ଭୁବନେଶ୍ୱର,୨୪/୦୮: ମଞ୍ଚେଶ୍ୱରରେ ସ୍ଥାପିତ ଚାଉଳ ଏଟିଏମ୍ (ଗ୍ରେନ୍ ଏଟିଏମ୍)କୁ ବହୁତ ପ୍ରଶଂସା ମିଳୁଛି । ଏହା ଦ୍ୱାରା ଓଜନରେ ହେଉଥିବା ଠକେଇକୁ ରୋକାଯିବା ସହ ଉପଭୋକ୍ତାମାନେ ଲାଭବାନ ହେବେ । ଆଗାମୀ ଦିନରେ ପ୍ରତି ଜିଲ୍ଲା ମୁଖ୍ୟାଳୟ, ବ୍ଲକ ଓ ପର୍ଯ୍ୟାୟ କ୍ରମେ ପ୍ରତି ପଞ୍ଚାୟତରେ ଗ୍ରେନ୍ ଏଟିଏମ୍ ଖୋଲାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଇଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ଶୁକ୍ରବାର ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପୂର୍ବରୁ ଚାଉଳ ବଣ୍ଟନରେ ହଜାର ହଜାର କୋଟିର ଦୁର୍ନୀତି ହେଉଥିଲା । ଲୋକେ ମରିଯିବା ପରେ ବି ସେମାନଙ୍କ ରାସନ୍ କାର୍ଡରେ ଚାଉଳ ଉଠାଯାଉଥିଲା । ରାଜ୍ୟରେ ୧୬ ଲକ୍ଷରୁ ଅଧିକ ଭୂତ କାର୍ଡ ରହିଛି । ସେଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ସ୍ଥାନରେ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେବାକୁ କୁହାଯାଇଛି ।
ସେହିପରି ୫୦ କେଜିର ଚାଉଳ ପ୍ୟାକେଟରେ ୪୨ରୁ ୪୩ କେଜି ଚାଉଳ ରହୁଥିବା ଯାଞ୍ଚ ବେଳେ ଜଣାପଡ଼ିଛି । ଯାହାକୁ ରୋକିବାକୁ କୁହାଯାଇଛି । ମଣ୍ଡିରେ ଧାନ କଟନି, ଛଟନି ରୋକିବାକୁ କଡ଼ା ପଦକ୍ଷେପ ନିଆଯାଇଛି । ଏହା ସହିତ ଯେଉଁ ଦିନ ଚାଷୀଙ୍କୁ ମେସେଜ୍ ଯାଇଥିବ, ସେହିଦିନ ନେବାକୁ ମିଲରମାନଙ୍କୁ କୁହାଯାଇଛି । ଯଦି ଚାଷୀଙ୍କୁ କେହି ମିଲର ହଇରାଣ କରେ, ସମ୍ପୃକ୍ତ ମିଲର କଳା ତାଲିକା ଭୁକ୍ତ ହେବେ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
ଚଳିତ ଆର୍ଥିକ ବର୍ଷ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବାବଦରେ ମୋଟ ୩୩୦୭ କୋଟି ୯୯ ଲକ୍ଷ ୧୨ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ୯୪ କୋଟି ୭୨ ଲକ୍ଷ ୭୫ହଜାର ଟଙ୍କା ଓ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ମୋଟ ୩୨୧୩ କୋଟି ୨୬ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଦ୍ୱାରା ରାଜ୍ୟର ୯୨ ଲକ୍ଷ ୬୬ ହଜାର ୪୯୧ ପରିବାରର ୩ କୋଟି ୨୫ ଲକ୍ଷ ୯୩ ହଜାର ୮୭୫ ଯୋଗ୍ୟ ହତାଧିକାରୀ ଉପକୃତ ହେଉଛନ୍ତି ।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ ଲକ୍ଷ ୧୫ ହଜାର ୨୩୭ ପରିବାରର ୧୦ ଲକ୍ଷ ୩ ହଜାର ୧୪୪ ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୧,୯୩୭ ସୁଲଭ ମୂଲ୍ୟ ଦୋକାନ ଜରିଆରେ ବାର୍ଷିକ ୨୩. ୧୭ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବିନା ମୂଲ୍ୟରେ ବଣ୍ଟନ କରାଯାଉଛି । ଚଳିତ ଖରିଫରେ ୧୫.୩୨ ଲକ୍ଷ ଚାଷୀଙ୍କଠାରୁ ୭୦.୮୮ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଛି । ଗ୍ରାମ୍ୟସ୍ତରୀୟ କ୍ଷେତ୍ର ବିଶ୍ଳେଷଣ ଯୋଜନା ବ୍ୟବହାର କରି ପ୍ରକୃତ ଚାଷ ହୋଇଥିବା ଅଞ୍ଚଳକୁ ଚିହ୍ନଟ କରି ଧାନ କିଣିବାରେ ଅଧିକ ସ୍ୱଚ୍ଛତା ଆସିଛି ବୋଲି ମନ୍ତ୍ରୀ କହିଛନ୍ତି ।
ବିଭାଗୀୟ ବଜେଟ୍ ଆଲୋଚନାରେ ବିରୋଧୀ ଦଳ ବିଜେଡିରୁ ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ରାଜେନ୍ଦ୍ର ଢୋଲକିଆ, କଂଗ୍ରେସରୁ ଅଶୋକ କୁମାର ଦାସ, ଶାସକ ଦଳ ସଦସ୍ୟ ଓମ୍ପ୍ରକାଶ ମିଶ୍ର, ପଦ୍ମଲୋଚନ ପଣ୍ଡା ଏବଂ ସନ୍ତୋଷ ଖଟୁଆ ପ୍ରମୁଖ ଭାଗ ନେଇଥିଲେ । ତେବେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଅସନ୍ତୁଷ୍ଟ ହୋଇ ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ କକ୍ଷ ତ୍ୟାଗ କରିଥିଲେ ।