ମୁମ୍ବାଇ ୧୫/୦୬: ୟଶ ରାଜ୍ ଫିଲ୍ମସର ଫିମେଲ ସ୍ପାଇ ୟୁନିଭର୍ସ ଫିଲ୍ମରେ ନଜର ଆସିବେ ଶର୍ଭରୀ ୱାଗ୍ । ଏଥିରେ ସେ ଆଲିୟା ଭଟ୍ଟଙ୍କ ସହ ସ୍କ୍ରିନ୍ ଶେୟାର କରିବେ । ଏହାକୁ ସେ ବଡ଼ ଦାୟିତ୍ୱ ବୋଲି କହିଛନ୍ତି । ଗତ ମାର୍ଚ୍ଚ ମାସରେ ୟଶ ରାଜ୍ ଫିଲ୍ମସର ସିଇଓ ଅକ୍ଷୟ ୱିଧାନି ସେମାନଙ୍କର ପ୍ରଥମ ଫିମେଲ୍-ଲିଡ୍ ସ୍ପାଇ ଫିଲ୍ମ ବିଷୟରେ ଔପଚାରିକ ଘୋଷଣା କରିଥିଲେ ।
୨୦୧୨ ମସିହାରେ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍ ଷ୍ଟାରର୍ ‘ଏକ୍ ଥା ଟାଇଗର’ ଫିଲ୍ମ ଜରିଆରେ ୟଶ ରାଜ୍ ଫିଲ୍ମସ ସ୍ପାଇ ୟୁନିଭର୍ସ ଆରମ୍ଭ ହୋଇଥିଲା । ତା’ପରେ ଏହା ଅଧୀନରେ ‘ଟାଇଗର ଜିନ୍ଦା ହୈ’, ‘ୱାର୍’, ‘ପଠାନ୍’, ‘ଟାଇଗର-୩’ ଓ ‘ଫାଇଟର୍’ ଫିଲ୍ମ ମୁକ୍ତିଲାଭ କରିଛି । ଶର୍ଭରୀ ଓ ଆଲିୟାଙ୍କ ଅଭିନୀତ ଆଗାମି ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । କିନ୍ତୁ ଏହା ଏକ ଆକ୍ସନ୍ ଫିଲ୍ମ ହେବ। ଏଥିରେ ଦୁହେଁ ସୁପର୍ ଏଜେଣ୍ଟ୍ ଭୂମିକାରେ ନଜର ଆସିବେ ।
ଖୁବ୍ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ । ଏ ନେଇ ଶର୍ଭରୀ କହିଛନ୍ତି, ହିନ୍ଦୀ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଶୁଭ ସମୟ, କାରଣ ସେମାନଙ୍କ ପାଇଁ କାହାଣୀ ଲେଖାଯାଉଛି । ସବୁଠୁ ବଡ଼ କଥା ହେଉଛି, ସ୍ପାଇ ୟୁନିଭର୍ସ ଭଳି ଫିଲ୍ମ ବଡ଼ ସୁପରଷ୍ଟାର୍ଙ୍କ ପାଇଁ ଖବରରେ ରହିଥିଲା । ଏବେ ଏହା ମହିଳାଙ୍କୁ ମଧ୍ୟ ସୁଯୋଗ ଦେଉଛି । ତାଙ୍କ ମତରେ, ଆକ୍ସନ୍ ଫିଲ୍ମରେ ମହିଳାଙ୍କୁ ମୁଖ୍ୟ ଭୂମିକା ପ୍ରଦାନ କରାଯିବା ଆଗାମି ପିଢ଼ି ପାଇଁ ଉଦାହରଣ ହେବ । ଆଲିୟାଙ୍କ ଭଳି ପ୍ରତିଭାସମ୍ପନ୍ନ କଳାକାରଙ୍କ ସହ ସ୍କ୍ରିନ୍ ଶେୟାର କରିବା ଗୁରୁ ଦାୟିତ୍ୱ ବୋଲି ଶର୍ଭରୀ କହିଛନ୍ତି ।
ଫିଲ୍ମ ପାଇଁ ସେ ଗତ ୩ ମାସ ହେଲା କଡ଼ା ତାଲିମ ନେଉଛନ୍ତି । ସ୍ପାଇ ଫିଲ୍ମ ପାଇଁ ତାଙ୍କୁ ଅଡିସନ୍ ଦେବାକୁ ପଡ଼ିଥିଲା । ୨୦୨୧ ମସିହାରେ ଫିଲ୍ମ ‘ବଣ୍ଟି ଔର ବବ୍ଲି-୨’ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ ଶର୍ଭରୀ । ସଦ୍ୟ ମୁକ୍ତିପ୍ରାପ୍ତ ଫିଲ୍ମ ‘ମୁଞ୍ଜ୍ୟା’ର ସଫଳତାକୁ ନେଇ ସେ ଏବେ ବହୁତ ଖୁସି । ଗତ ୭ ତାରିଖରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଅଦ୍ୟାବଧି ୩୨.୪୭ କୋଟି ବ୍ୟବସାୟ କରିଛି ।