ମୁମ୍ବାଇ ୨୨/୦୮: ପୁଣି ଥରେ ସିନେମା ହଲ୍କୁ ଆସିବ ସଲମାନ ଖାନ୍ ଓ ଭାଗ୍ୟଶ୍ରୀ ଷ୍ଟାରର୍ ‘ମେଁନେ ପ୍ୟାର୍ କିୟା’ । ସୂରଜ ବଡ଼ଜାତ୍ୟାଙ୍କ ନିର୍ଦ୍ଦେଶିତ ଏହି ବ୍ଲକ୍ବଷ୍ଟର ଫିଲ୍ମର ୩୫ତମ ବାର୍ଷିକୀ ପାଳନ କରାଯିବ । ଏ ଅବସରରେ ଆସନ୍ତା ୨୩ ତାରିଖରେ ଫିଲ୍ମକୁ ପୁଣି ଥରେ ଥିଏଟରରେ ରିଲିଜ୍ କରିବାକୁ ନିର୍ମାତା ଯୋଜନା କରିଛନ୍ତି । ଫିଲ୍ମର ପ୍ରଯୋଜନା ସଂସ୍ଥା ରାଜଶ୍ରୀ ପ୍ରଡକ୍ସନ୍ସ ନିଜର ଔପଚାରିକ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଏହା ଘୋଷଣା କରିଛି । ଏଥିରେ ଫିଲ୍ମର ଦୁଇ ମୁଖ୍ୟ କଳାକାର ସଲମାନ ଓ ଭାଗ୍ୟଶ୍ରୀଙ୍କ ଫଟୋ ମଧ୍ୟ ପୋଷ୍ଟ୍ କରିଛି । କ୍ୟାପ୍ସନରେ ଲେଖିଛି ‘ଦୁହିଁଙ୍କ ପ୍ରେମଭରା ବନ୍ଧୁତ୍ୱକୁ ପୁଣି ଥରେ ବଞ୍ଚିବାର ସମୟ । ଆସନ୍ତା ୨୩ ତାରିଖରେ ପିଭିଆର୍ଆଇନକ୍ସ ପିକ୍ଚର୍ସ ଓ ସିନେପଲିସ୍ ଇଣ୍ଡିଆ ଥିଏଟରମାନଙ୍କରେ ଫିଲ୍ମଟି ପୁଣି ଥରେ ମୁକ୍ତିଲାଭ କରିବ ।’
ଫିଲ୍ମରେ ସୁମନ୍ ଭୂମିକା ନିର୍ବାହ କରିଥିବା ଭାଗ୍ୟଶ୍ରୀ ମଧ୍ୟ ସମାନ ଖବରକୁ ନିଜ ଇନ୍ଷ୍ଟା ଷ୍ଟୋରୀରେ ପୋଷ୍ଟ୍ କରିଛନ୍ତି । ଫିଲ୍ମକୁ ଥିଏଟରରେ ଦେଖିବା ପାଇଁ ଫ୍ୟାନ୍ ଖୁବ୍ ଉତ୍ସାହିତ ଅଛନ୍ତି । ବକ୍ସ ଅଫିସ୍ରେ ବଡ଼ ସଫଳତା ପାଇଥିବା ‘ମେଁନେ ପ୍ୟାର୍ କିୟା’ ଯୋଗୁ ସଲମାନ ଓ ଭାଗ୍ୟଶ୍ରୀ ରାତାରାତି ଷ୍ଟାର୍ ପାଲଟିଥିଲେ । ଏହି ରୋମାଣ୍ଟିକ୍ ଫିଲ୍ମରେ ଆଲୋକ ନାଥ, ମୋହନିଶ ବହଲ, ରିମା ଲାଗୁ, ରାଜୀବ ବର୍ମା ଓ ଅଜିତ ଭଚାନି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ପ୍ରେମ୍ ଓ ସୁମନଙ୍କ ଜୀବନ ଏବଂ ବନ୍ଧୁତ୍ୱରୁ ପ୍ରେମ ପର୍ଯ୍ୟନ୍ତର ସେମାନଙ୍କ ଯାତ୍ରା ଉପରେ ଫିଲ୍ମଟି ପର୍ଯ୍ୟବସିତ ।