ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ସ୍ନାନଜ୍ୱର ଓ ଅଣସର

ଭୁବନେଶ୍ୱର:  ଏବର୍ଷ ୨୦୧୫ ନବକଳେବରର ଚତୁର୍ଦ୍ଧାଙ୍କର ନବମ ବର୍ଷ ସ୍ନାନଯାତ୍ରା । ଶ୍ରୀମନ୍ଦିର ପରିକ୍ରମା ନିର୍ମାଣ ପରେ ଏଥରର ରଥ ଓ ସ୍ନାନଯାତ୍ରା ପ୍ରଥମ । କେଉଁ ଅଜଣା କାଳରୁ ମହାପ୍ରଭୁଙ୍କ ଯାତ୍ରା ଓ ପର୍ବପର୍ବାଣୀ ପ୍ରତିପାଳିତ । ସେ ମଧ୍ୟରୁ ସ୍ୱତନ୍ତ୍ର ବିଶେଷତ୍ୱ ବହନ କରେ ଶ୍ରୀଗୁଣ୍ଡିଚା ଓ ସ୍ନାନଯାତ୍ରା । ଆମ ପୁରାଣମାନଙ୍କରେ ସ୍ନାନଯାତ୍ରାର ମାହାତ୍ମ୍ୟ ବହୁଭାବରେ ବର୍ଣ୍ଣିତ । କୁହାଯାଏ ଯେ, ବାର ମାସରେ ତେର ଯାତ୍ରା । ତାହା ଠିକ୍‌, ମାତ୍ର ମହାପ୍ରଭୁଙ୍କ ଯାତ୍ରା ସଂଖ୍ୟା ଦ୍ୱାଦଶ । ତ୍ରୟୋଦଶ ଯାତ୍ରାଟି ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ । ଏହାକୁ "ନୀଳାଦ୍ରି ମହୋଦୟ' ଆଖ୍ୟା ଦିଆଯାଇଛି । ଉତ୍କଳୀୟ ସ୍ମୃତିକାରମାନେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ତଥା ଉତ୍ସବ ପାଳନ ଓ ଏହାର ଫଳପ୍ରାପ୍ତି ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି । ସ୍ମୃତିକାର ଗଦାଧର ରାଜଗୁରୁ ସ୍ୱୀୟ "କାଳସାର' ଗ୍ରନ୍ଥରେ ଦ୍ୱାଦଶ ଯାତ୍ରାର ନମୋଲ୍ଲେଖ କରିଛନ୍ତି– ମଞ୍ଚସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ୱେ/ ପାଶ୍ୱର୍ ବୃତ୍ତିଂ ଶୟନ ପରିହୃତିଃ ପ୍ରାବୃତ୍ତିଃ ପୁଷ୍ୟପୂଜା/ ଦୋଳାକେଳି ଦମନକମହୋଦକ୍ଷୟ ପୁଣ୍ୟା ତୃତୀୟା/ ଯାତ୍ରାଃ ସ୍କାନ୍ଦେ ହରିପ୍ରତିମୟୋ ଦ୍ୱାଦଶେତି ପ୍ରତୀତଃ ।


ସ୍ନାନଯାତ୍ରା ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣିମା ଦିନ ପ୍ରତିପାଳନ ହୋଇଥାଏ । ସ୍ନାନପୂର୍ଣ୍ଣିମାର ଅନ୍ୟ ନାମ ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ନୀତି ମହିମାମଣ୍ଡିତ । ଏହି ସ୍ନାନଯାତ୍ରାରେ ଶତାଧିକ ସେବକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କାରଣ ସ୍ନାନପୂର୍ଣ୍ଣିମା ପ୍ରତ୍ୟୁଷରୁ ରାତିରେ ବାହୁଡ଼ା ପହଣ୍ଡି ମଧ୍ୟରେ ମୋଟ ୨୧ ପ୍ରକାର ନୀତି ପାଳିତ ହୁଏ । ତେବେ ଏହି ସ୍ନାନପୂର୍ଣ୍ଣିମା ହେଉଛି ମହାପ୍ରଭୁଙ୍କ ଜନ୍ମଦିନ । ଏହି ଦିନଟିକୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଦିନ ଭାବେ ଗ୍ରହଣ କରି ଉତ୍ସବ ପାଳନ ହୋଇଥାଏ । କେବଳ ଶ୍ରୀଗୁଣ୍ଡିଚା ଓ ସ୍ନାନଯାତ୍ରାରେ ହିଁ ମହାପ୍ରଭୁ ରତ୍ନ ସିଂହାସନରୁ ବାହାରକୁ ବିଜେ କରନ୍ତି । "ନୀଳାଦ୍ରି ମହୋଦୟ' ଗ୍ରନ୍ଥରେ ସ୍ନାନଯାତ୍ରା ସମ୍ପର୍କରେ କୁହାଯାଇଛି ଯେ, ଏକଦା ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥ ବ୍ରହ୍ମାଙ୍କ ଅନୁରୋଧ ଶୁଣି ଟିକିଏ ହସିଦେଇ ଗମ୍ଭୀର ସ୍ୱରରେ କହିଥିଲେ– ଜ୍ୟେଷ୍ଠ ପୂର୍ଣ୍ଣିମାରେ ମୋର ଜନ୍ମଦିନ କରାଇବ । କଳ୍ପବଟ ନିକଟରେ କୂପ ନିର୍ମାଣ କରିବ । ସେହିଦିନ ଉକ୍ତ କୂପରେ ନାନା ତୀର୍ଥ ଆର୍ବିଭୂତ ହେବେ । ସେହି ଜଳରେ ମୋତେ ସ୍ନାନ କରାଇ ପନ୍ଦର ଦିନ ପର୍ଯ୍ୟନ୍ତ ଗୋପନରେ ରଖିବ । ପନ୍ଦର ଦିନ ପୂର୍ବରୁ ଯିଏ ଦର୍ଶନ କରିବ ମୋତେ, ସିଏ ନର୍କଗାମୀ ହେବ (ନୀ.ମ ୬ଷ୍ଠ ଅଧ୍ୟାୟ) । ତେବେ ଏହି ସ୍ନାନବିଧି ସ୍ନାନମଣ୍ଡପରେ ସମାପନ ହୁଅନ୍ତେ, ସତରେ ପ୍ରଭୁଙ୍କୁ ଜ୍ୱର ହୁଏ । ସେଥିପାଇଁ ଚଉଦ ଦିନ ପର୍ଯ୍ୟନ୍ତ ଅଣସର ଘରେ ରୁହନ୍ତି । ଅଣସର ଘରେ ଚତୁର୍ଦ୍ଧା ବିଗ୍ରହଙ୍କ ସହିତ ମାଧବ ରହିଥାନ୍ତି । ସାଧାରଣ ଲୋକର ଦେହ ଖରାପ ହେଲେ ଯେପରି ଚିକିତ୍ସା କରାଯାଏ, ଠିକ୍‌ ସେହିପରି ପ୍ରଭୁଙ୍କର ମଧ୍ୟ ଉପଚାର କରାଯାଏ । ସାଧାରଣ ଲୋକ ଚିକିତ୍ସାଳୟରେ ରହିଲା ପରି ମହାପ୍ରଭୁ ଅଣସର ଘରେ ରୁହନ୍ତି । ପାଟ ପୀତାମ୍ବରୀ ବସ୍ତ୍ର ଓ ଅଳଙ୍କାର ତ୍ୟାଗ କରି ମହାପ୍ରଭୁ ଖଣ୍ଡେ ଧଳା ସୂତାବସ୍ତ୍ର ପରିଧାନ କରି ଅଣସର ଘରେ କାଠକୁ ଆଉଜି ରହିଥାନ୍ତି । ଏ ସମୟରେ କୌଣସି କଠିନ ଖାଦ୍ୟ ଖାଆନ୍ତି ନାହିଁ । ଫଳମୂଳ ଖାଆନ୍ତି । ସର, କ୍ଷୀର, ଅଳେଇଚ ଓ କର୍ପୂର ପଡ଼ିଥିବା ପଣା କେବଳ ପିଅନ୍ତି । ମଧ୍ୟାହ୍ନ ଧୂପ ସରିବା ପରେ ଓ ସନ୍ଧ୍ୟାଧୂପ ସରିବା ପରେ ଅଣସର ଘର ଖୋଲାଯାଏ । ଦଇତାପତି ପରିବାର ସମସ୍ତେ ଗୋଷ୍ଠୀଗତ ଭାବେ ପ୍ରତ୍ୟହ ଖଣ୍ଡିଏ ବସ୍ତ୍ର ପରିଧାନ କରି ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୁଅନ୍ତି ।

ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ହୋଇ ଚତୁର୍ଦ୍ଧା ବିଗ୍ରହ ଅଣସରରେ ରହିବା ପରେ ସେଠାରେ ଚାଲେ ଗୁପ୍ତ ସେବା । ଭିତର ଅଣସର ପିଣ୍ଡିରେ ଚାଲିଥିବା ଏହି ଗୁପ୍ତଲୀଳାରେ କେତୋଟି ନିଷିଦ୍ଧ ନିୟମ ରହିଛି । ତାହା ହେଲା ଅଣସର ଗୃହକୁ ଦଇତା ଓ ପତି ମହାପାତ୍ର ସେବକଙ୍କ ବ୍ୟତୀତ ଅନ୍ୟ ସେବକ କେହି ଯାଇପାରିବେ ନାହିଁ । ଅଣସର ଘରେ ରାଶିତେଲର ଦୀପ ବ୍ୟତୀତ ଅନ୍ୟ କୌଣସି ଆଲୋକ ବ୍ୟବହାର ହୋଇପାରିବ ନାହିଁ । ଅଣସର ପିଣ୍ଡିରେ ଏକାଦଶୀ ପର୍ଯ୍ୟନ୍ତ ଧଳାଫୁଲ ବ୍ୟତୀତ ଅନ୍ୟ କୌଣସି ଫୁଲ ପ୍ରବେଶ ନିଷେଦ୍ଧ । ଏ ସମୟରେ କୌଣସି ପ୍ରକାର ରନ୍ଧାଭୋଗ ଅର୍ପଣ କରାଯାଇପାରିବ ନାହିଁ । ଅଣସରରେ କେବଳ ପଣା ଓ ଚକଟା ଭୋଗ ସମର୍ପଣ ହୋଇଥାଏ । ଏଥି ସହିତ ଆମ୍ବ, ପଣସ, ସପୁରି ଆଦି କେତେକ ନିର୍ଦ୍ଦିଷ୍ଟ ଫଳ ଭୋଗ ହେବାର ବିଧି ରହିଛି । ଅଣସର ଘରକୁ ସେବା ପାଇଁ ପ୍ରବେଶ କରିଥିବା ସେବକ ଏକ ବସ୍ତ୍ର ପରିଧାନ କରି ଠାକୁରଙ୍କୁ ସମର୍ପିତ ହୋଇଥିବା ପ୍ରସାଦ ଗ୍ରହଣ କରିଥାନ୍ତି । ଏଥିପାଇଁ ଯେଉଁ ପତ୍ର ଓ ପାତ୍ର ବ୍ୟବହାର କରାଯାଏ ତାହା ମଧ୍ୟ ଅଣସର ଘରୁ ବାହାରକୁ ଆସିନଥାଏ । ଅଣସର ଶେଷ ପର୍ଯ୍ୟନ୍ତ ସମସ୍ତ ଫୁଲ, ଫଳ, ଚୋପା ଓ ଖାଦ୍ୟ ସେବନରେ ବ୍ୟବହୃତ ହୋଇଥିବା ପତ୍ର ଇତ୍ୟାଦି ସେହି ଗୃହରେ ଗୋଟିଏ କୋଣରେ ରଖାଯାଇଥାଏ । ଏକାଦଶୀ ପର୍ଯ୍ୟନ୍ତ ଭୋଗ ସମର୍ପଣ ବେଳେ ଅଣସର ଘରେ କୌଣସି ପ୍ରକାର ଘଣ୍ଟାଘଣ୍ଟି ବାଜେ ନାହିଁ । ଦଶମୀ ପର୍ଯ୍ୟନ୍ତ କୌଣସି ଶବ୍ଦ କିମ୍ବା ବଡ଼ ପାଟିରେ କଥାବାର୍ତ୍ତା କରାଯିବ ନାହିଁ । ଏହି ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରାଯାଏ ନାହିଁ³ କାରଣ ଏହାଦ୍ୱାରା ଶବ୍ଦ ହେବାର ସମ୍ଭାବନା ଥାଏ । 

ଅଣସରରେ ମଧ୍ୟ ବନକଲାଗି ହୁଏ । ସାଧାରଣ ବନକଲାଗି ଠାରୁ ଏହା ସ୍ୱତନ୍ତ୍ର ରୂପେ ହୋଇଥାଏ । ଏମିତିରେ ପ୍ରତ୍ୟେକ ଗୁରୁବାର ବନକଲାଗି ନୀତି ହେବାର ବିଧି ରହିଛି । ବର୍ତ୍ତମାନ ଏହା ବୁଧବାର କରାଯାଉଛି । ଦତ୍ତମହାପାତ୍ରମାନେ ଏ ସେବା କରିଥାନ୍ତି । ଦତ୍ତମହାପାତ୍ର ସେବା ଏକ ଗୋଷ୍ଠୀଗତ ସେବା । ଏମାନେ ଅଧର ପୋଛା ନୀତି, ବନକଲାଗି ଓ ଅଣସରରେ ଖଡ଼ି ପ୍ରସାଦ ଲାଗି ନୀତି ସମ୍ପାଦନ କରିଥାନ୍ତି । ଦେବସ୍ନାନ ପୂର୍ଣ୍ଣିମାଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଦତ୍ତମହାପାତ୍ର ସେବକ ହବିଷ୍ୟାନ୍ନରେ ରହି ସେବା ନିଯୁକ୍ତ ହୋଇଥାନ୍ତି । କାହାର ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ବନରୁ ଯାତ ସାମଗ୍ରୀରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେଉଥିବାରୁ ଏ ନୀତିର ନାମକରଣ ହୋଇଛି ବନକଲାଗି । ବନକଲାଗି ପାଇଁ କସ୍ତୁରୀ, କେଶର, ହରିତାଳ, ହେଙ୍ଗୁଳ, ଧଳାରଙ୍ଗ ଏବଂ ଶ୍ରୀଖଣ୍ଡ କଳା ଦରକାର ହୋଇଥାଏ । ଏହିସବୁ ପ୍ରାକୃତିକ ସାମ୍ରଗୀକୁ ନେଇ ଦତ୍ତମହାପାତ୍ର ମହାପ୍ରଭୁଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିଥାନ୍ତି । ମାତ୍ର ଅଣସର ବନକଲାଗି ଟିକିଏ ନିଆରା । ଚତୁର୍ଦ୍ଦଶୀ ତିଥିରେ ଦତ୍ତ ମହାପାତ୍ରମାନେ ଠାକୁରଙ୍କ ବନକଲାଗି କରାଇଥାନ୍ତି । ନିରାକାର ରୂପକୁ ପ୍ରଥମେ ରେଖା ଅଙ୍କନ କରି ଆକାର ରୂପ ଦେଇଥାନ୍ତି । ଏହାପରେ ବନକାଲାଗି ହୁଏ । ଶ୍ରୀଜଗନ୍ନାଥ ଓ ବଡ଼ଠାକୁରଙ୍କ ବନକଲାଗିରେ ଧଳା, କଳା, ଏବଂ ନାଲିରଙ୍ଗ ବ୍ୟବହାର ହେଉଥିବାବଳେ ଦେବୀ ସୁଭଦ୍ରାଙ୍କ ବନକଲାଗିରେ ହଳଦିଆ, ଧଳା ଓ ନାଲି ରଙ୍ଗ ବ୍ୟବହାର ହୋଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଭୁଜରେ ଶଙ୍ଖ, ଚକ୍ର ଏବଂ ଶ୍ରୀବତ୍ସ ଚିହ୍ନ ଅଙ୍କା ଯାଇଥାଏ । ସେହିପରି ବଡ଼ଠାକୁରଙ୍କ ଶ୍ରୀଭୁଜରେ ହଳ, ମୂଷଳ ଏବଂ ମସ୍ତକରେ ସପ୍ତଫେଣୀ ସର୍ପ ଅଙ୍କା ଯାଇଥାଏ।

ମହାପ୍ରଭୁଙ୍କ ସ୍ନାନ ଦର୍ଶନ ଅଶେଷ କଲ୍ୟାଣକର । ଏ ସମ୍ପର୍କରେ ପୁରୁଷୋତ୍ତମ ମାହାତ୍ମ୍ୟରେ ବହୁ କଥା ବର୍ଣ୍ଣିତ । ତନ୍ମଧ୍ୟରୁ ଚିର ରୋଗାକ୍ରାନ୍ତର ଆରୋଗ୍ୟ ଲାଭ, ଅପୁତ୍ରିକର ପୁତ୍ରଲାଭ, କୁଷ୍ଠରୋଗ ବିନଷ୍ଟ ଇତ୍ୟାଦି ସ୍ନାନଦର୍ଶନ ଓ ସ୍ନାନଜଳ ସ୍ପର୍ଶରେ ସମ୍ଭବ ହୋଇଥାଏ । ଏ ସମ୍ପର୍କରେ ଜୈମନୀ ଅନେକ କଥା ଋଷି ଓ ବ୍ରାହ୍ମଣମାନଙ୍କୁ କହିଛନ୍ତି । ଏପରିକି ତାଙ୍କ ମତରେ, ମହାପ୍ରଭୁଙ୍କ ସ୍ନାନଜଳ କେବଳ ପ୍ରଭାବଶାଳୀ ନୁହେଁ, ଅପରନ୍ତୁ ଗଙ୍ଗାଜଳ ଠାରୁ ପବିତ୍ରତମ ଅଟେ । ତ୍ରିବାର ସତ୍ୟ କରି ଜୈମନୀ କୁହନ୍ତି– ସତ୍ୟଂ ସତ୍ୟଂ ପୁନଃ ସତ୍ୟଂ ବ୍ରବୀମି ଦ୍ୱଜ ପୁଙ୍ଗ ବାଃ/ ସର୍ବ ସନ୍ତାପଶମନମଶେଷ ମଳନାଶନମ୍‌ । ସ୍ନପନଂ ଶ୍ରୀ ପତଜ୍ୟୈ ଷ୍ଠ୍ୟାଂ ଯଦି ଭକ୍ତ୍ୟା ବିଲୋକିତଂ/ ପ୍ରାୟଶ୍ଚିତ ନିମିତାନି ଯାନି ପାପାନି ସନ୍ତି ବୈ ।

ଅର୍ଥାତ୍‌– ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭକ୍ତିଭାବ ନେଇ ଯଦି ଭଗବାନ ଶ୍ରୀପତିଙ୍କର ସ୍ନାନଯାତ୍ରା ଅବଲୋକ କରିଯାଏ, ତେବେ ସକଳ ସନ୍ତାପ ଓ ଅଶେଷ ପାପ ପ୍ରଶମିତ ହୋଇଥାଏ । ହେ ଦ୍ୱିଜଶ୍ରେଣ୍ଠଗଣ! ମୁଁ ଏହା ତ୍ରିବାର ସତ୍ୟ କରି କହୁଅଛି । ବିଶେଷତଃ ପ୍ରାୟଶ୍ଚିତ ଯୋଗ୍ୟ ଯେତେ କିଛି ପାପ ଥିବ ଶ୍ରୀହରିଙ୍କ ସ୍ନାନୋତ୍ସବ ଦର୍ଶନରେ ସେ ସମସ୍ତ କ୍ଷୟପ୍ରାପ୍ତ ହୋଇଥାଏ । ଏଣୁ ଜ୍ୟେଷ୍ଠ ପୂର୍ଣ୍ଣିମାର ଏହି ସ୍ନାନ ଦର୍ଶନ ଅପେକ୍ଷା ଅଧିକ ମୋକ୍ଷପ୍ରଦ ଶ୍ରେଷ୍ଠ କର୍ମ ଅନ୍ୟ କିଛି ନାହିଁ । ତାଙ୍କୁ ତେଣୁ ଦେବତାମାନେ ମଧ୍ୟ ସ୍ତୁତି କରିଥାନ୍ତି । “ନମୋଦତ୍ୱନନ୍ତାୟ ସହସ୍ର ମୂର୍ତ୍ତୟେ/ ସହସ୍ର ପଦାକ୍ଷି ଶିରୋରୁ ବାହବେ । ସସ୍ରନାମ୍ନେ ପୁରୁଷାୟ ଶାଶ୍ୱତେ/ ସହସ୍ର କୋଟୀ ଯୁଗଧାରିଣେ ନମଃ ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.