ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ନିର୍ଯାତନା: ୪ ବର୍ଷରେ ୪୬୦ ମାମଲା, ସର୍ବାଧିକ ଗଞ୍ଜାମରେ..

ଭୁବନେଶ୍ୱର,୧୫/୦୬: ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପ୍ରତି ବଢ଼ି ଚାଲିଛି ନିର୍ଯାତନା । ପୁଅ ହେଉ କି ବୋହୂ ଅବା ଝିଅ ବୃଦ୍ଧ ବାପାମା’ଙ୍କୁ ନିର୍ଯାତନା ଦେଉଛନ୍ତି । ଆଉ କେତେକ କ୍ଷେତ୍ରରେ ବାହାର ଲୋକ ମଧ୍ୟ ନିର୍ଯାତନା ଦେବାକୁ ପଛାଉ ନାହାନ୍ତି । ଗତ ୪ ବର୍ଷ ମଧ୍ୟରେ ବରିଷ୍ଠ  ନାଗରିକଙ୍କୁ ନିର୍ଯାତନା ମାମଲା ୪୬୦ରେ  ପହଞ୍ଚିଛି । ରାଜ୍ୟର ବିଭିନ୍ନ ଥାନାରେ ଏହି ମାମଲା ରୁଜୁ ହୋଇଛି । ଉକ୍ତ ମାମଲା ମଧ୍ୟରୁ  ସର୍ବାଧିକ ୧୮୦ଟି ମାମଲା ହୋଇଛି ପୁଅବୋହୂ ଓ ଝିଅଙ୍କ ବିରୋଧରେ । ଏସବୁ କ୍ଷେତ୍ରରେ ପୁଲିସ୍‌ କେତେକ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ କେତେକଙ୍କୁ ନୋଟିସ୍‌ ଦେଇ ଛାଡ଼ି ଦେଇଛି ।  

ସରକାରୀ ତଥ୍ୟ ମୁତାବକ, ରାଜ୍ୟର ୧୬ଟି  ଜିଲ୍ଲାରେ ବରିଷ୍ଠ ନାଗରିକ ନିର୍ଯାତିତ ହେଉଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଉଛି, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼, ଗଜପତି,  ଗଞ୍ଜାମ (ବ୍ରହ୍ମପୁର), କୋରାପୁଟ, ରାୟଗଡ଼ା,  ମାଲକାନଗିରି, କଳହାଣ୍ଡି, ସୁନ୍ଦରଗଡ଼  (ରାଉରକେଲା) ଓ ଢେଙ୍କାନାଳ । ବରିଷ୍ଠ ନାଗରିକଙ୍କୁ ନିର୍ଯାତନା ଦେବା ମାମଲାରେ ପ୍ରଥମ  ସ୍ଥାନରେ ରହିଛି ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ୍‌  ଜିଲ୍ଲା । ଏହି ୨ ପୁଲିସ୍‌ ଜିଲ୍ଲାରେ ୨୦୨୦ରୁ ୨୦୨୩  ମଧ୍ୟରେ ୨୯୫ଟି ମାମଲା ରୁଜୁ ହୋଇଛି ।  

ଗଞ୍ଜାମ ପୁଲିସ ଜିଲ୍ଲାରେ ୨୦୨୦ ମସିହାରେ  ବରିଷ୍ଠ ନାଗରିକଙ୍କୁ ନିର୍ଯାତନା ନେଇ ୫ଟି  ଥାନାରେ ୧୦ଟି ମାମଲା ରୁଜୁ ହୋଇଛି । ହେଲେ  ପୁଲିସ ଏସବୁ ମାମଲାରେ ଜଣେ ହେଲେ ବି  ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିନାହିଁ ।୨୦୨୧ ମସିହାରେ ୮ଟି ଥାନାରେ  ୩୩ଟି ମାମଲା ହୋଇଥିଲା । ପୁଲିସ ଏସବୁ ମାମଲାର ତଦନ୍ତ କରି ୧୩ ଜଣଙ୍କୁ ନୋଟିସ୍‌ କରି ଛାଡ଼ିଥିଲା । ୨୦୨୨ରେ ୧୩ଟି ଥାନାରେ ୬୫ଟି  ମାମଲା ରୁଜୁ ହୋଇଥିଲା । ୨୦୨୩ରେ ୧୫ଟି  ଥାନାରେ ୭୫ଟି ମାମଲା ରୁଜୁ ହୋଇଥିଲା ।  ୨୦୨୩ରେ ୪୫ ଜଣ ପୁଅବୋହୂ ଓ ଝିଅଙ୍କ ଦ୍ୱାରା  ନିର୍ଯାତିତ ହୋଇ ଏତଲା ଦେଇଥିଲେ ।  

ଗଞ୍ଜାମ ପରେ ଦ୍ୱିତୀୟ ସ୍ଥାନରେ ରହିଛି  ଦେବଗଡ଼ ଜିଲ୍ଳା । ୨୦୨୦ ମସିହାରେ ଦେବଗଡ଼  ଥାନାରେ ୮ଟି ଏବଂ କୁଣ୍ଡେଇଗୋଲା ଥାନାରେ ୯ଟି ମାମଲା ହୋଇଥିଲା । ୬ଟି ମାମଲା  ପୁଅବୋହୂଙ୍କ ବିରୋଧରେ ଏବଂ ବାକି ମାମଲା  ପଡ଼ୋଶୀ ଓ ଅନ୍ୟମାନଙ୍କ ବିରୋଧରେ ଥିଲା । ଉକ୍ତ ୧୭ଟି ମାମଲାରେ ଦେବଗଡ଼ ପୁଲିସ  ମାତ୍ର ଜଣଙ୍କୁ ଗିରଫ କରିଥିଲା । ବାକି ୧୬  ଜଣଙ୍କୁ ପଚରାଉଚରା ପରେ ନୋଟିସ୍‌ ଦେଇ ଛାଡ଼ି ଦେଇଥିଲା ।  

ବରିଷ୍ଠ ନାଗରିକ ନିର୍ଯାତନା ମାମଲାରେ  ତୃତୀୟ ସ୍ଥାନରେ ରହିଛି ମୟୂରଭଞ୍ଜ ଜିଲ୍ଲା । ଏହି  ଜିଲ୍ଲାରେ ୨୦୨୦ ମସିହାରେ ବିଭିନ୍ନ ଥାନାରେ ୧୧ଟି ମାମଲା ହୋଇଛି ଏବଂ ପୁଲିସ ଜଣଙ୍କୁ  ଗିରଫ କରିଥିଲା । ୨୦୨୧ରେ ୨୬ଟି ମାମଲା ରୁଜୁ  ହୋଇ ମାତ୍ର ଜଣଙ୍କୁ ଗିରଫ କରାଯାଇଥିବାବେଳେ  ୩୧ ଜଣଙ୍କୁ ନୋଟିସ୍‌ ହୋଇଥିଲା । ୨୦୨୨ରେ ୧୯ଟି ମାମଲା ହୋଇଥିଲା । ସେହିପରି  ୨୦୨୩ରେ ୧୧ଟି ମାମଲା ରୁଜୁ କରି ପୁଲିସ ୨  ଜଣଙ୍କୁ ଗିରଫ କରିବା ସହ ୨୪ ଜଣଙ୍କୁ ନୋଟିସ୍‌  ଦେଇ ଛାଡ଼ିଥିଲା ।  

୨୦୨୦ରୁ ୨୦୨୧ ମସିହା ମଧ୍ୟରେ  କେନ୍ଦ୍ରାପଡ଼ା, ବଲାଙ୍ଗୀର, ମାଲକାନଗିରି ଓ  କୋରାପୁଟ ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ନିର୍ଯାତନା  ନେଇ କୌଣସି ଅଭିଯୋଗ ହୋଇନଥିଲା ।  ହେଲେ ୨୦୨୨-୨୩ରେ ଏସବୁ ଜିଲ୍ଳାରେ ବିଭିନ୍ନ  ଥାନାରେ ମାଳମାଳ ଅଭିଯୋଗ ପହଞ୍ଚିଛି ।  ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଯାଜପୁର  ଜିଲ୍ଳାରେ ୪ ବର୍ଷରେ ମାତ୍ର ୭ଟି ମାମଲା ରୁଜୁ  ହୋଇଛି । ତା’ପୁଣି କେବଳ କୁଆଖାଇ ଥାନାରେ ।  

ସରକାରୀ ରିପୋର୍ଟ ଅନୁସାରେ, ମାତ୍ର  ୧୬ଟି ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ଉପରେ  ନିର୍ଯାତନା ହେଉଛି । ମାତ୍ର ଅନେକ ଜିଲ୍ଳାରେ  ବରିଷ୍ଠ ନାଗରିକଙ୍କ ଉପରେ ନିର୍ଯାତନା ହେଉଛି ।  ଝିଅମାନଙ୍କ ତୁଳନାରେ ପୁଅବୋହୂ ଅଧିକ  ନିର୍ଯାତନା ଦେଉଛନ୍ତି । କେଉଁଠି ସମ୍ପତ୍ତି ପାଇଁ  ତ’ ପୁଣି କେଉଁଠି ସେବା କରିବାକୁ ପଡୁଥିବାରୁ  ନିର୍ଯାତନା ଦେଉଛନ୍ତି । ତେବେ ଲୋକଲଜ୍ଜା  ଭୟରେ ଅନେକ ନିଜ ପିଲାଙ୍କ ବିରୋଧରେ ଏତଲା ନ ଦେଇ ଚୁପ୍‌ ରହୁଛନ୍ତି । ଆଉ କିଛି  ନିର୍ଯାତନା ସହି ନ ପାରି ବୃଦ୍ଧାଶ୍ରମ ପଳାଉଛନ୍ତି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.