ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ମିଳିଲାନି ବନ୍ଧୁ ଦେଶର ସମର୍ଥନ । ପାକ ଅଧିକୃତ କାଶ୍ମୀର (POK) ଭାରତର ଅବିଛେଦ୍ୟ ଅଙ୍ଗ ବୋଲି କହିଛି ପାକିସ୍ତାନର ବନ୍ଧୁ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ । ଏଥିପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ମାନଚିତ୍ର ଦେଖାଇ ପାକିସ୍ତାନ କାଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଘୋଷଣା କରିଛି, ଯାହା ପାକିସ୍ତାନ ପାଇଁ ଏକ ଝଟକା ବୋଲି କୁହାଯାଉଛି ।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ୍ ବିନ୍ ଜାଏଦ ଅଲ ନାହିୟାନ୍ ନୂଆଦିଲ୍ଲୀରେ ଅନୁଷ୍ଠିତ ଶିଖର ସମ୍ମିଳନୀର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ଦେଖାଯାଇଛି । କୌତୂହଳର ବିଷୟ ହେଉଛି, ୟୁଏଇର ଉପ-ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ସେୟାର ହୋଇଥିବା ଭିଡିଓରେ ସମଗ୍ର କାଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଦର୍ଶାଯାଇଛି । ଏଥିରେ ପୋକ୍ ଏବଂ ଆକସାଇ ଚିନ୍ ର କିଛି ଅଂଶ ମଧ୍ୟ ସାମିଲ ରହିଛି । ସୂଚନାଥାଉକି, ପିଓକେ (POK) ହେଉଛି ସେହି ଅଂଶ ଯାହା ପାକିସ୍ତାନ ଦ୍ୱାରା ବେଆଇନ ଭାବରେ ଦଖଲ ହୋଇ ରହିଛି ।
ତେବେ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର (POK) ଭାରତର ଏକ ଅଂଶ ବୋଲି ଭାରତ ସବୁବେଳେ ଦାବି କରି ଆସୁଛି । ନିକଟରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ପୋକ୍ ଭାରତର ଏକ ଅଂଶ ଏବଂ ରହିବ । ଅନ୍ୟପକ୍ଷରେ ପାକିସ୍ତାନ ସରକାର କହୁଛନ୍ତି ଯେ ପିଓକେ (POK) ସେମାନଙ୍କର । ଏଭଳି ପରିସ୍ଥିତିରେ ୟୁଏଇ ପରି ଏକ ଇସଲାମିକ ଦେଶରୁ ଭାରତ ପ୍ରତି ସମର୍ଥନ ପାଇବା ଭାରତ ପାଇଁ ଖୁସିର ବିଷୟ ହୋଇଥିବାବେଳେ ପାକିସ୍ତାନ ପାଇଁ ଏହା ଏକ ପ୍ରକାର ଚିନ୍ତାଜନକ ।