ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଦଳୁଛି ନିର୍ବାଚନ ପ୍ରଚାର ଶୈଳୀ; ଏବେ ଫେସବୁକ୍‌ ଓ ଏକ୍ସରେ ନେତାଙ୍କ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଶୁଭ୍ରଜିତ୍‌ ବଳିଆରସିଂହ)/୨୦।୩: ଏଆଇ ଯୁଗରେ ନିର୍ବାଚନ ପ୍ରଚାର ଶୈଳୀ ବଦଳିଗଲାଣି । ପାରମ୍ପରିକ ପ୍ରଚାରରୁ ଆଗକୁ ଗଲେଣି ନେତା । କର୍ମୀ ବି ଆଉ ପଛରେ ନାହାନ୍ତି । ଗାଁ ଗାଁ ବୁଲି ଜିନ୍ଦାବାଦ କରିବା ବଦଳରେ ମୋବାଇଲ୍‌ ଖୋଲି ସୋସିଆଲ ମିଡିଆ ଯୋଦ୍ଧା ସାଜିଛନ୍ତି । ଯିଏ ଫେସ୍‌ବୁକ, ଏକ୍ସ, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍‌ରେ ଭଲ କରୁଛନ୍ତି, ଦଳ ତାଙ୍କୁ ପୁରସ୍କୃତ ବି କରୁଛି । ଏଥର ଭୋଟ୍‌ ଯୁଦ୍ଧ ଆଗରୁ ସୋସିଆଲ ମିଡିଆ ୱାର ବଡ଼ ଭୂମିକା ନେବ । ସାଂପ୍ରତିକ ପରିସ୍ଥିତିରେ ପ୍ରଚାରର ତରିକା ବଦଳିଗଲାଣି । କେବଳ କାନ୍ଥବାଡ଼ରେ ପୋଷ୍ଟର ମାରି ନୁହେଁ, ଏବେ ଡିଜିଟାଲ୍‌ ପ୍ରଚାରକୁ ସବୁ ଦଳ ଗୁରୁତ୍ୱ ଦେଉଛନ୍ତି । ସୋସିଆଲ୍‌ ମିଡିଆରେ ଜୋରଦାର ପ୍ରଚାର ଚାଲୁଛି । ନେତାମାନେ ସକାଳୁ ରାତି ଯାଏ କୁଆଡ଼େ ଓ କାହିଁକି ଯାଉଛନ୍ତି, କାହାକୁ ଭେଟୁଛନ୍ତି ଏବଂ କ’ଣ କାର୍ଯ୍ୟକ୍ରମ କରୁଛନ୍ତି ଏ ସବୁର ଟିକିନିଖି ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରୁଛନ୍ତି । ଏଥିପାଇଁ ନେତାମାନେ ଓଡ଼ିଆରେ ଭଲ ଲେଖିପାରୁଥିବା ଯୁବବର୍ଗଙ୍କୁ ନିଯୁକ୍ତ କରୁଛନ୍ତି । 

କେବଳ ଏତିକି ନୁହେଁ ଫେସ୍‌ବୁକ୍‌, ୟୁଟ୍ୟୁବ୍‌ରେ ହେଉଛି ଲାଇଭ ଭିଡିଓ । ଦଳ ଏବଂ କିଛି ନେତା ନିଜର ସୋସିଆଲ୍‌ ମିଡିଆକୁ ପରିଚାଳନା କରିବା ପାଇଁ ରାଜ୍ୟ ବାହାରର ଏଜେନ୍ସିକୁ ଦାୟିତ୍ୱ ଦେଉଛନ୍ତି । ଏଥିସହ ନେତାମାନେ ନିଜର ସ୍ୱତନ୍ତ୍ର ପ୍ରତିନିଧି ତଥା ଜଣେ ସୋସିଆଲ୍‌ ମିଡିଆ ହ୍ୟାଣ୍ଡଲର୍‌କୁ ନିୟୋଜିତ କରିଛନ୍ତି । ସୋସିଆଲ୍‌ ମିଡିଆ ପ୍ରଚାର ପାଇଁ ସ୍ୱତନ୍ତ୍ର ଟିମ୍‌ ରହିଛନ୍ତି । ଯେଉଁଥିରେ ଲେଖକ, ଟେକ୍ନିକାଲ୍‌ ଏକ୍ସପର୍ଟ, ଭିଜୁଆଲ୍‌ ଏଡିଟର, ଗ୍ରାଫିକ୍ସ ଡିଜାଇନର ଓ କ୍ୟାମେରା ଟିମ୍‌ ରଖୁଛନ୍ତି । ସେମାନଙ୍କୁ ମାସିକ ଭଲ ପାରିଶ୍ରମିକ ଦିଆଯାଉଛି । ଲେଖକକୁ ମାସିକ ୨୫ରୁ ୩୦ ହଜାର ଟଙ୍କା, ଭିଜୁଆଲ୍‌ ଏଡିଟରଙ୍କୁ ୩୦ ହଜାର ଏଥିସହ କ୍ୟାମେରା ଟିମ୍‌କୁ କ୍ୟାମେରା କ୍ୱାଲିଟି ଦେଖି ୫୦ ହଜାରରୁ ଅଧିକ ଟଙ୍କା ଦେଉଛନ୍ତି । ମାସିକ ପାରିଶ୍ରମିକ ବାଦ୍‌ ରହିବା, ଖାଇବା ଓ ସ୍ୱତନ୍ତ୍ର କାର୍‌ର ବ୍ୟବସ୍ଥା କରାଯାଇଛି । ନେତା ଯେଉଁଆଡ଼େ ଯିବେ ସେମାନେ ତାଙ୍କ ସହ ଯାଉଛନ୍ତି । କଂଗ୍ରେସର ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ ପାଇଁ ୩ଜଣ ରାଜ୍ୟ ସଂଯୋଜକ ରହିଛନ୍ତି । ଜଣେ ଅଧ୍ୟକ୍ଷ ରହିଛନ୍ତି । 

ସେହିପରି ରାଜ୍ୟ କାର୍ଯ୍ୟକର୍ତ୍ତା ରହିଛନ୍ତି । ମୁଖ୍ୟାଳୟରେ ୩ଜଣ ଟେକ୍ନିକାଲ୍‌ ଏକ୍ସପର୍ଟ ନିୟୋଜିତ ଅଛନ୍ତି । ଜିଲ୍ଲାସ୍ତରରେ ମଧ୍ୟ ଦଳର ସୋସିଆଲ୍‌ ମିଡିଆକୁ ହ୍ୟାଣ୍ଡେଲ ପାଇଁ ଏକ କମିଟି ରହିଛି । ଏହି କମିଟିରେ କାର୍ଯ୍ୟକର୍ତ୍ତା ନିୟୋଜିତ ଅଛନ୍ତି । କର୍ମୀମାନେ ନିଜର ଦଳର ପ୍ରଚାର କରିବା ସହ ବିପକ୍ଷ ଦଳକୁ ସୋସିଆଲ୍‌ ମିଡିଆରେ କାଉଣ୍ଟର ଆଟାକ୍‌ କରୁଛନ୍ତି । ଏଥିସହ ସୋସିଆଲ୍‌ ମିଡିଆରେ ପ୍ରଚାରକୁ ଅଧିକ ସୁଦୃଢ଼ କରିବା ପାଇଁ ଏଆଇସିସିର ସୋସିଆଲ୍‌ ମିଡିଆ ଇନ୍‌ଚାର୍ଜ ସୁମିତ୍‌ ଦୁବେ ଓଡ଼ିଶା ଆସିଛନ୍ତି । ସେହିପରି ମିଡିଆ ସେଲ୍‌ର ଇନ୍‌ଚାର୍ଜ ଭାବେ ବବିତା ଶର୍ମା ସ୍ୱତନ୍ତ୍ର ଭାବେ ଆସିଛନ୍ତି । ବିଜେପିର ରାଜ୍ୟସ୍ତରୀୟ ଜଣେ ସୋସିଆଲ୍‌ ମିଡିଆ ସଂଯୋଜକ ରହିଛନ୍ତି । ଏଥିସହ ଜିଲ୍ଲା, ବ୍ଲକ୍‌ ଏବଂ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜଣେ ଲେଖାଁ ସୋସିଆଲ୍‌ ମିଡିଆ ସଂଯୋଜକ ରହିଛନ୍ତି । ଏକ ସ୍ୱତନ୍ତ୍ର ସୋସିଆଲ୍‌ ମିଡିଆ ଟିମ୍‌ ରହିଛନ୍ତି । ଯେଉଁମାନେ ବୁଥ୍‌ସ୍ତରରୁ ହିଁ ସୋସିଆଲ୍‌ ମିଡିଆ ପାଇଁ କାମ କରୁଛନ୍ତି । ଏଥିସହ ବାହାର ଏଜେନ୍ସିକୁ ସୋସିଆଲ୍‌ ମିଡିଆ ଦାୟିତ୍ୱ ଦିଆଯାଇଛି । ଆଇଟି ସେଲ୍‌ ଟିମ୍‌ ଦଳର ପ୍ରଚାର କରିବା ସହ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଆଟାକ୍‌ କରିବା ସହ କାଉଣ୍ଟର ଆଟାକ୍‌ କରୁଛନ୍ତି । ନିକଟରେ ସୋସିଆଲ୍‌ ମିଡିଆ ତଥା ଡିଜିଟାଲ୍‌ ପ୍ରଚାର ଲାଗି ବିଜୁ ଜନତା ଦଳ ପକ୍ଷରୁ ତାର ସମସ୍ତ ୱିଙ୍ଗ୍‌ (ଛାତ୍ର, ଯୁବ, ମହିଳା) କୁ ତାଲିମ ଦିଆଯାଇଛି । ଦଳର ଏକ ସ୍ୱତନ୍ତ୍ର ଡିଜିଟାଲ୍‌ ସେଲ୍‌ ଅଛି । ଏଥିରେ କର୍ମକର୍ତ୍ତା ନିୟୋଜିତ ଅଛନ୍ତି । 

ସମସ୍ତ ପ୍ରକଳ୍ପ ତଥା କାର୍ଯ୍ୟ ସଂପର୍କରେ ଲୋକଙ୍କୁ ଅବଗତ କରାଯାଉଛି । ଦଳର ଏକ ସ୍ୱତନ୍ତ୍ର ‘ଶଙ୍ଖ’ଆପ୍‌ କରାଯାଇଛି । ଏହି ଶଙ୍ଖ ଆପ୍‌ ପ୍ରତିଦିନ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଲୋକଙ୍କୁ ତଥ୍ୟ ଗ୍ରାଫିକ୍ସ ଡିଜାଇନ୍‌ କରାଯାଇ ଅପ୍‌ଲୋଡ୍‌ କରାଯାଉଛି । ଏଥିସହ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ କରିଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଅପଲୋଡ୍‌ କରାଯାଉଛି । ଭିଡିଓ, ରିଲସ୍‌ ଆଦି ଏଡିଟିଂ କରି ପକାଯାଉଛି । ଏହାକୁ କର୍ମୀମାନେ ଏଠାରୁ ନେଇ ନିଜର ସୋସିଆଲ୍‌ ମିଡିଆରେ ସେୟାର କରିବା ସହ ପଞ୍ଚାୟତସ୍ତରରୁ ହୋଇଥିବା ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ସେୟାର କରୁଛନ୍ତି । ଏଥିସହ ଏବେ ଫୋନ୍‌ କଲ୍‌ ଓ ମେସେଜ୍‌ ଆସୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.