ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଉଦିରେ ନିଆରା ଫ୍ୟାସନ ଶୋ’, ସ୍ୱିମିଂ ସୁଟ୍‌ ପିନ୍ଧି ଚାଲିଲେ ମଡେଲ

ନୂଆଦିଲ୍ଲୀ ୨୦/୦୫: ସାଉଦି ଆରବର ଇତିହାସରେ ଗତ ଶୁକ୍ରବାର ଏକ ନୂଆ ଅଧ୍ୟାୟ ସଂଯୋଗ ହୋଇଛି । ଏକ ଦଶକରୁ କମ୍‌ ସମୟ ପୂର୍ବରୁ ସେଠାରେ ମହିଳାଙ୍କ ଲାଗି ଶରୀରକୁ ପୂରା ଆବୃତ୍ତ କରୁଥିବା ଅବାୟା ଡ୍ରେସ୍‌ ପିନ୍ଧିବା ଜରୁରି ଥିଲା । ସେହି ଦେଶରେ ଶୁକ୍ରବାର ଏକ ଏଭଳି ଫ୍ୟାଶନ୍‌ ଶୋ’ ଆୟୋଜିତ ହୋଇଛି ଯେଉଁଥିରେ ମଡେଲ୍‌ମାନେ ସ୍ୱିମସୁଟ୍‌ ପିନ୍ଧି ନଜର ଆସିଥିଲେ । ତେଣୁ ଏହି ଫ୍ୟାଶନ୍‌ ଶୋ’କୁ ସାଉଦି ଆରବ ଭଳି ଦେଶରେ ଏକ ବଡ଼ ପରିବର୍ତ୍ତନର ପ୍ରତୀକ ଭାବେ ଦେଖାଯାଉଛି । 

ଦେଶର ପଶ୍ଚିମ ଉପକୂଳରେ ସେଣ୍ଟ ରେଗିସ୍‌ ରେଡ୍‌ ସି ରିସୋର୍ଟରେ ଅନୁଷ୍ଠିତ ରେଡ୍‌ ସି ଫ୍ୟାଶନ୍‌ ୱିକ୍‌ ଉଦ୍‌ଘାଟନର ଦ୍ୱିତୀୟ ଦିନରେ ଏହି ଶୋ’ ମୁଖ୍ୟ ଆକର୍ଷଣ ରହିଥିଲା । ସେଥିରେ ମଡେଲ୍‌ମାନଙ୍କୁ ମରକ୍କୋର ଡିଜାଇନର ୟାସମିନା କାନଜଲଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ବିଭିନ୍ନ ରଙ୍ଗର ୱାନ୍‌ ପିସ୍‌ ସୁଟ୍‌ରେ ଦେଖିବାକୁ ମିଳିଥିଲା । ଅଧିକାଂଶ ମଡେଲଙ୍କର କାନ୍ଧ ଖୋଲାଥିବାବେଳେ କିଛି ଜଣକର ଶରୀରର ମଧ୍ୟଭାଗ ମଧ୍ୟ ଅନାବୃତ୍ତ ଥିଲା । 

ଡିଜାଇନର୍‌ ୟସମିନା କାନଜଲଙ୍କ ଅନୁସାରେ, ଏହି ଦେଶରେ ରକ୍ଷଣଶୀଳତା ରହିଛି । କିନ୍ତୁ ଆମର ଲକ୍ଷ୍ୟ ହେଲା ଏଭଳି ସ୍ୱିମସୁଟ୍‌ ପ୍ରସ୍ତୁତ କରିବା ଯାହାକି ଆରବ ଦୁନିଆର ପ୍ରତୀକ ହେବ । ଆମେ ଯେତେବେଳେ ଏଠାକୁ ଆସିଲୁ ସେତେବେଳେ ସାଉଦି ଆରବ ଲାଗି ସ୍ୱିମସୁଟ୍‌ ଫ୍ୟାଶନ୍‌ ଶୋ’ ଏକ ଐତିହାସିକ କ୍ଷଣ ବୋଲି ଜାଣିବାକୁ ପାଇଲୁ । ପ୍ରଥମ ଥର ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ସେଥିରେ ଭାଗ ନେଇ ଗର୍ବିତ ଅନୁଭବ କରୁଛି । ସେହିପରି ଫ୍ୟାଶନ୍‌ ଶୋ’ରେ ଭାଗ ନେଇଥିବା ଫ୍ରାନ୍ସର ଇନ୍‌ଫ୍ଲୁଏନ୍ସର ରାଫେଲ କହିଛନ୍ତି, ଆମ ନଜରରେ ମଡେଲ୍‌ମାନେ ସ୍ୱିମସୁଟ୍‌ ପିନ୍ଧି ଚାଲିବାରେ କିଛି ବିଚିତ୍ରତା ନାହିଁ । କିନ୍ତୁ ସାଉଦି ଆରବ ପ୍ରସଙ୍ଗରେ କହିବାକୁ ଗଲେ ଏହା ଏକ ବଡ଼ ଉପଲବ୍ଧି । ଏହା ସାଉଦିର ଲୋକଙ୍କ ପାଇଁ ଏକ ସାହସର କାମ । ତେଣୁ ଶୋ’ର ଅଂଶବିଶେଷ ହୋଇ ଖୁସି ଲାଗୁଛି । 

ସେହିଭଳି ସିରିୟାର ଇନ୍‌ଫ୍ଲୁଏନ୍ସର ଶୋକ୍‌ ମହମ୍ମଦ କହିଛନ୍ତି, ସାରା ବିଶ୍ୱକୁ ନିଜ ଖୋଲା ମାନସିକତା ପ୍ରଦର୍ଶନ କରିବା ଏବଂ ନିଜର ଫ୍ୟାଶନ୍‌, ପର୍ଯ୍ୟଟନ କ୍ଷେତ୍ରର ବିସ୍ତାର ଲକ୍ଷ୍ୟରେ ସାଉଦି ଆରବରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦେଶରେ ଏଭଳି ସାମାଜିକ ପରିବର୍ତ୍ତନ ପଛରେ ରହିଛନ୍ତି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ । ୨୦୧୭ରୁ ପ୍ରିନ୍ସ ମହମ୍ମଦ ଦେଶର ଋଢ଼ିବାଦୀ ଛବିକୁ ନରମ କରିବା ଲାଗି ଅନେକଗୁଡି଼ଏ ନାଟକୀୟ ସାମାଜିକ ସଂସ୍କାର ଆଣିଛନ୍ତି । ସେଥିମଧ୍ୟରେ ଲାଠି ଧରିଥିବା ଧାର୍ମିକ ପୁଲିସଙ୍କୁ ଅଣଦେଖା କରିବା ସାମିଲ । ସେହି ପୁଲିସମାନେ ମଲ୍‌ ମଧ୍ୟରୁ ପୁରୁଷମାନଙ୍କୁ ପ୍ରାର୍ଥନା କରିବା ଲାଗି ବାହାରକୁ ନେଇଯାଉଥିଲେ । ସେହିପରି ପ୍ରିନ୍ସ ମହମ୍ମଦ ଦେଶରେ ପ୍ରେକ୍ଷାଳୟକୁ ପୁଣିଥରେ ଖୋଲିବା ସହିତ ପୁରୁଷ ଓ ମହିଳାଙ୍କ ପାଇଁ ସମ୍ମିଳିତ ସଙ୍ଗୀତ ମହୋତ୍ସବ ଆୟୋଜନ କରିବା ପରି ପଦକ୍ଷେପ ନେଇଥିଲେ । ସାଉଦି ଫ୍ୟାଶନ୍‌ କମିଶନଙ୍କ ଏକ ରିପୋର୍ଟ ଅନୁସାରେ, ୨୦୨୨ରେ ଦେଶର ଅର୍ଥବ୍ୟବସ୍ଥାରେ ଫ୍ୟାଶନ୍‌ ଉଦ୍ୟୋଗର ଯୋଗଦାନ ୧୨.୫ ବିଲିଅନ୍‌ ଡଲାର ଅର୍ଥାତ୍‌ ଜିଡିପିର ୧.୪ ପ୍ରତିଶତ ଥିଲା । ସେଥିଯୋଗୁ ୨୩୦,୦୦୦ ଲୋକଙ୍କୁ ରୋଜଗାର ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.