ନୂଆଦିଲ୍ଲୀ,୧୧/୦୯: ବିଦେଶ ଗସ୍ତରେ ଥିବା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟ ପାଇଁ ଏବେ ଚର୍ଚ୍ଚାରେ। ଅନେକ ବିଜେପି ନେତାଙ୍କ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ରାହୁଲ ସର୍ବଦା ଦେଶ ବିରୋଧୀ ମନ୍ତବ୍ୟ ଦେଇ ଆସିଛନ୍ତି । ଦେଶର ସୁରକ୍ଷାକୁ ବିପନ୍ନ କରିବା ଓ ଲୋକଙ୍କ ଭାବପ୍ରବଣତାକୁ ଆଘାତ ପହଞ୍ଚାଇବା ତାଙ୍କ ଅଭ୍ୟାସରେ ପରିଣତ ହୋଇସାରିଲାଣି । ଦେଶକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ଶକ୍ତିଙ୍କ ସମର୍ଥନରେ ରହିଛନ୍ତି ରାହୁଲ ବୋଲି ଦର୍ଶାଇ ଶାହ କଡା ଭାଷାରେ ସମାଲୋଚନା କରିଛନ୍ତି ।
ଏକ ଟ୍ୱିଟରରେ ଶାହ ଲେଖିଛନ୍ତି,''ଦେଶକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଥିବା ତଥା ଶକ୍ତିକୁ ସମର୍ଥନ କରିବା ଓ ଦେଶ ବିରୋଧୀ ବିବୃତ୍ତି ଦେବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ଏକ ଅଭ୍ୟାସରେ ପରିଣତ ହୋଇସାରିଛି । ଜମ୍ମୁ କାଶ୍ମୀରରେ ଦେଶ ବିରୋଧୀ ଏଜେଣ୍ଡାକୁ ସେମାନେ (କଂଗ୍ରେସ) ସମର୍ଥନ କରୁଛି । ସେହିପରି ବିଦେଶୀ କାର୍ଯ୍ୟକ୍ରମରେ ଭାରତ ବିରୋଧୀ ବିବୃତ୍ତି ଦେଇ ରାହୁଲ ଗାନ୍ଧୀ ସର୍ବଦା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଆସିଛନ୍ତି ।'' ସେ ଆହୁରି ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ଆଞ୍ଚଳିକତା, ଧର୍ମ ଏବଂ ଭାଷାଗତ ମତଭେଦ ସୃଷ୍ଟି କରିବା ନେଇ କଂଗ୍ରେସ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଦେଶରେ ସଂରକ୍ଷଣକୁ ରଦ୍ଦ କରିବା ବିଷୟରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରାକୁ ସାମ୍ନାକୁ ଆଣିଛି । ତାଙ୍କ ମନରେ ଥିବା ସଂରକ୍ଷଣ ବିରୋଧୀ ମାନସିକତା ଶେଷରେ ଶବ୍ଦ ଭାବେ ପ୍ରକାଶ ପାଇଛି । ମୁଁ ରାହୁଲ ଗାନ୍ଧୀଙ୍କୁ କହିଦେବାକୁ ଚାହେଁ, ଯେପର୍ଯ୍ୟନ୍ତ ବିଜେପି ଅଛି, କେହି ସଂରକ୍ଷଣକୁ ରଦ୍ଦ କରିପାରିବେ ନାହିଁ କିମ୍ବା ଦେଶର ସୁରକ୍ଷାକୁ ବିପନ୍ନ କରିପାରିବେ ନାହିଁ ବୋଲି ଅମିତ ଶାହ କହିଛନ୍ତି ।