ନୂଆଦିଲ୍ଲୀ,୧୯।୬: ଜମ୍ମୁ-କଶ୍ମୀରର ରିୟାସି ସେକ୍ଟରରେ ଗତ କିଛି ଦିନ ହେବ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣକୁ ଗିରଫ କରାଯାଇଛି। ବୁଧବାର ଜମ୍ମୁ ଓ କାଶ୍ମୀର ପୋଲିସ ଅଭିଯୁକ୍ତ ହକିମ୍କୁ ଗିରଫ କରିଛି। ହକିମ୍ ଉପରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବାର ଅଭିଯୋଗ ରହିଛି। ରିୟାସୀ ଆତଙ୍କବାଦୀ ଆକ୍ରମଣରେ ଏହା ପ୍ରଥମ ଗିରଫଦାରୀ। ରିୟାସିର ବରିଷ୍ଠ ପୋଲିସ ଅଧିକ୍ଷକ ମୋହିତ ଶର୍ମା କହିଛନ୍ତି, ରିୟାସି ଆତଙ୍କବାଦୀ ଆକ୍ରମଣରେ ଜଣେ ବ୍ୟକ୍ତିକୁ ଔପଚାରିକ ରୂପରେ ଗିରଫ କରାଯାଇଛି। ସେ ମାଷ୍ଟର ମାଇଣ୍ଡ ନୁହେଁ, କିନ୍ତୁ ଆକ୍ରମଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।’
ପୋଲିସର କହିବା ଅନୁସାରେ, ଅଭଯୁକ୍ତ ହକିମ୍ ଦିନ୍ ରାଜୌରିରେ ରୁହେ। ତା ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀ ରସୟ ମୁହେୟା କରିବାର ଅଭିଯୋଗ ରହିଛି। ୯ ଜୁନ୍ରେ ଶିବ ଖୋଡିରୁ ରିୟାସି ଜିଲ୍ଲାର କଟରା ଯାଉଥିବା ତୀର୍ଥଯାତ୍ରୀଙ୍କ ବସ୍ରେ ପୌନି ଅଞ୍ଚଳର ତେରୟାଥ୍ ଗାଁରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା, ଏଥିରେ ୯ ଜଣଙ୍କର ଜୀବନ ଯାଇଥିଲା ଓ ୩୩ ଅନ୍ୟ ଆାହତ ହୋଇଥିଲେ। ଆତଙ୍କବାଦୀମାନେ ଜଙ୍ଗଲ ପଛରେ ଲୁଚି ବସ୍ ଉପରେ ଆକ୍ରମଣ କରିଥିଲେ, ଯାହାଫଳରେ ଡ୍ରାଇଭର ଭୟଭୀତ ହୋଇଯାଇଥିଲେ ଓ ବସ୍ ନିୟନ୍ତ୍ରଣ ହରାଇ ବସିଥିଲା। ଆତଙ୍କବାଦୀଙ୍କ ଫାୟାରିଂ ଭିତରେ ବସ୍ ଖାଲ ଭିତରେ ଖସି ପଡିଥିଲା।
୧୭ ଜୁନ୍ରେ ଗୃହମନ୍ତ୍ରଣାଳୟ ଆତଙ୍କବାଦୀ ଆକ୍ରମଣ ମାମଲା ଏନ୍ଆଇଏକୁ ଦେଇଥିଲା। ଏହି ନିଷ୍ପତ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ବେଳେ ନିଆଯାଇଥିଲା। ସେ ସୁରକ୍ଷାବଳ ଓ ଗୁଇନ୍ଦା ଏଜେନ୍ସିକୁ ଜମ୍ମୁରେ ଆତଙ୍କବାଦୀଙ୍କ ବିରୋଧରେ କାଶ୍ମୀର ଘାଟିରେ ମିଳିଥିବା ସଫଳତାକୁ ଦୋହରାଇବାର ନିର୍ଦେଶ ଦେଇଥିଲେ।ଗତ ସପ୍ତାହ ଜମ୍ମୁ-କଶ୍ମୀର ପୋଲିସ ଆକ୍ରମଣରେ ସାମିଳ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଥିଲା। ଏନେଇ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଥିଲା। ପୋଲିସର କହିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆତଙ୍କବାଦୀଙ୍କ ସ୍କେଚ୍ ତିଆରି କରାଯାଇଥିଲା।