାର୍ଥୀଙ୍କ ଜୁଏଲ ଓରାମ୍‌ଙ୍କ ନାଁରେ ୩ଟି ମାମଲା ଅଛି । କିନ୍ତୁ ତାଙ୍କ ନାଁରେ ଗୋଟିଏ ବି ସଙ୍ଗୀନ ଦଫା ଲାଗିନି । ବିଜେପିର ବଲାଙ୍ଗୀର ପ୍ରାର୍ଥୀ ସଙ୍ଗୀତା କୁମାର ସିଂ ଦେଓଙ୍କ ନାଁରେ ସମ୍ବଲପୁର ଟାଉନ୍‌ ଥାନାରେ ଗୋଟିଏ ମାମଲା ଗଡୁଛି । 

ନବ ଭାରତ ନିର୍ମାଣ ସେବା ଦଳର ସୁନ୍ଦରଗଡ଼ ପ୍ରାର୍ଥୀ ସନ୍ତୋଷ ଝୁରାଙ୍କ ନାଁରେ ଗୋଟିଏ ହତ୍ୟା ମାମଲା ଗଡୁଛି । ସମ୍ବଲପୁର ବୁର୍ଲା ଥାନାରେ ୨୦୧୫ ମସିହାର ଏହି ମାମଲାରେ ପ୍ରମାଣ ନଷ୍ଟ, ମିଥ୍ୟା ତଥ୍ୟ ଭଳି ଦଫା ବି ଲାଗିଛି । ୨୦୨୩ ମାର୍ଚ୍ଚରୁ ମାମଲାର ଚାର୍ଜଫ୍ରେମ ହୋଇଛି । ମାମଲାଟି ଏବେ ଅଦାଲତରେ ବିଚରାଧୀନ ।

କନ୍ଧମାଳର ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ୪ଟି, ବରଗଡ଼ର ଜାତୀୟ ଅପନି ଦଳର ଦେବିକା ସିକାଙ୍କ ୩ଟି, ଜାତୀୟ ଜନଦଳର କନ୍ଧମାଳ ପ୍ରାର୍ଥୀ ସୁବାଷ ମହାପାତ୍ରଙ୍କ ୩ଟି, ବଲାଙ୍ଗୀର ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ୨ଟି, ସ୍ୱାଧୀନ ପ୍ରାର୍ଥୀ ବଳରାମ ସିଂ ଯାଦବଙ୍କ ୨ଟି ମାମଲା ରହିଛି । ଆସ୍କା ପାଇଁ ଲଢ଼ୁଥିବା ସନାତନ ସଂସ୍କୃତି ରକ୍ଷା ଦଳର ପ୍ରାର୍ଥୀ ପାତବାସ ସାହୁ ଓ ସ୍ୱାଧାନ ପ୍ରାର୍ଥୀ ସଞ୍ଜୟ ବିଶୋୟୀଙ୍କ ନାଁରେ ଗୋଟିଏ ଲେଖାଏଁ ମାମଲା ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.