ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବହିଃବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ସହ "ପ୍ରମେୟ' ସମ୍ପାଦକଙ୍କ ସାକ୍ଷାତକାର.. 'ଭାରତର ସମ୍ମାନ ଏବେ ଶିଖର ଛୁଇଁଛି'

  • କାନାଡ଼ା ଖଲିସ୍ତାନୀ ଆତଙ୍କବାଦୀଙ୍କର ମୁଖ୍ୟ ଆଡ୍‌ଡା
  • ନିର୍ଦ୍ଦିଷ୍ଟ ବିଦେଶୀ ମିଡିଆ ପକ୍ଷଭୁକ୍ତ ହୋଇ କାମ କରନ୍ତି
  • ଓଡ଼ିଶାରେ କଞ୍ଚାମାଲ ପ୍ରଚୁର, ଉତ୍ପାଦନ ଶିଳ୍ପର ଅଭାବ
  • ଚୀନକୁ ଟକ୍କର ଦେବାପାଇଁ କେବଳ ସୈନ୍ୟବଳ ନୁହଁ, 
  • ଘରୋଇ ଉତ୍ପାଦନ ଶିଳ୍ପକୁ ବି ମଜଭୁତ କରିବା ଜରୁର

ଭାରତର ବିଶେଷତ୍ୱ ହେଉଛି, ଏହାର ବିଦେଶ ନୀତି ଖୁବ୍‌ ସ୍ପଷ୍ଟ । ଭାରତ କୌଣସି ଗୋଷ୍ଠୀରେ ନଥାଏ । ଅନ୍ୟାନ୍ୟ ଦେଶ ସହିତ ଭାରତ ବହୁତ ପରିପକ୍ୱତାର ସହିତ ବ୍ୟବହାର କରେ । ତେଣୁ ସମସ୍ତେ ଜାଣନ୍ତି, ଭାରତ କୌଣସି ଦେଶକୁ କିଛି କହିଲେ ସେ ମନା କରିପାରିବ ନାହିଁ

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ ଉତ୍ତେଜନା, ବିବାଦ, ସଂଘର୍ଷ । ଋଷିଆ-ୟୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହମାସ, ଇସ୍ରାଏଲ-ଗାଜା ଲଢ଼େଇ । ବିଭିନ୍ନ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ³ ଛଦ୍ମଯୁଦ୍ଧ । ସବୁଆଡ଼େ ଭୟ ଓ ଅନିଶ୍ଚିତତାର ବାତାବରଣ । ମୋଟାମୋଟି ଦେଖିଲେ ବିଶ୍ୱ ଏକ ‘ବାରୁଦ ଗଦା’ ଉପରେ ରହିଛି ।

ଏହି ଘଡ଼ିସନ୍ଧି ସମୟରେ ଭାରତକୁ ଦରକାର ଏଭଳି ଜଣେ ନେତା ଯିଏ ଅନୁଭବୀ ହୋଇଥିବେ, ଯାହାଙ୍କ ପ୍ରତି ବିଶ୍ୱ ନେତାମାନଙ୍କର ସମ୍ମାନ ଥିବ, ସେ ପ୍ରଚଣ୍ଡ ଆତ୍ମବିଶ୍ୱାସୀ ହୋଇଥିବେ ଏବଂ ଜନସାଧାରଣଙ୍କ ମନରେ ବିଶ୍ୱାସ ଜନ୍ମାଇବାର ସାମର୍ଥ୍ୟ ଥିବ । ଭାରତରେ ଏବେ ନିର୍ବାଚନ ସମୟ । ଲୋକେ ଏଭଳି ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଜିତାଇ ଆଣିବା ଦରକାର, ଯିଏ କଠିନ ସମୟରେ ଦେଶକୁ ବାଟ କଢ଼ାଇ ଆଗକୁ ନେବେ- ଏହା ଥିଲା ଓଡ଼ିଶା ଗସ୍ତବେଳେ କେନ୍ଦ୍ର ବହିଃବ୍ୟାପାର ମନ୍ତ୍ରୀ ଡ. ସୁବ୍ରମଣ୍ୟମ ଜୟଶଙ୍କରଙ୍କ ବକ୍ତବ୍ୟର ସାରକଥା ।

ଡ. ଜୟଶଙ୍କରଙ୍କ ଏହା ରାଜନୈତିକ ଗସ୍ତ ଥିଲା । କିନ୍ତୁ ସମ୍ପାଦକମାନଙ୍କ ସହିତ ବାର୍ତ୍ତାଳାପ ବେଳେ ସେ ଥରେ ବି ସିଧାସଳଖ ଭାରତୀୟ ଜନତା ପାର୍ଟିର ନାଁ ଧରିନଥିଲେ କିମ୍ବା ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ କ୍ଷମତାକୁ ଅଣାଯାଉ ବୋଲି ଶବ୍ଦ ଉଚ୍ଚାରଣ କରିନଥିଲେ । ଜଣେ ‘କ୍ୟାରିଅର’ କୂଟନୀତିଜ୍ଞ ଭାବରେ ସେ ମାପିଚୁପି କଥା କହୁଥିଲେ ଓ ଉତ୍ତର ରଖୁଥିଲେ ।

ବାର୍ତ୍ତାଳାପ କାଳରେ କିନ୍ତୁ ଜୟଶଙ୍କର ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱ-ବ୍ୟକ୍ତିତ୍ୱ ତଥା ଅନ୍ୟକୁ ପ୍ରଭାବିତ କରିବାର ଅନ୍ତର୍ନିହିତ ଚାତୁରୀ ସମ୍ପର୍କରେ ପ୍ରଗଳ୍‌ଭ ହୋଇଉଠିବା ଦେଖାଯାଇଥିଲା । ସେ କହିଲେ, ପ୍ରଧାନମନ୍ତ୍ରୀ ମୋଦି ବିଗତ ଦଶବର୍ଷର ଶାସନକାଳ ଭିତରେ ନିଜ ବ୍ୟକ୍ତିତ୍ୱକୁ ଏତେ ଉଚ୍ଚକୁ ନେଇଯାଇଛନ୍ତି ଯେ, ସେ ଯେଉଁ ଦେଶର ନେତାଙ୍କୁ ଯାହାବି ଅନୁରୋଧ କରିବେ ତାକୁ କେହି ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ । ଅନ୍ୟମାନେ ଯାହା ଦେଖିପାରନ୍ତି ନାହିଁ ତାହା ମୋଦିଜୀ ସ୍ପଷ୍ଟଭାବେ ଲକ୍ଷ୍ୟ କରିପାରନ୍ତି, ଏହା ନିରାଟ ସତ୍ୟ ।

ଗତ ଶନିବାର ‘ପ୍ରମେୟ’ର ସମ୍ପାଦକ ଭାବେ ମୁଁ ଜୟଶଙ୍କରଙ୍କ ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି ।  ପରଦିନ ସକାଳେ ତାଙ୍କ ସହିତ ମୋତେ ସାକ୍ଷାତକାରର ସୁଯୋଗ ମିଳିଥିଲା । ଏହି ଲେଖାଟିର ପ୍ରତ୍ୟେକ କଥା ସେହି ଦୁଇ ପର୍ଯ୍ୟାୟର ବାର୍ତ୍ତାଳାପ ଉପରେ ପର୍ଯ୍ୟବସିତ । 

କାନାଡ଼ା ସହିତ ତିକ୍ତତା:

– କାନାଡ଼ା ସହିତ ଆମର ସମ୍ପର୍କ ବିଗିଡ଼ି ନାହିଁ । ଖଲିସ୍ତାନୀ ଆତଙ୍କବାଦୀମାନଙ୍କର ଏକ ବଡ଼ ସଙ୍ଗଠନ ଭାରତରେ ବିଚ୍ଛିନ୍ନତାବାଦ ଖେଳାଇବା ପାଇଁ କାନାଡ଼ାକୁ ଏକ ‘ବେସ୍‌’ ବା ଆଡ୍ଡା ଭାବରେ ବ୍ୟବହାର କରୁଛି । ଆମେ କାନାଡ଼ାକୁ କହିଛୁ ଯେଉଁ ଭାରତବିରୋଧୀ ଆତଙ୍କବାଦୀମାନେ କାନାଡ଼ାରେ ଏସବୁ କାର୍ଯ୍ୟରେ ମାତିଛନ୍ତି, ସେମାନଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଉ । କାନାଡ଼ା ସରକାରଙ୍କୁ ଖଲିସ୍ତାନୀ ଆତଙ୍କବାଦୀମାନଙ୍କ କାର୍ଯ୍ୟ ସମ୍ପର୍କରେ ଜଣାଅଛି । ନାମ, ଠିକଣା ସବୁ ଜାଣନ୍ତି, କିନ୍ତୁ ଆମକୁ ତଥ୍ୟ ଦେବାକୁ ବା ପ୍ରତ୍ୟର୍ପଣ କରିବାକୁ ରାଜି ନୁହନ୍ତି ।

ଡ. ଜୟଶଙ୍କର କହିଲେ- କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜେ ଦୁର୍ବଳ ସ୍ଥିତିରେ ଅଛନ୍ତି । ତେଣୁ ‘ଭୋଟବ୍ୟାଙ୍କ ପଲିଟିକ୍ସ’ ଖେଳୁଛନ୍ତି । ତାଙ୍କ ସରକାର ସଂଖ୍ୟାଲଘୁ । କ୍ଷମତାରେ ରହିବାକୁ ହେଲେ ଅନ୍ୟ ଦଳଗୁଡ଼ିକର ସମର୍ଥନ ଦରକାର । ସେଠାରେ ସବୁ ଦଳମାନଙ୍କର ଖୁବ୍‌ ଭଲ ସମ୍ପର୍କ ଖଲିସ୍ତାନୀ ବିଚାରଧାରାର ଲୋକଙ୍କ ସହିତ । ଏମାନଙ୍କ ସଂଖ୍ୟା ବହୁତ ବେଶୀ ଓ ବେଶ୍‌ ସଙ୍ଗଠିତ, ତେଣୁ ଏମାନଙ୍କ ବିରୋଧରେ ଯିବାକୁ କାହାର ସାହସ ନାହିଁ ।

ଜୟଶଙ୍କର କହିଲେ, ଭାରତରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଚଲାଇଥିବା ଅନେକ ଲୋକ କାନାଡ଼ାରେ ଆଇନଗତ ସୁରକ୍ଷା ପାଇ ଆରାମରେ ଅଛନ୍ତି । ଅନ୍ୟୁନ ୨୫ଜଣ କଟ୍ଟର ଆତଙ୍କବାଦୀଙ୍କ ତାଲିକା ଆମେ କାନାଡ଼ା ସରକାରଙ୍କୁ ଦେଇଛୁ । ତାହା ବି ତଥ୍ୟ ପ୍ରମାଣ ସହ । କିନ୍ତୁ କାନାଡ଼ା ସେମାନଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନାରାଜ । କାନାଡ଼ାରେ ଖଲିସ୍ତାନ ବିଚାରଧାରାର ଲୋକେ ଖୁବ୍‌ ପ୍ରଭାବଶାଳୀ ।  ଏମାନଙ୍କର ଅନେକ ଗ୍ୟାଙ୍ଗ ଅଛି । ‘ଅଣ୍ଡରଗ୍ରାଉଣ୍ଡ’ କାର୍ଯ୍ୟକଳାପ, ଗ୍ୟାଙ୍ଗୱାର ନିର୍ବିଘ୍ନରେ ଚାଲେ । କୌଣସି ରୋକ୍‌ ନାହିଁ । ସେମାନଙ୍କ ଭିତରେ କିଛି ଘଟିଲେ କାନାଡ଼ା ଭାରତ ଉପରକୁ ସହଜରେ ଦୋଷ ଠେଲିଦିଏ । ନିଜ୍ଜାର ଘଟଣାରେ ଏହା ହିଁ ଘଟିଛି । କାନାଡ଼ା ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତକୁ ଦାୟୀ କରିଛି । ଅଳ୍ପଦିନ ତଳେ ତିନିଜଣ ଭାରତୀୟ ନାଗରିକଙ୍କୁ ଗିରଫ କରି ସେମାନେ ନିଜ୍ଜାରଙ୍କ ହତ୍ୟାକାରୀ ବୋଲି ଦେଖାଉଛି । ଆମେ କହୁଛୁ, ଠିକ୍‌ ଅଛି, ଯଦି ଏହାର ପ୍ରମାଣ ଅଛି ଆମକୁ ଦିଅ । ସେମାନେ ତାହା ଦେବାକୁ ପ୍ରସ୍ତୁତ ନୁହଁନ୍ତି । ଏହାର ମାନେ କ’ଣ?

ଚୀନର ଅନୁପ୍ରବେଶ: ଭାରତର ଜବାବ କ’ଣ?

– ୧୯୮୮ରୁ ୨୦୧୨ ମସିହା ଭିତରେ ଚୀନ ସହିତ ଭାରତର ୬ଟି ବୁଝାମଣା ସ୍ୱାକ୍ଷର ହୋଇଛି । ଏଥିରେ ସର୍ତ୍ତ ଅଛି, ଭାରତ ଓ ଚୀନ ନିଜ ସୀମାରେ (ଏଲଏସି ନିକଟରେ) ସର୍ବାଧିକ ୫୦୦୦ ସୈନ୍ୟ ମୁତୟନ କରିପାରିବେ । ଉଭୟ ସେନା ନିଜ କ୍ୟାମ୍ପରେ କେତେ ମାତ୍ରାରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ରଖିପାରିବେ, କେତେବାଟ ପାଟ୍ରୋଲିଂ କରିବେ ତାହା ନିର୍ଦ୍ଧାରଣ କରାଯାଇଛି । ନିୟମ ଅଛି, ଉଭୟ ପଟ ସୈନ୍ୟ ନିଜ କ୍ୟାମ୍ପରୁ ବାହାରି ଯତ୍‌ସାମାନ୍ୟ ଅସ୍ତ୍ରଶସ୍ତ୍ର ସହିତ ନିର୍ଦ୍ଦିଷ୍ଟ ଇଲାକାରେ ପାଟ୍ରୋଲିଂ କରିବେ, ପୁଣି କ୍ୟାମ୍ପକୁ ଫେରିଯିବେ । ମୁହାଁମୁହିଁ ହେବେନାହାିଁ । ଯଦି କାହାରି ସୈନ୍ୟ ସଂଖ୍ୟା ବଢ଼଼ାଇବାର ଥିବ ସେ ଅପରପକ୍ଷକୁ ଆଗୁଆ ଜଣାଇବ । ସୀମାନ୍ତ ବା ଏଲ୍‌.ଏ.ସି ନିଟକକୁ ତ ଆଦୌ ଆସିବେ ନାହିଁ । କିନ୍ତୁ ଚୀନ ଏହାର ବ୍ୟତିକ୍ରମ କରିଆସିଛି । ୨୦୨୦ ଜୁନ୍‌ର କଥା । ଚୀନ ସେତେବେଳେ ପ୍ରଥମ କୋଭିଡ ଲହରୀରୁ ମୁକୁଳି ସାରିଥିଲା, କିନ୍ତୁ ଭାରତରେ କୋଭିଡ ପରିସ୍ଥିତି ଭୟାନକ ଥିଲା । ସେଇ ସୁଯୋଗରେ ଚୀନ ହଠାତ୍‌ ତାର ସେନାକୁ ଲଦାଖ ଭିତରକୁ ନେଇଆସିଲା । ଜବାବରେ ଭାରତ ମଧ୍ୟ ସୀମାକୁ ସୈନ୍ୟ ପଠାଇବାକୁ ବାଧ୍ୟ ହେଲା । ଗଲୱାନ ଘଟଣା ସେହିଭଳି ପରିସ୍ଥିତିରୁ ଜନ୍ମ ନେଇଥିଲା । ଦୁଇପକ୍ଷ ମଧ୍ୟରେ ସଂଘର୍ଷ ହେଲା । କିଛି ଜୀବନ ଗଲା, କିନ୍ତୁ ଚୀନ ସୈନ୍ୟ ପଛକୁ ଫେରିଲେ ।

ବର୍ତ୍ତମାନ ସ୍ଥିତି ହେଲା, କେତେକ ସ୍ଥାନରେ ଚୀନ ଆମର ପାଟ୍ରୋଲିଂକୁ ରୋକିଦେଇଛି । କେତେକ ସ୍ଥାନରେ ଆମେ ବି ଚୀନକୁ ପାଟ୍ରୋଲିଂ କରାଇ ଦେଉନାହୁଁ । କଥାବାର୍ତ୍ତା ପରେ ଏହାର ସମାଧାନ ବାହାରିବ । ଭାରତର ନୀତି ହେଉଛି- ଚୀନ ଯଦି ପାଦେ ଆଗେଇଲା, ଆମେ ବି ପାଦେ ଆଗେଇବୁ । ଚୀନ କହୁଛି, ଭାରତ-ଚୀନ ମଧ୍ୟରେ ଯେତେ ସବୁ ପ୍ରସଙ୍ଗ ରହିଛି ତା’ ଭିତରୁ ସୀମା ପ୍ରସଙ୍ଗକୁ ଅଲଗା ରଖି ବାକି ବିବାଦ ଉପରେ ଦ୍ୱିପାକ୍ଷିକ ସମାଧାନ ବାହାର କରାଯାଉ । ଭାରତ କହୁଛି- ପ୍ରଶ୍ନ ଉଠୁନି । ସୀମା ପ୍ରସଙ୍ଗକୁ ବାଦ୍‌ ଦେଇ ଅନ୍ୟ ପ୍ରସଙ୍ଗ ଉପରେ ବୁଝାମଣା ହେବନାହିଁ । ଅଧା ସମ୍ପର୍କ ଖରାପ ରହିବ, ଅଧା ସମ୍ପର୍କ ଭଲ ହେବ, ଏହା କିପରି ସମ୍ଭବ?

ଭାରତ କଥା କେହି ଟାଳନ୍ତି ନାହିଁ:

ବିଶ୍ୱରେ ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମାଧାନରେ ଭାରତର ଭୂମିକା କ’ଣ?

- ଏ ପ୍ରଶ୍ନର ଉତ୍ତରରେ ବହିଃବ୍ୟାପାର ମନ୍ତ୍ରୀ କହିଲେ, ଭାରତ ଏପର୍ଯ୍ୟନ୍ତ କୌଣସି ବିଶ୍ୱ ପ୍ରସଙ୍ଗରେ ସିଧାସଳଖ ମଧ୍ୟସ୍ଥତା କରିନାହିଁ । କିନ୍ତୁ ଏହି ପ୍ରକ୍ରିୟାରେ ଅନ୍ୟ ଦେଶମାନଙ୍କ ସହିତ ସାମିଲ ହୋଇଛି ଏବଂ ଯେଉଁଠି ଆବଶ୍ୟକ ସେଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉଦ୍ୟମ କରି ସଫଳ ହୋଇଛନ୍ତି । ୟୁକ୍ରେନ ଏକ ବୃହତ୍‌ ଗହମ ଉତ୍ପାଦନକାରୀ ଦେଶ । ଏହି ଦେଶ ସାରା ବିଶ୍ୱକୁ ରାସାୟନିକ ସାର ମଧ୍ୟ ଯୋଗାଏ । ରୁଷ ସହିତ ଯୁଦ୍ଧ ଲାଗିବା ଭିତରେ ୟୁକ୍ରେନରୁ ଗହମ ରପ୍ତାନି ବାଧା ପାଇଲା । ଭାରତ ସମେତ ଅନେକ ଦେଶରେ ଗହମ ଦର ବଢ଼ିଲା । ଗହମ କିଣୁଥିବା ଦେଶଗୁଡ଼ିକ ବ୍ୟସ୍ତ ହେଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରାଗଲା । ମୋଦିଜୀ ଅନ୍ୟ କେତେକ ବିଶ୍ୱନେତାଙ୍କ ସହିତ ମିଶି ଋଷ ଉପରେ ଚାପ ପକାଇଲେ । ଯୁଦ୍ଧ ଅଟକିଲା । ଗହମ ଓ ସାର ୟୁକ୍ରେନରୁ ବାହାରକୁ ଗଲା । ରୁଷିଆର ବୋମାମାଡ଼ରେ ୟୁକ୍ରେନର ପରମାଣୁ ରିଆକ୍ଟର ଯଦି ନଷ୍ଟ ହୋଇଥାନ୍ତା, ତା’ର ପ୍ରଭାବ ସାରା ବିଶ୍ୱ ଭୋଗିଥାନ୍ତା । ତେଣୁ ୟୁକ୍ରେନର ପ୍ରେସିଡେଣ୍ଟ ଭାରତକୁ ଅନୁରୋଧ କଲେ ରୁଷିଆକୁ ଏଥିରୁ ନିବୃତ୍ତ ରହିବା ପାଇଁ । ମୋଦିଜୀ ରାଷ୍ଟ୍ରପତି ପୁଟିନଙ୍କୁ କହିବା ପରେ ୟୁକ୍ରେନର ରିଆକ୍ଟର ବର୍ତ୍ତିଗଲା ।

ଭାରତର ବିଶେଷତ୍ୱ ହେଉଛି, ଏହାର ବିଦେଶ ନୀତି ଖୁବ୍‌ ସ୍ପଷ୍ଟ । ଭାରତ କୌଣସି ଗୋଷ୍ଠୀରେ ନଥାଏ । ଅନ୍ୟାନ୍ୟ ଦେଶ ସହିତ ଭାରତ ବହୁତ ପରିପକ୍ୱତାର ସହିତ ବ୍ୟବହାର କରେ । ତେଣୁ ସମସ୍ତେ ଜାଣନ୍ତି, ମୋଦିଜୀ କୌଣସି ଦେଶକୁ କିଛି କହିଲେ ସେ ମନା କରିପାରିବ ନାହିଁ ।

ଭାରତର ଭାବମୂର୍ତ୍ତି ବଢ଼େଇବା ପାଇଁ ବିଦେଶୀ ମିଡିଆ ସହ ସୁସମ୍ପର୍କ ଜରୁରି କି?

- ହଁ, ଏହା ହେବା ଦରକାର । କିନ୍ତୁ, ଅଧିକାଂଶ ବିଦେଶୀ ମିଡିଆ ପକ୍ଷଭୁକ୍ତ । ସେମାନେ ସିଧାସଳଖ ଅମୁକ ଦଳକୁ କିମ୍ବା ପ୍ରାର୍ଥୀଙ୍କୁ ସମର୍ଥନ କରାଯିବା ଦରକାର ବୋଲି ମତ ଦେଇଥାନ୍ତି । ମୁଁ ମାନୁଛି, ଗଠନମୂଳକ ମନ୍ତବ୍ୟ ଦେବା ମିଡିଆର ଏକ ଦାୟିତ୍ୱ । କିନ୍ତୁ କୌଣସି ପକ୍ଷଭୁକ୍ତ ହୋଇ ନୁହେଁ । ଗତ ୨ମାସ ହେବ ମୁଁ ଲକ୍ଷ୍ୟ କରୁଛି କିଛି ବିଦେଶୀ ମିଡିଆରେ ଭାରତର ନିର୍ବାଚନ କମିଶନଙ୍କ କାର୍ଯ୍ୟକଳାପ ଉପରେ ଅନୁଚିତ୍‌ ଟିପ୍ପଣୀ ଦିଆଯାଉଛି । ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଉଛି । ଏପରିକି, ପ୍ରଚଣ୍ଡ ଖରା ସମୟରେ ନିର୍ବାଚନ କାହିଁକି କରାଯାଉଛି ବୋଲି ମଧ୍ୟ ପ୍ରଶ୍ନ ଉଠାଯାଉଛି । ଅକାରଣ ସମାଲୋଚନା କରି ମନୋବଳ ଭାଙ୍ଗିବା ସେମାନଙ୍କର ଏକ ଏଜେଣ୍ଡା । ପ୍ରକୃତରେ ମୁଁ ଯେତେବେଳେ ବିଭିନ୍ନ ବିକଶିତ, ଧନୀ ଦେଶମାନଙ୍କର ନ୍ୟାୟବ୍ୟବସ୍ଥା, ଗଣତାନ୍ତ୍ରିକ ପଦ୍ଧତି ଓ ନିର୍ବାଚନ ପ୍ରକ୍ରିୟା ଲକ୍ଷ୍ୟ କରେ ମୋତେ ନିଜ ଦେଶ ଉପରେ ଗର୍ବ ଆସେ । ବିକଶିତ ଦେଶମାନଙ୍କରେ ନିର୍ବାଚନରେ ଭୋଟଦାନ ହାର ଅତି କମ୍‌ । ଅଥଚ ଭାରତ, ଯାହାର ଜିଡିପି ୩ହଜାର ଡଲାରଠାରୁ ବି କମ୍‌, ଏଠି ସବୁ ନିର୍ବାଚନରେ ୬୫/୭୦ ଭାଗ ଭୋଟ ପଡ଼ିଥାଏ । ଏହା ଛୋଟ କଥା ନୁହେଁ । ଭାରତ ଗଣତନ୍ତ୍ରର ପରୀକ୍ଷାଗାର, ଏଥିରେ ଦ୍ୱିମତ ନାହିଁ ।

ପଡ଼ୋଶୀଙ୍କ ସହ ସମ୍ପର୍କରେ ତିକ୍ତ-ମଧୁର ରହେ

- ପଡ଼ୋଶୀ ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କ ବିଗିଡ଼ି ଯାଇଛି ବୋଲି କୁହାଯାଉଛି, କିନ୍ତୁ ଏକଥା ସତ ନୁହେଁ । ପାକିସ୍ତାନ ଓ ଚୀନକୁ ଅଲଗା କ୍ୟାଟେଗୋରିରେ ଆମେ ରଖିଛୁ । ବାକି ସବୁ ପଡ଼ୋଶୀ ଦେଶ ସହିତ ସମ୍ପର୍କ ଠିକ୍‌ଠାକ୍‌ ଅଛି । ମୁଁ କହୁନି ସମ୍ପର୍କ ସବୁବେଳେ ଭଲ ରହିବ । ତଳ-ଉପର ସବୁବେଳେ ରହେ । କିନ୍ତୁ ସବୁ ସୁଧୁରିଯାଏ । ନେପାଳ କଥା ବାରମ୍ବାର ଉଠୁଛି । ନେପାଳ ଭାରତକୁ ୧୦ହଜାର ମେଗାୱାଟ୍‌ ଜଳ ବିଦ୍ୟୁତ୍‌ ଯୋଗାଇବା ଲାଗି ବୁଝାମଣା ସ୍ୱାକ୍ଷର କରିସାରିଲାଣି । ବହୁତ ବର୍ଷ ହେଲା ଭାରତ ନେପାଳରୁ ବିଜୁଳି ଶକ୍ତି ଆମଦାନୀ କରିବାକୁ ଉଦ୍ୟମ କରିଆସୁଥିଲା । ମୋଦିଙ୍କ ଅମଳରେ ତାହା ସଫଳ ହେଲା । ୧୫ବର୍ଷ ତଳର କଥା- ନେପାଳର ଜନସାଧାରଣ ଭାରତକୁ କୌଣସି ଦ୍ରବ୍ୟ ରପ୍ତାନିକୁ ବିରୋଧ କରୁଥିଲେ । କହୁଥିଲେ, ଭାରତଠାରୁ ଆମେ କିଛି ଆଣୁନାହୁଁ ତ ତାକୁ କାହିଁକି ଆମ ପ୍ରାକୃତିକ ସମ୍ପଦରୁ ଭାଗ ଦେବୁ । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମ ଯୋଗୁଁ ସ୍ଥିତି ବଦଳି ଯାଇଛି ।

କାହିଁ କେଉଁ କାଳରୁ ବାଂଲାଦେଶ ଆତଙ୍କବାଦ ଦ୍ୱାରା ସମ୍ପୂର୍ଣ୍ଣ କବଳିତ ଥିଲା । ସେହି ମାଟିରୁ ଭାରତ ଉପରେ ଗୁପ୍ତ ଆକ୍ରମଣ ହେଉଥିଲା । ବାଂଲାଦେଶୀ ଆତଙ୍କବାଦୀମାନେ ଆସି ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିଲେ । କିନ୍ତୁ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଓ ବାଂଲାଦେଶ ରାଷ୍ଟ୍ରମୁଖ୍ୟ ଶେଖ ହାସିନାଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ବୁଝାମଣା ସ୍ୱାକ୍ଷର ହେଲା । ସେବେଠାରୁ ଆତଙ୍କବାଦ ବନ୍ଦ୍‌ ।

ଭାରତ ହେଉଛି ପେଟ୍ରୋଲ ଓ ଡିଜେଲର ସବୁଠୁ ବଡ଼ ଆମଦାନୀକାରୀ ଦେଶ । ଆମେ ଏଠୁ ନେପାଳ ଓ ବାଂଲାଦେଶକୁ ପାଇପ୍‌ ଲାଇନ୍‌ ଯୋଗେ ପେଟ୍ରୋଲ ଓ ଡିଜେଲ ଯୋଗାଉଛୁ । ଯେଉଁ କାରଣରୁ ସେ ଦେଶରେ ପେଟ୍ରୋଲ, ଡିଜେଲ ଦର କମିଯାଇଛି । ଲୋକେ ଖୁସି, ତେଣୁ ଆଉ ବିରୋଧଭାବ ନାହିଁ ।

ଶ୍ରୀଲଙ୍କା ଯେତେବେଳେ ଭୀଷଣ ଆର୍ଥିକ ସଙ୍କଟରେ ଥିଲା, କୌଣସି ଦେଶ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ । ଭାରତ ଆଗେଇ ଆସିଲା । ଆମ ସହାୟତା ଯୋଗୁଁ ଶ୍ରୀଲଙ୍କା ଅର୍ଥନୀତିରେ ସ୍ଥିରତା ଆସିପାରିଛି । ଭାରତ ସମ୍ପର୍କରେ ଯଦି କିଛି ଭଲ ଶୁଣିବାକୁ ଚାହାଁନ୍ତି, ତେବେ ଶ୍ରୀଲଙ୍କା ଯାଇ ସେଠାକାର ଲୋକଙ୍କୁ ପଚାରନ୍ତୁ, ସେମାନେ କହିବେ ।

ମାଳଦ୍ୱୀପ ପ୍ରସଙ୍ଗ ପଡ଼ିବା ମାତ୍ରେ ଜୟଶଙ୍କରଙ୍କ କଣ୍ଠ ସାମାନ୍ୟ ଶାଣିତ ହୋଇଉଠିଥିଲା । ସେ କହିଲେ, ମାଳଦ୍ୱୀପ କଥା ଚର୍ଚ୍ଚା ହେଉଛି । କିନ୍ତୁ ମନେପକାନ୍ତୁ, କାହା ସମୟରେ ମାଳଦ୍ୱୀପ ସରକାର ଭାରତୀୟ କମ୍ପାନୀମାନଙ୍କୁ ବିମାନବନ୍ଦରରୁ ବିଦା କରିଦେଇଥିଲା । ଉତ୍ତର ହେଉଛି- ୟୁପିଏ ସରକାର ଅମଳରେ । ସେହି ୟୁପିଏ ଅମଳରେ ହିଁ ବାଂଲାଦେଶ, ଶ୍ରୀଲଙ୍କାରେ ଆତଙ୍କବାଦ ଚରମ ରୂପ ନେଇଥିଲା । ମୁଁ କହୁନି, ୟୁପିଏର ସବୁ ଖରାପ ଓ ଏନଡିଏର ସବୁଗୁଡ଼ିକ ଭଲ । ତେବେ ତୁଳନାତ୍ମକ ଭାବେ ଦେଖିଲେ, ପଡ଼ୋଶୀମାନଙ୍କ ସହିତ ସମ୍ପର୍କ ବର୍ତ୍ତମାନର ଏନଡିଏ ସରକାର ଅମଳରେ ବେଶ୍‌ ଭଲ ରହିଛି । 

ଜଳବାୟୁ ଚିନ୍ତା:

ଗତ ଦଶବର୍ଷ ଭିତରେ ଜଳବାୟୁ ସମ୍ବନ୍ଧିତ ସବୁ ଚମତ୍କାର ଚିନ୍ତା ଭାରତରୁ ହିଁ ଜନ୍ମ ନେଇଛି । ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ, ଡିଜାଷ୍ଟର ରେଜିଲିଏନସ ଇନ୍‌ଫ୍ରାଷ୍ଟ୍ରକଚର କିମ୍ବା ‘ୱାନ୍‌ ସନ୍‌ ୱାନ ୱାଲ୍‌ଡ ୱାନ୍‌ ଗ୍ରିଡ’ ଭଳି ବିଚାରଧାରାଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦି ହିଁ ବିଶ୍ୱ ସମୁଦାୟକୁ ଦେଇଛନ୍ତି ।

ଏନଡିଏ ନଥିବା ସମୟ ‘ନଷ୍ଟ’ ସମୟ

୪ ବିଲିୟନ ଡଲାର ଅର୍ଥନୀତିବିଶିଷ୍ଟ ଭାରତ ଏବେ ବିଶ୍ୱରେ ପଞ୍ଚମ ବୃହତ ଅର୍ଥଶକ୍ତି । ନରେନ୍ଦ୍ର ମୋଦି କହୁଛନ୍ତି, ତାଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ସୁଯୋଗ ଦିଆଗଲେ ଦେଶର ତୃତୀୟ ବୃହତ୍‌ ଅର୍ଥଶକ୍ତି ଭାବେ ଭାରତ ଉଭା ହେବ । ଏହା କିଭଳି ସମ୍ଭବ? ୧୪ ବିଲିୟନ୍‌ ଡଲାର ଅର୍ଥନୀତିସମ୍ପନ୍ନ ଚୀନ ସହିତ ଏତେ ବିଶାଳ ତାରତମ୍ୟକୁ ଭାରତ କମାଇବା ଅସମ୍ଭବ ନୁହେଁ କି?

- ଜୟଶଙ୍କରଙ୍କ ଉତ୍ତର ଏହି ପ୍ରଶ୍ନ ଉପରେ ଖୁବ୍‌ ସ୍ପଷ୍ଟ ଓ କଠୋର ଥିଲା । ହଁ, କିଛିଟା ରାଜନୀତିକ ପ୍ରଲେପ ମଧ୍ୟ ଥିଲା ଶବ୍ଦ ଉଚ୍ଚାରଣରେ । 

ଜୟଶଙ୍କର କହିଲେ, ଯେପର୍ଯ୍ୟନ୍ତ ଏନ୍‌ଡିଏ ଶାସନ କ୍ଷମତାକୁ ଆସିନଥିଲା, ମୁଁ କହିବି- ସେହି ସମୟତକ ଭାରତ ପାଇଁ ‘ନଷ୍ଟ’ ସମୟ (Lost Years) ଅର୍ଥାତ୍‌ ସେ ସମୟର ଅସ୍ତିତ୍ୱ ନାହିଁ ।

ଚୀନ ସହିତ ଆର୍ଥିକ ତାରତମ୍ୟକୁ ହ୍ରାସ କରିବା ଲାଗି ଏନଡିଏର ଯୋଜନା କ’ଣ ଜାଣିଥାନ୍ତୁ । ଚୀନର ଅର୍ଥଶକ୍ତି ମଜଭୁତ ହେବାର ରହସ୍ୟ ହେଉଛି ଯେ, ସେ ଦେଶରେ ଉତ୍ପାଦନ ଶିଳ୍ପକୁ ମଜଭୁତ କରାଯାଇପାରିଛି । ୨୦୧୪ ମସିହାଯାଏଁ ଭାରତର କୌଣସି ସରକାର ଉତ୍ପାଦନ ବା ବିନିର୍ମାଣ ଶିଳ୍ପ ଉପରେ ଗୁରୁତ୍ୱ ଦେଇନଥିଲେ । ସେପଟେ, ଚୀନ ତାର ବିନିର୍ମାଣ କ୍ଷେତ୍ରକୁ ମଜଭୁତ କରି ଅନ୍ୟ ଦେଶଗୁଡ଼ିକୁ ଟପି ବିଶ୍ୱର ଶ୍ରେଷ୍ଠ ଅର୍ଥନୀତି ରୂପେ ଉଭା ହେଲା । ଭାରତର ସବୁ ପ୍ରାଚୁର୍ଯ୍ୟ ଥାଇ ବହୁ ପଛରେ ରହିଛି । ଯଦି ଭାରତ ତାର ଉତ୍ପାଦନ ଶିଳ୍ପକୁ ମଜଭୁତ କରି ପ୍ରାକୃତିକ ପ୍ରାଚୁର୍ଯ୍ୟର ସଦ୍‌ବିନିଯୋଗ କରିବ, ତା’ହେଲେ ଅର୍ଥନୀତିକୁ ଊଦ୍ଧ୍ୱର୍ଗାମୀ ହେବାରୁ କେହି ରୋକିପାରିବେ ନାହିଁ । ରାହୁଲ ଗାନ୍ଧି ଓ ରଘୁରାମ ରାଜନ ଭାରତରେ ମେନ୍ୟୁଫେକ୍‌ଚରିଂ ଶିଳ୍ପ ପ୍ରସାର ସମ୍ଭବ ନୁହେଁ ବୋଲି ଆଜି ବି କହୁଛନ୍ତି । ଯଦି ମେନୁଫେକ୍‌ଚରିଂ ଶିଳ୍ପର ବିକାଶ ଉପରେ ଆମେ ବିଶ୍ୱାସ ନରଖିବା, ତେବେ ଦେଶକୁ ନୂଆ ଟେକ୍ନୋଲୋଜି ଆସିବ କେଉଁଠୁ? କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ କେମିତି? କ’ଣ ଏବେ ଓଡ଼ିଶାର ଅବସ୍ଥା? ପ୍ରାକୃତିକ ସମ୍ପଦ ଭରପୂର, ଅଥଚ ଉତ୍ପାଦନ ଶିଳ୍ପ ଶୂନ । ଏଭଳି ପ୍ରାକୃତିକ ପ୍ରାଚୁର୍ଯ୍ୟ ଥାଇ କେତେ, ନଥାଇ କେତେ?

ଓଡ଼ିଶା ଯଦି ସମୟ ଓ ପ୍ରାକୃତିକ ସମ୍ପଦର ଲାଭ ଉଠାଇବା ଉଚିତ୍‌ ବୋଲି ଆପଣମାନେ ଚାହାଁନ୍ତି, ତେବେ କେଉଁଭଳି ସରକାର ଗଢ଼ିବା ଦରକାର ତାହା ବୁଝାଇବାକୁ ପଡ଼ିବନାହିଁ । 

ମନ୍ତ୍ରୀ ଜୟଶଙ୍କର ସ୍ମିତ ହସି ଏତିକି କହିଲେ ଓ ନିଜ ଆସନରୁ ଉଠି ଠିଆହେଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.