ଭୁବନେଶ୍ଵର, ୨୮/୦୮ : ମଣିଷ ଦେହରେ ବାର୍ଡ ଫ୍ଲୁ ସନ୍ଦେହ। ପୁରୀ ମଙ୍ଗଳପୁର ଅଞ୍ଚଳର ଜଣେ ବ୍ୟକ୍ତଙ୍କୁ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ସ୍ଵାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଖବର ସରବରାହ ସଂସ୍ଥା ANIକୁ ସ୍ଵାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କୁ କାଶ ସହ ଜ୍ଵର ହୋଇଥିଲା। ତାଙ୍କ ରକ୍ତ ନମୁନା RMRCକୁ ପଠାଯାଇଛି। ପରୀକ୍ଷା ଚାଲିଛି, ଖୁବଶୀଘ୍ର ରିପୋର୍ଟ ଆସିବ।
ସୂଚନାଥାଉକି, ପୁରୀ ଜିଲ୍ଲାର ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି। ଦିନକୁ ଦିନ ଅଧିକ ଫାର୍ମ ଚିହ୍ନଟ କରାଯାଉଛି। ପିପିଲିର ଅବଲପୁର ବାର୍ଡ ଫ୍ଲୁ ବ୍ୟାପିବାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଆଲିଶା, ବାଲିଗାଁ, କୋଡ଼ଙ୍ଗା, ସହଜପୁର, ରାଜଗୁରୁପୁର, ଓଡ଼ଶପୁର, ନୂଆଗୋଡ଼ି, ଜନାର୍ଦ୍ଦନପୁର, ତେଇଶପୁର, ପ୍ରହରାଜପୁରରେ ଏବେ କୁକୁଡ଼ା ମରା ଅଭିଯାନ ଚାଲିଛି। ସେହିପରି ସତ୍ୟବାଦୀର ଧୋଜାମୁଣ୍ଡାଇ, ସାରଙ୍ଗଯୋଡ଼ି, ବାମଦେଇପୁର, ବିଶ୍ଵନାଥପୁର, ରାୟଖଣ୍ଡି, ପରିଜାପଡା, ବିଜିପୁର, ରାୟଚକ୍ରଧରପୁର, ତୋରାଣିଆ, ଢୋଲ, ଗୋପୀନାଥପୁର ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ ଚାଲିଛି। ପିପିଲିର ୧୧ଟି ଗ୍ରାମ ଓ ସତ୍ୟବାଦୀର ୧୦ଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମରାଯାଉଛି।