ପ୍ରମୂଖ ଖବର

ଓଡ଼ିଶାର ୭ ସାମଗ୍ରୀକୁ ମିଳିବ ଜିଆଇ ଟ୍ୟାଗ୍‌, ସ୍ୱୀକୃତି ଅପେକ୍ଷାରେ ଖଜୁରି ଗୁଡ଼,ମଗ୍‌ଜି ଲଡୁ

ଭୁବନେଶ୍ୱର,୦୨/୦୯: ଓଡ଼ିଶା ପାଇଁ ବହୁତ ବଡ଼ ଖୁସି ଖବର । ଦୀର୍ଘଦିନ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଖୁବ୍‌ଶୀଘ୍ର ଭୌଗୋଳିକ ସୂଚକାଙ୍କ (ଜିଆଇ) ପାଇବ ଓଡ଼ିଶାର ୭ ସାମଗ୍ରୀ । ମାତ୍ର ଆଉ କିଛି ମାସର ଅପେକ୍ଷା । ଏହାପରେ ଓଡ଼ିଶାର ୭ଟି ପ୍ରସିଦ୍ଧ ସାମଗ୍ରୀ ଜିଆଇ ମାନ୍ୟତା ପାଇବ ।

ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜିଆଇ ଜର୍ଣ୍ଣାଲ୍‌ ପ୍ରକାଶ ପାଇଛି ।  ଗତ ଅଗଷ୍ଟ ୩୧ ତାରିଖରେ ପ୍ରକାଶିତ ଜର୍ଣ୍ଣାଲ୍‌-୧୭୮ରେ ଦେଶର ବିଭିନ୍ନ ସାମଗ୍ରୀ ସମେତ ଓଡ଼ିଶାର ୭ଟି ସାମଗ୍ରୀ କଥା ଉଲ୍ଲେଖ ରହିଛି । ଜର୍ଣ୍ଣାଲ୍‌ ପ୍ରକାଶ ପାଇବା ପରେ ଆବେଦନକାରୀଙ୍କ ଭିତରେ ଆନନ୍ଦର ଲହରି ଖେଳିଯାଇଛି । ଏହି ଜର୍ଣ୍ଣାଲ୍‌ ପ୍ରକାଶ ପାଇବାର ୪ ମାସ ଭିତରେ ଆବେଦନ ହୋଇଥିବା ସାମଗ୍ରୀଗୁଡ଼ିକ ସମ୍ପର୍କରେ ଯଦି କୌଣସି ଅଭିଯୋଗ ନ ଆସେ ତେବେ ଜିଆଇ ମାନ୍ୟତା ଘୋଷଣା ହେବ । ସେଥିପାଇଁ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ଏହି ୭ଟି ସାମଗ୍ରୀ ପୂର୍ବରୁ କେନ୍ଦ୍ରାପଡ଼ାର ରସାବଳୀ ଜିଆଇ ମାନ୍ୟତା ପାଇଯିବ । କାରଣ ୩ ମାସ ପୂର୍ବରୁ ଏହାର ଜର୍ଣ୍ଣାଲ୍‌ ପ୍ରକାଶ ପାଇସାରିଛି । 

ଏହି ୭ଟି ସାମଗ୍ରୀ ମଧ୍ୟରେ ଓଡ଼ିଶାର ଖଜୁରି ଗୁଡ଼, ଢେଙ୍କାନାଳ ମଗ୍‌ଜି ଲଡୁ, ଶିମିଳିପାଳ କାଇ ଚଟଣି, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, କପଡ଼ାଗଣ୍ଡା: ଡଙ୍ଗରିଆ କନ୍ଧ ଏମ୍ବ୍ରୋଡେରୀ ଶାଲ, କୋରାପୁଟ କଳାଜିରା ଚାଉଳ ଓ ଲାଞ୍ଜିଆ ସଉରା ଚିତ୍ରକଳା ‘ଇଡିତାଲ୍‌’ ରହିଛି । ଏସବୁ ସାମଗ୍ରୀ ଏବେ ସ୍ୱୀକୃତି ଅପେକ୍ଷାରେ । 

ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିମିଟେଡ (ଓଆର୍‌ଟିଏସ୍‌ଏସ୍‌) ପକ୍ଷରୁ ସେଣ୍ଟ୍ରାଲ୍‌ ଟୁଲ୍‌ ରୁମ୍‌  ଆଣ୍ଡ୍‌ ଟ୍ରେନିଂ ସେଣ୍ଟର (ସିଟିଟିସି) ଦ୍ୱାରା ୨୦୨୦ ଜୁନ୍‌ ୧୨ରେ ଓଡ଼ିଶାର ଖଜୁରୀ ଗୁଡ଼ ଜିଆଇ ପାଇଁ ଦରଖାସ୍ତ ଆବେଦନ କରାଯାଇଥିଲା ।  ସେହିପରି ଢେଙ୍କାନାଳ ସୁଇଟ୍ସ ଆସୋସିଏସନ୍‌ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦ୍ୱାରା ୨୦୨୦ ଡିସେମ୍ବର ୭ରେ ଢେଙ୍କାନାଳ ମଗ୍‌ଜି, ଦ ମୟୂରଭଞ୍ଜ କାଇ ସୋସାଇଟି ଲିମିଟେଡ ପକ୍ଷରୁ ଓୟୁଏଟି ଦ୍ୱାରା ସେହି ଡିସେମ୍ବର ୭ରେ ଶିମିଳିପାଳ କାଇ ଚଟଣୀ, ନୀଳମାଧବ କୃଷି ସଙ୍ଗଠନ ପକ୍ଷରୁ ଓୟୁଏଟି ଦ୍ୱାରା ୨୦୨୧ ମସିହା ଫେବୃଆରୀ ୮ରେ ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ନିୟମଗିରି ଡଙ୍ଗରିଆ କନ୍ଧ ୱିଭର୍ସ ଆସୋସିଏସନ୍‌ ଓ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍‌ସିଏସ୍‌ଟିଆର୍‌ଟିଆଇ) ନିର୍ଦ୍ଦେଶାଳୟ ପକ୍ଷରୁ ବୟନ ମନ୍ତ୍ରଣାଳୟର ବୟନ କମିଟି ଦ୍ୱାରା ୨୦୨୧ ଅଗଷ୍ଟ ୩ରେ କପଡ଼ାଗଣ୍ଡା: ଡଙ୍ଗରିଆ କନ୍ଧ ଏମ୍ବ୍ରୋଡେରୀ ଶାଲ, ଜୈବିକ ଶ୍ରୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ପକ୍ଷରୁ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ନାବାର୍ଡ ଦ୍ୱାରା ୨୦୨୨ ଜାନୁଆରୀ ୧୧ରେ କୋରାପୁଟ କଳାଜିରା ଚାଉଳ ଏବଂ ଇଡାଇ ଇଡିତାଲ୍‌ ଆସୋସିଏସନ୍‌ ଓ ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶାଳୟ ପକ୍ଷରୁ ବୟନ ମନ୍ତ୍ରଣାଳୟର ବୟନ କମିଟି ଦ୍ୱାରା ୨୦୨୨ ଏପ୍ରିଲ ୧୩ରେ ଲାଞ୍ଜିଆ ସଉରା ଚିତ୍ରକଳା ‘ଇଡିତାଲ୍‌’ ଜିଆଇ ପାଇଁ ଦରଖାସ୍ତ ଆବେଦନ କରାଯାଇଥିଲା । 

୭ଟି ସାମଗ୍ରୀରୁ ୩ଟି ଢେଙ୍କାନାଳ ମଗ୍‌ଜି, ଶିମିଳିପାଳ କାଇ ଚଟଣୀ, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ ଆବେଦନ ପ୍ରକ୍ରିୟା ଓୟୁଏଟି ଦ୍ୱାରା ହୋଇଛି । ଏନେଇ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି, ଏହା ଏକ ଦୀର୍ଘକାଳୀନ ପ୍ରକ୍ରିୟା । ବିଭିନ୍ନ ସ୍ତର ଦେଇ ଆବେଦନ କରିବାକୁ ପଡ଼ିଥାଏ । ଜିଆଇ ପାଇବା ପର୍ଯ୍ୟନ୍ତ ବହୁତଗୁଡ଼ିକ ପର୍ଯ୍ୟାୟ ରହିଛି । ଯଦିଓ ଏହାର ଆବେଦନକାରୀ ଭାବେ ସ୍ଥାନୀୟ ଲୋକମାନେ ରହିଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଓୟୁଏଟି ଦ୍ୱାରା କରାଯାଇଛି । ଜିଆଇ ଫର୍ମ ପୂରଣଠୁ ଆରମ୍ଭ କରି ପ୍ରତିଟି ସାମଗ୍ରୀ ସମ୍ପର୍କରେ ଆବଶ୍ୟକ ତଥ୍ୟ, ସୂଚନା ସବୁକିଛି ଓୟୁଏଟି ପକ୍ଷରୁ ଯୋଗାଡ଼ କରି ଉପସ୍ଥାପିତ କରାଯାଇଛି । ଯେଉଁଥିରେ ସାମଗ୍ରୀର ଉତ୍ପତ୍ତି, ଇତିହାସଠାରୁ ତା’ର ଉତ୍ପାଦନ, ପ୍ରକ୍ରିୟାକରଣ ଭଳି ବିସ୍ତୃତ ତଥ୍ୟ ଦିଆଯାଇଛି । 

ଗବେଷିକା ଡ. ଅନୀତା ସାବତ କହିଛନ୍ତି, କେନ୍ଦ୍ରାପଡ଼ାର ରସାବଳୀ ବି ଖୁବ୍‌ଶୀଘ୍ର ଜିଆଇ ମାନ୍ୟତା ପାଇବାକୁ ଯାଉଛି । ଏହି ୭ଟି ସାମଗ୍ରୀ ପୂର୍ବରୁ ରସାବଳୀ ଜିଆଇ ପାଇସାରିଥିବ । କାରଣ ୩ ମାସ ପୂର୍ବରୁ ଅର୍ଥାତ୍‌ ଗତ ମେ’ ୩୧ରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀର ଜର୍ଣ୍ଣାଲ୍‌-୧୭୫ରେ ପ୍ରକାଶ ପାଇସାରିଛି । କେନ୍ଦ୍ରାପଡ଼ାର ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ା ଏବଂ ନାବାର୍ଡ, ଓଡ଼ିଶା ଦ୍ୱାରା ୨୦୨୧ ଡିସେମ୍ବର ମାସ ୧୩ ତାରିଖରେ ଜିଆଇ ପାଇଁ ଦରଖାସ୍ତ ଆବେଦନ କରାଯାଇଥିଲା । ନିଶ୍ଚିତ ଭାବେ ଏସବୁ ଖୁସିର ବିଷୟ, ଦୀର୍ଘଦିନ ପରେ ଓଡ଼ିଶାର ଏତେଗୁଡ଼ିଏ ସାମଗ୍ରୀକୁ ଜିଆଇ ମିଳିବାକୁ ଯାଉଛି । 

ପୂର୍ବରୁ ଓଡ଼ିଶାର ୧୭ଟି ସାମଗ୍ରୀ ଜିଆଇ ପାଇଛି । ଯେଉଁଭିତରେ ରହିଛି, ଧଳାପଥର ପର୍ଦ୍ଦା, ଗୋପାଳପୁର ଟସର, ବ୍ରହ୍ମପୁର ପାଟଶାଢ଼ୀ ଓ ଯୋଡ଼, କନ୍ଧମାଳ ହଳଦୀ, କୋଣାର୍କ ପଥର ଖୋଦେଇ, ଓଡ଼ିଶା ବାନ୍ଧକଳା, ଗଞ୍ଜାମ କିଆଫୁଲ, ଗଞ୍ଜାମ କିଆ ରସ, ବୋମ୍‌କାଇ ଶାଢ଼ି, ଓଡ଼ିଶା ପଟ୍ଟଚିତ୍ର, ଖଣ୍ଡୁଆ ଶାଢ଼ି, ପିପିଲି ଚାନ୍ଦୁଆ କାମ, ଆର୍‌କୁ ଭ୍ୟାଲି ଆର୍‌ବିକା କଫି, ସମ୍ବଲପୁରୀ ବାନ୍ଧ ଶାଢ଼ି, ହାବସପୁରୀ ଶାଢ଼ି, ଓଡ଼ିଶା ରସଗୋଲା ଏବଂ କୋଟପାଡ଼ ହସ୍ତତନ୍ତ । ଏ ଭିତରେ ୟୁନେସ୍କୋର ୫୦ଟି ଆଇକନିକ୍‌ ବୟନ ତାଲିକା ମଧ୍ୟରୁ ସ୍ଥାନ ପାଇଥିବା ଓଡ଼ିଶାର ୫ଟି ଐତିହ୍ୟସମ୍ପନ୍ନ ବୟନରୁ ୪ଟିକୁ ଜିଆଇ ମାନ୍ୟତା ମିଳିଛି । 

ଗତବର୍ଷ କନ୍ଧମାଳ ହଳଦୀ ୨୦୨୧-୨୨ ବର୍ଷ ପାଇଁ ନ୍ୟାସନାଲ୍‌ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି (ଏନ୍‌ଆଇପି) ଆୱାର୍ଡ ପାଇଥିଲା । ଯାହା ଜିଆଇ ପାଇଥିବା ସାମଗ୍ରୀକୁ ନେଇ ଏହି ପ୍ରତିଯୋଗିତା ହୋଇଥିଲା । ସର୍ବଭାରତୀୟସ୍ତରରେ କୃଷି ବର୍ଗରେ ସର୍ବାଧିକ ଭୋଟ୍‌ ପାଇଥିଲା ପ୍ରସିଦ୍ଧ କନ୍ଧମାଳ ହଳଦୀ । ଏତଦ୍‌ବ୍ୟତୀତ ଆହୁରି ୧୨ରୁ ଅଧିକ ସାମଗ୍ରୀ ଆବେଦନ ଓ ମାନ୍ୟତା ପାଇବା ଅପେକ୍ଷାରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.