ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଦ୍ୱିତୀୟ ପର୍ଯ୍ୟାୟ ଭୋଟକୁ ଆଉ ୫ ଦିନ: ବଲାଙ୍ଗୀରରେ ହାଇଭୋଲଟେଜ୍‌ ଟକ୍କର, ପ୍ରଚାର ପାଇଁ ବଡ଼ ନେତାଙ୍କ ସୁଅ

ଭୁବନେଶ୍ୱର, ୧୫।୫: ବଲାଙ୍ଗୀରରେ ଏଥର ହାଇଭୋଲଟେଜ୍‌ ଲଢ଼େଇ । ବିଜେପିଠୁ ଲୋକସଭା ଆସନ ଛଡ଼ାଇ ଆଣିବାକୁ ନୂଆ ରଣନୀତି କରିଛି ବିଜେଡି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ବିଧାନସଭା ପାଇଁ ପ୍ରାର୍ଥୀ ସାଜିଛନ୍ତି । ଏହାର ପ୍ରଭାବ ପୂରା ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ଅଞ୍ଚଳରେ ପଡ଼ିବ ବୋଲି ଦଳ ଆଶା ବାନ୍ଧିଛି । ମିଶନ ବଲାଙ୍ଗୀର ପାଇଁ ତିନି ଦଳ କମର କଷି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରେ ତଗଡ଼ା ପ୍ରଚାର କରି ସାରିଲେଣି । ବୁଧବାର ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ମଇଦାନ କମ୍ପୁଛି । ସବୁ ଦଳର ନଜର କେମିତି ପୂର୍ବ ଆସନ ସୁରକ୍ଷିତ ରଖିବା ସହ ଆଉ ଅଧିକ ଆସନ ଭିଡ଼ିବେ । 

କିଏ କାହା ଆସନ ଛଡ଼ାଇ ନେବ, ସେ ନେଇ ପୂରା ଦମ୍‌ ଲଗାଇ ଦେଇଛନ୍ତି ସବୁ ଦଳ । ଓଡ଼ିଶାରେ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ସହ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟ ହେବ ଆସନ୍ତା ୨୦ ତାରିଖରେ । ୨୦୧୯ରେ ୫ ଲୋକସଭା ଆସନରୁ ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗୀରକୁ ବିଜେପି ଦଖଲ କରିଥିଲା । ବିଜେଡି ଜିତିଥିଲା କନ୍ଧମାଳ ଓ ଆସ୍କା । ବିଧାନସଭାରେ ୩୫ରୁ ବିଜେଡି ୨୬ ଆସନ ଦଖଲ କରିଥିବାବେଳେ ବିଜେପି ଓ କଂଗ୍ରେସ ୪ଟି ଲେଖାଏଁ ଆସନ ଜିତିଥିଲେ । ସିପିଏମ ଜିତିଥିଲା ଗୋଟିଏ ବିଧାନସଭା । ୨୦୨୪ ଲଢ଼େଇରେ ତିନି ଦଳ ପୂରା ଦମ୍‌ ଲଗାଇ ଦେଇଛନ୍ତି । କନ୍ଧମାଳକୁ ଛାଡ଼ି ଦେଲେ ବାକି ୪ଟି ଯାକ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ବଦଳାଇଛି । ବିଜେପି ବି ସମାନ ନୀତିରେ ବରଗଡ଼, କନ୍ଧମାଳରେ ନୂଆ ସାଂସଦ ପ୍ରାର୍ଥୀ ଦେଇଛି । କଂଗ୍ରେସ ସମସ୍ତ ୫ଟି ଯାକ ଲୋକସଭା ଆସନରେ ନୂଆ ପ୍ରାର୍ଥୀଙ୍କୁ ଓହ୍ଲାଇଛି । ବିଧାନସଭା ଯୁଦ୍ଧରେ ୩୫ରୁ ୧୧ଟି ଆସନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି । 

ବିଜେପି ୧୯ଟି ଆସନରେ ପ୍ରାର୍ଥୀ ବଦଳାଇ ଦେଇଛି । କଂଗ୍ରେସ ୨୮ଟି ବିଧାନସଭା ଆସନରେ ନୂଆ ମୁହଁ ଆଣିଛି । ରଘୁନାଥପାଲ୍ଲୀ, ବଲାଙ୍ଗୀର,  ଫୁଲବାଣୀରେ ତିନି ଦଳର ଚେହେରା ବଦଳିଛନ୍ତି । ବଡ଼ କଥା ହେଲା, ମୁଖ୍ୟମନ୍ତ୍ରୀ ଲଢ଼ୁଥିବା ଦୁଇଟି ଯାକ ଆସନରେ ଆସନ୍ତା ୨୦ରେ ହିଁ ଭୋଟ ପଡ଼ିବ । ବଲାଙ୍ଗୀର ଲୋକସଭା ଆସନକୁ ୨୦୧୯ରେ ବିଜେପିର ସଙ୍ଗୀତା ସିଂହଦେଓ ୨୦ ହଜାରରୁ କମ୍‌ ଭୋଟରେ ବିଜେଡିକୁ ହରାଇଥିଲେ । ଏଥର ସଙ୍ଗୀତାଙ୍କ ସାମ୍ନାରେ ବିଜେଡି ଓ କଂଗ୍ରେସ ନୂଆ ମୁହଁ ଦେଇଛନ୍ତି । କଂଗ୍ରେସରୁ ଆମଦାନୀ ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ବିଜେଡି ଲୋକସଭା ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରୁ ଲଢ଼ୁଛନ୍ତି ଅଭିନେତା ମନୋଜ ମିଶ୍ର । ସଙ୍ଗୀତାଙ୍କୁ ସୁରେନ୍ଦ୍ର କେତେ ଚାଲେଞ୍ଜ ଦେଇପାରିବେ, ତାହା ଉପରେ ସଭିଙ୍କ ନଜର । ନବୀନଙ୍କ କଣ୍ଟାବାଞ୍ଜି ଗେମ୍‌ ପ୍ଲାନ ପଛରେ ୭ରୁ ୭ ବିଧାନସଭା ଆସନ ଦଖଲ ସହ ଲୋକସଭା ଉପରେ ବି ନଜର ରହିଛି । କଣ୍ଟାବାଞ୍ଜିରେ ନବୀନ ଓହ୍ଲାଇବା ପରେ ବିଜେଡିର ମନୋବଳ ଆକାଶଛୁଆଁ । ଦଳ ବିରୋଧୀଙ୍କ ହାତରୁ କଣ୍ଟାବାଞ୍ଜି ସହ ଅନ୍ୟ ଆସନ ପୋଛି ନେବାକୁ ଟାର୍ଗେଟ କରିଛି । ବିଧାନସଭା କ୍ଷେତ୍ର ମଧ୍ୟରେ ବଲାଙ୍ଗୀର ଲଢ଼େଇ ପୂରା ତଗଡ଼ା । 

କଂଗ୍ରେସରୁ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ଓ ବିଜେଡିରୁ ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ କଳିକେଶ । ଉଭୟ ପରିବାର ପାଇଁ ଏ ଲଢ଼େଇର ସମ୍ମାନର ପ୍ରଶ୍ନ । ବିଜେପି ବି ନୂଆ ମୁହଁ ଗୋପାଳଜୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି । ଲୋଇସିଂହାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ବନାମ ବିଜେଡିର ନିହାର ବେହେରାଙ୍କ ଭିତରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି । ପାଟଣାଗଡ଼ରେ ବିଧାୟକ ସରୋଜ ମେହେରଙ୍କୁ କଡ଼ା ଚାଲେଞ୍ଜ ଦେଉଛନ୍ତି ହେଭିୱେଟ କନକ ବର୍ଦ୍ଧନ ସିଂହଦେଓ । ସୁରେନ୍ଦ୍ର କଂଗ୍ରେସ ଛାଡ଼ିବା ପରେ ଟିଟିଲାଗଡ଼ରେ ବିଜେଡି-ବିଜେପି ଲଢ଼େଇ ଚାଲିଛି । ବୀରମହାରାଜପୁରରେ ବିଜେଡିର ପଦ୍ମନାଭ ବେହେରାଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେପିର ରଘୁନାଥ ଜଗଦ୍ଦେଲା । ସୋନପୁରରେ ନିରଞ୍ଜନ ପୂଜାରୀଙ୍କ ବାଟ ଓଗାଳିବାକୁ ବିରୋଧୀ ଦମ୍‌ ଲଗାଇ ଦେଇଛନ୍ତି । ବରଗଡ଼ ଲୋକସଭା ଆସନରେ ୩ ଦଳ ସାଂସଦ ପ୍ରାର୍ଥୀ ବଦଳାଇଛନ୍ତି । ୨୦୧୯ରେ ବିଜେପି ୬୩ ହଜାର ଭୋଟରେ ଏ ଆସନ ଜିତିଥିଲା । ଏଥର ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତ ଓ ବିଜେଡିର ନୂଆ ମୁହଁ ପରିଣୀତା ମିଶ୍ରଙ୍କ ଭିତରେ କଡ଼ା ଟକ୍କର । ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରି କଂଗ୍ରେସ ମଧ୍ୟ କମାଲ୍‌ କରିବାକୁ ଆଶା ବାନ୍ଧିଛି । 

ବରଗଡ଼ ଲୋକସଭାର ସମସ୍ତ ୭ଟି ଆସନକୁ ୨୦୧୯ରେ ବିଜେଡି ଦଖଲ କରିଥିଲା । ଏଥର ବି ସେଇ ମିଶନରେ ବିଜେଡି ଲାଗି ପଡ଼ିଛି । ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ଓ ଝାରସୁଗୁଡ଼ାରେ ମୁଖ୍ୟତଃ ବିଜେଡିବିଜେପି ଟକ୍କର ଦେଖିବାକୁ ମିଳୁଛି । ଅତାବିରାରେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ ବିଜେପିର ନିହାର ମହାନନ୍ଦଙ୍କ ଲଢ଼େଇ ରୋମାଞ୍ଚକ ହୋଇପାରେ । ବଜ୍ରଜରାଜନଗରରେ ବିଜେଡିର ଅଳକା ମହାନ୍ତି, କଂଗ୍ରେସର କିଶୋର ପଟେଲ ଓ ବିଜେପିର ସୁରେଶ ପୂଜାରୀଙ୍କ ଭିତରେ ତ୍ରିମୁଖୀ ଲଢ଼େଇ ସ୍ଥିତି ଉପୁଜିଛି । ୨୦୧୯ ସ୍ଥିତି ନାହିଁ । ସୁନ୍ଦରଗଡ଼ ଲୋକସଭାରେ ଏଥର ପୂରା ଟକରାଟକରି । ଗତ ଥର ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ ବିଜେପିର ହେଭିୱେଟ ଜୁଏଲ ଓରାମ । ଏଥର ଜୁଏଲ ହ୍ୟାଟ୍ରିକ ବିଜୟ ମିଶନରେ ଲାଗିଛନ୍ତି । ଜୁଏଲଙ୍କୁ ବିଜୟ ରଥ ରୋକିବାକୁ ହକି ତାରକା ଦିଲ୍ଲୀପ ତୀର୍କିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଜୁଏଲ-ଦିଲ୍ଲୀପଙ୍କ ଭିତରେ ଚାଲିଛି କଡ଼ା ସଂଘର୍ଷ । କଂଗ୍ରେସର ଜନାର୍ଦ୍ଦନ ଦେହୁରୀ କେତେ ଭୋଟ ଭିଡ଼ିବେ, ତାହା ଉପରେ ବି ଉଭୟ ଦଳର ଆଖି ରହିଛି । ୨୦୧୯ରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ବିଜେଡିକୁ ବଡ଼ ଝଟକା ଲାଗିଥିଲା । ୭ରୁ ୩ଟି ବିଧାନସଭା ବିଜେପି ଜିତିଥିବାବେଳେ ବିଜେଡି କେବଳ ରଘୁନାଥପାଲ୍ଲୀ ଓ ରାଉରକେଲା ଜିତିପାରିଥିଲା । କଂଗ୍ରେସ ରାଜଗାଙ୍ଗପୁର, ସିପିଏମ ବଣାଇ ଦଖଲ କରିଥିଲେ । 

ସବୁଠୁ ହାଇପ୍ରୋଫାଇଲ ଲଢ଼େଇ ଏଥର ରାଉରକେଲାରେ । ବିଜେପିର ଦିଲ୍ଲୀପ ରାୟ ବନାମ ବିଜେଡିର ସାରଦା ନାୟକ ପୂରା ଟଣାଓଟରା ସ୍ଥିତି । ସୁନ୍ଦରଗଡ଼ରେ ପୁଣି ଥରେ ବିଜେପିର କୁସୁମ ଟେଟେ ଓ ବିଜେଡିର ଯୋଗେଶ ସିଂଙ୍କ ମଧ୍ୟରେ କାଣ୍ଟେ କି ଟକ୍କର । ରାଜଗାଙ୍ଗପୁରରେ କଂଗ୍ରେସ ବିଧାୟକ ସିଏସ ରାଜନ ଏକ୍କାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ମଙ୍ଗଳା କିଷାନଙ୍କ ପୁଅ ଅନିଲ ବରୁଆ । ରଘୁନାଥପାଲ୍ଲୀରେ ଏଥର ତ୍ରିମୁଖୀ ଲଢ଼େଇ ସ୍ଥିତି । ତଳସରା ଓ ବୀରମିତ୍ରପୁରରେ ବିଜେଡି-ବିଜେପି ଟକ୍କର । ବଣାଇରେ ସିପିଏମ ବିଧାୟକ (ଇଣ୍ଡିଆ ମେଣ୍ଟ) ଲକ୍ଷ୍ମଣ ମୁଣ୍ଡାଙ୍କୁ ରୋକିବାକୁ ବିଜେଡି ଭୀମସେନ ଚୌଧୁରୀଙ୍କ ଓହ୍ଲାଇଛି ମଇଦାନରେ । ମାତ୍ର ଲଢ଼େଇ ପୂରା ଜୋରଦାର । କନ୍ଧମାଳ ଲୋକସଭା ଆସନରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ସାମ୍ନାରେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇଛନ୍ତି । ବିଜେପିରୁ ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସରୁ ଅମୀର ଚାନ୍ଦ ନାୟକ ଟିକଟ ପାଇଛନ୍ତି । ୨୦୧୯ରେ ବିଜେଡି ଏ ଲୋକସଭା ଆସନକୁ ପ୍ରାୟ ଦେଢ଼ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲା । ଏ ବ୍ୟବଧାନକୁ ଡେଇଁ ଆଗକୁ ବଢ଼ିବା ବିରୋଧୀଙ୍କ ପାଇଁ ବଡ଼ ଚାଲେଞ୍ଜ । ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିପାରେ । 

ବିଧାନସଭା କ୍ଷେତ୍ରର ସମସ୍ତ ୭ରୁ ୭ ଆସନ ୨୦୧୯ରେ ବିଜେଡି ଜିତିଥିଲା । ପ୍ରତି ଆସନରେ ୩ ଥର ଉପସ୍ଥିତି ଥିଲାବେଳେ ୩ଟି ଆସନରେ ବିଜେଡିକଂଗ୍ରେସ ଓ ୪ଟିରେ ବିଜେଡି-ବିଜେପି ଭିତରେ ଲଢ଼େଇ ତେଜୁଛି । କଂଗ୍ରେସ ସମସ୍ତ ଆସନରେ ନୂଆ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ୫ ଓ ବିଜେଡି ଗୋଟିଏ ଆସନରେ ନୂଆ ପ୍ରାର୍ଥୀଙ୍କୁ ଉତାରିଛି । ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀରେ ବିଜେଡିକୁ କଂଗ୍ରେସ ବେଶି ଟକ୍କର ଦେଉଛି । କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା ଓ ଭଞ୍ଜନଗରରେ ବିଜେଡି ଆଗରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ଉଭା ହୋଇଛି । ପ୍ରଦୀପ ଅମାତ, ବିକ୍ରମ କେଶରୀ ଆରୁଖଙ୍କ ଭଳି ହେଭିୱେଟଙ୍କ ଆସନ ରହିଛି ଏହା ଭିତରେ । ଆସିକା ଲୋକସଭା କ୍ଷେତ୍ର ବିଜେଡିର ଗଡ଼ ରହି ଆସିଛି । ୨୦୧୯ରେ ସମ୍ପୂର୍ଣ୍ଣ ନୂଆ ମୁହଁ ଭାବେ ପ୍ରମିଳା ବିଷୋୟୀଙ୍କୁ ଟିକଟ ଦେଇ ବି ବିଜେଡି ୨ ଲକ୍ଷରୁ ଅଧିକ ଭୋଟରେ ବିଜେଡି ଏ ଆସନ ଜିତିଥିଲା । 

ଏଥର ପୁଣି ନୂଆ ମୁହଁ ରଞ୍ଜିତା ସାହୁଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିଛି । ବିଜେପିରୁ ପୁନର୍ବାର ଅନୀତା ଶୁଭଦର୍ଶିନୀ ଓ କଂଗ୍ରେସ ନୂଆ ମୁହଁ ଦେବକାନ୍ତ ଶର୍ମା ଲଢ଼ୁଛନ୍ତି । ବିଜେଡିର ଆସିକା ଗଡ଼ ଭାଙ୍ଗିବା ବିରୋଧୀଙ୍କ ପାଇଁ ଅଗ୍ନି ପରୀକ୍ଷାଠାରୁ କମ୍‌ ନୁହେଁ । ଏହି ସଂସଦୀୟ କ୍ଷେତ୍ରର ୭ରୁ ୬ ଆସନରେ ୨୦୧୯ରେ ଜିତିଥିଲା ବିଜେଡି । ସବୁଠୁ ଓଜନିଆ କ୍ଷେତ୍ର ହେଉଛି ନବୀନଙ୍କ ପାରମ୍ପରିକ ଆସନ ହିଞ୍ଜିଳି । ଏଥର ନବୀନଙ୍କ ସାମ୍ନାରେ ବିଜେପି ଓ କଂଗ୍ରେସ ପୁଣି ପ୍ରାର୍ଥୀ ବଦଳାଇଛନ୍ତି । ପୋଲସରା ଓ ସୋରଡ଼ାରେ ବିଜେଡି-ବିଜେପି ଲଢ଼େଇ ରୋମାଞ୍ଚକ ହୋଇପାରେ । କବିସୂର୍ଯ୍ୟନଗରରେ ବିଜେଡି-ବିଜେପି ଟକରାଟକରି ସ୍ଥିତି । ସାନଖେମୁଣ୍ଡିରେ କଂଗ୍ରେସର ହେଭିୱେଟ ରମେଶ ଜେନାଙ୍କ ସାମ୍ନାରେ ବିଜେଡି ଓ ବିଜେପି ପ୍ରାର୍ଥୀ ବଦଳାଇଛନ୍ତି । ରମେଶଙ୍କ ବିରୋଧରେ ବିଜେଡିରୁ ନନ୍ଦିନୀ ଦେବୀଙ୍କ ଝିଅ ତଥା ଧରାକୋଟ ରାଜ ପରିବାରର ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରାର୍ଥୀ ହୋଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.