ମାଲକାନଗିରି,୨୭/୯ : ମାଲକାନଗିରି ସଦର ଥାନାସ୍ଥ ତର୍ଲକୋଟା ପଞ୍ଚାୟତ ସର୍ଗୀ ଗୁଡ଼ା ଗ୍ରାମରେ ଗୁଣି ଗାରେଡି କରୁଥିବା ସନ୍ଦେହେରେ ଗୋଟିଏ ପରିବାରକୁ ଦୀର୍ଘ ୬ମାସ ହେବ ବାଛନ୍ଦ ସହ ବିତାଡ଼ିତ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଗୁରୁବାର ମାଲକାନଗିରି ସଦର ଥାନାରେ ପୀଡିତ ପରିବାର ଭକ୍ତରାମ ହନ୍ତାଳ ଓ ଗ୍ରାମ ବାସୀମାନଙ୍କୁ ଡକାଯାଇ ଉଭୟ ପକ୍ଷରୁ ଆପୋଷ ମିଳାମିଶା ଓ ସମାଧାନ କରାଯାଇଥିଲା।
ଆଜି ସକାଳେ ପୀଡ଼ିତ ପରିବାରଙ୍କୁ ସଦର ଥାନା ପୋଲିସ ହେପାଜତରେ ସର୍ଗୀଗୁଡା ଗ୍ରାମରେ ସେମାନଙ୍କ ନିଜ ଘରେ ଛାଡାଯାଇଛି । ଏ ସମ୍ପର୍କ ଆଜି ସର୍ଗୀଗୁଡା ଗ୍ରାମରେ ମାଜିଷ୍ଟ୍ରେଟ ତଥା ତହସିଲଦାର ଲଳିତ ବାଗ, ଏସ୍ଡ଼ିପିଓ ସଚିନ ପଟେଲ, ସଦର ଥାନା ଆଇଆଇସି ହିମାଂଶୁ ଶେଖର ବାରିକଙ୍କ ଉପସ୍ଥିତରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ବାଲ ରାଜ ଗେମେଲ ଓ ଗ୍ରାମ ମୁଖିଆ ଗ୍ରାମବାସୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ଅଭୟଙ୍କ ମଧ୍ୟରେ ଆପୋଷ ସମାଧନ ସହିତ ଶାନ୍ତି ପ୍ରତିଷ୍ଠା କରାଯାଇଛି । ପୀଡିତ ଭକ୍ତ ରାମ ହନ୍ତାଳଙ୍କ ପରିବାରଙ୍କୁ ଗ୍ରାମରେ ପୂର୍ବ ପରି ବସବାସ କରିବେ । କେହି ଗ୍ରାମବାସୀ ତାଙ୍କୁ ହଇରାଣ କିମ୍ବା ଅସୁବିଧା ଯେପରି ନ କରିବେ ଓ ଭକ୍ତ ରାମ ମଧ୍ୟ ଗ୍ରାମବାସୀଙ୍କ ସହିତ ମିଳିମିଶି ରହିବ ସେ ନେଇ ସମସ୍ତଙ୍କ ସମ୍ମୁଖରେ ଏକ ଉଭୟ ପକ୍ଷରୁ ରାଜିନାମା କରାଯାଇଥିଲା। ଗ୍ରାମ ବାସୀ ମଧ୍ୟ ଭକ୍ତରାମ ହନ୍ତାଳଙ୍କ ପରିବାରକୁ ତାଙ୍କ ପୈତୃକ ଘରକୁ ପାଛୋଟି ନେଇଥିଲେ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକସ୍ଥ ସର୍ଗିଗୁଡା ଗ୍ରାମରେ ଭକ୍ତରାମ ହନ୍ତାଳ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଗୋରୀ ହନ୍ତାଳ, ୨ପୁଅ ଧନପତି ଓ ଗୋପୀନାଥ ଏବଂ ଝିଅ ନଇନା ସହ ରହି ଆସୁଥିଲେ। ଗତ ୬ମାସ ତଳେ ଗ୍ରାମବାସୀଙ୍କ ରୋଷର ଶିକାର ହୋଇ ଘର ଛାଡି ସ୍ୱାଭିମାନ ଅଞ୍ଚଳ କୋଡ଼ି ଗନ୍ଧି ଗ୍ରାମକୁ ପରିବାର ସହ ଭକ୍ତ ରାମ ପଳାଇଥିଲେ । ଦୀର୍ଘ ୬ମାସର ବିବାଦ ଆଜି ତୁଟି ଯାଇଛି । ଘର ପୁଅ ନିଜ ଗାଁ ଓ ଘରକୁ ଫେରି ଆସିଛି । ଗ୍ରାମ ବାସୀଙ୍କ ସହିତ ପୂର୍ବ ପରି ମିଳିମିଶି ରହିଥିବାରୁ ଭକ୍ତରାମ ଏବେ ବହୁତ ଖୁସି ଅଛନ୍ତି।