ଭୁବନେଶ୍ୱର (ସରୋଜ ସାହୁ): ଆକାଶ ଖସୁଛି ମୃତ୍ୟୁ । ଛକି ବସୁଛି ଯମ । କେହି କିଛି ବୁଝିବା ପୂର୍ବରୁ ମୁଣ୍ଡ ନେଉଛି । କେବେ ରାସ୍ତାରେ, କେବେ ବିଲ ମୁଣ୍ଡରେ ଟଳିପଡ଼ୁଛି ଅମୂଲ୍ୟ ଜୀବନ । କିଏ ବାପାକୁ ହରାଉଛି । ପିଲାଛୁଆଙ୍କ ମୁଣ୍ଡରୁ ହଟିଯାଉଛି ବାପର ହାତ । ଆଉ କିଏ ଭେଣ୍ଡିଆ ପୁଅ ତ କିଏ ନିଜ ପତ୍ନୀ । କଚଡ଼ା ଖାଉଛି ପରିବାରର ସ୍ୱପ୍ନ । ଯନ୍ତ୍ରଣାରେ ଜୀବନ ଛଟପଟ । ଦୁଃଖ ଶୋକରେ ଆଗକୁ ଗଡ଼ୁଛି ଆୟୁଷ । ପିଣ୍ଡରୁ ଥରେ ପ୍ରାଣ ଛାଡ଼ିଲେ ଆଉ କ’ଣ ଫେରେ? କେବଳ ଲୁହ, ଛାତିଥରା ଦୁଃଖ ଆଉ କୋହ । ହାରୁଛି ଜୀବନ, ଜିତୁଛି ବଜ୍ର । ବଜ୍ରପାତ ପାଲଟିଛି ରାଜ୍ୟ ପାଇଁ ବଡ଼ ବିପତ୍ତି । ଏମିତି ବର୍ଷକୁ ପ୍ରାୟ ୩୦୦ ମୁଣ୍ଡ ଗଡ଼ୁଛି । ସଚେତନତା ଓ ସତର୍କତା ହିଁ ସୁରକ୍ଷାର ଏକମାତ୍ର ବାଟ । ବଜ୍ରପାତ ଏବେ ଆଣିଛି ମହାବିପତ୍ତି ।
ମହାବିପତ୍ତି-ବଜ୍ରପାତ
ବଢ଼ୁଛି କାଳ ବୈଶାଖୀ । ବଜ୍ରପାତ ସଂଖ୍ୟାର ଗ୍ରାଫ୍ ଧରୁଛି ଉପରମୁହାଁ । ବନ୍ୟା ବାତ୍ୟାକୁ ପଛକୁ ଠେଲି କିଛି ବର୍ଷ ହେବ ରାଜ୍ୟରେ ମହାବିପତ୍ତି ଭାବେ ଉଭା ହୋଇଛି ବଜ୍ରପାତ । ଓଡ଼ିଶା ହେଉଛି ଦେଶର ସର୍ବାଧିକ ବଜ୍ରପାତପ୍ରବଣ ରାଜ୍ୟ । ଚିନ୍ତାଜନକ କଥା ହେଉଛି ୫ ବର୍ଷ ଭିତରେ ରାଜ୍ୟରେ ବଜ୍ରପାତ ପରିମାଣ ବଢ଼ିଛି ୩୦୦ ପ୍ରତିଶତ । ନିଜ କ୍ଷେତକୁ ସୁନା ଫଳାଇବାକୁ ଯାଇଥିବା ମଣିଷ ଶବ ହୋଇ ଘରକୁ ଫେରୁଛି । କିଏ ଚାଷ କରୁଥିବା ବେଳେ ଆଉ କିଏ ଧାନ ତଳି ରୋଇବା ବେଳେ ଆକାଶରୁ ବଜ୍ର ଛିଣ୍ଡୁଛି । ମାଟିରେ ମିଶିଯାଉଛି ପ୍ରାଣ । ବଜ୍ରପାତ ସୁରକ୍ଷିତ ଭାରତ ଅଭିଯାନର ପରିସଂଖ୍ୟାନ କହୁଛି, ୨୦୧୯ରେ ଦେଶରେ ଯେତିକି ବଜ୍ରପାତ ଆକାଶରୁ ମାଟିକୁ ଛୁଇଁଥିଲା ୨୦୨୩ରେ ତା’ଠୁ ୫୩ ପ୍ରତିଶତ ବଢିଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାରିପଦା, ଭୁବନେଶ୍ୱର, ଝାରସୁଗୁଡ଼ା, ଗୋପାଳପୁର, ନବରଙ୍ଗପୁର, କଟକ, ଟିଟିଲାଗଡ଼, ଯାଜପୁର, ସମ୍ବଲପୁର, ପୁରୀ, ବଲାଙ୍ଗୀର ଓ ବ୍ରହ୍ମପୁର ଭଳି ସ୍ଥାନ ରାଜ୍ୟର ସବୁଠୁ ବଜ୍ରପାତପ୍ରବଣ ଅଞ୍ଚଳ । ଏ ଅଞ୍ଚଳରେ ବଜ୍ରପାତରୁ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି । କେବଳ ଓଡିଶା ନୁହେଁ ସାରା ଦେଶରେ ବି ବଡ଼ ପ୍ରାକୃତିକ ବିପତ୍ତି ଭାବେ ଛିଡ଼ା ହୋଇଛି ବଜ୍ରପାତ । ଓଡ଼ିଶା ଭଳି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମହରାଷ୍ଟ୍ର ଭଳି ରାଜ୍ୟକୁ ବଜ୍ର ବିପତ୍ତି ଗ୍ରହଣ ଲାଗିଛି । ଗତ ୫୦ ବର୍ଷରେ ଦେଶରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ବଢ଼ିଛି ଦୁଇଗୁଣା ବଢ଼ିଛି । ୧୯୬୭ରୁ ୨୦୨୨ ମଧ୍ୟରେ ଦେଶରେ ୧ ଲକ୍ଷ ୧୩ଶହ ଲୋକଙ୍କ ପ୍ରାଣ ନେଇଛି ବିଜୁଳି ।
ନିକଟରେ ରାଜ୍ୟରେ ଏ ଦୈବୀ ଦୁର୍ବିପାକରୁ ସପ୍ତାହକରେ ଯାଇଛି ୨୮ ଜୀବନ । ସବୁଠି ଏଥିପାଇଁ ଦୁଃଖ ଆଉ ଉଦ୍ବେଗ । ଆମ ରାଜ୍ୟରେ ଜାନୁଆରୀରୁ ଅଗଷ୍ଟ ମାସ ଭିତରେ ୧୨୨ ଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ପରିସଂଖ୍ୟାନ କହୁଛି, ଗତ ୫ ବର୍ଷରେ ବଜ୍ର ବିପତ୍ତିରୁ ଯାଇଛି ୨୦୫୮ ପ୍ରାଣ ଯାଇଛି । ୧୧ ବର୍ଷ ମଧ୍ୟରେ ୪ ହଜାର ମୁଣ୍ଡ ନେଇଛି ବଜ୍ରପାତ । ଆଶ୍ୱସ୍ତିର କଥା ହେଉଛି, କିଛି ବର୍ଷ ଧରି ରାଜ୍ୟରେ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା କାରଣରୁ ବଜ୍ରପାତ ସଂଖ୍ୟା ବଢ଼ିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମିଛି । ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ ସ୍କୁଲ, କଲେଜ୍, ହସ୍ପିଟାଲ୍, ବଡ଼ ବଡ଼ କୋଠାରେ ବଜ୍ରପାତ ନିରୋଧୀ ବ୍ୟବସ୍ଥା ଖଞ୍ଜିବାକୁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ୨୦୧୫ରେ ବଜ୍ରପାତକୁ ରାଜ୍ୟ ବିପର୍ଯ୍ୟୟ ମାନ୍ୟତା ପ୍ରଦାନ କରିବା ସହ ମୃତକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି । ମାତ୍ର ବଜ୍ରପାତ ମୃତ୍ୟୁ ରୋକିବାକୁ କେବଳ ବାଟ ସଚେତନତା ଓ ସତର୍କତା ।
ମୃତ୍ୟୁଗ୍ରାଫ୍ ଉପରମୁହାଁ
ରାଜ୍ୟରେ ବଜ୍ରପାତର ତୀବ୍ରତା ବଢ଼ି ଚାଲିଛି । ଏହା ଏବେ ବଡ଼ ଚାଲେଞ୍ଜ ଭାବେ ଉଭା ହୋଇଛି । ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଂରୁ ତାପମାତ୍ରା ବୃଦ୍ଧି ସହ ପରିବେଶ ପ୍ରଦୂଷଣ ବଜ୍ରପାତକୁ ନିମନ୍ତ୍ରଣ କରୁଛି । ବାୟୁମଣ୍ଡଳରେ ଏହା ଅସ୍ଥିରତା ବଢ଼ାଇବା ସହ ତୀବ୍ର ବଜ୍ରପାତ ସୃଷ୍ଟି କରୁଛି । ବଜ୍ରପାତ ମୃତ୍ୟୁ ହାର ଦ୍ରୁତ ଗତିରେ ଉପରମୁହାଁ ଧରିଛି । ବନ୍ୟା, ବାତ୍ୟା, ସାପ କାମୁଡ଼ା, ଅଂଶୁଘାତ, ଅଗ୍ନିକାଣ୍ଡ ଓ ନଈବୁଡ଼ିରେ ଯେତିକି ମୃତ୍ୟୁ ହେଉଛି, ଅଧିକ ମୃତ୍ୟୁ ବଜ୍ର ବିପତ୍ତିରୁ ହେଉଛି । ସାଧାରଣତଃ ମେ ମାସରୁ ଅଗଷ୍ଟ ଭିତରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । ଚାଷୀ, ଶ୍ରମିକ, ଗାଈ ଚରାଳି, କେନ୍ଦୁପତ୍ର ତୋଳାଳି, ମତ୍ସ୍ୟଜୀବୀମାନେ ବେଶୀ ସଂଖ୍ୟାରେ ଏହାର ଶିକାର ହୋଇ ଆଖି ବୁଜୁଛନ୍ତି ।
ତେବେ ବଜ୍ରପାତର ତୀବ୍ରତା ବଢ଼ିବା ପଛର କାରଣ କ’ଣ? କାହିଁକି ଅସ୍ୱାଭାବିକ ଭାବେ ଘନ ଘନ ବଜ୍ରପାତ ହେଉଛି ଓ ମୃତ୍ୟୁ ବଢୁଛି? ଗବେଷଣାରୁ ମିଳିଥିବା ତଥ୍ୟ କହୁଛି, ରାଜ୍ୟର ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଜୋନ୍ର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଉଚ୍ଚା ଅଞ୍ଚଳ ଓ ଉପକୂଳ ଅଞ୍ଚଳ ବଜ୍ରପାତ ପାଇଁ ଅଧିକ ସମ୍ବେଦନଶୀଳ । ଏଠାରେ ଆର୍ଦ୍ରତା ଅଧିକ ଯୋଗୁ ତାପମାତ୍ରା ବଢୁଛି ଓ ବାୟୁମଣ୍ଡଳରେ ଅସ୍ଥିରତା ସୃଷ୍ଟି ହେଉଛି । ତେଣୁ ଏଠାରେ ବଜ୍ରପାତର ମାତ୍ରା ଅଧିକ । ପାଣିପାଗ ବିଶେଷଜ୍ଞଙ୍କ ଯୁକ୍ତି ହେଲା, ମୌସୁମୀ ଓ ପ୍ରାକ୍ ମୌସୁମୀ ସମୟରେ ଉଚ୍ଚ ଶକ୍ତି ସମ୍ପନ୍ନ ବଜ୍ରପାତର ତୀବ୍ରତା ବଢ଼ୁଛି । ଯେଉଁଠି ଜଙ୍ଗଲ ଆଚ୍ଛାଦିତ ଅଛି ସେଠି ବଜ୍ରପାତଜନିତ ମୃତ୍ୟୁ କମ୍ ରହୁଛି । ପ୍ରଦୂଷଣ ଅଞ୍ଚଳରେ ମୃତ୍ୟୁ ହାର ବେଶ୍ ଅଧିକ । ଗ୍ଲୋବାଲ ୱାର୍ମିଂ, ଜଙ୍ଗଲ ନଷ୍ଟ, ଭୂପୃଷ୍ଠ ଜଳସ୍ତର କମିବା ଯୋଗୁଁ ପ୍ରଦୂଷଣ ବଢୁଛି । ପ୍ରଦୂଷଣ ଅଧିକ ଥିବା ସହରାଞ୍ଚଳ ଓ ଖଣି ଅଞ୍ଚଳରେ ତାପମାତ୍ରାର ପାରଦ ଉଚ୍ଚା ରହୁଛି ।
ଏହା ବାୟୁମଣ୍ଡଳରେ ଅସ୍ଥିରତା ବଢ଼ାଇ ତୀବ୍ର ବଜ୍ରପାତ ସୃଷ୍ଟି କରୁଛି । ମୌସୁମୀ ପୂର୍ବବର୍ତ୍ତୀ ସମୟ, ମୌସୁମୀର ସକ୍ରିୟ ଅବଧି ସମୟ ଓ ମୌସୁମୀ ବର୍ଷା କମିବା ପରବର୍ତ୍ତୀ ସମୟରେ ଅଧିକ ବିଜୁଳି ମାରେ । ସାଧାରଣତଃ ବର୍ଷା ହେଲେ ଲୋକେ ଗଛତଳକୁ ଆଶ୍ରୟ ପାଇଁ ଚାଲିଯାଆନ୍ତି । ଗଛ ତଳେ ଆଶ୍ରୟ ହିଁ ୮୫% ବଜ୍ରପାତ ମୃତ୍ୟୁର ବଡ଼ କାରଣ । ବାୟୁମଣ୍ଡଳରେ ଯେତେ ଅଧିକ ଆର୍ଦ୍ରତା ଥାଏ, ତାହା ବଜ୍ରପାତ ସଂଖ୍ୟା ଓ ଭୟାବହତାକୁ ବଢ଼ାଇଥାଏ । ମଧ୍ୟାହ୍ନ ୧୨ଟାରୁ ରାତି ୮ଟା ହେଉଛି ବଜ୍ରପାତର ସମୟ । ଅପରାହ୍ନରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ । କେବଳ ମଣିଷ ନୁହଁ, ବହୁ ସଂଖ୍ୟାରେ ପଶୁ ସମ୍ପଦର ପ୍ରାଣଘାତକ ମଧ୍ୟ ବିଜୁଳି । ବଜ୍ରପାତ ମୃତ୍ୟୁରୁ ବର୍ତ୍ତିବା ପାଇଁ ସୂଚନା, ସଚେତନତା ଓ ସତର୍କତା ହିଁ ଏକମାତ୍ର ଉପାୟ ।
ସଚେତନତା ଓ ସତର୍କତା ହିଁ ସୁରକ୍ଷା
ବଜ୍ରପାତରେ କେତେ ପରିମାଣର ବିଜୁଳି ପ୍ରବାହିତ ହୁଏ? ଆମ ଘରେ ୧୨୦ ଭୋଲଟ୍ ଓ ୧୪ ଏଏମପି ବିଜୁଳିରେ ସବୁ ଉପକରଣ ଚାଲେ । ମାତ୍ର ଥରେ ବିଜୁଳି ମାରିଲେ ପ୍ରାୟ ୩୦୦ ନିୟୁତ ଭୋଲଟ୍ ଓ ୩୦ ହଜାର ଏଏମ୍ପି ବିଜୁଳି ସଂଚାରିତ ହୁଏ । ଏହି କାରଣରୁ ବଜ୍ରପାତରେ ଯାଉଛି ଠକଠାକ୍ ଜୀବନ । ଏ ଦୁର୍ବିପାକ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏଥିରୁ ବର୍ତ୍ତିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସରକାର ହାତକୁ ନେଉଛନ୍ତି । ଡପଲର ରାଡାର ଜରିଆରେ ସମ୍ଭାବ୍ୟ ବଜ୍ରପାତର ଆଗୁଆ ସୂଚନା ମିଳୁଛି । ୩୦ ମିନିଟ୍ ପୂର୍ବରୁ କେଉଁ ଜିଲ୍ଲାର କେଉଁ ନିର୍ଦ୍ଦିଷ୍ଟ ଗାଁରେ ବଜ୍ରପାତ ହୋଇପାରେ, ସେ ନେଇ ବ୍ଲକରେ ତୁରନ୍ତ ସୂଚନା ପହଞ୍ଚୁଛି ।
ବିଡିଓମାନେ ହ୍ୱାଟସଆପ୍ ଗ୍ରୁପ ମାଧ୍ୟମରେ ସରପଞ୍ଚ ଓ ପଞ୍ଚାୟତକୁ ସୂଚନା ପଠାଉଛନ୍ତି । ପଥପ୍ରାନ୍ତ ନାଟକ, ସଭାସମିତି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଏହାଛଡ଼ା ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ସଚେତନତା ଅଭିଯାନ ଜାରି ରହିଛି । ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନ କିମ୍ବା ଗଛ ମୂଳରେ ନରହିବାକୁ ପରାମର୍ଶ ଦିଆଯାଉଛି । ପକ୍କାଘର ଭିତରକୁ ଚାଲିଯିବା, ଗଛ, ବିଜୁଳି ଖୁଣ୍ଟ ଓ ତାର ଠାରୁ ଯଥାସମ୍ଭବ ଦୂରତାରେ ରହିବା ନିରାପଦ । ଘଡ଼ଘଡ଼ି ସମୟରେ ମୋବାଇଲ କିମ୍ବା ବିଦ୍ୟୁତ୍ ଚାଳିତ ଉପକରଣ ବ୍ୟବହାର ନକରିବା ଉପରେ ଜୋର୍ ଦିଆଯାଉଛି । ସୋସିଆଲ ମିଡିଆ ସହ ମୋବାଇଲ ଆପ୍ଲିକେସନ ଦାମିନୀ, ମୌସମ, ସଚେତରେ ମଧ୍ୟ ପ୍ରାକ୍ ସତର୍କ ସୂଚନା ସହ ବଜ୍ରପାତରୁ ରକ୍ଷା ପାଇବାକୁ କୌଶଳ ସଂପର୍କରେ ଲୋକଙ୍କୁ ଅବଗତ କରାଯାଉଛି । ଆସନ୍ତୁ ନିଜେ ସଚେତନ ହେବା । ଅନ୍ୟକୁ ସଚେତନ କରାଇବା ।
ସାହା ଏବେ ‘ତାଳ ଗଛ’
ବଜ୍ରପାତକୁ ପ୍ରାକୃତିକ ବିପତ୍ତି ଘୋଷଣା କର । ରାଜ୍ୟ ସରକାର ବହୁବାର କେନ୍ଦ୍ର ନିକଟରେ ଏ ଦାବି ରଖିଛନ୍ତି । ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରି ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ଦେଉଛନ୍ତି । ବଜ୍ରପାତକୁ କେନ୍ଦ୍ର ସରକାର ପ୍ରାକୃତିକ ବିପତ୍ତି ପରିସରକୁ ନେଲେ ମୃତକଙ୍କ ପରିବାର ଅଧିକ ପରିମାଣର ଅନୁକମ୍ପାମୂଳକ ସହାୟତା ରାଶି ପାଇପାରନ୍ତେ । ଡବଲ୍ ଇଂଜିନ ସରକାର ଚାଲୁଥିଲା ବେଳେ ବାସ୍ତବତାକୁ ହୃଦୟଙ୍ଗମ କରି କେନ୍ଦ୍ର ତୁରନ୍ତ ଏହାକୁ ଜାତୀୟ ବିପର୍ଯ୍ୟୟ ଭାବେ ଗ୍ରହଣ କରୁ । ବିଳମ୍ବ ହେଲାଣି ।
ବଜ୍ରପାତରେ ପ୍ରାଣ ହରାଉଥିବା ଅଧିକାଂଶ ଲୋକ ଗ୍ରାମାଞ୍ଚଳର । କେମିତି ଏ ଦୁର୍ବିପାକକୁ ରୋକିହେବ? ପାଣିପାଗ ବିଶେଷଜ୍ଞ କହୁଛନ୍ତି, ତାଳଗଛ ହ୍ରାସରୁ ବଜ୍ରପାତଜନିତ ମୃତ୍ୟୁ ବଢ଼ୁଛି । ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା । ଏହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା । ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା । ବିଲବାଡ଼ିରେ କାମ କରୁଥିବା ଲୋକ ବର୍ତ୍ତି ଯାଉଥିଲେ । ସରକାରୀସ୍ତରରେ ଏବେ ଆରମ୍ଭ ହୋଇଛି ‘ତାଳଚାରା ରୋପଣ’ ମିଶନ । ଚଳିତ ବର୍ଷ ୨୦ ଳକ୍ଷ ତାଳଗଛ ଲଗାଇବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତାଳ ଗଛ ଲଗାଇଲେ ଏହା ବଜ୍ରପାତ ନିରୋଧକ ଭଳି କାର୍ଯ୍ୟ କରିବ । ଧନଜୀବନ କ୍ଷୟକ୍ଷତି କମିବ । ଏଥିପାଇଁ ସରକାରଙ୍କୁ ନିଷ୍ଠାପଣ ସହ ଆନ୍ତରିକତା ଦେଖାଇବାକୁ ହେବ ।